Unknown

 

 

 

 

 

 

 

 

ଅମୃତ ବେହିଆ

ଫତୁରାନନ୍ଦ

 

କରୁଣା ଝରରେ ଠିପି

 

ନୀଳବାଗ ଥାନାରେ ଦାରୋଗା ଅଦାଛେଚା ଦାସ ତାଙ୍କ ଅଫିସ ଟେବୁଲ ଉପରେ ଉପାନହଯୁକ୍ତ ପାଦଯୁଗଳକୁ ଥୋଇଦେଇ ଦରବାର ଆରମ୍ଭ କରିଦେଇଥାନ୍ତି । ମୁନିସ୍‌ମାନେ ଘେରିବସି ତେଲ ପିମ୍ପା ଖୋଲି ଦେଇଥାନ୍ତି । ଦାରୋଗା ସିଗାରେଟ୍‌ଟିଏ ଲଗେଇ ରେଳ ଇଞ୍ଜିନ ଉପରକୁ ଧୂଆଁ ଛାଡ଼ିଲା ପରି ସିଗାରେଟ୍ ଧୂଆଁ ଛାଡ଼ୁଥାଆନ୍ତି ।

 

୧ ନମ୍ବର ମୁନ୍‍ସି ଆଙ୍ଗୁଠି ମଳି ମଳି ଆରମ୍ଭ କଲେ–‘‘ଆଜ୍ଞା, ଏଠା ଦାଗୀଗୁଡ଼ାକ ଆପଣଙ୍କ ନାଁ ଶୁଣିଲେ ଛେରିମୁତି ପକାଉଛନ୍ତି । ଯମକୁ ଯେତେ ଡରୁଛନ୍ତି ତାଠୁଁ ଶହେଗୁଣ ବେଶି ଆପଣଙ୍କୁ ଡରୁଛନ୍ତି । କାଲି ଏଙ୍କେନା ଦାଗୀକୁ ଭେଟିଥିଲି । ତାକୁ ବହୁତ ପ୍ରକାର ପଚରା ଉଚରା କରିବାରେ ସେ ସାଫ୍ ସାଫ୍ କହିଦେଲା-ନାହିଁ ବାବୁ ଆଉ ଆମ ବେଉସା ଚଳିବନି । ଅଦାଛେଚା ଦାରୋଗା ଏ ମୁଲକରେ ଥିବା ଯାଏ ଆମ ହାତ ବନ୍ଦ । ଆଉ ଏ ବେପାର କରିବୁ କାହିଁକି ? ଜୀବନକୁ ପାଣି ଛଡ଼େଇ ରୁମ ଟାଙ୍କୁରା ବେପାର କରିବୁ । ବାଳ ପ୍ରମାଣେ ଏପାଖ ହୋଇଗଲେ ଏକା ଝାମ୍ପକେ ଥଳି ଭରପୁର, ଆଉ ବାଳ ପ୍ରମାଣେ ସେପାଖ ହୋଇଗଲେ ପିଠିରୁ ଚୋପା ଛାଡ଼ିଯିବ । ହପ୍ତାଏ ଦିହପ୍ତା ଘରେ ପଡ଼ିରହି ଦରଜ ଥାନମାନଙ୍କରେ ସୋରିଷ ତେଲ ଅଫିମ ଫୁଟେଇ, ବସି ମାରୁଥା ! ଯାହା କମେଇଥିବୁ ତାର ଦିଗୁଣ ଦରଜ ଦିହ ସେବାରେ ଯାଉଛି । ଆଉ ବି ଚିଲ ଆଖିଆ ଦାରୋଗା କେମିତି ସନ୍ଧାନ ପାଉଛି କେଜାଣି ବାଘ ମାଡ଼ିବସିଲା ପରି ଯାଇ ମାଡ଼ି ବସୁଛି ।

 

ବାସ୍ତବିକ ଆପଣହିଁ ସେମାନଙ୍କୁ ଦେବାଳିଆ କରିଦେଲେ । ସେମାନଙ୍କ ଦଳକୁ ଉଚ୍ଛନ୍ନ କରିଦେଲେ । ଆପଣଙ୍କ ଆଗରୁ ଆଉ କେହି ଏମିତି କରି ପାରିନଥିଲେ ।’’

 

୨ ନମ୍ବର ମୁନ୍‍ସି କହିଲେ–‘‘ଆଜ୍ଞା ସତକଥା–ଆଉ ଜଣେ କହିଥିଲା ଅଦାଛେଚା ଦାରୋଗା ତ ଏ ବେଉସାରେ ଥକୁଲ୍ ଥାଈ ପକେଇ ଦେଲେଣି । କଦବା କେତେବେଳେ କେମିତି ଯଦି ଶିକାରଟାଏ ହାବୁଡ଼ୁଛି ତୁମେତ ତା ଦି ଫରିଆ ଓ ସିନାକୁ ଝାମ୍ପିନେଇ–ନା ନା ନା, ମାନେ ଏଇ ସେ ଦୀନାଭୋଇ ଝାମ୍ପି ନେଇଯିବ । ଆଉ ଆମେ ବେଉସା କରିବୁ କାହିଁକି ?’’

 

ଦାରୋଗା ବାବୁ ମୁର୍କି ହସାଦେଇ କହିଲେ–‘‘ହଇହେ, ତୁମର ‘ଦୀନାଭୋଇ’ ବୋଲି ଆଉ ଗୋଟାଏ ନାଆଁଥିବା କଥା ମୁଁ ଆଗରୁ ଜାଣିନଥିଲି । ହଉ ହଉ ତା’ ପରେ...’’

 

‘‘ନାହିଁ ଆଜ୍ଞା, ଭୁଲ୍‌ରେ ପାଟିରୁ ବାହାରି ପଡ଼ିଲା । ଦୀନାଭୋଇ ୧୦ନମ୍ବର ଓ୍ୱାର୍ଡର ବାଉରି ସାହିରେ ଥାଏ ।’’

 

‘‘କିହୋ ୧୦–ନମ୍ବର ଓ୍ୱାର୍ଡରେ ତ ବାଉରି ସାହି ନାହିଁ ।’’

‘‘ନାହିଁ ଆଜ୍ଞା, ଦଶନମ୍ବର ନୁହେଁ, ୧୮ ନମ୍ବର ।’’

‘ହେଃ ! ସେଇଟା ତ ପାଣ ସାହି, ବାଉରି ସାହି ଆସିଲା କୁଆଡ଼ୁ ।’’

 

‘‘ଆଜ୍ଞା ଆପଣ ଠିକ୍ କହିଛନ୍ତି । ଭୁଲ୍‌ରେ କହିଦେଲି ୧୮ ନମ୍ବର, ସେଇଟା ୧୯ କି ୨୦ ହେବ ବୋଧହୁଏ ।’’

 

‘‘ବୁଝିଲି, ବୁଝିଲି । ଏମିତିଆ ଭୁଲ୍‍ ବାରମ୍ବାର କରିବା ଅପେକ୍ଷା ଚୋରଙ୍କ ପାଖରେ ହାତ ନ ପତାଇବା କୋଟିଗୁଣେ ଭଲ । ଚୋରମାନେ ଆମକୁ ଆଉ ଖାତିର କରିବେନା ? ପୁଲିସ୍ ଯଦି ଚୋର ସଙ୍ଗାତ ଠାଉଆ ହୁଏ ତେବେ କଥା ଶେଷ । ଯେଉଁ ଲୋକଙ୍କ ଧନ ଜୀବନ ନିରାପଦ ରଖିବାକୁ ଆମେ ଚାକିରି କରିଛୁ, ସେହିମାନଙ୍କ ପ୍ରତି ଏତଟା ଆମର ବିଶ୍ୱାସଘାତକତା ହେବ । ଏଗୁଡ଼ାକ ଠିକ୍ ନୁହେଁ ।’’

 

‘‘ଆଜ୍ଞା ଆପଣ ଠିକ୍ କହୁଛନ୍ତି । ମୁଁ କଅଣ କହୁଥିଲି କି, ଏ ଛୋଟ ଛୋଟ ଚୋରଙ୍କ ଦାଉ ଆପଣଙ୍କ ଲାଗି କମି ଆସୁଛି ।’’

 

୩ୟ ମୁନ୍‌ସି କହିଲେ ‘‘ଆଜ୍ଞା, ଏ ଲୁଗା, କଂସା, ଧାନ ଚୋରଙ୍କ ସଂଖ୍ୟା ସିନା କମି ଆସୁଛି, ହେଲେ ବଡ଼ ବଡ଼ ନେତା, ବଡ଼ ବଡ଼ ଅଫିସରମାନେ ଏ ବେଉସାରେ ଅଧିକରୁ ଅଧିକ ପଶୁଛନ୍ତି ।’’

 

‘‘ଚୁପ୍ ଚୁପ୍, ସେ କଥା ଏଡ଼େ ପାଟିରେ କୁହନା । ତହିଁକି ମନ୍ତ୍ରୀମାନେ ଅଛନ୍ତି । ସେମାନେ ତାଙ୍କଠୁଁ ପୁଣି ନେଉଛନ୍ତି । ସେମାନେ ତାର ଭଲମନ୍ଦ ତୁଲେଇବେ । ସେମାନଙ୍କ କଥା ଲୋକେ ଭୋଟବେଳେ ବୁଝିବେ । ଆମର ସେଥିରେ ମୁଣ୍ଡ ଖେଳେଇବା ଉଚିତ୍ ନୁହେଁ । ଆମେ ସେ କାଦୁଅରେ ପଶିବାନି କି’’

 

ଠିକ୍ ଏତିକିବେଳେ ଘୁଉଁ ଘୁଉଁ ହୋଇ ଗୋଟାଏ କାର୍ ଆସି ବାହାରେ ଅଟକିଲା । ଦାରୋଗା ସେମିତି ବସି ସିଗାରେଟ୍‌ରେ ଆଉ ଗୋଟାଏ ଟାଣ୍ ଦେଲେ । ଜଣେ ମୁନ୍‌ସି କହିଲେ, ‘‘ଗୋଟାଏ ବଡ଼ ବ୍ୟବସାୟୀ ନିଶ୍ଚୟ କିଛି ହଲାପଟା ହୋଇ ଆସିଛି ଆପଣଙ୍କ ଶରଣ ପଶିବାକୁ ।’’

 

ଅନ୍ୟମାନେ ନିଜ ନିଜ ଭିତରେ ଫୁସୁର୍‌ ଫାସୁର୍ ହେଲେ–‘‘ସୈକାର ଭାକୁଡ଼ କି ରୋହିଟାଏ ଆସିଗଲା । କିଛି ନ ହେଲେ ପେଟପୂରା ଜଳଖିଆତ ମିଳିଯିବ ।’’

 

୩ ନମ୍ବର ମୁନ୍‌ସି କହିଲେ–‘‘ଆଜ୍ଞା, ସେ ଆସି ନିଶ୍ଚେ ଆପଣଙ୍କୁ ପଟକା ପଟ୍‌କି-’’

 

ମୁହଁ କଥା ମୁହଁରେ । ବାବୁ ଜଣକ ଦାରୋଗା ବାବୁଙ୍କ କୋଠରି ଭିତରକୁ ପଶି ଆସିଲେ-। କୋଠରି ଭିତରେ ହାଲିହୋଳା ପଡ଼ିଗଲା । ଦାରୋଗା ବାବୁ ବଡ଼ ବେଢ଼ଙ୍ଗରେ ବସି ସିଗାରେଟ୍ ଟାଣୁଥିଲେ । ଆଗ ଗୋଡ଼ ଦି’ଟା କେମିତି ଓହ୍ଲେଇବେ ତାହା ଠିକ୍ କରି ପାରିଲେନି । ଚଉକି ହାତ ଉପରେ ଭରା ଦେଇ ତର ତର ହୋଇ ଉଠି ପଡ଼ୁ ପଡ଼ୁ ସିଗାରେଟ୍ ଧରା ହାତଟା ଖସିଗଲା । ଗୋଟାଏ କଡ଼କୁ ଗଡ଼ି ପଡ଼ୁଥିଲେ, ଜଣେ ମୁନ୍‌ସି ଧରିପକାଇଲାବେଳକୁ ତାଙ୍କ ହାତରେ ସିଗାରେଟ୍‍ଟା ଚେଙ୍କି ହୋଇଗଲା । ସେ ଉହୁ ହୋଇ ହାତଟାକୁ ଜାକି ନେଲେ । ଯାହା ହେଉ ଦାରୋଗା ହାତଟା ତଳେ ଲଗାଇ ଦେଇ ଟେବୁଲ୍ ଉପରୁ ଗୋଡ଼ ଦି’ଟା କାଢ଼ି ଆଣିଲେ । ମାତ୍ର କେଇ ସେକେଣ୍ଡ, ଭିତରେ କୋଠରିର ହାଲହୋଳି ଥମିଗଲା । ସମସ୍ତେ ଜୋତା ଭୂଇଁ ଉପରେ ଠକ୍‌ଠାକ୍ ବାଡ଼େଇ ସଲାମ୍ ବଜେଇଲେ ।

 

ଖୋଦ୍ ପୁଲିସ୍‍ ସାହେବ ଚଉକିରେ ବସି ପୁରାଣ ଖୋଲିଲେ । ‘‘ଅଦା ଛେଚାବାବୁ, ବଡ଼ ଖରାପ ଅବସ୍ଥା ହୋଇଗଲାଣି । ଆମେ କାର୍ଯ୍ୟରେ ଅବହେଳା କରୁଛୁ ବୋଲି ସରକାରଙ୍କଠାରୁ କଡ଼ା ତାଗିଦ୍ ଆସିଲାଣି । ଠାଉଆ ଚୋରଙ୍କ ସଂଖ୍ୟା ଅତି ଅସମ୍ଭବ ଭାବରେ ବଢ଼ିଗଲାଣି । ଲୋକେ ତ୍ରାହି ତ୍ରାହି ଡାକିଲେଣି । ଆପଣ ଏପରି ନିଶ୍ଚେଷ୍ଟ ହୋଇଗଲେ କାହିଁକି ? ଆମ ବିଭାଗ ପ୍ରତି ଏହା ଏକ ବଡ଼ ଅପମାନ ଓ ଆହ୍ୱାନ । ଏ ଆହ୍ୱାନର ମୁକାବିଲା ଯଦି ଆମେ କରି ନ ପାରିବୁ ତେବେ ଆମେ ଥାଇ କେତେ, ନଥାଇ କେତେ ! କଅଣ ହୋଇଛି ? କାହିଁକି ଚୋରଙ୍କ ସଂଖ୍ୟା ବଢ଼ୁଛି ? ଏଗୁଡ଼ାଙ୍କୁ ଜବତ୍ କରିପାରୁନ ?’’

 

ଦାରୋଗା ବାବୁ ଆଙ୍ଗୁଠି ମଳି କହିଲେ–‘‘ଆଜ୍ଞା, ଏଗୁଡ଼ାକ ତେଲୁଣୀ ପୋକ ପରି ସାଲୁସାଲୁ ହେଲେଣି । ଦି’ ଚାରିଟାକୁ ବାନ୍ଧି ଅଟକେଇ ଦେବାମାତ୍ରେ ସେମାନଙ୍କ ସାହି ମେଣ୍ଢାମାନେ ଧାଉଁଛନ୍ତି ବିଧାନ ସଭା ସଭ୍ୟ ଓ ମନ୍ତ୍ରୀମାନଙ୍କ ପାଖକୁ । ତା’ପରେ ମନ୍ତ୍ରୀମାନେ ଭବିଷ୍ୟତର ଭୋଟ ଲୋଭରେ ଆମକୁ ଫୋନ୍ କରୁଛନ୍ତି–‘ଆହେ ସେ ଅମୁକକୁ କୁଆଡ଼େ ବାନ୍ଧି ପକେଇଛ । ସେ ଆମର ସୂର୍ଯ୍ୟବନ୍ଧୁ, ତାକୁ ଏଥରକ ଛାଡ଼ିଦିଅ । ସେ ଆଉ ଚୋରିଚପଟା କରିବ ନାହିଁ ।’ ଏଥିରେ ମୁଁ କଅଣ କରିବି ? ଯାହାକୁ ଗୋଇଠା ଚାପୁଡ଼ା ଦେଇ ‘ହଇବେ ଶଳା, ବେଧୁଆ, ହାରାମୀ, ହଇବେ ଶଳା ଥୋବରା, ଥାନାକୁ ଚଟିଘର ବନେଇଲୁଣି, କହି ଘିଡ଼ିଘାଡ଼ିଆ ଘୋଷାଡ଼ି ଘୋଷାଡ଼ି ଅଣେଇଥିଲି ତାକୁ ସେହି ମୁହଁରେ ‘ଆଜ୍ଞା, ଆପଣ କହି ତା ପିଠିରେ ଆଇଡ଼େକ୍‌ସ ମଲମ ମାଲିସ୍ କରି, ଚାହା ଜଳଖିଆ ଖୁଆଇ, ରିକ୍‌ସାରେ ବସେଇ ନମସ୍କାର କରି ବିଦାୟ ଦେଉଛି । ଏଥିରେ ତାଙ୍କର ସାହସ ନ ବଢ଼ିବ କାହିଁକି ।’’

 

‘‘ନା-ନା-ସେ ସବୁ ଚଳିବ ନାହିଁ । ମନ୍ତ୍ରୀଙ୍କୁ ବିନୟର ସହିତ କହିବ–ଆଜ୍ଞା ଗୋଟିଏ ଆଦେଶନାମା ଲେଖି ପଠାଇ ଦିଅନ୍ତୁ । କିଏ ଯେ କେତେବେଳେ ସେ ଆସନରେ ବସିବ ତାର ସ୍ଥିରତା ନାହିଁ । ଯଦି ଆପଣଙ୍କର କେହି ବିରୋଧୀ ଲୋକ ସେ ଗାଦିରେ ବସି ମୋ ତଣ୍ଟିରେ ହାତ ପକେଇବେ, ମୁଁ ସେତେବେଳେ କଅଣ କରିବି । ଏତକ ଶୁଣିଲେ ମନ୍ତ୍ରୀଙ୍କର ଚେତା ପଶିବ । ସେ ଚୁପ୍‍ଚାପ୍ ରହିଯିବେ ।

 

ପ୍ରକୃତରେ ଯେ ମନ୍ତ୍ରୀ ଠାଉଆ ଚୋରଙ୍କ ସୂର୍ଯ୍ୟବନ୍ଧୁ, ତାହା ନୁହେଁ, । ତା ପାଇଁ ଅନୁରୋଧ କରି ଯାଇଥିବା ସାହି ମେଣ୍ଟାଙ୍କୁ ସନ୍ତୁଷ୍ଟ କରିବାକୁ ସେ ଏପରି କହନ୍ତି । ଭୋଟ ଲୋଭଟା କିଛି କମ୍ ପ୍ରବଳ ନୁହେଁ । ତୁମେ ତାଙ୍କ କଥା ମାନିଲ କି ନାହିଁ ତାହା ସେ ପଚାରି ଯାଆନ୍ତି ନାହିଁ କି ତାଙ୍କର ମନେ ନ ଥାଏ । ଦେଖ ମୁଁ ଯାହା କହିଲି ଆଡ଼କୁ ତାହାହିଁ କରିବ ।’’

 

‘‘ଆଜ୍ଞା ସେଇଟା ତ କରିବି । ହେଲେ ସେଇଟା ବଡ଼ କାରଣ ନୁହେଁ । ବଡ଼ କାରଣ ହେଉଛି କୋର୍ଟକଚେରୀର ବିଚାରପତିମାନଙ୍କର ଆମ ଉପରେ ପୂରା ଅବିଶ୍ୱାସ, ଆଉ ଚୋରଙ୍କ କଥାରେ ପୂରା ବିଶ୍ୱାସ । ଗଲା ସପ୍ତାହରେ ମାଡ଼ଗୁଲ ଜେନାର ବିଚାର ହୋଇ ଯାହା ହେଲା ତାହା ଆପଣ ବୋଧହୁଏ ଶୁଣି ନାହାନ୍ତି । ମାଡ଼ଗୁଲ ଜୟନାରାୟଣ ଦୋକାନରୁ ଗୋଟାଏ ଥାନ ଦାମିକା କନା ଉଠେଇ ନେଇ ପଳେଇ ଆସୁଥିବାବେଳେ ଧରା ପଡ଼ିଲା । ମାଲ୍ ସାବୁତ୍ ହେଲା । ସାକ୍ଷୀମାନେ ଜମାନବନ୍ଦୀ ଦେଇ ସ୍ୱଚକ୍ଷୁରେ ଦେଖିଛନ୍ତି ବୋଲି କହିଲେ । ଜେରାରେ କିଛି ଓଲମ୍‍ ବିଲମ୍‍ ହେଲା ନାହିଁ । ହେଲେ ବିଚାରପତିଙ୍କ ମନ ମାନିଲା ନାହିଁ । କାରଣ ୩୫ ନମ୍ବର ଦାଗୀ ମାଡ଼୍‍ଗୁଲୁ କହିଲା-ଏ ଗୁଡ଼ାକ ସବୁ ମିଛ କଥା । ବିଚାରପତି ଡାନିଏଲ୍ ବାବୁ କହିଲେ–ସାକ୍ଷୀମାନେ ଜୟନାରାୟଣ ଓ ପୁଲିସ୍ ଦ୍ୱାରା ପ୍ରଭାବିତ ନ ହୋଇଥିବେ କାହିଁକି ? ବ୍ୟକ୍ତିଗତ ଆକ୍ରୋଶ ହେତୁ ଜୟନାରାୟଣ ଏପରି କାଣ୍ଡ ସୃଷ୍ଟି ନ କରିଥିବ କାହିଁକି ? ବ୍ୟବସାୟୀମାନଙ୍କ ସହ ଖାଉଟିମାନଙ୍କର ସର୍ବଦା କଳି ଓ ବଚସା ହେଉଛି । ମାଡ଼୍‍ଗୁଲୁ ମଧ୍ୟ ଦରଦାମ୍ ନେଇ ଜୟନାରାୟଣକୁ ଗାଳି ଗୁଲଜ କରିଥିବାର ଜଣା ଯାଇଛି । ୩୫ ଥର ଆଗରୁ ଚୋରି କରିଥିଲା ବୋଲି ଏଥରକ ଯେ ସେ ନିଶ୍ଚେ ଚୋରି କରିଥିବ ଏହା ଗ୍ରହଣଯୋଗ୍ୟ ନୁହେଁ । ଏଣୁ ମାଡ଼୍‍ଗୁଲୁ ବେକସୁର ଖଲାସ । ଏଥିରେ ଆମେ କଅଣ କରିବୁ ? ଯେତେ ଚୋରଙ୍କୁ ଗିରଫ କରି କୋର୍ଟରେ ହାଜର୍‍ କରାଇଲୁ, ଡାନିଏଲ୍ ସମସ୍ତଙ୍କୁ ଖଲାସ କରି ଦେଉଛନ୍ତି । ଏ ଶଳେ ଚୋରମାନେ ବି ଡାନିଏଲ୍‍ଙ୍କ ହୃଦୟର ସୁରାକ୍ ପାଇଗଲେଣି । ବିଚାରବେଳେ ଆଜ୍ଞା ସେମାନଙ୍କ ଛଟାଗଳା କଅଣ ଦେଖିବେ ! ମୁହଁକୁ ଶୁଖେଇ, ନଅଙ୍କିଆ କରି, ଆଖିରୁ ଲୁହ ବୁହାଇ, ଛାତିରେ ହାତକୋଡ଼ି ଏମିତି ଏକ ଅଭିନୟ ସୃଷ୍ଟି କରିଦେଉଛନ୍ତି ଯେ, ଡାନିଏଲ୍‌ଙ୍କ ହୃଦ ତରଳି ଯାଉଛି । ସମସ୍ତଙ୍କୁ ଖଲାସ କରି ଦେଉଛନ୍ତି । ଛଟାଗଳାଗୁଡ଼ାକ କୋର୍ଟ ପଦାକୁ ଆସିବା ମାତ୍ରେ ଚେହେରା ବଦଳେଇ ଦେଇ ଆମକୁ ଖତେଇ ହୋଇ ପଳାଉଛନ୍ତି । ଆମେ ଯେତେ ଚେଷ୍ଟା କରୁଛୁ ଡାନିଏଲ୍‌ଙ୍କ କୋର୍ଟରେ କେସ୍‍ଟା ନ ପଡ଼ୁ, ତା କାହିଁକି ହବ ? ସେହି ଡାନିଏଲ୍‌ଙ୍କ କୋର୍ଟରେ ପଡ଼ୁଛି । ଚୋରଙ୍କୁ ଧରିଲାବେଳେ ଆମର ଆଉ ଉତ୍ତେଜନା ଆସୁନି । ମନଲଗେଇ ତତ୍ପରି କରିବାକୁ ଇଚ୍ଛା ହଉନି । ଯେତେ ଯାହା କଲେ ବି ଡାନିଏଲ୍ ସେମାନଙ୍କୁ ବେକସୁର ଖଲାସ କରିଦେବେ, ବୃଥାରେ ନଈବାଲି ଚଷିବୁ କିଆଁ ? ମନ୍ତ୍ରୀଙ୍କର ଭୋଟ ବଜାୟ ରହିଲା, ଚୋରଙ୍କର ଚୋରି ବଜାୟ ରହିଲା, ଡାନିଏଲ୍‌ଙ୍କ କରୁଣାପୂର୍ଣ୍ଣ ହୃଦୟ ବଜାୟ ରହିଲା । ଆମରି କେବଳ ବାନ୍‍ଝ ପରିଶ୍ରମ ଗୁଡ଼ିଏ ସାରହେଲା ।’’

 

ଫଅଁ କରି ନିଶ୍ୱାସଟାଏ ଛାଡ଼ିଦେଇ ପୁଲିସ୍‍ ସାହବେ କହିଲେ–‘‘ତୁମର ମାନସିକ ଅବସ୍ଥା ବୁଝୁଛି । ତୁମ କର୍ତ୍ତବ୍ୟ କରିଯାଅ, ଭଗବାନଙ୍କ ଉପରେ ଫଳାଫଳ ଛାଡ଼ିଦିଅ । କର୍ତ୍ତବ୍ୟରେ କେବେହେଲେ ତ୍ରୁଟି କରନାହିଁ । କେହି ପଚାରନ୍ତୁ ନ ପଚାରନ୍ତୁ ତୁମ ମନରେ ତ ଶାନ୍ତି ପାଇବ ଯେ ତୁମେ ନିଜ କର୍ତ୍ତବ୍ୟରେ ହେଳା କରିନ । ଏହାହିଁ ତୁମର ନୈତିକ ବଳ ବଢ଼ାଇବ ।’’

 

ପୁଲିସ୍‍ ସାହାବ ଏମିତି ଗୁଡ଼ାଏ ଗୀତା ଉପଦେଶ ଦେଇ ଚାଲିଯିବା ପରେ ପୁଣି ଦାରୋଗାଙ୍କ ଅଧ୍ୟକ୍ଷତାରେ ମୁନ୍‌ସିମେଳଣ ଚାଲିଲା । ୧ ନମ୍ବର ମୁନ୍‌ସି ଆରମ୍ଭ କଲେ–‘‘ସାହାବ ସିନା ଶ୍ରୀକୃଷ୍ଣ ଯେ ଗୀତା ତତ୍ତ୍ୱ ବଖାଣି ଦେଇଗଲେ । କିନ୍ତୁ ଆମେ ସିନା ଅର୍ଜ୍ଜୁନ ହୋଇଥିଲେ ଆମ ମୁଣ୍ଡରେ ପଶିବ । ଯାହି ତାହିକି ଘଷର ଘଷର ହେଉ ହେଉ ଯେତିକି ହେବ, ଯାହ ହବ ସେହି ସଇ-।’’

 

ଦାରୋଗା କହିଲେ–ନା, ଏହାର ଗୋଟାଏ କିଛି କିନାରା କରିବାକୁ ହେବ । ସାହାବଙ୍କ କଥା କରିବାକୁ ହେବ । ତାଙ୍କ କଥା କରିବାକୁ ହେବ ତା ସଙ୍ଗେ ସଙ୍ଗେ ଆଉ କିଛି ଅଧିକ କରିବାକୁ ହେବ । ଆମ ଚେଷ୍ଟାରେ କିଛି ଗଲତି ନାହିଁ । ଡାନିଏଲ୍‍ ବିଚାରପତିଙ୍କ ଯୋଗୁଁ ସବୁ କିଛି ଭଣ୍ଡୁର ହେଉଛି । ଅପାତ୍ରରେ ସେ ଯେ କାହିଁକି ଏପରି କରୁଣା ଢାଳୁଛନ୍ତି ତାହା ବୁଝା ପଡ଼ୁନି । କୌଣସି ପ୍ରକାରରେ ଯଦି ତାଙ୍କ ହୃଦ ଭିତରେ ଥିବା କରୁଣା ଝରରେ ଠିପିଟା ମାରି ଦିଅନ୍ତେ ତେବେ ଏ ଚୋର ଗୋଷ୍ଠୀ ସାବାଡ଼୍‌ ହୋଇ ଯାଆନ୍ତେ । ତଥାକଥିତ ରାଜନୀତି ଭିତରେ ପଶିଥିବା ଟାଉଟର ଗୁଡ଼ାକ ସାମାନ୍ୟ କିଛି ଦଫାରେ ପଡ଼ି ତାଙ୍କ କୋର୍ଟକୁ ଗଲେ ସେ ସେମାନଙ୍କୁ ପୂରା ଦଣ୍ଡରେ ଠେସି ଦେଉଛନ୍ତି । ତାଙ୍କ ପାଇଁ ତ କାହିଁକି ଟିକିଏ ବି କରୁଣା ଦେଖାଉ ନାହାନ୍ତି, ସେଇ ଟାଉଟର ଦଳଙ୍କ ଭିତରୁ ବେଳେ ବେଳେ ଜଣେ ଅଧେ ମନ୍ତ୍ରୀ ବନି ଯାଉଛନ୍ତି, ଅଥଚ ଏ ଚୋର ଦଳଙ୍କୁ ଦେଖିବା ମାତ୍ରେ ତାଙ୍କର କରୁଣା ପହ୍ନା ପହ୍ନେଇ ଉଠୁଛି ।

 

୩ ନମ୍ବର ମୁନ୍‌ସ କହିଲେ–‘ଆଜ୍ଞା, ଡାନିଏଲ୍‍ ଠିକ୍ ବୁଝିଛନ୍ତି । ଏ ଟିକି ଚୋର ଗୁଡ଼ାକ କୋଉଠୁଁ କଂସାଟାଏ, କୋଉଁଠୁ ତାଟିଆଟାଏ ପେଟ ବିକଳରେ ଚୋରାଇ ପକାନ୍ତି । ସେଥିରେ ସମାଜର ବିଶେଷ କିଛି କ୍ଷତି ହୁଏ ନାହିଁ । କିନ୍ତୁ ସେ ରାଜନୈତିକ ଟାଉଟରମାନେ ବ୍ୟବସାୟୀମାନଙ୍କ ସହ ସଲାସୁତର ହୋଇ ଯେଉଁ ଚୋରି ଓ ଲୁଟ୍‍ତରାଜ କରନ୍ତି ସେଥିରେ ସମାଜର ଅଣ୍ଟା ଭାଙ୍ଗିଯାଏ । ଡାନିଏଲ୍ ଠିକ୍ କରନ୍ତି । ସେ ଭଦ୍ର ଚୋରଗୁଡ଼ାଙ୍କୁ ସେଇଆ ଦରକାର-। ୟା ବୋଲି ଏ ତାଟିଆ ଚୋରଙ୍କୁ ଛାଡ଼ିଦେବା ଠିକ୍ ନୁହେଁ । ସାହାବଙ୍କୁ କହିଲେ ସେ ଡାନିଏଲ୍‌ଙ୍କ କୋଠିକୁ ଯାଇଁ ଏମିତି ଛାଡ଼ିଦେବା ଦ୍ୱାରା କଅଣ ଖରାପ ହେଉଛି ବୁଝେଇଦେଲେ ସେ ବାଗେଇ ଯାଆନ୍ତେ ।’’

 

ଦାରୋଗା କାନରେ ହାତ ଦେଇ କହିଲେ–‘‘ଆରେ ବାପ୍‌ରେ ବାପ୍, ବିଚାରପତିଙ୍କୁ ପ୍ରଭାବିତ କରିବା ଏକ ସଙ୍ଗୀନ ଦଫା, ଚାକିରିକି ଚାକିରି ଯିବ ତା’ ଉପରେ ପୁଣି ସଜା’’

 

ଆଉ ଜଣେ କହିଲେ–‘‘ଲୋକମାନଙ୍କୁ ଶିଖେଇ ମନ୍ତ୍ରୀମାନଙ୍କ ଆଗରେ ଫେରାଦ ଦେଲେ ସେମାନେ ତାଙ୍କୁ ସତର୍କ କରି ଦେବେ । କିଛି ନହେଲା ବେଳକୁ ଗୋଟାଏ ମିଶାଭଳିଆ କଡ଼କ୍‌ଚୂର ଆଇନଟାଏ କରି ଦେବେ ଯେଉଁଥିରେ କି ଡାନିଏଲ୍ ଆଉ ଛାଡ଼ିଦେବାକୁ ବାଟ ପାଇବେନି ।’’

 

‘‘ବିଚାର ବିଭାଗର ହାତକୁ ବାନ୍ଧିବା କିଛି ସହଜ କଥା ନୁହେଁ । ସେ କିଛି ଅଳ୍ପ କଥା ନୁହେଁ । ତାଟିଆ ଚୋରି ପାଇଁ ବିଧାନସଭାରେ ହଟ୍ଟଗୋଳ । ଲୋକେ ହସିବେ । ଯାହା ହେଉଛି ହେଉ ।’’

 

୨ ନମ୍ବର ମୁନ୍‌ସି କହିଲେ–‘‘ଆଜ୍ଞା, ମୁଁ ଏ ସମସ୍ୟାର ସମାଧାନ କରିଦେବି । ବାଟଟା ମୋତେ ଜଳ ଜଳ ହୋଇ ଦିଶୁଛି ।’’

 

‘‘ଏଁ, ବଡ଼ ବଡ଼ ଗଲେ ଫସର ଫାଟି, ସାନ ଆସିଲେ ବେସର ବାଟି, କି ବାଟ ଦିଶୁଛି କହିଲ ।’’

 

‘‘ଆଜ୍ଞା ଆଗରୁ କରିବା କଥା କହିଦେଲେ ସବୁ ଭଣ୍ଡୁର ହୋଇଯାଏ । କରିସାରି କହିଲେ ସନ୍ତୋଷଟା ଦି’ଗୁଣ ହୋଇଯାଏ । ମୁଁ କାମଟା କରିସାରେ ଆପଣ ବଳେ ବଳେ ସବୁ କଥା ଜାଣିଯିବେ । ବର୍ତ୍ତମାନ ମୋତେ କିଛି ପଚାରନ୍ତୁ ନାହିଁ ।’’

 

ତାତ୍ସଲ୍ୟ ନିରାଶାଫେଣ୍ଟା ହସଟିଏ ହସିଦେଇ ଦାରୋଗା କହିଲେ–‘‘ହଉ କଅଣ କରୁଛ କର ।’’

 

୨ ନମ୍ବର ମୁନ୍‌ସି ରାତି ୯ଟାରେ ମାଡ଼୍‍ଗୁଲୁ ଘରେ ଯାଇ ପହଞ୍ଚି ତାକୁ ଡାକିଲେ । ମାଡ଼୍‍ଗୁଲୁ ଘର ଭିତରୁ ବିରକ୍ତ ହୋଇ ବାହାରି ଆସି ଆରମ୍ଭ କରିଦେଲା–‘‘ଆଜ୍ଞା, ଆପଣ ସବୁବେଳେ ଡେକ୍ରନ୍ ଶାଢୀ, ଡେକ୍ରନ୍‍ ଶାଢୀ ହେଲେ ମୁଁ କଅଣ କରିବି ? ଶଳା କପଡ଼ା ଦୋକାନୀଗୁଡ଼ାକ ଏଡ଼େ ଚାଇଁଆ ପଡ଼ିଲେଣି ଯେ ତାଙ୍କ ଦୋକାନ ପାଖ ରାସ୍ତା ଉପରେ ଆମକୁ ଦେଖିଲେ ହୁସିଆର ହୋଇ ଯାଉଛନ୍ତି । ବିକିଲାବାଲା ଓ ବୋଲକରାମାନେ ଜିନିଷ ସବୁ ଛକି ରହି ଯାଉଛନ୍ତି । ଆପଣ ଟିକିଏ ସବରାତ୍ କରି ଯାଆନ୍ତୁ । ହାତରେ ପଡ଼ିଲେ ଆଗ ଆପଣଙ୍କୁ ଦେବି, ତା’ପରେ ଯାଇ ମୋ ପେଟ କଥା ବୁଝିବି ।’’

 

‘‘ଆରେ ଧେତ୍, ମୁଁ କଅଣ ସେହି କଥା କହୁଛି । ଆ ଗୋଟାଏ ନିଛାଟିଆ ଥାନକୁ, ଗୋଟାଏ ଗୁପ୍ତ କଥା କହିବି ।’’

 

ମାଡ଼୍‍ଗୁଲୁ ମନେ ମନେ ଭାବୁଥାଏ–ଏ ଶଳେ କାହାରି ନୁହନ୍ତି । ପେଟରୁ କଥାଟା ଉକଳେଇବା ଯାଏ ଗୋଟାକଯାକ ହୋଇଯିବେ । ତାଙ୍କ କାମ ସରିଲେ ଦୋ ଅକ୍ଷରି ପଦମାନ ଓକାଳି ଥାନାକୁ ଘୋଷାଡ଼ି ନେଇଯିବେ । ନିଛାଟିଆ ଥାନକୁ ଡାକୁଛି କାହିଁକି ? ଦେଖାଯାଉ କଅଣ କରୁଛି ।

 

ନିଛାଟିଆ ଥାନରେ ଠିଆ ହୋଇ ମୁନ୍‌ସି ବାବୁ କହିଲେ–‘‘ଆଚ୍ଛା ମାଡ଼୍‍ଗୁଲୁ ! ଗୋଟାଏ ଜାଗାରେ ହାତ ପକେଇ ପାରିବୁ ? ମୁଁ ତୋତେ ସାହାଯ୍ୟ କରିବି ।’’

 

‘‘ଏଁ କଅଣ କହୁଛନ୍ତି–ଆପଣ ସାହାଯ୍ୟ କଲେ ମୁଁ ତ ପୁଲିସି ସାହାବଙ୍କ କଛା କାଟି ଆଣିବି । ହେଲେ ସତରେ କହୁଛନ୍ତି ନା ଥଟ୍ଟା କରୁଛନ୍ତି ?’’

 

‘‘ହେଃ, ଥଟ୍ଟା କରିବି କାହିଁକି ? ସେ ଲୋକ ତା ପିଲାପିଲିଙ୍କୁ ଧରି ଆସନ୍ତା ଗୁରୁବାର ଦିନ ପୁରୀ ଯିବ । ରାତିରେ ଲୋକ ଲଗେଇ ଘର ଜଗୁଆଳକୁ ଉଖାଡ଼ି ନେବି । ଡିଉଟି ଦେଲାବାଲା ସିପେହିକୁ ଅନ୍ୟଆଡ଼େ ଖଟେଇ ଦେବି । ତୁ ତୋ ଦଳବଳ ଧରି ତା ଘରେ କଳା କନା ବୁଲେଇ ଦେବୁ । ପାରିବୁଟି ?’’

 

‘‘ଆଜ୍ଞା, ଆପଣ ସତରେ କହୁଛନ୍ତି କି ମିଛରେ କହୁଛନ୍ତି ମୁଁ ଧରି ପାରୁନି । ଏଇଟା ଅବଶ୍ୟ ମୋତେ ଏକ ମାମୁଲି କଥା । ଆପଣ ଯଦି ଠିକ୍ ଠିକ୍ କହିବା ମୁତାବକ ସାହାଯ୍ୟ କରନ୍ତି, ତେବେ ମୋର ପାରିଲାପଣ ଦେଖିବେ । ଆଉ ମୁଁ ବି ଚଉପଣି ଆପଣଙ୍କୁ ଦେଇଦେବି । ତେବେ ଠିକ୍ ରହିଲା ଗୁରୁବାର ଦିନ ରାତି ଏଗାରଟା ବେଳେ ସେ ଲୋକର ଘରୁ ଲକ୍ଷ୍ମୀଙ୍କୁ କାଢ଼ି ଆଣିବା । ତେବେ କଥା ପକ୍‌କା ।’’

 

‘‘ପକ୍‌କା ନୁହେଁ ଆଉ କଅଣ କଚା ?’’

 

ଶୁକ୍ରବାର ଦିନ ସକାଳେ ସହରରେ ହାଲି ହୋଳ ପଡ଼ିଗଲା–ଡାନିଏଲ୍ ବିଚାରପତିଙ୍କ ଘରେ ଅଦ୍ଭୁତ ଚୋରି । ଜଗୁଆଳ ଅଧା ନିଦରେ ଟଳମଳ ହେଉଥାଏ । ଖବର ପାଇ ଡାନିଏଲ୍ ପୁରୀରୁ ପଳେଇ ଆସିଲେ ।

 

ପୁଲିସବାଲାଏ ଭିଡ଼ ଜମେଇଲେ । ବାହାରେ ବାହାରେ ଜମିଥିବା ଦେଖଣାହାରିଏ ବହୁ ପଚରା ପଚରି ପରେ ଜାଣିପାରିଲେ ଯେ ଗୋଟାଏ ବୁଲାବିକାଳିଠାରୁ ଜଳଖିଆ ଖାଇ ଜଗୁଆଳ ନିଦରେ ଅଚେତ୍ ହୋଇଯିବା ପରେ ଚୋରମାନେ ଡାନିଏଲ୍ ବିଚାରପତିଙ୍କ ଘରେ କଳାକନା ବୁଲେଇ ଦେଇଛନ୍ତି ।

 

ଡାନିଏଲ୍ ବାବୁ ସବୁ ସାଫ୍ ଦେଖି ମୁଣ୍ଡରେ ହାତଦେଇ ବସି ପଡ଼ିଲେ । ଟଙ୍କା ପଇସା ଖୁବ୍ ଅଳ୍ପ ଯାଇଥିଲା, କାରଣ ତାଙ୍କ ଟଙ୍କା ରହେ ବ୍ୟାଙ୍କ୍‍ରେ । ଯେଉଁଗୁଡ଼ାକ ଅତି ପ୍ରିୟ, ଯାହାକୁ ସେ ପାଖରୁ ଛାଡ଼ୁ ନଥିଲେ ସେଇ ଗୁଡ଼ାକ ସଫା ହୋଇ ଯାଇଛି । ତାଙ୍କ ଆଖି ଜକେଇ–ଆସିଲା । ସ୍ତ୍ରୀ ତ ଭେଁ ଭେଁ କାନ୍ଦି ପକେଇଲେ । ଚୋରଙ୍କ ଉଦ୍ଦେଶ୍ୟରେ ଡାନିଏଲ୍‌ଙ୍କର ବ୍ରହ୍ମ ଅଗ୍ନି ଦାଉ ଦାଉ ହୋଇ ଜଳିଲା । ପୁଲିସ୍ ସାହାବଙ୍କୁ ସେ କହିଲେ–‘‘ଆପଣମାନେ ଏ ଚୋରଗୁଡ଼ାଙ୍କୁ ଜବତ କରିପାରୁ ନାହାନ୍ତି । ଏ ଚୋରଙ୍କ ଜ୍ୱାଳାରେ ମଣିଷ ଆଉ ଶାନ୍ତିରେ ରହିପାରିବନି । ଆପଣମାନଙ୍କର ଏଇଟା ଏକ ନିନ୍ଦାର କଥା ।’’

 

୨ନମ୍ବର ମୁନ୍‌ସି ପୁଲିସ୍ ସାହେବଙ୍କ ପଛେ ନସରପସର ହେଉଥିଲେ । ସେ ଆଙ୍ଗୁଠି ମଳି ମଳି ଉପରେ ପଡ଼ି କହିଲେ, ‘‘ଆଜ୍ଞା, ଆମେ ନାଚାର, ଆମର ଧରିବାରେ କୋତେଇ ନାହିଁ । ଯେତେ ଚୋର ଧରି ଚାଲାନ କଲୁ ସମସ୍ତେ କୋର୍ଟରେ ଛାଡ଼ ପାଇ ଯାଉଛନ୍ତି । ସେମାନଙ୍କ ମନରେ ଆଉ ଭୟ ନାହିଁ । ଆମ କର୍ତ୍ତବ୍ୟରେ ଆମେ କେବେହେଲେ ହେଳା କରୁନାହୁଁ ।

 

ଡାନିଏଲ୍ ବାବୁ ଖୁବ୍ ଗମ୍ଭୀରଭାବରେ ‘ହୁଁ ଉଁ ଉଁ ଉଁ’ ବୋଲି କହିଲେ । ଖୁବ୍ ତନାଘନା ଅନୁସନ୍ଧାନ ଚାଲିଲା, ହେଲେ ସବୁ ନିଷ୍ଫଳ ହେଲା’’

 

୫/୬ ମାସ ପରେ ଦିନେ ଦାରୋଗା ୨ନମ୍ବର ମୁନ୍‌ସିକୁ କହିଲେ, ‘‘ବଡ଼ ଆଶ୍ଚର୍ଯ୍ୟର କଥା । ଡାନିଏଲ୍‌ଙ୍କର ଗୋଟାଏ ପରିବର୍ତ୍ତନ ହୋଇଯାଇଛି । ଗୋଟିଏ ହେଲେ ଠାଉଆ ଚୋର ତାଙ୍କ କୋର୍ଟରେ ଆଉ ଛାଡ଼ ପାଉନି । ଭୁଲ୍‌ଚୁକ୍‌ରେ ଯଦି ଚୋରି ନ କରିଥିବା ଗୋଟାଏ ଲୋକକୁ ଆମେ ପଠେଇ ଦେଉଛୁ ତେବେ ସେ ଫେରୁନି । ସେଠୁଁ ସିଧା ସଳଖ ମାମୁଁ ଘରକୁ ଯାଉଛି ।’’

 

ଆଙ୍ଗୁଠି ମଳି ମଳି ୨ନମ୍ବର ମୁନ୍‌ସି କହିଲେ, ‘‘ଆଜ୍ଞା କରିଥିଲି ତାଙ୍କ କରୁଣା ଝରରେ ଠିପି ମାଡ଼ିଦେଲେ ସେହି ଡାନିଏଲ୍ ଲେଉଟି ପଡ଼ିବେ ।’’

Image

 

ଭାରତୀ ମଇଦାନ୍

 

ହଲ୍ଲା ଉଠିଲା ଗୋଟାଏ ମସ୍ତବଡ଼ ଅନ୍ତଃଗ୍ରହଯାନ ଭୁବନେଶ୍ୱର ପ୍ୟାରେଡ଼ ପଡ଼ିଆରେ ଓହ୍ଲେଇ ପଡ଼ିଛି, ଆଜିକାଲି ତ ପାଡ଼ିଲେ ଛିଙ୍କିଲେ ଲୋକଙ୍କର ଭିଡ଼ ଜମି ଯାଉଛି । ଅନ୍ତଃଗ୍ରହଯାନଟାଏ ଓହ୍ଲେଇଛି, ପୁଣି ସୁବିଧା ଥାନରେ, ଆଉ କି ସମ୍ଭଳା ପଡ଼େ ! ଲୋକେ ଲଙ୍ଗଳାମୁକୁଳା ହୋଇ ଧାଇଁଲେ ପ୍ୟାରେଡ଼ ପଡ଼ିଆକୁ । ଚାହୁଁ ଚାହୁଁ ପଡ଼ିଆଟା ଏକ କଳାମୁଣ୍ଡିଆ ସମୁଦ୍ର ପାଲଟି ଗଲା ।

 

ସତକୁ ସତ ଗୋଟାଏ ବିରାଟକାୟ ଚିତଉପିଠା ପରି ଯାନଟାଏ ପଡ଼ିଆ ମଝିରେ ପଡ଼ିଥାଏ । ମଝିଟା ମୋଟା, ପରିଧିଟା ସରୁ । ପରିଧିରେ ଅନେକଗୁଡ଼ାଏ କବାଟ । ସେଗୁଡ଼ିକ ଏପରି ଭାବରେ ଖଞ୍ଜା ଯେ, ସେଠି କେତେ କବାଟ ଅଛି ବୋଲି କେହି କହି ପାରିବେ ନାହିଁ । କବାଟ ଫିଟିଲେ ଯାଇଁ ଜଣାପଡ଼େ ସେଠି ଗୋଟାଏ କବାଟ ଅଛି; ବୁଜି ହୋଇଗଲେ ଦିହ ସାଙ୍ଗରେ ଏକାବେଳେକେ ମିଶିଯାଏ । କେତୋଟି କବାଟ ଫିଟିଛି । ଷଣ୍ଢା ଷଣ୍ଢା ଛ’ହାତିଆ ଭେଣ୍ଡା ସବୁ ସେଥିରୁ ବାହାରି ଚାରିକଡ଼ଯାକ ପଇନ୍ତରା ମାରୁଛନ୍ତି । ମୁଚ୍‌ ମୁଚ୍ କଳାପୋଷାକ । ଛାତିରେ ଗୋଟାଏ ଗୋଲିଆ ଧଳା କନା ଭିତରେ ଅରଣା ମଇଁଷିର ଚିତ୍ର ଥିବା ଗୋଟିଏ ଲେଖାଏଁ ବ୍ୟାଜ୍ । ମାଂସପେଶୀଗୁଡ଼ାକ ଗୋବା ଗୋବା ହୋଇ ଫୁଲିଉଠି ବାଘପରି ବଳୁଆ ଥିବାର ପରିଚୟ ଦେଉଛି-। ସେମାନେ ଦେଖିବାକୁ ଏଡ଼େ ଭୟଙ୍କର ଯେ ଘେରିଥିବା ଲୋକଗୁଡ଼ାକ ସେମାନଙ୍କଠାରୁ ଦଶହାତ ଦୂରରେ ଠିଆ ହୋଇଥାଆନ୍ତି । ଲୋକ ଭିଡ଼ ଅସମ୍ଭବ ଭାବେ ବଢ଼ିବାରୁ ଠେଲାପେଲା ଲାଗିଲା । ଦଶହାତ ଦୂରରେ ଠିଆ ହୋଇଥିବା ଲୋକମାନେ ପଛଆଡ଼ୁ ପେଲାଖାଇ ଆଗକୁ ଆଗକୁ ପେଲି ହୋଇଗଲେ । ଲୋକମାନେ ମାଡ଼ି ଆସୁଥିବାର ଦେଖି ଯାନର ଷଣ୍ଢାସୁରମାନେ ନିଶରେ ହାତ ମାରି ବ୍ୟାଜ୍‌କୁ ଆଙ୍ଗୁଠିରେ ଦେଖାଇ ଦେଇ ଗୋଟାଏ ଦଉଡ଼ି ହଲେଇ ସେମାନଙ୍କ ଆଡ଼କୁ ଉହୁଙ୍କି ଗଲେ । ବୀର ଓଡ଼ିଆଙ୍କୁ ଆଉ ସମ୍ଭାଳେ କିଏ । ପାଚେରୀ ଉପରକୁ ମାଙ୍କଡ଼ ଚଢ଼ିଗଲାପରି ସାମନାର ଲୋକମାନେ ପଛର ମଣିଷ ପାଚେରୀ ଉପରକୁ ଚଢ଼ିଗଲେ । ଆଉ କରନ୍ତେ ବା କଅଣ ! ଟିକିଏ ଫାଙ୍କଫଙ୍କା ଥିଲେ ଭୀତତ୍ରସ୍ତ କୁତି ବାଡ଼ ଭିତରେ ମୁହଁଟା ଗଳେଇ ଦେଇ ଜୀବନମୂର୍ଚ୍ଛା ଗଳି ଗଲାପରି ସେହି ଫାଙ୍କ ଭିତରେ ମୁଣ୍ଡଟାକୁ ଗଳେଇ ଦେଇ ପଶିଯାଇ ଥାନ୍ତେ । ପଛମଣିଷମାନେ କିନ୍ତୁ ଏମିତି ରୁନ୍ଧିହୋଇ ଠିଆହୋଇଥାନ୍ତି ଯେ ତାହା ବର୍ଲିନ୍ ବାଡ଼ ଠାରୁ ଆହୁରି ନିବୁଜ ଥିଲା । ସେ ବାଡ଼ ତଳେ ଗାତ ବି ଗୋଟାଏ ନାହିଁ ଯେଉଁଥିରେ କି ପଶି ଯାଇହେବ । କେବଳ ଉପରଟା ଫାଙ୍କା । ପ୍ରାଣ ବିକଳରେ ଲୋକେ ଚଢ଼ିଗଲେ । ମଣିଷ ତୋଡ଼ ସହି ନ ପାରି ଶୋଇ ପଡ଼ିଲା । ପଳାୟନରତ, ଭୀତତ୍ରସ୍ତ ଲୋକେ ମଣିଷଙ୍କ ମୁଣ୍ଡ କାନ୍ଧ ପିଠି ପେଟ ଯେଉଁଠି ଗୋଡ଼ ପଡ଼ିଲା ମାଡ଼ି ମକଚି ପଳାଇଲେ । କାହା ଲୁଗା କେଉଁଠି ଛନ୍ଦରିହୋଇ ରହିଗଲାଣି ସେ କଥା ମୁଣ୍ଡରେ ପଶିବାକୁ ତର କାହିଁ । ବହୁଲୋକ ଜୈନମୁନି ପାଲଟି ଧାଇଁଥାନ୍ତି । କାହା ପେଟରେ କିଏ ଚଢ଼ି ଯିବାରୁ ତାର ପଛପଟ ଲୁଗା ଦୁର୍ଗନ୍ଧଯୁକ୍ତ ହୋଇଗଲା । କାହା ମୁହଁ ଉପରେ ଗୋଡ଼ ପଡ଼ିଯିବାରୁ ଗୋଟାଏ ଦୁଇଟା ଦାନ୍ତ ଉପୁଡ଼ି ଗଲା । କାହା ବେକ ଉପରେ ଲାଗଲାଗ ଦୁଇ ଚାରିଟା ଗୋଡ଼ ପଡ଼ିଯିବାରୁ ସେ ପୁରୁଣା ଲୁଗାକୁ ଫୋପାଡ଼ି ଦେଇ ନୂଆ ଲୁଗା ପିନ୍ଧିବାକୁ ସ୍ୱର୍ଗକୁ ପଳେଇଲା-। ଚାହୁଁ ଚାହୁଁ ଏଡ଼େବଡ଼ ମଣିଷ ସମୁଦ୍ରଟା ସତେ ଯେମିତି ଅଗସ୍ତି ମୁନିଙ୍କ ଚଳୁରେ ଖତମ ହୋଇଗଲା । ଦଶ ପନ୍ଦର ମିନିଟ କାଳ ଆତ୍ମରକ୍ଷା ଧମାଧମ ଚାଲିବା ପରେ ଶାନ୍ତ ବାତାବରଣ ଫେରି ଆସିଲା । ଲୋକେ ପ୍ରାୟ ଶହେ ଦୁଇଶହ ହାତ ଦୂରରେ ଟିକିଏ ନିଃଶ୍ୱାସ ମାରିଲେ ଆଉ ଯାନ ଓ ଷଣ୍ଢାସୁରମାନଙ୍କ ଆଡ଼େ ହାଉଳିଖିଆ ଆଖିରେ ଚାହିଁରହିଲେ ।

 

ଦଶ ପନ୍ଦର ମିନିଟ ପରେ ଦେଖାଗଲା କେତେଜଣ ଷଣ୍ଢାସୁର ଗୁଡ଼ାଏ ଲୋକଙ୍କ ବେକରେ ଦଉଡ଼ି ବାନ୍ଧି କଂସେଇ ଖାନାକୁ ଛେଳି ଘୋଷାଡ଼ି ନେଲାପରି ନେଇ ସେ ଯାନ ଭିତରେ ପୂରେଇଲେ । ହତଭାଗ୍ୟ ଦିଗୋଡ଼ିଆ ଛେଳିଗୁଡ଼ାକ ଭାରତୀମୈଦାନ ଓ କିରାଣି ଖୁଆଡ଼ରୁ ଘୋଷଡ଼ା ହୋଇ ଆସିଲେ ବୋଲି ଲୋକେ କୁହାକୋହି ହେବାର ଶୁଣାଗଲା । ସଙ୍ଗେ ସଙ୍ଗେ ବାହାରେ ପଇନ୍ତରା ମାରୁଥିବା ଷଣ୍ଢାସୁରମାନେ ଯାନ ଭିତରେ ପଶିଯାଇ କବାଟ କିଳିଦେଲେ । ଯାନଟି ଘୂରିଲା ଓ ଟିକିଏ ଅଣେଇ ହୋଇ ପଡ଼ି ସଟ୍‌କରି ଉପରକୁ ଉଠିଯାଇ ଆଖି ପିଛୁଳାକେ କୁଆଡ଼େ ଉଭେଇଗଲା ।

 

ଯାନ ଭିତରେ ଦିଗୋଡ଼ିଆ ଛେଳିଗୁଡ଼ିକ ଭୟରେ କାକୁସ୍ଥ ହୋଇ ବସିଥାଆନ୍ତି । ସେମାନଙ୍କ ରକ୍ତ ଏକପ୍ରକାର ଶୁଖିଯାଇଥାଏ, ମୁହଁ ଶେତା ପଡ଼ି ଯାଇଥାଏ । ବେକରେ ପୂର୍ବପରି ଦଉଡ଼ି ବନ୍ଧା ହୋଇଥାଏ । ସେମାନଙ୍କ ପାଟିରୁ ପ୍ରଥମେ ସ୍ପଷ୍ଟ ଓ ପରେ ବଡ଼ ପାଟିରେ ବାହାରିଲା–ହରି ହରି, ରାମ ରାମ, ଦୁର୍ଗା ଦୁର୍ଗା, ଶିବ ଶିବ । କଂସେଇ ଖାନାରେ ପଶିଥିବା ଛେଳିମାନଙ୍କର ବୋବାଳି ପରି ସେ ଶଦ୍ଦ ଯାନ ଭିତରଟାକୁ କମ୍ପେଇ ଦେଲା । ଦଉଡ଼ିଟିକୁ ଧରିଥିବା ସେ ଷଣ୍ଢାସୁରମାନଙ୍କ ଭିତରୁ ଜଣେ ଦାନ୍ତ କଡ଼ମଡ଼େଇ କହିଲା–‘‘ହେ, ଚିଲାଓ ମତ୍ ।’’

 

ଯାନ ଭିତରଟା ପଟ୍‌କରି ନିଃଶଦ୍ଦ ହୋଇଗଲା, ବିଜୁଳି ସ୍ରୋତ ବନ୍ଦ ହୋଇ ଗଲେ ବଡ଼ପାଟିଆ ଗୁଡ଼ିକ ଯେମିତି ହଠାତ୍ ତୁନିପଡ଼ି ଯାଆନ୍ତି, ଯାନଭିତରଟା ଠିକ୍‍ ସେମିତି ପଟକରି ତୁନି ପଡ଼ିଗଲା । ଦଶ ପନ୍ଦର ମିନିଟ ପରେ ଯାନ ଆଉଗୋଟିଏ ଜାଗାରେ ଓହ୍ଲାନ୍ତେ କବାଟଗୁଡ଼ିକ ଫିଟିଗଲା । ଷଣ୍ଢାସୁରମାନେ ଦିଗୋଡ଼ିଆ ଛେଳିମାନଙ୍କୁ ଭିତରୁ ବାହାରକୁ ଟାଣି ନେଇଗଲେ । ପଦାରେ ଦୁଇ ତିନିଜଣ ଆହୁରି ବଡ଼ ଭୀଷଣକାୟ ଲୋକ ଠିଆହୋଇ ଥିଲେ । ଯାନବାଲାଏ ସେମାନଙ୍କ ପାଖରେ ଆଣ୍ଠୋଇ ମୁଣ୍ଡିଆ ମାରିଲେ ଆଉ ସେମାନଙ୍କ ଇଙ୍ଗିତରେ ଦିଗୋଡ଼ିଆ ଛେଳିମାନଙ୍କୁ ଗୋଟାଏ ବଡ଼ ଗୁହା ଭିତର ଦେଇ ନେଇଗଲେ । ପହିଲେ କିଟି-କିଟିଆ ଅନ୍ଧାର, ତାପରେ ଭୋର ବେଳ ଆଲୁଅ ପରି ପରିଷ୍କାର ଆଲୁଅ ପଡ଼ିଲା । ଗୋଟାଏ ମସ୍ତବଡ଼ ଲୁହାକବାଟ ଛାଏଁ ଛାଏଁ ଖୋଲିଗଲା ଓ ସମସ୍ତେ ଭିତରକୁ ପଶିଯିବା ମାତ୍ରେ ଛାଏଁ ଛାଏଁ ବୁଜି ହୋଇଗଲା । ବହୁ କୋଠରୀ ଅତିକ୍ରମ କରିବା ପରେ ଗୋଟାଏ କାଳିଆ ସିଂହାସନ ପଡ଼ିଲା, ତା’ ଉପରେ ସୁନାମୁକୁଟ ପିନ୍ଧିଥିବା ଓ ବଡ଼ବଡ଼ କରଡ଼ା ନିଶ ଥିବା ଜଣେ ଲୋକ ବସିଥିଲା । ଷଣ୍ଢାସୁରମାନେ ଲମ୍ବ ଲମ୍ବତା ଗୋଡ଼ତଳେ ପଡ଼ିଗଲେ । ଉଠିଦେଖିଲେ, ଛେଳିମାନେ ଠେଙ୍ଗା ପରି ଠିଆ ହୋଇଛନ୍ତି । ରାଗରେ ସେମାନଙ୍କ ବେକରେ ତଣ୍ଟିଆ ଦେଇ ଗର୍ଜି ଉଠିଲେ–‘‘କିବେ ଚିହ୍ନି ପାରୁନକି ? ପଡ଼ବେ ଗୋଡ଼ ତଳେ ପଡ଼ ।’’ ଜଣେ ଗୋଟାଏ ଚାବୁକ ଉଠେଇବାରୁ ଛାନିଆରେ ସମସ୍ତେ ଲମ୍ବ ଲମ୍ବ ହୋଇ ଗୋଡ଼ ତଳେ ପଡ଼ିଗଲେ । ସିଂହାସନାସୀନ ଲୋକ ପାଖରେ ଟିକିଏ ତଳକୁ ନାସାଗ୍ର ଚଷମାବିଶିଷ୍ଟ ଜଣେ ପାଚିଲା ମୁଣ୍ଡିଆ ବସିଥାନ୍ତି । ସେ ନଥିପତ୍ର ଘାଣ୍ଟିବାରେ ଲାଗି ପଡ଼ିଥାନ୍ତି । ବେଳେ ବେଳେ ଚଷମା ଫାଙ୍କବାଟେ କଣେଇ କଣେଇ ଚାହିଁ ଦେଉଥାନ୍ତି । ଉପରେ ବସିଥିବା ଲୋକ ହାତୁଡ଼ିରେ ଗୋଟାଏ ଘଣ୍ଟାକୁ ପିଟି ଦେବା ମାତ୍ରେ ଚଷମାବାଲା ଡାକ ଦେଲା–‘ଏକନମ୍ବର ଆଣ ।’ ଜଣେ ଷଣ୍ଢାସୁର ଜଣକୁ ଆଗକୁ ଭିଡ଼ି ନେଲା ।

 

ସିଂହାସନିଆ ପଚାରିଲେ–ତୋ ନାଁ ?’’

ଆଜ୍ଞା କେନ୍ଦୁପତ୍ର ଦାସ, ଆଇ. ଏ. ଏସ୍ ରିଟାୟାର୍ଡ ।’’

ହଁ–ଇଣ୍ଡିଆନ୍‍ ଏରିଷ୍ଟୋକ୍ରାଟ ସର୍ଭିସ । ୟାର ଦୋଷ ?’’

 

ଚଷମାବାଲା କହିଲା–ହଜୁର, ଏ କେନ୍ଦୁପତ୍ରିଆଙ୍କଠାରୁ ଅପର୍ଯ୍ୟାପ୍ତ ଘୁଷ୍ ଖାଇଛି । ଆଉ ତା ପ୍ରଭୁକୁ ଖୁଆଇ ତାକୁ ବି ଘୁଷ୍‌ଖୋର କରି ଦେଇଛି ।’’

 

କେନ୍ଦୁପତ୍ର ଦାସେ କଅଣ କହିବାକୁ ଯାଉଥିଲେ । ଜଣେ ଷଣ୍ଢାସୁର ପାଟିକଲା–‘ଚୁପ୍‍କର ।

 

‘‘ଧର୍ମାବତାର, ମୋର ବାକ୍ ସ୍ୱାଧିନତା କ୍ଷୁଣ୍ଣ କରାଯାଉଛି-। ଏଇଟା ଅଗଣତାନ୍ତ୍ରିକ କଥା-।’’

 

‘‘ଏଠି ଗଣତନ୍ତ୍ର ଫଣତନ୍ତ୍ରର ଦରକାର ନାହିଁ । ଏଠି କେବଳ ସତକଥାଗୁଡ଼ିକ ଛାଣି ହୋଇ ପାଞ୍ଜିଭୁକ୍ତ ହୋଇଯାଏ । ମିଛତକ ତମର ସେଇଠି ରହେ । ଏଠି ବାଦୀ ପ୍ରତିବାଦୀ ସାକ୍ଷୀ କିଛି ଦରକାର ନାହିଁ । ଖାଣ୍ଟି ସତକଥା ଉପରେ ବିଚାର ହୁଏ । ତେଣୁ ତମର କିଛି କହିବା ଆବଶ୍ୟକ ନାହିଁ । ତମକୁ ଅବଶ୍ୟ କୋହଳିଆ ଦଣ୍ଡ ଦିଆଯିବ । ପେସ୍‌କାରେ ! ରାୟ ଲେଖ । ୟା ସାହାଯ୍ୟରେ ଠିକାଦାର କୋଟି କୋଟି ଧୂଆଁଖିଆଙ୍କୁ ଶୋଷିଛି । ଏଥିରେ ଅନ୍ୟମାନଙ୍କର ବିଶେଷ କିଛି କ୍ଷତି ହୋଇନାହିଁ । ୟାଙ୍କୁ ଖଲାସ କରି ଦିଆଗଲା । କିନ୍ତୁ ଏହାଙ୍କ ଶୋଇବା ଖଟରେ ଛାରପୋକ ସବୁବେଳେ ଭର୍ତ୍ତି ହୋଇ ରହିବେ । ଯାଅ–ଦୁଇନମ୍ବର ।’’

 

‘‘ଆଜ୍ଞା ୟା ନାଁ ହଗ୍ରୁ ମଳିକ । ହାତଗୁଞ୍ଜା ନ ପାଇଲେ କାହାକୁ ହାକିମଙ୍କ ପାଖକୁ ଛାଡ଼େ ନାହିଁ ।’’

 

‘‘ୟାକୁ ଛେଳି ଜନମ ଦିଅ । ବାଡ଼ଘେରା କିଆରି ପାଖରେ ଖାଲି ବାଡ଼ପତ୍‍ର ଠୁକିବ–କିଆରି ଭିତରକୁ କେହି ଛାଡ଼ିବେ ନାହିଁ । ତିନି ନମ୍ବର ।’’

 

‘‘ଆଜ୍ଞା ୟା ନାଁ’ ଅକିଞ୍ଚନ ମିଶ୍ର । ଇୟେ ସମସ୍ତଙ୍କ ଫାଇଲକୁ ପିଚା ତଳେ ମାଡ଼ିବସେ । ଫାଇଲ କେଉଁଆଡ଼େ ଯାଇପାରେ ନାହିଁ । ସଂପୃକ୍ତ ବ୍ୟକ୍ତି ହନ୍ତସନ୍ତ ହୋଇ ଅଣ୍ଟାଗୁଞ୍ଜା ଦେଲେ ସେ ଫାଇଲକୁ ପିଚାତଳୁ କାଢ଼େ ।’’

 

‘ୟାକୁ ପାତିମାଙ୍କଡ଼ କରିଦିଅ, ତା ଦି ପିଚାରେ ଟାଣ ଟାଣ ଦୁଇଟା ବିଣ୍ଡି ହେବ । ସେ ଆଉ ଚଉକୀରେ ନ ବସି ରଗଡ଼ିଆ ଡାଳରେ କେବଳ ବସିବ । ଏବେ ତା ପିଚାରେ ଦାଆ ତତେଇ, ମାଡ଼ିଦିଅ, ଯାଅ–ଚାରିନମ୍ବର ।’

 

‘ଆଜ୍ଞା ୟା ନାଆଁ ସପଲେଇ ମହାନ୍ତି । ଇୟେ ବହୁ ବ୍ୟବସାୟୀଙ୍କୁ ଧମକ ଚମକ ଦେଇ ପ୍ରଚୁର ଟଙ୍କା ଆଦାୟ କରିଛି ।’

 

‘ୟାକୁ ଗୋଟାଏ କାନତରାଟ କରିଦିଅ । ସମସ୍ତେ ୟା ପକେଟରେ ହାତ ପୂରେଇବେ । ବିଚରା ଖାଲି ଡହଳ ବିକଳ ହୋଇ ଯାଉଥିବ ।କାହାକୁ କିଛି କହି ପାରୁ ନ ଥିବ । ସମସ୍ତଙ୍କୁ ଯେପରି ଯନ୍ତ୍ରଣା ଦେଇଛି, ସମସ୍ତଙ୍କଠାରୁ ସେହିପରି ଯନ୍ତ୍ରଣା ଭୋଗୁଥିବ । ଯାଅ–୫ନମ୍ବର ।’

 

‘ୟା ନାଆଁ ଅପମିଶ୍ରକ ଚୌଖନୀ । ଇୟେ କାହାକୁ ଗଣ୍ଡାଏ ଭଲରେ ଖୁଆଇ ଦେଲାନି-। ଚାଉଳରେ ଗୋଡ଼ି, ତେଲରେ ଅଗରା, ଗୁଡ଼ରେ ନଈବାଲି, ଅଟାରେ ଖଡ଼ିଚୂନ ମିଶାଇ ଲୋକଗୁଡ଼ାଙ୍କୁ କାଲୁବାଲୁ କରିଦେଲା ।’

 

‘ୟାକୁ ଗୋଟାଏ ବେଓ୍ୱାରସ ଓଲେଇ ଗାଈ ବନେଇ ପରିବା ହାଟ ପାଖରେ ଛାଡ଼ିଦିଅ-। ସେ ପରିବା ଗଦା ପାଖରେ ଥାଇ ସୁଦ୍ଧା ପରିବା ଖାଇ ପାରିବ ନାହିଁ । ଯାହା ଟୋକେଇରେ ମୁହଁ ପୂରେଇବ ସେ ବଟକରାରେ ତା ମୁଣ୍ଡକୁ ଛେଚି ଦେଉଥିବ । ଧଡ଼ାରେ ଦୁଇ ତିନି ପାହାର ଜମେଇ ଦେଉଥିବ । ସେ ଯେମିତି ଭଲରେ କାହାକୁ ଖୁଆଇ ଦେଇନି ସେମିତି କାହାଠୁ ଭଲରେ ପୁଳାଏ ଖାଇ ପାରିବ ନାହିଁ । ଯାଅ–ଛଅ ନମ୍ବର ।’

 

ୟା ନାଆଁ ହେଲା ମୈଦାନ ନିବାସ ସାହୁ । ଏ ଆସିଛି ଭାରତୀ ମୈଦାନରୁ-’

 

ଲୋକଟି ହଠାତ୍ ଚିଲେଇ ଉଠିଲା–‘ଆଜ୍ଞା, ମୁଁ ଭାରତୀ ମୈଦାନରୁ ଆସିନି, ମୁଁ ଆସିଛି ଭାରତୀ ବିହାରରୁ । ଯେଉଁ ପଡ଼ିଆରେ ଲୋକେ ହଗନ୍ତି ତାକୁ ଓଡ଼ିଆରେ ମୈଦାନ କହନ୍ତି । ‘ବିହାର’ ତ ବଢ଼ିଆା ଥାନ, ନାନାଜାତି ଫୁଲଗଛ, ଗାଲିଚା ପରି ଘାସ, ଏକ ରକମର ପାର୍କ କହିଲେ ଚଳେ–

 

‘‘ଚୁପ୍‌କର, ହଇରେ ତୁ ଆଉ ତୋର ଚେଲାମାନେ ସେ ଥାନକୁ ଆଉ ଭାରତୀ ବିହାର କରି ରଖିଛ ? ଆଗେ ସରସ୍ୱତୀ ସେଠି ବିହାର କରୁଥିଲେ ଏଇଟା ଠିକ୍; କିନ୍ତୁ ଯେଉଁ ଦିନଠାରୁ ତୁ ଆଉ ତୋ ଚେଲାମାନେ ସେଠି ଅବାରିତ ଭାବରେ ହଗିଲ, ସରସ୍ୱତୀ ଆଉ ସେଠି ରହନ୍ତି ? ସେ କେଉଁ ଦିନଠୁଁ ସେଠାରୁ ନାକରେ ଲୁଗା ଦେଇ ପଳେଇଲେଣି । ସେଇଟା ତୁମମାନଙ୍କର ମଇଦାନ ପଡ଼ିଆ ହେଲାଣି । ତମେ ସମସ୍ତେ ସେ ଥାନକୁ ଗୁହରେ ବୁଡ଼େଇ ଦେଲଣି । ଭାରତୀ ବିହାର ଭାରତୀ ମୈଦାନ ହୋଇଛି । ତା ନହେଇ ଥିଲେ ତା ନାଆଁ ବିହାର ହୋଇ ଥାଆନ୍ତା । ଆଉ ବେଶି ବକ୍‌ ବକ୍‌ ହୋ’ନା, ପିଚାରେ କୋରଡ଼ା ବସିଯିବ ।’’

 

ଧର୍ମାବତାରଙ୍କ ଆଡ଼େ ଚାହିଁ ସେ ପୁଣି ଆରମ୍ଭ କଲେ, ‘ଆଜ୍ଞା, ଏ କିଳାପୋତିଆଟା ନିଜେ ଯେମିତି ଆଖି ବୁଜି ଦୁର୍ନୀତି କରିଛି; ତାହାର ଚଣ୍ଡୀ ଚାମୁଣ୍ଡାମାନଙ୍କୁ, ବିହାରଟାକୁ ଏକାବେଳେ ନଷ୍ଟ କରି ଦେବାକୁ ଛାଡ଼ି ଦେଇଛି । ଆଜ୍ଞା ଇୟେ ସବୁଥିରେ ଆଖିବୁଜି ଦେଇଛି । ସମସ୍ତଙ୍କୁ ଓଲଟି ଘଣ୍ଟ ଘୋଡ଼ାଇ ଅଛି । ଏ ହେଉଛି ଭାରତୀ ମୈଦାନର ବଡ଼ ମୁଣ୍ଡିଆ; ଅଥଚ ଏଇ କାମ ଗଡ଼ିକ ସେଠି ବେଶ୍ ନିର୍ବିଘ୍ନରେ ଚାଲିଛି । ସବୁଠୁ ବଡ଼ ଜିନିଷ ହେଲା ମୋଟା ଟଙ୍କା ଅଣ୍ଟା ଗୁଞ୍ଜାଦେଲେ ସେଠାରେ ଡିଗ୍ରି କାଗଜ ଖର୍ଦ୍ଦି କରିବାକୁ ମିଳୁଛି । ପଇସା ଦେଲେ ଖାତାରେ ନମ୍ବର ବେଶି ହୋଇଯାଉଛି । ଖାତାରେ ନୂଆ ଫର୍ଦ୍ଦ ଲେଖା ହୋଇ ଗୁନ୍ଥାହୋଇ ଯାଉଛି । ପରୀକ୍ଷା କେନ୍ଦ୍ରମାନଙ୍କରେ ବାହାରେ ଖାତା ଅନ୍ୟ ଲୋକଙ୍କ ହାତରେ ଲେଖାଇ ପରୀକ୍ଷା ହଲ୍ ଭିତରେ ପରୀକ୍ଷାର୍ଥୀ ଖାତା ସହିତ ବଦଳେଇ ଦେବା ପାଇଁ ପରୀକ୍ଷା ଖାତାସବୁ ବିକ୍ରୀ କରନ୍ତି । ପାସ୍ କରି ଥିବା କେତେକ ପିଲାଙ୍କ ନାମ ଗାଏବ କରିଦେଇ–ପାସ୍ କରେଇ ଦେବା ଲାଗି ସେମାନଙ୍କଠାରୁ ଟଙ୍କା ଆଦାୟ ହେଉଛି । ଗୁରୁତ୍ୱପୂର୍ଣ୍ଣ ଫାଇଲସବୁ ପୋଖରୀରେ ମାଡ଼ି ଦେଉଛନ୍ତି କିମ୍ବା ନିଆଁ ଲଗେଇ ପୋଡ଼ି ପକାଉଛନ୍ତି । ଜରୁରୀ ଅବସ୍ଥା ଲାଗି ଯେଉଁଠି ଯେତେ ଦୁର୍ନୀତି ଥିଲେ ସମସ୍ତେ ଭୟଭୀତ ହୋଇ ଏହି ମୈଦାନକୁ ପଳେଇ ଆସିଛନ୍ତି । ଏହି ନାମର୍ଦ୍ଦା ଲୋକଟା ଲାଗି ସେମାନେ ସେଠି ବେଶ ଆରାମରେ ରହିଛନ୍ତି ।

 

ଧର୍ମରାଜ ବିଚଳିତ ହୋଇ ସାହୁ ଆଡ଼େ ଗାରଡ଼େଇ ଚାହିଁ କହିଲେ–‘‘ଏ ଅତି ଗୁରୁତର ଅପରାଧ । ପେସ୍‌କାର !’’

 

‘‘ଆଜ୍ଞା ହଜୁର ।’’

 

‘‘ଏହାର ହାତ ଗୋଡ଼ ବାନ୍ଧି ପକାଅ । ଲୁଗାପଟା କାଢ଼ିଦିଅ । ଦିହରେ ଗୁଡ଼ ବୋଳିଦିଅ-। ଟେକିନେଇ ଧୂଳିଆ ଜନ୍ଦାର ମନ୍ଦା ଭିତରେ ପକେଇଦିଅ–ଜନ୍ଦାମାନେ ତାକୁ ଜୀଅନ୍ତା ଖାଇ ଯାଆନ୍ତୁ-।’’

 

ସାହୁ ଭୟରେ ମୁତି ପକେଇ ଚିଲେଇ ଉଠିଲା–‘ଧର୍ମାବତାର ଏ କି ଅବିଚାର ! କେନ୍ଦୁପତ୍ର ଦାସ ଲକ୍ଷ ଲକ୍ଷ ଟଙ୍କା ଖାଇ ଅତି ହାଲୁକା ଦଣ୍ଡ ପାଇଲା, ଆଉ ମୁଁ କି ବଡ଼ ଅପରାଧଟାଏ କରି ପକେଇଛି ଯେ ଏଡ଼େ ନୃଶଂସ ଦଣ୍ଡ ଦେଉଛନ୍ତି ।’’

 

‘ଆରେ ମୂର୍ଖ କେନ୍ଦୁପତ୍ର ଦାସ ଠିକାଦାର ଠାରୁ ଟଙ୍କା ଖାଇଲା, ଠିକାଦାର ସେ ଟଙ୍କା ବିଡ଼ିଖିଆଙ୍କ ଠାରୁ ଶୋଷି ନେଲା । ବିଡ଼ିଖିଆଙ୍କୁ ସେଇଟା ଗୋଟାଏ ଦଣ୍ଡ ହେଲା । ଦେଶର ଏଥିରେ କିଛି ଅଣେଇ ହୋଇ ଗଲାନି । କିନ୍ତୁ ତୁ ଯେଉଁଠି ଏ ସବୁ କାଣ୍ଡ କରେଇଲୁ ସେଠି ଦେଶର ଭବିଷ୍ୟତ ନାୟକ ଶାସକ, ବିଚାରକ ଓ ବୈଜ୍ଞାନିକ ଗଢ଼ା ହୁଅନ୍ତି । ଦୁର୍ନୀତିର ଧାସରେ ସେମାନେ ଯଦି ଦୁର୍ନୀତିଗ୍ରସ୍ତ ହୋଇଯାଆନ୍ତି ତେବେ ଦେଶର ମେରୁଦଣ୍ଡ ଭାଙ୍ଗିଯିବ । ଦେଶ ରସାତଳକୁ ଯିବ-। ଶହେ ଦୁଇଶହ ମାମୁଲି ଲୋକ ନଷ୍ଟ ହୋଇଗଲେ ବିଶେଷ କିଛି କ୍ଷତି ହେବନି । କିନ୍ତୁ ଗୋଟିଏ ଦେଶ ନାୟକ ଦୁର୍ନୀତିଗ୍ରସ୍ତ ହେଲେ ଦେଶବାସୀ ଉଚ୍ଛନ୍ନ ହୋଇଯିବେ । ଏଡ଼େ ଭୁଲ କାମ କରି ଓଲଟି ବକ ବାଜି କରୁଛୁ ? ନେଇଯାଅ ୟାକୁ । କେନ୍ଦୁପତ୍ର ଦାସ ଚିଲେଇ ଉଠିଲେ–‘ଆଚ୍ଛା ହୋଇଛି, ଠିକ୍ ହୋଇଛି–ଭଲ ହୋଇଛି । ଭୋର ଭୋରଟାରେ ଏମିତି ବିଳିବିଳେଇ ଉଠିବାରୁ ତାଙ୍କ ସ୍ତ୍ରୀ ହଲେଇ ଦେଇ କହିଲେ–‘ହଇହେ, ହଇହେ ଏମିତି ବିଳିବିଳଉଛ କାହିଁକି ? କେନ୍ଦୁପତ୍ର ଦାସ ଉଠିପଡ଼ି କହିଲେ, ‘‘ଓଃ ! କି କଦର୍ଯ୍ୟ ସ୍ୱପ୍ନଟାଏ ଦେଖିଲି ହେ ।’’

Image

 

ହାତ ଖୋଲେଇ

 

ସଦେଇ ବୁଢ଼ାର ବୟସ ଅଶୀକୁ ଛୁଇଁଲା । ତଥାପି ମୁଣ୍ଡରେ ଗୋଟିଏ ଗୋଟିଏ କଳାବାଳ ଲଙ୍କାରେ ହରିନାମ ପରି ନିଜ ନିଜର ଅସ୍ତିତ୍ୱ ବଜାୟ ରଖି ପାରିଛନ୍ତି । ବୁଢ଼ା ହସିଦେଲେ ବତିଶଟା ଯାକ ସତେଜ ହସକୁରା ଦାନ୍ତ ଆତ୍ମପ୍ରକାଶ କରନ୍ତି । ଆଉ ଜଣେଇ ଦିଅନ୍ତି ଯେ ବୟସ ସେମାନଙ୍କୁ ଟିକିଏ ହେଲେ ଦୋହଲାଇ ପାରିନି । ଏବେ ବି ସେମାନେ ବୁଟଲଡ଼ୁ, ଖସାଲଡ଼ୁ, ନଡ଼ିଆ, ଭୁବନେଶ୍ୱରୀ ଉଖୁଡ଼ା, ବୁନ୍ଦିଆ ସଙ୍ଗେ ଭାବନାବ ରଖିଛନ୍ତି । ବୁଢ଼ା ଯଦି ଦଶ ମାଇଲ ଦୂର ସହରକୁ ଯିବାଲାଗି ବାହାରେ, ତା’ ଦୁଇଗୋଡ଼ ତାକୁ କହନ୍ତି–ଏତିକି ବାଟ, ଆମେ ତମକୁ ଆରାମରେ ବୋହିନେଇଯିବୁ । ବସ୍‍ରେ ଧକମ୍‍ ଚକମ୍‍ ହୋଇ, ବସ୍ତାପରି ଲଦାଲଦି ହୋଇ, ଅଜୀର୍ଣ୍ଣିଆ ଦୁର୍ଗନ୍ଧ ବାୟୁ ଶୁଙ୍ଘି ଶୁଙ୍ଘି,ପଥର ମୂର୍ତ୍ତିଟି ପରି ବସି ବସି କାହିଁକି ଯିବ ? ଆମେ ବୋହି ନେଲାବେଳେ ଖୋଲା ପବନ ମନଇଚ୍ଛା ଶୋଷି ନେଉଥିବ । କାହାରି ଦେହରେ ଦେହ ବାଜିବ ନାହିଁ । ଯେଉଁଠି ଇଚ୍ଛା ସେଇଠି ଠିଆ ହେବ । ଝାଳ ମାରିବ । ପିଲାଟିଦିନୁ ଯେମିତି ବୋହି ଆସିଛୁ, ସେମିତି ଆଜି ବି ବୋହିନେଇ ଯିବାକୁ ଆମେ ତିଆର ଅଛୁ ।

 

କିଆରିକୁ ବୁଢ଼ା ଗଲାବେଳେ, ହାତ ଦୁଇଟା ଡାକ ଦିଅନ୍ତି-ହଇହୋ ଆମେ ଦୁଇଜଣ ଥାଉ ଥାଉ ମୂଲିଆ ଲଗାଇବ କିଆଁ ? ଆମ ଦି’ଜଣଙ୍କଠାରୁ ସେମାନେ କ’ଣ ବେଶି କାମ କରିବେ-? ଦେଖିତ ଭଲା ! ଚାହୁଁ ଚାହୁଁ କିଆରିରୁ ଅଧେ ତଳି ରୋଇପକାନ୍ତି । ଧାନକଟା ବେଳେ ଗୋଟାଏ ଗୋଟାଏ କିଆରି ଖିଅର କରିପକାନ୍ତି ।

 

ପେଟ କହେ, ଖବରଦାର । ସେ ଚାଉଳମଣ୍ଡ ମିଶା ପାଉଡ଼ର ଦୁଧ, ଘୁଷୁରୀ ଚର୍ବି ମିଶା ଓ ଏସେନ୍‌ସ୍‍ ଦିଆ ଘିଅ, ବରା, ପକୁଡ଼ି ଲଡ଼ୁ ଆଦି ବଜାରରେ ବିକ୍ରୀ ହେଉଥିବା ଖାଇବା ଚିଜ ମୋତେ ଦବ ନାହିଁ । ଆମରି କିଆରିରୁ ଆମଦାନୀ ହେଉଥିବା ଚାଉଳରୁ ଭାତ, ମୁଗରୁ ଡାଲି, ବାଡ଼ିର ପରିବା ରାନ୍ଧିଦେଲେ ମୁଁ ରଖିବି, କିଣା ଜିନିଷକୁ ଫୋପାଡ଼ି ଦେବି । ସିଏ ବଜାରରେ ବିକା ହେଉଥିବା ଭିଟାମଣି ଫିଟାମଣି ମୋର ଲୋଡ଼ା ନାହିଁ । ତୋରାଣି, କାଗିଜି ଲେମ୍ବୁ, ମୁଗ ଓ ବୁଟର ଗଜା ଓ ଶାଗ ହେଲେ ସବୁ ହେଲା ।

 

ବୁଢ଼ା ସମସ୍ତଙ୍କ କଥା ମାନି ଚଳେ । ତା’ପୁଅକୁ ପଚାଶ ଘେରିଛି । ସେଥିରେ ସେ ଆକ୍ରାନ୍ତ । ବହୁ ଖୋଜା ଖୋଜି କଲେ ମୁଣ୍ଡରେ କଳା ବାଳଟିଏ ମିଳେ କି ନ ମିଳେ । ଆଠପଣ ଦାନ୍ତ ପାଟିରୁ ଛାଡ଼ି ପଳେଇଲେଣି । ମାଇଲିଏ ବାଟ ଯିବାକୁ ପଡ଼ିଲେ ଗାଡ଼ି ଦରକାର । ଟାଣ ଖାଇବା ଜିନିଷ ଦେଖିଲେ ମୁହଁ ବୁଲାଇ ଦିଏ । ପେଟ ଟିକେ କଁ କଁ ଡାକିଲେ ଧାଏଁ ଔଷଧ ଦୋକାନରୁ ଭିଟାମଣି କିଣେ ।

 

ତାର ଦୁଇ ପୁଅଙ୍କ କଥା କହିଲେ ନ ସରେ । ପୋଖରୀପାଣି ଗଲେ ସାଇକେଲ ଦରକାର । ଘରେ ଥିବା ଚୁଡ଼ା ଦେଖିଲେ ନାକ ଟେକନ୍ତି । ଘରର ଘାଣ୍ଟ ତିଅଣ ପାଟିରେ ଦେଲେ ଅଇ ଉଠେ । ଗୁଡ଼ିଆ ଦୋକାନ ଓ ହୋଟେଲ ପାଖ ଦେଇ ଗଲେ ପାଟି ଲାଳାଏ । ଲାଳକୁ ଢୋକିବା ଛଡ଼ା ଗୁଡ଼ିଆ ଦୋକାନ ବା ହୋଟେଲ ଭିତରକୁ ପଶିବାର ଯୁ ନ ଥାଏ । ବୁଢ଼ା ବାପା ସେସବୁ ବାଟ ଉପରେ ପାଚେରି ଉଠେଇ ଦେଇଥାଏ ।

 

ଟୋକା ଦୁହେଁ ଜାଣିଗଲେଣି ଯେ ବାପା ମାଈ ନୁହେଁ କି ଗାଈ ନୁହେଁ, ଭୋଇ ନୁହେଁ କି ଭଣ୍ଡାରି ନୁହେଁ, ସବୁ କିଛି ବୁଢ଼ାବାପା । ସଂସାରର ଚାବିକାଠି ତା’ର ହାତରେ । ତେଣୁ ଦୁହିଁଙ୍କର ସବୁ ଅଳି ଆର୍ଦ୍ଦୋଳି ବୁଢ଼ା ପାଖରେ ।

 

ବୁଢ଼ାକୁ ଜଳଖିଆ କରିବାକୁ ପଇସା ମାଗିଲେ ସେ କହେ, ‘‘କିରେ, ପଇସା କ’ଣ ଚୋବେଇବ ? ଆରେ ଘରେ ଚୁଡ଼ା, ଗୁଡ଼ ଥାଉ ଥାଉ ପଇସାର କି ଦରକାର ? ଚୁଡ଼ା, ଗୁଡ଼ ଗୋଳେଇ ଦିଅ । ପଥୁରିରେ ଫଡ଼ାଏ ଆମ୍ବୁଲ, ଲୁଣ, ଆଉ ବାଡ଼ିର ଗୋଟିଏ କଞ୍ଚାମରିଚ ଆଣି ଏକାଠି ଟିକିଏ ବାସି ତୋରାଣିରେ ଚକଟି ଦିଅ । କୋଉ ଶଳା ଗୁଡ଼ିଆ ଦୋକାନ ଏମିତିଆ ଜଳଖିଆ ଦେବରେ !’’ ହୋଟେଲରେ ଖାଇବା ନାଁ ଶୁଣିଲେ ବୁଢ଼ା ନାଚିଯାଏ । କହେ, ‘‘କିରେ ! ପଇସା ଦେଇ ଭାତ କିଣିବ ନା ରୋଗ କିଣିବ । ହଇରେ ହୋଟେଲରେ ମଣିଷ ଖାଆନ୍ତି ? ଯାବତ ଖରାପ ଚାଉଳ, ପୋକରା ଡାଲି, ସଢ଼ା ପରିବା, ସେଥିରେ ପୁଣି ଗୋଡ଼ି ମାଟି ଭର୍ତ୍ତି । ଖାଇବା ଥାଳିଉପରେ ଶହେ ଲୋକଙ୍କର ନଜର । ରାମ ରାମ, ସେଠି ଥରେ ଖାଇଲେ ପେଟରେ ଘା’ ହୋଇଯିବ-।’’

 

ନାତିଏ ସୁପରଫାଇନ୍ ଲୁଗା ପାଇଁ ଅଳିକଲେ ବୁଢ଼ା ନାକ ଟେକି କହେ ହେଃ, ସେ ଲୁଗାଗୁଡ଼ାକ ମଣିଷ ପିନ୍ଧନ୍ତି ? ଲୁଗା ପିନ୍ଧିଛ କି ଲଙ୍ଗଳା ହୋଇଛ ଜାଣି ହେବନି । ସେ ଲୁଗା ପିନ୍ଧି ଗାଧୋଇ ପଡ଼ିଲେ ଏକାବେଳେକେ ବେଜିତ ହୋଇଯିବ । ଦଶ ପନ୍ଦର ଦିନ ହିଡ଼ ମୁଣ୍ଡରେ ବସିଲେ ପୁର୍‌ର୍ ପାର୍‍ର୍‍ ହୋଇଯିବ । କଣ୍ଟାବାଡ଼ରେ ଟିକେ ଲାଗିଗଲେ ଗଲା । ଛିଃ, ଛିଃ ସେ ଲୁଗା ନାଁ ଧରନି ।

 

ଟେରିଲିନ୍‍ ଡେକ୍‍ରନ୍‍ କନାର କୁରୁତା ପାଇଁ ଅଳିକଲେ ବୁଢ଼ା ଆଖି ଖୋସି ଦେଇ କହେ-‘‘ଇରେ ବାପ୍‌ରେ ବାପ୍, ଦେହଯାକ ଯାଦୁ, ବିଇଞ୍ଚି ମାଡ଼ିଯିବ । ଦିହରେ ମଲମ ଲଗାଇ ଲଗାଇ ଦିନ ଯିବ । ସେଗୁଡ଼ାକୁ ‘ଛିଃ’ କରିଦିଅ ।’’

 

ଯାନିଯାତ୍ରାରେ ହାତ ଖର୍ଚ୍ଚ ପାଇଁ ଟଙ୍କାଏ ମଶାଏ ମାଗିଲେ ବୁଢ଼ା ହାଉଳି ଖାଇଯାଏ । ଆକଟ କରେ-‘‘କିରେ ପଇସା କ’ଣ ହେବ । ଘରେ ଖାଇଲ, ପିଇଲ, ଲୁଗା ପିନ୍ଧିଲ ଯାତ୍ରା ଦେଖିବତ ଯାଇ ଦେଖି ଆସିବ । ପଇସା ପାଖରେ ଥିଲେ ପକେଟମାରୁ ଚଢ଼ଉ କରିବ, ଚୋର ତସ୍କରଙ୍କ ହାବୁଡ଼ରେ ପଡ଼ିବ, ବଜାରର ଅସନା ଜିନିଷ ଖାଇବାକୁ ପାଟି ଟକ ଟକ ହେବ, ଲୋଭ ଏଡ଼ି ନ ପାରି ଖାଇବ ଆଉ ଘରକୁ ଆସି ଛେରିବ । ଟଙ୍କାକର ଖାଇବ, ତା ପାଇଁ ଦଶ ଟଙ୍କାର ଔଷଧ ଖର୍ଚ୍ଚ କରିବ । ବୁଦ୍ଧି ଶିଖେଇବ ମତେ ନା ?’’

 

ମୋଟ ଉପରେ ଅର୍ଥ ଅନର୍ଥର ମୂଳ ବୋଲି ବୁଢ଼ା ବୁଝେଇ ଦେଲା । ନାତି ଦୁହେଁ ଏକାବେଳେକେ ଭାଙ୍ଗି ପଡ଼ିଲେ । ଦୁହେଁ ବିଚାର କଲେ–‘‘ବୁଢ଼ା ଯାହାକିଛି କମେଇଲା, ସବୁ ତ ଅମୁହାଁ ବାକ୍‌ସରେ ପୂରାଇଲା । ପଇସାଟିଏ ନିଜେ ଖର୍ଚ୍ଚ କଲାନି କି କାହାକୁ କରାଇ ଦେଲାନି । ବାପାର ସବୁ ଦିହସୁହା ହୋଇଗଲାଣି । ଆମରତ ଦିହସୁହା ହୋଇ ପାରିବ ନାହିଁ । ବୁଢ଼ାବାପାର ମତିଗତି କୌଣସିମତେ ବଦଳେଇବାକୁ ହେବ । ବୁଢ଼ାର ଖୋଲାହାତ କରେଇବାକୁ ହେବ । ମନ ନ ବଦଳିଲେ ବୁଢ଼ାର ଶୁଣ୍ଠାପଣ ଯିବନି କି ଆମର ହୀନ କପାଳ ଫିଟିବନି ।’’

 

ବୁଢ଼ାକୁ ଦୁଇନାତି ନାନା ପ୍ରକାରର ଗଦ ଶୁଘାଂଇବାକୁ ଲାଗିଲେ । ଦିନେ ବଡ଼ ନାତି, ରାତିରେ ବୁଢ଼ା ଭାଗବତ ପଢ଼ିସାରି ବସ୍ତାନି ବାନ୍ଧିଲା ବେଳେ ତା’ ପାଖରେ ବସି ଆରମ୍ଭ କଲା–‘‘ବୁଢ଼ାପା ମ, ଆଜି ଜଣେ ସିଦ୍ଧ ବାବାଜିଙ୍କ ପାଖରେ ବସିଥିଲି । ଆଉ କେତେଜଣ ବି ବସିଥିଲେ । କଅଣ ଗୋଟାଏ ଶୋଳକ ବୋଲିଦେଇ ସେ କହିଲେ-ଏ ଦୁନିଆରେ ଟଙ୍କା ପଇସା ଅତି ତୁଚ୍ଛ ଜିନିଷ । ଯେଉଁମାନେ ଟଙ୍କା ପଇସା ଖର୍ଚ୍ଚ ନକରି ଖାଲି ସଞ୍ଚୁଥାଆନ୍ତି ସେମାନେ ମୂର୍ଖ ଅଟନ୍ତି । ଯେଉଁମାନେ ଜ୍ଞାନୀ ସେମାନେ ଟଙ୍କା ପଇସା ଖର୍ଚ୍ଚ କରନ୍ତି, ଦାନ କରନ୍ତି । ସେମାନେ ମରିଗଲେ ବୈକୁଣ୍ଠରେ ଯାଇ ବସନ୍ତି ।’’

 

ବୁଢ଼ା କଥାଟାକୁ ହସରେ ଉଡ଼ାଇ ଦେଇ କହିଲା–‘‘ଆରେ ସେ ମୂରୁଖ ବାବାଜି ପାଖରେ ଦଶଟା ଟଙ୍କା ଯଦି ଥାଆନ୍ତା, ତେବେ ସେ ଏପରି ବାହାପିଆ, ଗାଲୁଆ କଥା କହି ନ ଥାନ୍ତା । ନିଜର ଲାଙ୍ଗୁଡ଼ ତ ନାହିଁ, ସେଇଥି ଲାଗି ଅନ୍ୟମାନଙ୍କୁ ଲାଙ୍ଗୁଡ଼ କଟେଇ ପକେଇବାକୁ ଏକ ରକମ ଟିହାଉଛି-। ସେଗୁଡ଼ାକ ବାବାଜି ନୁହନ୍ତି–ମାଗନ୍ତା ଭଣ୍ଡ ।’’

 

ବଡ଼ ନାତିର ଅସ୍ତ୍ରଟା ଶୂନ୍ୟେ ଶୂନ୍ୟେ ଉଡ଼ିଯାଇ ଅପନ୍ତରାରେ ପଡ଼ିଲା । ତା ଧାସ ବି ବୁଢ଼ା ଦେହରେ ଲାଗିଲା ନାହିଁ ।

 

ଆାଉ ଦିନେ ଓର ଉଣ୍ଡି ସାନ ନାତି ଅସ୍ତ୍ର ଚଳେଇଲା–‘‘ବୁଢ଼ାପା, ଆଜିକାଲି ଚୋର ଖଣ୍ଟମାନେ ଅତି ପ୍ରବଳ ହୋଇ ଉଠିଲେଣି । ଆଜି ୟା’ ଘରେ ସିନ୍ଧି କଲେଣି ତ କାଲି ତା’ ଘର ଲୁଟିଲେଣି । ସେମାନେ ଆଉ ଏମିତି ସେମିତି ଡକେଇତି କରୁନାହାନ୍ତି । ଦୋ’ ନଳି ବନ୍ଧୁକ, ଛୁରା, ବର୍ଚ୍ଛା, ହାତ ବୋମା ଧରି ଦଳ ଦଳ ହୋଇ ଆସୁଛନ୍ତି । ଘରର ମୁରବିକୁ ମାଡ଼ିବସି ଛୁରି, ପିସ୍ତଲ ଦେଖାଇ ଟଙ୍କା ପଇସା ଥିବା ଥାନ ଦେଖେଇ ଦେବାକୁ କହୁଛନ୍ତି, ଜୀବନ ବିକଳରେ ସେମାନେ କହି ଦଉଛନ୍ତି । ବାସ୍, କଳା କନା ବୁଲେଇ ସବୁ ନେଇ ପଳାଉଛନ୍ତି । ପଇସା ସଞ୍ଚିଲାରୁ ସିନା ଏତେକ ଘଟୁଛି । କଥାରେ ଅଛି–ଯାହା ଖାଇଥିବ ପେଟକୁ, ଯାହା ଦେଇଥିବ ବାଟକୁ, ଯାହା ସଞ୍ଚିଥିବ ଖଣ୍ଟକୁ । ସଞ୍ଚିଲେ ଖଣ୍ଟଙ୍କ ହାତରେ ଟଙ୍କା ପଇସା ସଙ୍ଗେ ଜୀବନଟା ବି ଯିବ । କଅଣ ମିଳିବ ସେ ସଞ୍ଚୟରୁ ?’’

 

ବୁଢ଼ା ଗମ୍ଭୀର ହୋଇଯାଇ କହିଲା–‘‘ଯାହାର ଯାହା ଯେତେବେଳେ ବରାଦ ଥିବ, ସେତେବେଳେ ତାକୁ କେହି ଅଟକାଇ ପାରିବେ ନାହିଁ । ଖଣ୍ଟ କଅଣ ସମସ୍ତଙ୍କ ଘରେ ପଶୁଛି । ଜଣଙ୍କ ଘରେ ଖଣ୍ଟ ପଶିଲା ବୋଲି ସମସ୍ତେ କଅଣ ଟଙ୍କା ପଇସା ଖର୍ଚ୍ଚ କରି ପକାଉଛନ୍ତି । ଧର ଆମ ଘରେ କିଛି ନାହିଁ । ତଥାପି ଯଦି ଡକେଇତ ପଶିବେ ତେବେ ସେମାନେ କଅଣ ମୋତେ ଛାଡ଼ିବେ । ସେମାନେ ତ ଆଉ ମୋ ପାଖରେ କିଛି ନାହିଁ ବୋଲି ଜାଣିବେନି । ଦେଖା ଦେଖା କହି ମାରୁ ମାରୁ ମାରିଦେବେ । ପଇସା ଥିଲେ ବରଂ ରକ୍ଷା, ସେତକ ନେଇଯାଇ ଜୀବନଟାକୁ ବରଂ ଛାଡ଼ିଦେଇ ଯିବେ । ପଇସା ପଛେ ଯାଉ ପ୍ରାଣଟା ତ ବଞ୍ଚି ଯିବ । ଏଣୁ ପଇସା ସଞ୍ଚି ରଖିବା ବରଂ ଭଲ ।’’

 

ସାନ ନାତିକୁ ଆଉ କିଛି ପଇଟିଲା ନାହିଁ । ତା’ ପାଟି ଆଫୁ ଆଫୁ ହୋଇଗଲା । ବିରସ ମନରେ ସେ ଫେରିଲା ।

 

ଆଉଦିନେ ବଡ଼ ନାତି ବୁଢ଼ା ପାଖକୁ ଧଇଁ ସଇଁ ହୋଇ ଧାଇଁଯାଇ କହିଲା–‘‘ବୁଢ଼ାପା’, ବୁଢ଼ାପା’ ଶୁଣିଲଣି ନା–ସରକାରୀ ଲୋକେ ଘରେ ଘରେ ପଶି ଖାନତଲାସ କରି ପୋତା ହୋଇଥିବା ସୁନା, ରୂପା, ଟଙ୍କା ପଇସା ସବୁ ଜବତ କରି ନେଇଯାଉଛନ୍ତି । ଗୋଟାଏ ଯନ୍ତ୍ର ହାତରେ ଧରିଛନ୍ତି । ସେଇଟା ଧନରତ୍ନ ଥିବା ଥାନରେ ଠଅକ୍ କରି ଅଟକିଯାଇ ଏଇଠି ଅଛି, ଏଇଠି ଅଛି ବୋଲି ପାଟିକରି କମ୍ପେଇ ଦେଉଛି । ‘‘ବାସ୍ ! ଖୋଳାଳୀମାନେ ସେ ଥାନ ଖୋଳି ସବୁ ଧନରତ୍ନ ଜବତ କରି ନେଇଯାଉଛନ୍ତି-। ବୁଢ଼ାପା’ ତୁମେ ଆଉ ସଞ୍ଚାସଞ୍ଚି କରନି କି ପୋତ ନାହିଁ । ଖାଲି ଗୁଡ଼ାଏ ହଇରାଣ ହେବା ହିଁ ସାର ହେବ । ଟଙ୍କା ପଇସା ଭୂତ ଖାଇବେ ।’’

 

ବୁଢ଼ା ବିରକ୍ତ ହୋଇଯାଇ କହିଲା, ‘‘ଲେମ୍ବୁଟା ଜାଣିଛୁ । ଆରେ ସରକାରୀ ଲୋକେ କାହା ଘର ଖାନତଲାସ କରି ଧନ ନେଇ ଯାଉଛନ୍ତି । ଯେଉଁମାନେ କିଳାପୋତେଇ, କଳାବଜାର, ଚୋରା ବେପାର କରି, ଇନ୍‌କମ୍ ଟିକସବାଲାଙ୍କୁ ଫାଙ୍କି ଲକ୍ଷ ଲକ୍ଷ ଟଙ୍କା, ସୁନା ପୋତି ରଖିଛନ୍ତି, ତାଙ୍କର ଘର ଖାନ୍‌ତଲାସ କରି ସେମାନେ ନେଇ ଯାଉଛନ୍ତି । ମୋର କୋଉ କଳା ବଜାର, କିଳାପୋତେଇ, ଚୋରା ବେପାର ଅଛି ଯେ ସେମାନେ ମୋ ଘର ଖାନତଲାସ କରିବେ । ମୁଁ ତ ବିଲରୁ ଉପୁଜେଇଲି । ବଳକାକୁ ସରକାରୀ ରେଟ୍‌ରେ ବଜାରରେ ବିକି ଦି’ ପଇସା ସଞ୍ଚିଲି । ମୋ ଘର ଖାନତଲାସ କିଏ କରିବ ?’’

 

ଦୁଇ ନାତିଙ୍କ ଅସ୍ତ୍ରାଗାର ଶେଷ ହୋଇଗଲା । ଶେଷରେ ବାପା ଆଗରେ ଫେରାଦ ହେଲେ । ବାପା ମେଁ ମେଁ ହୋଇ ବୁଝେଇଦେଲା–‘‘ଆରେ, ସେ କାହପାଇଁ ସଞ୍ଚିଛି ? ସେ କ’ଣ ମୁଣ୍ଡେଇ ନେଇଯିବ ? ସବୁ ତୁମରି ପାଇଁ । ସେ ଯଦି ଖୋଲାହାତ ହୋଇ ସବୁ ଉଡ଼େଇଦେବ, ତାହାହେଲେ ପଛନ୍ତେ ତୁମେ ହେଙ୍ଗୁ ଶୁଙ୍ଘୁଥିବ । ସବୁ ତୁମରି ପାଇଁ ଥୁଆ ହେଉଛି, ଥୟଧର ।’’

 

ପୁଅ ଦୁହେଁ ବାପାର ଏ କଥା ଉପରେ ଆଉ କିଛି କହିପାରିଲେ ନାହିଁ । ହେଲେ ତାଙ୍କ ତାଙ୍କ ଭିତରେ କଥାବାର୍ତ୍ତା ହେଲେ–‘‘ବୁଢ଼ା’ପା ଯେମିତିଆ ତାଗଡ଼ା ଅଛି, ତା’ ଆଗରେ ଆମେ ତ ଚାଲିଗଲା ପରି ଦିଶୁଛି, ବାପା ତ ବାପା । ସେ ସଞ୍ଚିଲା ଧନରୁ ବାପା କି ଉପକାର ପାଇଲା ? ଯାହା ଦିଶୁଛି ବାପା ଯିବ, ଆମେ ଯିବୁ, ଶେଷରେ ବୁଢ଼ା’ପା ଯିବ । ସଞ୍ଚିଲା ଧନତକ ଭୂତ ହିଁ ଖାଇବେ-। ଦୁହେଁ ହତାଶ ହେଲେ ବି ଭାଙ୍ଗି ପଡ଼ିଲେନି । ଗୋଟାଏ ଅବ୍ୟର୍ଥ ଅସ୍ତ୍ର ସନ୍ଧାନରେ ଲାଗିପଡ଼ିଲେ ।’’

ଦିନେ ବଡ଼ ନାତି ବୁଢ଼ା’ପାର ବସ୍ତାନି ଖୋଲି, କି କି ବହି ଅଛି ଦେଖୁଥିଲା । ବହି ଘାଣ୍ଟୁ ଘାଣ୍ଟୁ ଗୋଟାଏ ଅଜବ ବହି ଦେଖିଲା । ସେଥିରେ ଲେଖା ହୋଇଥିଲା–‘ମୃତ୍ୟୁ ଲକ୍ଷଣ’ । କୌତୁହଳୀ ହୋଇ ସେଇଟା ପଢ଼ିବସିଲା । ଗୋଟାଏ ଜାଗାରେ ଲେଖାଥିଲା-ଠାକୁର ଘର ଭିତରେ ପଚାଗନ୍ଧ ବାହାରିଲେ ଜାଣିବ, ଛଅମାସ ମାତ୍ର ପରମାୟୁ ବାକି ରହିଛି । ଏହାପରେ ମୃତ୍ୟୁ ସୁନିଶ୍ଚିତ-। ସେଇଠି ତା ମନଟା ଅଟକି ରହିଲା । ସେ ବହିଟାକୁ ବୁଢ଼ା’ପା ଭଲ ଭାବରେ ପଢ଼ିଥିବାର ସେ ଅନୁମାନ କଲା । କାରଣ ବହୁତ ପଢ଼ାପଢ଼ି ହେଲେ ବହି ଯେପରି ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଏ ସେ ବହିଟି ସେହିପରି ହୋଇଥିଲା । ଅଡ଼ୁଆ ସୂତାର ଖିଅଟାଏ ପାଇଗଲା କି ଆଉ ! ସେମିତିଆ ପ୍ରସନ୍ନତା ତା’ ମୁହଁରେ ଫୁଟିଉଠିଲା । ବସ୍ତାନିଟି ବାନ୍ଧିଦେଇ ଯଥାସ୍ଥାନରେ ଥୋଇଦେଲା-

ଦୁଇଭାଇ ସେଦିନ ଜୋର୍‌ସୋର୍‌ରେ ମନ୍ତ୍ରଣା ଚଳେଇଲେ । ଅତଳ ସମୁଦ୍ରରେ ଭାସିଭାସି ସତେ କି ଯେପରି ଗୋଟାଏ ଟାପୁ ପାଇଯାଇଛନ୍ତି ।

ଦି’ଦିନ ପରେ ବୁଢ଼ା ଠାକୁର ଘର ଭିତରେ ପଶିଯିବା ମାତ୍ରେ ମୁଖ ବିକୃତ କଲା । ବାରମ୍ବାର ନାକରେ ଆଙ୍ଗୁଠି ଲଗାଇ ସୁଁ ସୁଁ କଲା । ପାଖରେ ବଡ଼ ନାତି ବୁଲୁଥିବାର ଦେଖି ତାକୁ ପାଖକୁ ଡାକିଲା । କଅଣ ଗୋଟାଏ ପଚାଗନ୍ଧ ହେଉଛି ଦେଖିବାକୁ କହିଲା । ବଡ଼ ନାତି ଘର ଚାରିଆଡ଼େ ଖୋଜିଲା । କେଉଁଠି କିଛି ନାହିଁ କି କିଛି ଦୁର୍ଗନ୍ଧ ବି ନାହିଁ ବୋଲି ସେ ସାଫ୍ ସାଫ୍ କହିଦେଲା । ସାନ ନାତି ବି ଯାଇ ଖୋଜା ଖୋଜି କଲା । ତା ଆଖିକୁ କିଛି ଦିଶିଲା ନାହିଁ । ବୁଢ଼ା ମନ ଚାଉଁକରି ହୋଇଗଲା । ଠାକୁର ପୂଜା ଚଟାପଟ୍ ସାରିଦେଇ ଶୋଇବା ଘରକୁ ଗଲା । ନାତି ଦୁହେଁ ଗୋଇନ୍ଦା ପୁଲିସ ପରି ଲୁଚିଛପି ନଜର ଦେଇଥାନ୍ତି । ବୁଢ଼ା ବସ୍ତାନି ଖୋଲିଲା । ବନ୍ଧେଇ ଭାଗବତ ତଳେ ‘ମୃତ୍ୟୁ ଲକ୍ଷଣ’ ବହିଟା ଥିଲା । ବୁଢ଼ା ଯେମିତି ତିନିଟା ମୋଟା ବହିତଳୁ ବହିଟା କାଢ଼ିଲା ବଡ଼ନାତି ଆନନ୍ଦରେ କୁଲୁରି ଉଠିଲା । ଯୋଜନାଟି ଯେ ନିର୍ଭୁଲ ଭାବରେ କାର୍ଯ୍ୟକାରୀ ହୋଇଛି ତାହାଜାଣି ଦୁହେଁ କୁଲୁରି ଉଠିଲେ । କିଛିକ୍ଷଣ ପରେ ବୁଢ଼ା ବସ୍ତାନିଟିକୁ ବାନ୍ଧିଦେଇ ଉଦାସ ଭାବରେ ବସିଲା । ସନ୍ଧ୍ୟାବେଳ ବଡ଼ ନାତିକୁ ନାହାକ ଡାକି ଆଣିବାକୁ କହିଲା । ବଡ଼ ନାତି ନାହାକକୁ ସାଙ୍ଗରେ ଆଣିଲାବେଳେ ବହୁତ ବହୁତ ପାଠ ପଢ଼େଇ ଓ ଭବିଷ୍ୟତ ଲାଭର ଆଶା ଦେଖାଇ ଆଣିଲା ।

ନାହାକ ଜାତକ ଦେଖିବା ମାତ୍ରେ ଭାରି ବ୍ୟସ୍ତ ହୋଇପଡ଼ିଲା । ଖଡ଼ିରେ ଗ୍ରହ ଚକ୍ରଟା କାଟିଦେଇ ଅଙ୍କ କଷି ପକେଇଲା । ଆଉ ଗମ୍ଭୀର ହୋଇଯାଇ କହିଲା–‘‘ଏଣେ ରାହୁର ବକ୍ରାତିଚାରକୁ ତେଣେ ଲଗ୍ନରେ ଶନି । ତାଙ୍କର ପୁଣି ଶୁକ୍ର ସାଙ୍ଗରେ ଘଣି । ଏଥିରେ ପାଠ କହୁଛି–ଯଦି ଅସ୍ତି ଲଗ୍ନେ ଶନି, ଶୁକ୍ର ସହ କରୋତି ଘଣି, ଭାସ୍କରାଚାର୍ଯ୍ୟ ବଦନ୍ତି ବାଣୀ ଷଡ୍‌ମାସ ଆୟୁ ରହତି ପ୍ରାଣୀ । ଏଥିରେ ପରମାୟୁ ମାତ୍ର ଛଅମାସ ଲେଖୁଛି ।’’

ବୁଢ଼ା ଆଖିରୁ ଦି’ବୁନ୍ଦା ଲୁହ ଗଡ଼ିପଡ଼ିଲା । ମୁହଁ ବୁଲେଇ ଦେଇ ତାହା ପୋଛିନେଲା ।

ନାହାକ ପୁଣି ଉତ୍ତେଜିତ ହୋଇ କହି ପକେଇଲେ–ତେବେ ଗୋଟିଏ ଆଶାର ଜିନିଷ ଅଛି । ଏଗୁଡ଼ାକ ହେଲେ ଦୁଷ୍ଟ ଗ୍ରହ । ରବି ମହାଗ୍ରହର ସଞ୍ଚାର ହେଲେ ଏ ଖେଚଡ଼ା ଗ୍ରହଗୁଡ଼ାକ ଛାଡ଼ି ପଳେଇବେ । ଆଜିକୁ ପାଞ୍ଚମାସ କୋଡ଼ିଏ ଦିନ ପନ୍ଦର ଲିତା ଓ ସାତ ବିଲିତା ସମୟରେ ରବି ମହାଗ୍ରହ ତୁମ ରାଶି ପାଖଦେଇ ଯିବେ । ଗ୍ରହ ପୂଜା କଲେ ରବି ମହାଗ୍ରହ ତୁମ ରାଶି ଭିତରେ ପଶି ଦୁଇଦଣ୍ଡ ରହିବେ । ଆଉ ଲଫଙ୍ଗା ଗ୍ରହମାନଙ୍କୁ ଘଉଡ଼େଇ ଦେବେ । ତା’ପରେ ତୁମେ ଶହେ ଆଠବର୍ଷ ଅଖଣ୍ଡ ପରମାୟୁ ପାଇବ । ଶାସ୍ତ୍ର କହୁଛି ଉଦିତେ ଭାସ୍କରେ ଲଗ୍ନେ, ଦୁଷ୍ଟ ଗ୍ରହାଃ ପଳାୟନ୍ତି । ଅଷ୍ଟୋତ୍ତର ଶତଂ ଆୟୁଃ ଅବଶ୍ୟଂ ପ୍ରାପତି ନରଃ । ଏ କଥାକୁ କାଟିବାକୁ ତିନି ଭୁବନରେ କେହି ନାହାନ୍ତି । ହଁ, ଆଉ ଗୋଟିଏ କଥା ଅଛି । ଏଠି ଧନାଧିପତି ଚନ୍ଦ୍ର ବଡ଼ ଗୋଳମାଳ ସୃଷ୍ଟି କରୁଛି । ଧନ ଯେତେ ବେଶି ସଞ୍ଚୟ କରିବ, ସେ ସେତେ ଦୁଷ୍ଟ ଗ୍ରହକୁ ଆଣି ଠୁଳ କରିବ । ଏଣୁ ତୁମ ରାଶିରେ ଧନ ସଞ୍ଚୟ ଏକାବେଳକେ ମନା । ସାମାନ୍ୟ କିଛି ସଞ୍ଚୟ କରି ଧର୍ମକାର୍ଯ୍ୟରେ କିମ୍ବା ଆତ୍ମ ସେବାରେ ସବୁ ଖର୍ଚ୍ଚ କରିଦେବ । ସ୍ୱଳ୍ପ ଅର୍ଥ ଦେଖିଲେ ଧନାଧିପତି ଚନ୍ଦ୍ର ତୁମ ରାଶି ଛାଡ଼ି ପଳାଇବ-।’’

ଜ୍ୟୋତିଷ ଶାସ୍ତ୍ରର ଗୂଢ଼ ତଥ୍ୟ ସବୁ ବୁଢ଼ା ଆଗରେ ବାଢ଼ିଦେଇ, ତୁରନ୍ତ ଗ୍ରହ ପୂଜାର ବରାଦ କରିଦେଇ ନାହାକ ଚାଲିଗଲା ।

ବୁଢ଼ାର ହାତ ଖୋଲିଲା । ଖୁବ୍ ଧୁମ୍‌ଧାମରେ ଗ୍ରହପୂଜା ସରିଲା । ବଡ଼ଭାଇ ସାନ ଭାଇକୁ ଗୁପ୍ତରେ କହିଲା–‘‘ଆଡ଼କୁ ଆଉ ମଲାମୂଷା ଠାକୁର ଖଟୁଲି ପଛରେ ଥୋଇବୁ ନାହିଁ । ଯନ୍ତାରେ ଯେଉଁ ମୂଷାଗୁଡ଼ାକ ପଡ଼ି ମରୁଛନ୍ତି, ସେଗୁଡ଼ାକୁ ଦାଣ୍ଡ ନର୍ଦ୍ଦମାରେ ପକାଇଦେବୁ ।’’

ଗ୍ରହପୂଜା ପରେ ଠାକୁର ଘରେ ଆଉ ଦୁର୍ଗନ୍ଧ ନ ବାହାରୁ ଥିବାର ଦେଖି ବୁଢ଼ା ମହାଖୁସି ହୋଇଗଲା । ଗ୍ରହପୂଜା ଯେ ଈପ୍‌ସିତ ଫଳ ନିଶ୍ଚିତ ଭାବରେ ଦେଇଛି, ଏଥିରେ ତା’ର ସନ୍ଦେହ ରହିଲା ନାହିଁ ।

Image

 

ସଂସଦ ଭେଦ

 

ଗାଆଁର ଉତ୍ପାତିଆ ଟୋକାଗୁଡ଼ା ନାନା କିସମର ଉତ୍ପାତ କରି କରି ଥକି ପଡ଼ିଲେ । କାକୁଡ଼ି ଚୋରି, କଦଳୀକାନ୍ଦି ଚୋରି, ମାଛ ଚୋରି, ବୋଲ ମାନୁ ନ ଥିବା ତେଢ଼ିଆ ପ୍ରୌଢ଼ମାନଙ୍କ ଘରକୁ ରାତିରେ ଢେଲା ବୋଲୁଅ ଫୋପଡ଼ା, ଦି ଜଣଙ୍କର କଳି ହେଲେ ଗୋଟିଏ ପକ୍ଷଠାରୁ ଟଙ୍କାଖାଇ ଅନ୍ୟକୁ ହଲାପଟା କରିବା ଓ ପରେ ତା’ଠାରୁ ଟଙ୍କା ଖାଇ ୟାକୁ ହଲାପଟା କରିବା ଆଦି କାମ ନିତି ନିତି କରି ଥକି ପଡ଼ୁଥିଲେ । ଦିହମନ ଚିଟା ଧରିଗଲା । ବେଳେ ବେଳେ ନିଜ ନିଜ ଭିତରେ ଧସ୍ତାଧସ୍ତି ଲଗେଇ ଖଣ୍ଡିଆ ମଣ୍ଡିଆ ହେଉଥିଲେ । ମଙ୍ଗୁଆଳ ଛଡ଼ା ଡଙ୍ଗା ପରି ଏଣେତେଣେ ଭାସୁଥିଲେ ।

 

ମାଟ୍ରିକ୍‍ ପରୀକ୍ଷାରେ ଅସାଧୁତା ଯୋଗୁଁ ପରୀକ୍ଷା କୋଠରୀରୁ ତଣ୍ଟିଆ ଖାଇ ସଦ୍ୟ ଗାଆଁକୁ ଫେରିଥିବା ନାଣ୍ଡିଆ, ଟୋକାମାନଙ୍କୁ ଯେ ଯାହା ହାତରେ ଚଉଦ ପାଆ ଦେଖି ପ୍ରଥମେ ନାକ ଟେକିଲା ।

 

ଏ ଗଜା ଭେଣ୍ଡିଆଗୁଡ଼ାଙ୍କୁ କୌଣସିମତେ ହାତ ମୁଠାରେ ରଖିପାରିଲେ ତା’ର ମନସ୍କାମନା ପୂରଣ ହୋଇ ପାରନ୍ତା । ଭେଣ୍ଡିଆମାନେ ବି ତାକୁ ସଦ୍ୟ ସହରରୁ ଫେରିଥିବାରୁ ଟିକିଏ ଖାତିର କରୁଥିଲେ ଓ ତା’ସହିତ ସମ୍ପର୍କ ରଖିବାକୁ ଚାହୁଁଥିଲେ । ମଉକା ମିଳିବାମାତ୍ରେ କ୍ଷୀରନୀର ଗୋଳେଇ ହୋଇଗଲେ ।

 

ଦିନେ ଗାଆଁ ମନ୍ଦିର ବେଢ଼ାରେ ସମସ୍ତେ ଏକଜୁଟ୍ ହୋଇଗଲେ । ନାଣ୍ଡିଆ ପୋଖତ ନେତା ପରି ଆରମ୍ଭ କଲା । ‘‘ଦେଖ, ଆମେ ଯଦି ଗୋଟାଏ ଦଙ୍ଗଲ ନ ବାନ୍ଧୁ ତେବେ ଆମେ କିଛି କରି ପାରିବା ନାହିଁ । ତୁମେ ଏଠି କଅଣ କରୁଛ ? ଆମ ସହରରେ ଦଙ୍ଗଲ ବନ୍ଧା ଟୋକାଏ ଯାହା କରୁଛନ୍ତି ନା, ଦେଖିଲେ ଆଖି ଖୋସି ହୋଇଯିବ । ଦିନ ଦି’ପହରେ ବିଚ୍‌ ରାସ୍ତାରେ ଲୋକଙ୍କ ଠାରୁ ଟଙ୍କା ଥଳି ଛଡ଼େଇ ନେଇ ପାରନ୍ତି । ହୋଟେଲ୍‍, ଗୁଡ଼ିଆଦୋକାନ ତ ସେମାନଙ୍କ ଜମିଦାରୀ । ଦଙ୍ଗଲଟାଯାକ ବିଛେଇ ହୋଇଯାଇ ହୋଟେଲ୍‍ ଓ ଦୋକାନମାନଙ୍କରେ ପଶନ୍ତି, ଖାଆନ୍ତି, ଯାଆନ୍ତି, ପଇସାର କିଛି ଜରୁରତ ନାହିଁ । ଚାଲ ଆମେ ଦଙ୍ଗଲ ବାନ୍ଧିବାକୁ ଗୋଟାଏ ସଂସଦ ଗଢ଼ିଦେବା ।’’

 

ଜଣେ କହିଲା–‘‘ଆରେ ହଁ ହଁ ତ, ମୁଁ ସଂସଦ ନା ଶୁଣିଛି । ହେଲେ ସେଇଟା କେମିତିକା ଓ କେତେ ପ୍ରକାର ଜାଣିନି । ସେଇଟା ଆଗ ବତେଇଲ ।’’

 

ନାଣ୍ଡିଆ ମୁଣ୍ଡ କୁଣ୍ଡେଇଲା । ଏମିତିଆ ଅଖାଡ଼ୁଆ ପ୍ରଶ୍ନଟାଏ ତା’ ଉପରେ ଆସି ବୋଲୁଅ ପରି ପଡ଼ିବ, ତାହା ସେ କଳ୍ପନା କରି ନ ଥିଲା । କିଛି ସମୟ ଥମ୍ ହୋଇ ପରେ କହିଲା–‘‘ଆରେ ଟୋକାମାନଙ୍କର ଦଙ୍ଗଲ ବାନ୍ଧିବାକୁ ସଂସଦ କହନ୍ତି । ସଂସଦ କେମିତି ହୁଏ ଆଉ କେତେ କିସମର ସେଇଟା ମୋତେ ଠିକ୍ ଠିକ୍ ମାଲୁମ୍ ନାହିଁ । ଏଇଟା ଜାଣିବା ଅବଶ୍ୟ ବଡ଼ କଥା ନୁହେଁ । ଆଜି ଚାହିଁଲେ କାଲିକି ଜାଣି ଯିବି । ସହରରେ ଆମର ଜଣେ ଗୁରୁ ଅଛନ୍ତି । ସେ କଲେଜରେ ପଢ଼ନ୍ତି । ସମସ୍ତେ ତାଙ୍କୁ ଅନ୍ତା ଭାଇ ବୋଲି ଡାକନ୍ତି । ଝିଅ ପିଲାଏ ତାଙ୍କୁ ଦେଖିଲେ ମୁତି ପକାନ୍ତି, ଅଧ୍ୟାପକମାନଙ୍କ ପାଟି ଆଫୁ ଆଫୁ ହୋଇଯାଏ, ଖୋଦ୍ ଅଧ୍ୟକ୍ଷଙ୍କ ଦିହର ତାଉ (୯୬) ଡିଗ୍ରୀକୁ ଖସି ଆସେ । ସେଇଥିଲାଗି ସେ ତାକୁ ଧରମ ପୁଅ କରିଚନ୍ତି, ବହୁତ ବହୁତ ଇଲମ ତାଙ୍କୁ ଜଣା । କୋଉ କଥା ତାଙ୍କୁ ଅଛପା ନାହିଁ, ଚାଲ ଆସନ୍ତା ରବିବାର ଦିନ ତାଙ୍କ ପାଖରେ ପହଞ୍ଚିବା । ସେ ସବୁ କିଛି ବତେଇଦେବେ ।

 

ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗ୍ରହଣ କରାଗଲା । ରବିବାର ଦିନ ୯ଟାରେ ନାଣ୍ଡିଆ ଚାରିଟା ଟୋକାଙ୍କୁ ସାଙ୍ଗରେ ଧରି ଅନ୍ତା ବସାଘରେ ପହଞ୍ଚିଲା । ଅନ୍ତାକୁ ଦେଖିବାମାତ୍ରେ ସମସ୍ତେ ଗୋଡ଼ତଳେ ପଡ଼ିଲା ଭଳିଆ ନମସ୍କାରମାନ ଅଜାଡ଼ି ଦେଲେ । ଅନ୍ତା ନାଣ୍ଡିଆକୁ ଦେଖି କହିଲା–‘‘କିବେ ନାଣ୍ଡିଆ, କଥା କଅଣ ? ଏମାନଙ୍କୁ କୁଆଡ଼େ ନେଇ ଆସିଲୁ ? କରୁଛୁ କଅଣ ? ଗାଁ’ରୁ ଆସିଲୁ ପରା ? ହଉ ହଉ ସେଠି ମଶିଣାଟା ପକେଇ ବସିଯାଅ, ତୁ ଯା ସେ ଛକରେ ଥିବା ଗୁଡ଼ିଆ ଦୋକାନରୁ ପିଆଜି, ଚାହା ନେଇଆ । ଆଗ ସମସ୍ତେ ଖାଇ ନିଅ, ତାପରେ ଆଉ ଯାହା ।’’

 

ନାଣ୍ଡିଆ ଟିକିଏ କୁନ୍ଥୁ କୁନ୍ଥୁ, ହେବାରୁ ଅନ୍ତା ଛିଗୁଲେଇ କହିଲା–‘‘ଉଃ, ଯା ଯା ଆବେ, କେତେ ଲାଜ ସରମ ଦେଖଉଛୁ । ଯା’ ଯା’ ବେଶି ଫେଚକାମି ଦେଖାନା ।’’

 

ପିଆଜି ଓ ଚାହା ପର୍ବ ପରେ ଆଲୋଚନା ଚକ୍ର ବସିଲା । ନାଣ୍ଡିଆ ଅତି ବିନୟର ସହିତ ଆରମ୍ଭ କଲା–‘‘ଆଜ୍ଞା’’ ଆମେ ଗାଆଁରେ ଗୋଟାଏ ସଂସଦ ଗଢ଼ିବୁ । କେମିତିଆ ସଂସଦଟାଏ ଗଢ଼ିଲେ ଭଲ ହେବ, ଆଉ କେମିତି ସେଇଟା ଗଢ଼ା ହେବ ସେହି ଇଲମଟା ପାଇବା ଲାଗି ଆଜି ଗାଆଁରୁ ତୁମ ପାଖକୁ ଆସିଲୁ ।’’

 

ଅନ୍ତା ମୁରୁକି ହସା ଦେଇ କହିଲା–‘‘ଆଚ୍ଛା, ସହର ରୋଗ ତା ହେଲେ ଡେଇଁଲାଣି ଗାଆଁକୁ । ଭଲ କଥା, ଭଲ କଥା । ଯେତେ ପ୍ରକାର ସଂସଦ ଅଛି ମୁଁ କହି ଯାଉଛି, ତୁମର ଯେଉଁଟା ପସନ୍ଦ ହେବ ସେଇଟା ବାଛି ନେବ । କଅଣ କହୁଛ, ଓ ?’’

 

‘‘ହଁ ହଁ ସେଇଆ ।’’

 

ଅନ୍ତା ପୋଥି ଫିଟେଇଲା–‘‘ପହିଲେ ଦେଖ ମହୁମାଛିଆ ସଂସଦ । ମହୁମାଛିମାନେ ଚାରିଆଡ଼ୁ ମହୁ ଆଣି ଫେଣାରେ ଯେମିତି ଥୁଅନ୍ତି, ଏ ସଂସଦର ସଭ୍ୟମାନେ ସେହିପରି ଚାରିଆଡ଼ୁ ଲୋକହିତକର ବିଷୟ ସବୁ ଶିଖି ସଂସଦରେ ଆସି କହନ୍ତି, ‘‘କିଏ କି ଭଲକାମ କଲା, କାହା ପାଖରେ କି ଭଲଗୁଣ ଅଛି, ଏଠି ସେଇଟା କେବଳ ଚର୍ଚ୍ଚା ହୁଏ ।’’

 

ଜଣେ ଚୁଙ୍ଗୁଚୁଙ୍ଗିଆ କହି ଉଠିଲା–‘‘ଆଜ୍ଞା, ଆମେ ଏଇ ସଂସଦଟା ଗଢ଼ିବା ।’’

 

‘‘ହାଁ, ହାଁ ସବ୍‌ରାତ କରି ସବ୍‍ରାତ କରି । ତମେ ସବୁ ଗାଁ’ରୁ ସଂଗ୍ରହ କଲେ କରିବ, କାହା ବାଡ଼ିରୁ କାକୁଡ଼ିଟାଏ ବା କାହା ବାଡ଼ିରୁ କଖାରୁଟାଏ । ତେମେ ମହୁ ପାଇବ କୁଆଡ଼ୁ ? ଏସବୁ ବଡ଼ ମୁଣ୍ଡିଆଙ୍କ କାମ । ଦାର୍ଶନିକ, ବୈଜ୍ଞାନିକ, ଡାକ୍ତର, ସାହିତ୍ୟିକମାନଙ୍କୁ ଏହା ଯୋଗାଏ । ଦ୍ୱିତୀୟରେ ଶୁଣ–ମେହେନ୍ତ୍ରାଣିଆ ସଂସଦ । ମେହେନ୍ତ୍ରାଣିମାନେ ଯେମିତି ସକାଳୁ ସକାଳୁ ତଟକା ପାଇଖାନାମାଲ ସବୁ ଟୋକେଇରେ ଆଣି ଗୋଟିଏ ଜାଗାରେ ଏକାଠି ଥୁଅନ୍ତି; ଏ ସଂସଦର ସଭ୍ୟମାନେ ଠିକ୍ ସେହିପରି ଚାରିଆଡ଼ୁ ଯାବତ ଅସନା କଥା ସଂଗ୍ରହ କରି ଏହି ସଂସଦ ଭିତରେ ଓକାଳି ପକାନ୍ତି । ପରଚ୍ଛିଦ୍ର, ପରକୁତ୍ସା, ପରସ୍ତ୍ରୀ, ଝିଅ, ବୋହୂଙ୍କର ଦୁର୍ନାମ ଏଇଠି ହୁଏ । କଅଣ-ଏମିତି ସଂସଦ କରିବ ?

 

‘‘ନାହିଁ, ନାହିଁ । ଆମ ଗାଆଁର ଲୋକେ ସିନା ଡରରେ କିଛି କହିବେ ନାହିଁ, କିନ୍ତୁ ଆଉ ସବୁ ଗାଆଁ ବାଲାଏ ଦୁର୍ ଦୁର୍ ମାର୍ ମାର୍ କରିବେ ।’’

 

‘ଆଚ୍ଛା ତେବେ ଶୁଣ । ଆଉ ଗୋଟାଏ ସଂସଦ କଥା ଶୁଣ । ସେଇଟା ହେଲା ଗୋହି ଖୋଳାଖୋଳି ସଂସଦ । ଏହାରି ସଭ୍ୟମାନେ ଏଠି ଏକାଠି ହେବାମାତ୍ରେ ପରସ୍ପରର ଗୋହି ଖୋଳାଖୋଳି ହୁଅନ୍ତି । ଏତକ ନ କରିବାଯାଏ ସେମାନଙ୍କର ପେଟ ଆଉଣ୍ଡି ହେଉଥାଏ । କଣ ଇଏ ପୋଷେଇବ ।’

 

‘‘ନାହିଁ, ନାହିଁ । ସଂସଦର ଗଜା ମରୁଡ଼ି ହୋଇଯିବ ।’’

 

‘‘ଆଚ୍ଛା ତେବେ ଟେକା ଟେକି ସଂସଦ କରିବ ? ଏଥିରେ ସଭ୍ୟ ମାନେ ଖୁବ୍ ଗୁଣୀ, ମନସ୍ୱୀ ଥାଆନ୍ତି । ସଂସଦରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ଟେକା ଟେକି ଆରମ୍ଭ କରିଦିଅନ୍ତି । ଇଏ ତାକୁ ପାଞ୍ଚହାତ ଟେକିଲାଣି ତ ସିଏ ଆକୁ ଦଶହାତ । ସେ କହେ ତୁମେ ଭାରି ଭଲ । ଇଏ କହେ ତୁମେ ବହୁତ ଭାରି ଭଲ ।’’

 

‘‘ହଁ ଆମେ ଏଇ ସଂସଦ ଗଢ଼ିବା ।’’

 

‘‘ହାଁ, ହାଁ ସମ୍ଭାଳି କରି, ସମ୍ଭାଳି କରି । ହଇରେ ତୁମେ କଅଣ ଟେକିବ ? ତୁ ତାକୁ କହିବୁ–ତୁମକୁ ବଢ଼ିଆ କାକୁଡ଼ି ଚୋରିକରି ଆସେ, ସେ ତତେ କହିବ–ତମକୁ ଖୁବ୍ ବଢ଼ିଆ କଖାରୁ ଚୋରିକରି ଆସେ । ଆଉ କେଉଁଥିରେ ତୁମେ ଟେକା ଟେକି ହେବ ?’’

 

‘‘ହେତ୍ ଏମିତିଆ ସଂସଦ ଲୋଡ଼ା ନାହିଁ ।’’

 

ଆଚ୍ଛା ତେବେ ଆଉ ଗୋଟାଏ ସଂସଦ ଅଛି । ସେଇଟା ହେଲା ଚାନ୍ଦା ଅମଳ ସଂସଦ । ଆଜି କାଲି ଦୁନିଆଁରେ ଅନେଶତ ଭାଗ ଚାନ୍ଦାରେ ଚାଲିଛି । ଅନେଶତ ଭାଗ ଲୋକ ଡରିମରି ଚାନ୍ଦା ଦେଉଛନ୍ତି, ଆଉ ଭାଗେ ଲୋକ ତାକୁ ଚଳୁ କରୁଛନ୍ତି । ଚାନ୍ଦା ଆଦାୟ କରିବାକୁ ହେଲେ ଗୋଟାଏ ସଂସଦ ନିହାତି ଦରକାର । ଅମୁକ ସଂସଦର ଢମୁକ ସାହାଯ୍ୟ ପାଣ୍ଠି ନାଆଁ ଦେଇ ଗୋଟାଏ ରସିଦ୍ ବହି ନିହାତି ଦରକାର । ତାହାରି ବଳରେ ବେଶ୍ ଚାନ୍ଦା ଆଦାୟ ହେବ । ସରକାରୀ ସାହାଯ୍ୟ ମଧ୍ୟ ସଂସଦଟାଏ ନ ହେଲେ ନ ମିଳେ । ଯେଉଁମାନଙ୍କ ପିଣ୍ଡ ଚାନ୍ଦାରେ ଗଢ଼ା ସେମାନେ ଏଇ ସଂସଦ ଗଢ଼ନ୍ତି । କଅଣ ପସନ୍ଦ ?’’

 

‘‘ହଁ ପସନ୍ଦ ଯେ, ତେବେ ତାଠୁଁ ଭଲ ଅଛି କି ନା ଦେଖାଯାଉ ।’’

 

‘‘ହଉ ଶୁଣ, ଆଉ ଗୋଟାଏ ହେଲା–କୋକୁଆ ପୂରେଇ ସଂସଦ । ଏହାର ସଭ୍ୟମାନଙ୍କ କାମ ହେଲା ଲୋକଙ୍କୁ ଭୟଭୀତ କରାଇ ନିଜର ବଶ କରି ରଖିବା ଆଉ ସେମାନଙ୍କୁ ଶୋଷିବା । ‘ଘରପୋଡ଼ି, ଢେଲା ଫୋପଡ଼ା, କିଆରି ଜୂର, ଦଙ୍ଗାହାଙ୍ଗାମା ହେଲା ଏମାନଙ୍କର ପ୍ରଧାନ କାମ । ଏମାନଙ୍କ ଭୟରେ ଲୋକେ କାକୁସ୍ଥ ହୋଇ ରହିଥାନ୍ତି । ବସ୍ କହିଲେ ବସନ୍ତି, ଉଠ୍ କହିଲେ ଉଠନ୍ତି । ଦେ ବୋଲି କହିଲେ ଗାଞ୍ଜିଆ ଖୋଲି ଦିଅନ୍ତି । ଦରକାର ଏମିତିଆ ସଂସଦ ?’’

 

‘‘ନାହିଁ ନାହିଁ, ଲୋକଙ୍କ ନିଃଶ୍ୱାସ ପଡ଼ିବ । ଅଚିହ୍ନା ରୋଗ ଗ୍ରାସିବ । ଏଇଟା ଅତି ଖରାପ ।’’

 

‘‘ହଉ ତାର ଓଲଟା ସଂସଦଟାଏ ଗଢ଼ । ସେଇଟା ହେଲା, କୋକୁଆ ଛଡ଼େଇ ସଂସଦ । ଏହାର ସଭ୍ୟମାନେ ବଡ଼ ପରୋପକାରୀ । ଅସାମାଜିକ ଲୋକଙ୍କୁ ଜବତ କରିବା, ରାତିରେ ପାଳକରି ଗାଁ ଜଗିବା, ବଢ଼ି, ଘରପୋଡ଼ିବେଳେ ନିଜ ଜୀବନକୁ ପାଣି ଛଡ଼େଇ ଲୋକଙ୍କୁ ସାହାଯ୍ୟ କରିବା ହେଲା ଏମିତିଆ ସଂସଦସଭ୍ୟମାନଙ୍କର କାମ । କ’ଣ ଚଳିବ ?’’

 

‘‘ଚଳନ୍ତା ଯେ ହେଲେ ଏଥିରେ ଜୀବନମୂର୍ଛା କାମ କରିବାକୁ ପଡ଼ିବ । ପାରିବାନି ।’’

 

‘‘ଛାଡ଼ ତାକୁ । ଆଉ ଗୋଟିଏ ସଂସଦ ଅଛି । ସେଇଟା ହେଲା ଷଣ୍ଢ ପୂରେଇ ସଂସଦ । ଏହାର ସଭ୍ୟମାନଙ୍କ କାମ ହେଲା, ପାଞ୍ଚଜଣ ବସି ଯଦି ଏକ ମନ ହୋଇ କିଛି ଗୋଟାଏ କାମ ଆରମ୍ଭ କରିବେ, ଏମାନେ ତା ଭିତରେ ପଶି କିଛି ଗୋଟାଏ ଗଣ୍ଡଗୋଳ ଭର୍ତ୍ତି କରିଦେଇ କାମଟା ଭଣ୍ଡୁର କରିଦେବେ । ଉଦାହରଣ ସ୍ୱରୂପ ଗୋଟାଏ ଯାତ୍ରା ହଉଛି । ହଜାର ହଜାର ଲୋକ ଚାରିପାଖରେ ଘେରିହୋଇ ବସି ଯାତ୍ରା ଦେଖୁଛନ୍ତି । ଅଭିନେତାମାନେ ଅଭିନୟସ୍ଥଳୀକୁ ଯିବାପାଇଁ, ଗୋଟିଏ ଗଳି ରାସ୍ତା ବସିଥିବା ଦେଖଣାହାରୀଙ୍କ ଭିତରେ ଥାଏ । ଏ ସଂସଦର ଜଣେ ସଭ୍ୟ ଗୋଟିଏ ବୁଲନ୍ତା ଷଣ୍ଢକୁ ଘାସ ବିଡ଼ାଏ ଦେଖାଇ ଗଳି ମୁହଁ ପାଖକୁ ନେଇଆସେ । ଆଉ ଗଳି ଭିତରକୁ ଟିକିଏ ଆଗେଇ ନେଇ ନିଜେ ପାଖେଇ ଯାଏ । ଆଉ ଜଣେ ସଭ୍ୟ ଷଣ୍ଢ ପଛଆଡ଼ୁ ଧଡ଼ାରେ କସି କରି ପାହାରେ ଦିଏ । ଷଣ୍ଢଟି ବିଚରା ସେଇ ଗଳି ରାସ୍ତାରେ ଦଉଡ଼ିଯାଏ ଆଗକୁ । କାଳେ ମାଡ଼ି ପକେଇବ ଏହି ଭୟରେ ଦେଖଣାହାରୀଏ ଠିଆ ହୋଇପଡ଼ି ହୋ ହୋ ପାଟି କରନ୍ତି । ଷଣ୍ଢଟା ଅଧିକା ଭୟରେ ଏଣେ ତେଣେ ଧସେଇ ପଶିଯାଏ । ଯାତ୍ରାଟି ଏକାବେଳେକେ ଭଣ୍ଡୁର ହୋଇଯାଏ-। ବେଳେ ବେଳେ ଏମିତି ହୁଏ ଯେ ଠେଲା ପେଲାରେ ରାଜା ରାଣୀ ତଳେ ଗଡ଼ିଯାଆନ୍ତି-। ହାରମାନିଆ ଉପରେ ଷେଣ୍ଢ ଚଢ଼ିଯାଇ ତାକୁ ଭାଙ୍ଗିପକାଏ । ସାମାନ୍ୟ ବିଡ଼ାଏ ଘାସ ସାହାଯ୍ୟରେ ଗୁଡ଼ାଏ ଟଙ୍କା ଖର୍ଚ୍ଚହୋଇ ହେଉଥିବା ଯାତ୍ରାଟି ଭଣ୍ଡୁର ହୋଇଯାଏ । ଷଣ୍ଡ ପୂରେଇ କଥାଟା ଏହିଠାରୁ ଆରମ୍ଭ । ସଭ୍ୟମାନେ ସଭା ସମିତିକୁ ବି ବାଡ଼ିଆ ଫୋଟକା ଫୋପାଡ଼ି, ଢେଲା ପକେଇ ଏମିତି ଭଣ୍ଡୁର କରିଦିଅନ୍ତି । ଭଣ୍ଡୁର କରିବା ଏମାନଙ୍କର ଧର୍ମ । ଲାଭ କ୍ଷତିର ହିସାବ ସେମାନେ କରନ୍ତି ନାହିଁ । ଏମିତିଆ ସଂସଦ ଚଳିବ ?’’

 

‘‘ଉଁହୁଁ–ଉଁହୁଁ-ଗାଁ ଗଣ୍ଡାରେ ବଡ଼ ବଡ଼ କୋଉ ସଭା ସମିତି ହେଉଛି ଯେ ତା ପାଇଁ ଏମିତିଆ ସଂସଦଟାଏ ଗଢ଼ିବା । ଇଏ ପୋଷେଇବ ନାହିଁ ।’’

 

‘‘ଆଚ୍ଛା, ସେବା ସଂସଦ ? ଏହାର ସଭ୍ୟମାନଙ୍କୁ ନିଜ ଘରେ ବା ନିଜ ଗାଆଁରେ ସେବା କାମ କରି ଆସେନି । ପୁରୀର ରଥଯାତ୍ରା, କଟକର ବାଲିଯାତ୍ରା, ଭୁବନେଶ୍ୱରରେ ଜାଗର ଯାତ୍ରା, ଢେଙ୍କାନାଳରେ ଲକ୍ଷ୍ମୀପୂଜା ଯାତ୍ରାଭଳି ଯାତ୍ରାମାନଙ୍କରେ କେବଳ ଏମାନେ ସେବା କରି ପାରନ୍ତି । ମୁଣ୍ଡରେ ଟୋପି ଛାତିରେ ଚିହ୍ନୋଟି ବା ବ୍ୟାଜ୍ ସାଙ୍ଗରେ ଷ୍ଟ୍ରେଚର, ପଟିକନା ନଥିଲେ ଏମାନେ ସେବା କରିପାରନ୍ତିନି । ଏସବୁ ଥାନକୁ ବଡ଼ ବଡ଼ ନେତା, ହାକିମ ହୁକୁମା ଯାଇଥାନ୍ତି । ସେମାନଙ୍କ ନଜରରେ କୌଣସିମତେ ପଡ଼ିଗଲେ କାମ ଫତେ । ଅମୁକ ସେବା ସଂସଦର ସଭ୍ୟମାନେ ଆଣ୍ଠେଇପଡ଼ି ସେବା କାମ କରୁଥିଲେ । ଏତିକି ମାତ୍ର ବଡ଼ବଡ଼ିଆଙ୍କ ମୁହଁରୁ ବାହାରି ପଡ଼ିଲେ ସଇ-। ଅସଲ ସେବାକାମ ଚୁଲିକି ଯାଉ । ନିଜ ଘରେ ବା ଗାଁରେ ସେବା କାମରେ ଏପରି ପଦେ ପ୍ରଶଂସା କୋଉ ବଡ଼ବଡ଼ିଆଙ୍କ ମୁହଁରୁ ବାହାରିବ ? ଏମିତିଆ ସଂସଦ ଲୋଡ଼ା ?’’

 

‘‘ଚଳନ୍ତା ଯେ, ହେଲେ ଏଥିପାଇଁ ଟଙ୍କା ପଇସା ଦରକାର । ଆମ ପାଖରେ ଫଟା ପାହୁଲାଟାଏ ବି ନାହିଁ ।’’

 

‘‘ହଉ ତେବେ ଦହିମନ୍ଥା ସଂସଦଟାଏ ହଉ । ଦହି ମନ୍ଥିଲେ ସବୁଠୁଁ ବଢ଼ିଆ ଚିଜ ଲହୁଣି ବାହାରେ । ଏ ସଂସଦର ସଭ୍ୟମାନେ ନିଜ ନିଜ ଖପୁରି ଭିତରେ ଦହିକୁ ମନ୍ଥି ଲହୁଣୀ ଭଳିଆ ଗୋଟାଏ କିଛି ଲୋକହିତକର ବିଷୟ କାଢ଼ନ୍ତି । ଏହାର ସଭ୍ୟମାନେ ସାଧାରଣତଃ ବୈଜ୍ଞାନିକ, ଡାକ୍ତର ଓ ଦାର୍ଶନିକମାନେ ହୋଇଥାନ୍ତି । ଅତ୍ୟନ୍ତ, ଜଟିଳ ସମସ୍ୟାମାନଙ୍କର ସମାଧାନ ଏଇ ସଂସଦରେ ହିଁ ହୋଇଥାଏ । ମାଡ଼ି ଆସୁଥିବା ବିପଦରୁ ଉଦ୍ଧାର ପାଇବାର ଉପାୟ ସବୁ ଏଇଠି ବାହାରେ । ଏ ସଂସଦ ବିଷୟ ତୁମମାନଙ୍କର ଭାବିବା ଉଚିତ୍ ନୁହେଁ ।’’

 

‘‘ସେଇଟା ଅବଶ୍ୟ ଠିକ୍ କଥା ।’’

 

‘‘ଆଉ ଗୋଟିଏ ହେଲା ସମୁଦ୍ରମନ୍ଥା ସଂସଦ । ଦେବତା ଓ ଅସୁରମାନେ ସମୁଦ୍ର ମନ୍ଥି ଭୟଙ୍କର ବିଷର ହାଣ୍ଡି ପାଇଥିଲା ପରି ଏହାର ସଭ୍ୟମାନେ ମୁଣ୍ଡ ଘାଣ୍ଟି ଘାଣ୍ଟି ଗୋଟାଏ ସର୍ବନାଶିଆ ଜିନିଷ କାଢ଼ନ୍ତି । ପରମାଣୁ ବୋମା ଏମିତିଆ ସଂସଦରୁ ବାହାରିଥିଲା । ଗଢ଼ିବ ଏ ସଂସଦ, କାଢ଼ିପାରିବ ସେମିତିଆ, ବୋମା ?’’

 

‘‘ହେଃ ରାମ ବୋଲ, ସେ ମୁଣ୍ଡ ଆମର କାହିଁ ?’’

 

‘‘ଠିକ୍ ଅଛି, ତେବେ ଗୋଟାଏ ରଙ୍ଗ ବଦଳେଇ ସଂସଦ କର । ରଙ୍ଗ ବଦଳା ଏଣ୍ଡୁଅ ଯେମିତି ଚାରିପାଖର ରଙ୍ଗ ସାଙ୍ଗରେ ମିଶି ଯିବାକୁ ନିଜ ରଙ୍ଗକୁ ବଦଳେଇଦିଏ, ଏ ସଂସଦିଆମାନେ ଦେଶର ପରିସ୍ଥିତିକୁ ସୁହାଇଲା ଭଳି ନିଜ ନିଜ ରଙ୍ଗ ହରଦମ୍ ବଦଳେଇ ଥାଆନ୍ତି-। ଦେଶ ଗେରୁଆ ହେଲେ ସେମାନେ ଗେରୁଆ ଝଣ୍ଡା, ହଳଦିଆ ହେଲେ ହଳଦିଆ ଝଣ୍ଡା ଆଉ ନାଲି ହେଲେ ନାଲିଝଣ୍ଡା ଧରନ୍ତି । ସକାଳେ ଆମେରିକାର ଜୟଗାନ କରି ସନ୍ଧ୍ୟାବେଳେ ରୁଷିଆର ଜୟଗାନ କରିବାକୁ ଛାଡ଼ନ୍ତି ନାହିଁ । ଏ ସଂସଦିଆମାନେ କେବେହେଲେ ମାଙ୍କଡ଼ଚିତ୍ ମାରନ୍ତି ନାହିଁ–’’

 

‘‘ଆମେ ଏଇ ସଂସଦଟା ଗଢ଼ିବା ।’’

 

‘‘ଆରେ ଏଥିପାଇଁ ଟିକିଏ ରାଜନୀତିଆ ଆଖିଥିବା ଦରକାର । ତୁମର ସେ ଆଖି କାହିଁ-? ପରିସ୍ଥିତିର ରଙ୍ଗ ଚିହ୍ନିବାର ଆଖି ତୁମର ନାହିଁ । ତେଣୁ ତୁମେ ରଙ୍ଗ ସେହିପରି ବଦଳେଇବ କୁଆଡ଼ୁ ?’’

 

‘‘ଆରେ ହଁ, ସତେତ !’’

 

‘‘ହଉ ତେବେ ନସର ପସରିଆ ସଂସଦ ହଉ । ଏହାର ସଭ୍ୟମାନେ ହରଦମ ମନ୍ତ୍ରୀ, ବଡ଼ ବଡ଼ ହାକିମ ଓ ନେତାଙ୍କ ପଛରେ ଲାଙ୍ଗୁଡ଼ ପରି ଲାଗି ରହିଥାନ୍ତି । ଏହାଦ୍ୱାରା ଲୋକେ ଜାଣି ଯାଆନ୍ତି ଯେ, ସେମାନେ ମନ୍ତ୍ରୀ, ହାକିମ ବା ନେତାଙ୍କର ପ୍ରିୟ ଲୋକ । ଅମୁକ କାମଟା ସେମାନଙ୍କୁ କହି କରାଇ ଦେବେ, କାହାକୁ ପୋଲିସ୍‍ ହାତରୁ ଖସାଇ ଦେବେ, ପରମିଟ୍‌ଟାଏ କରାଇ ଦେବେ କହି ସଭ୍ୟମାନେ ଅନୁଗ୍ରହାକାଙ୍କ୍ଷୀମାନଙ୍କଠାରୁ ବେଶ୍ ଦି’ ପାଇସା ଝଡ଼ାନ୍ତି । ଠିକ୍ ପଣ୍ଡା ଯେମିତି ଭଗବାନଙ୍କ ନାଆଁ କହି ଯାତ୍ରୀଙ୍କଠାରୁ ପଇସା ଝଡ଼ାଏ । ହେଲେ ତୁମ ଦେଇ ସେ କାମ ହୋଇପାରିବ ନାହିଁ । ସେଥିପାଇଁ କିଛି ପାଠ ଦରକାର, କଲେଜ ବାରଣ୍ଡା ମାଡ଼ିବା ଦରକାର-।’’

 

‘‘ହଁ ସେଇଟା ଠିକ୍ । ସରସ୍ୱତୀ ତ ଆମକୁ ସବୁବେଳେ ଗୋଇଠା ଉପରେ ଗୋଇଠା ନାଦି ଦେଲେ । ପାଠ ବି ଆମକୁ ଦେଖି ଛାନିଆରେ ଛାଡ଼ି ପଳେଇଲା । ଛାଡ଼ନ୍ତୁ ସେ ସବୁକଥା ।’’

 

‘‘ହୁଁ, ଆଉ ଗୋଟାଏ ସଂସଦ ବତାଇବା । ଏଇଟା ହେଲା ଶିଆଳ–ଷଣ୍ଢ ସଂସଦ ।’’

 

‘‘ଏଁ ଆମେ ତ ମଣିଷ । ଏ ସଂସଦ ଆମର କି ଦରକାର ? ତାହା ଶିଆଳ ଓ ଷଣ୍ଢଙ୍କ ପାଇଁ ହୋଇଥିବ ।’’

 

‘‘ଆରେ ନାହିଁ ନାହିଁ । ନାଆଁ ଶୁଣି ଫିଡ଼ିକି ଉଠ ନାହିଁ । ଥରେ ଗୋଟାଏ ଶିଆଳ ଗୋଟାଏ ଷଣ୍ଢର ପଛରେ ନଡ଼ ନଡ଼ ହୋଇ ଦୋହୋଲୁଥିବା ମାଂସ ପିଣ୍ଡୁଳାଟିକୁ ଦେଖି ଭାବିଲା–ସେଇଟା ପାଚିଲା ଆମ୍ବ ଗଛରୁ ଖସିଲାପରି ଖସି ପଡ଼ିଲେ ସେ ତାକୁ ଖାଇବ । ଷଣ୍ଢ ପଛେ ପଛେ ଶିଆଳଟି ଖିଆ ପିଆ ଭୁଲି ଗୋଡ଼େଇଲା । ତାହାର ଦୁରାଶା ପୂରଣ ହେଲା ନାହିଁ । ଶେଷରେ ବିଲୁଆଟି ମଲା । ଏହିପରି ଅତି ବଡ଼ ଦୁରାଶାଟାଏ ପୋଷଣ କରି କେତେକ ଲୋକ ଏମିତିଆ ସଂସଦଟାଏ ଗଢ଼ନ୍ତି । ତାହା ପୂରଣ ହୁଏ ନାହିଁ । ଶେଷରେ ଯେ ଯୁଆଡ଼େ ବାଟ କାଟନ୍ତି । ଭଡ଼ା ଘରବାଲା ଭଡ଼ା ନ ପାଇ ଶେଷରେ ସଂସଦର ନାଆଁ ପଟାକୁ ଜାଳ କରେ ।’’

 

‘‘ହେଃ ନିହାତି ବୁଡ଼୍‌ବକ୍ ନ ହେଲେ ଏମିତିଆ ସଂସଦ କେହି ଗଢ଼ିବେ ନାହିଁ ।’’

 

‘‘ତାହେଲେ ଦେଖୁଛି ତୁମେ ବୁଡ଼୍‌ବୁକ୍ ବନିବ ନାହିଁ । ତେବେ ଜଣକିଆ ସଂସଦଟାଏ ହେଉ । ଏଇଟା ଏକରକମ ଭ୍ରାମ୍ୟମାଣ ସଂସଦ କହିଲେ ଚଳେ । ଜଣେ ଯୋଗାଡ଼ିଆ ଲୋକର ହାତମୁଣି ଭିତରେ ଏ ସଂସଦଟି ଥାଏ । ସେ ମୁଣି ଖାନତଲାସ କଲେ ପାଇବ ସଂସଦର ନାମ ଫଳକ, ଛପା ଚିଠି ଖାତା ବା ପ୍ୟାଡ୍, ବହୁ ଲୋକଙ୍କର ନାମ ତାଲିକା ସଂସଦର ସଭ୍ୟ ବୋଲି ସେମାନଙ୍କୁ ଧରି ନେବାକୁ ପଡ଼ିବ । ନାନା ଟିପା ଟିପଣୀ, ବିଭିନ୍ନ ରେକର୍ଡ ପତ୍ର, ଚାନ୍ଦା ଆଦାୟ ରସିଦ ବହି, ରବର ଷ୍ଟାମ୍ପ, ପ୍ୟାଡ୍ ଗୋଟାଏ କନା ମୁଣିରେ ଥିବା କିଛି ଚୁଡ଼ା ଓ ଛୋଟ ବଡ଼ ଦି’ଟା ଗାମୁଛା । ଏ ମୁଣିବାଲା ଯେଉଁଠି ରହେ ସେଇଠି ସେ ସଂସଦଟି ମୁହଁ ଦେଖାଏ । ମୁହଁ ଚାହାଁଦିନ ଡାକବାଲା ଓ ସ୍ଥାନୀୟ ଦୁଇ ତିନିଜଣ ତମରି ଭଳିଆ ଟୋକା ଗାଣ୍ଠିଆ ମୁଢ଼ି ଓ ଚାହାରେ ଆପ୍ୟାୟିତ ହୁଅନ୍ତି । କଅଣ ପସନ୍ଦ ?’’

 

‘‘ନା, ଆମେ ସମସ୍ତେ ମିଶି ସଂସଦ ଗଢ଼ିବୁ । ଜଣକିଆ ଆମକୁ ପୋଷେଇବନି । ସେଥିପାଇଁ ମଧ୍ୟ ଦି’ ଅକ୍ଷର ପାଠ ଦରକାର ।’’

 

‘‘ଆଉ ତେବେ କୋଉ ସଂସଦ କରିବ ?’’

‘‘ଆମେ ସେ ଚାନ୍ଦା ଆଦାୟ ସଂସଦଟା ଗଢ଼ିବା । ସେଇଟା ଆମକୁ ପୋଷେଇବ ।’’

 

‘‘ଭଲ କଥା, ଏବେ ଯାଅ ଗୋଟାଏ ବଢ଼େଇ ଦୋକାନରୁ ଗୋଟାଏ ନାଆଁପଟା ତିଆରି କରାଇ ନେଇଯିବ । ନାଆଁଟା ଦିଅ ମଦନ ମୋହନ ମାଲବ୍ୟ ଯୁବ ସଂସଦ ।’’

Image

 

ଆଶ୍ରମ ସ୍କୁଲ

 

ଡି. ପି ଆଇ.ଅଫିସ୍‍ର କିରାଣି କିଣୁ ପ୍ରଧାନ ଦିନରାତି ଲାଗି ପଡ଼ିଲା-କେମିତି ସାବକ ଚାକିରିଟା ଛାଡ଼ି ଗଣ୍ଡରପୁର ଆଶ୍ରମ ସ୍କୁଲର ହେଡ଼ମାଷ୍ଟରଟା ହେବ । ବି.ଏ.ବି.ଇଡି, ହେଡ଼୍‍ମାଷ୍ଟର ହେବାକୁ ଯାହା ଯୋଗ୍ୟତା ଦରକାର ତାଠୁଁ ବେଶି ଅଛି । ସାମାନ୍ୟ ଗୋଟିଏ ଉଚ୍ଚ ପ୍ରାଥମିକ ସ୍କୁଲ । ତହିଁରେ ପୁଣି ଝାଡ଼ ଜଙ୍ଗଲ ଭିତରେ ଅବସ୍ଥିତ । ସହରର ହାଓ୍ୱା ତା ସୀମା ଛୁଇଁନି । ସବୁ ପ୍ରକାର ଯାନ ୨୦ ମାଇଲ ଦୂରରୁ ବନ୍ଦ । ଏଇ କୋଡ଼ିଏ ମାଇଲ ରାସ୍ତାକୁ କେବଳ ଦୁଇଟି ଅସନ୍ତୁଷ୍ଟ ଗୋଡ଼ ଓ ଗୋଟିଏ ବାଡ଼ିଦ୍ୱାରା ଅତିକ୍ରମ କରିବାକୁ ଜଣେ ଆଶ୍ରମସ୍କୁଲାଭିମୁଖ ଯାତ୍ରୀ ବାଧ୍ୟ । ଯେତେ ପଇସା ଖର୍ଚ୍ଚ କଲେ ବି ଏଥିରୁ ନିସ୍ତାର ନାହିଁ । କେବଳ ଭାଗ୍ୟ ତେଜ ଥିଲେ ଓ କୌଣସିମତେ ଯୋଗାଡ଼ କରି ପାରିଲେ ଆଠଟି ଅଭ୍ୟସ୍ତ ଗୋଡ଼ ତାକୁ ଶୂନ୍ୟେ ଶୂନ୍ୟେ ବୋହି ନେଇ ଯାଇ ପାରିବେ-। ଏପରି ଏକ ଦୁର୍ଗମ ସ୍ଥାନରେ ଥିବା ଉଚ୍ଚ ପ୍ରାଥମିକ ଆଶ୍ରମ ସ୍କୁଲର ହେଡ଼୍‍ମାଷ୍ଟର ପଦବୀ ପାଇଁ ରାଜଧାନୀ ପାଣି ପବନରେ କଷା ହୋଇଥିବା କିଣୁ ପ୍ରଧାନ ବି.ଏ.ଡି.ଇଡ଼ିଙ୍କର ନାହିଁ ନୋଥିବା ବ୍ୟାକୁଳତା ଦେଖି ଡି.ପି.ଆଇ.ଙ୍କର ନାନା ସନ୍ଦେହ ଜାତହେଲା । ସେ କିଣୁ ପ୍ରଧାନଙ୍କର ପ୍ରାର୍ଥନା ମଞ୍ଜୁର କଲେ ନାହିଁ । ବ୍ୟାକୁଳିତ କିଣୁ ପ୍ରଧାନ ତୈଳ ପୁରାଣର ଶେଷ ଅଧ୍ୟାୟକୁ ଆୟତ୍ତ କରିବାରେ ଲାଗି ପଡ଼ିଲେ ।

 

କ୍ରମେ ଡି.ପି.ଆଇ ଆଣୀଙ୍କୁ ବହୁବିଧ ଗୃହ କର୍ମରୁ ଅବ୍ୟାହତି ମିଳିଲା । ଛୁଆଙ୍କୁ କାଖେଇ ବୁଲିବା, ସେମାନଙ୍କର ଗୁହ କନା ଧୋଇବା, ଛଅଞ୍ଚେଇ ଦେବା, ପରିବା କାଟିବା, ମସଲା ବାଟିବା ଓ ଘର ଓଳେଇବା କାମ କରିବାତ ଦୂରର କଥା, ସେ ସବୁ ବିଷୟ ଭାବିବାକୁ ପଡ଼ିଲା ନାହିଁ-। ସେ ଶାନ୍ତିରେ ରେଡ଼ିଓ ଶୁଣିଲେ, ବହି ପଢ଼ିଲେ ଓ ପଡ଼ିଶା ମାଇପଙ୍କ ସହ ତାଆସ ଖେଳିଲେ ।

 

ଡି.ପି.ଆଇ ଆଣୀ ଗୃହ ଜଞ୍ଜାଳମୁକ୍ତା ହେଲେ ସତ, କିନ୍ତୁ କିଣୁ ପ୍ରଧାନ କି ଉଦ୍ଦେଶ୍ୟରେ ତାଙ୍କୁ ଏପରି ସୁବିଧା ଦେଲେ ସେ ବିଷୟରେ ମୁଣ୍ଡ ଖେଳାଇଲେ ନାହିଁ । ଡି.ପି.ଆଇଙ୍କୁ କିନ୍ତୁ ଭାରି ମାଡ଼ି ମାଡ଼ି ପଡ଼ିଲା । ଶିକ୍ଷିତ କିଣୁ ପ୍ରଧାନ ପକ୍ଷରେ ଏପରି ଛୋଟ ଛୋଟ କାମ କରିବା ଲଜ୍ଜାକର ନ ହେଲେ ବି ତାଙ୍କୁ ଭାରି ଲାଜ ମାଡ଼ିଲା । ହନୁମାନ ଛାତି ଭିତରେ ସୀତା-ରାମଙ୍କର ମୂର୍ତ୍ତି ଦେଖିଲା ପରି ସେ କିଣୁ ପ୍ରଧାନଙ୍କର ଛାତି ଭିତରେ ଦେଖିଲେ ଗଣ୍ଡରପୁର ଆଶ୍ରମ ସ୍କୁଲ-ଦପ୍ ଦପ୍ ହୋଇ ଝଲକି ଉଠୁଛି । ଏଠା ରାଜଧାନୀ ଅଫିସ୍‍ ଓ ମୋଟା ଦରମା ଛାଡ଼ିଦେଇ ବଣ ଜଙ୍ଗଲକୁ ଯିବାପାଇଁ ଏ କି ଅଦ୍ଭୁତ ଆଗ୍ରହ ! ଲୋକଙ୍କୁ ତଣ୍ଟିଆ ମାରି ସେମିତିଆ ଥାନକୁ ପଠେଇଲେ ଚାକିରି ଛାଡ଼ି ଦେଉଛନ୍ତି ପଛେ ସେଠାକୁ ଯାଉ ନାହାନ୍ତି, ଅଥଚ କିଣୁ ପ୍ରଧାନ ରାମଚନ୍ଦ୍ର ମହାପ୍ରଭୁ ପାଲଟି ବଣକୁ ଯିବାଲାଗି ତିଆର !

 

କିଣୁ ପ୍ରଧାନଙ୍କର ଅଖଣ୍ଡ ତପସ୍ୟାରେ ଡି.ପି ଆଇଙ୍କ ଆସନ କମ୍ପିଲା । ସେ ଦିନେ କିଣୁ ପ୍ରଧାନଙ୍କୁ ଏକାନ୍ତକୁ ଡାକି ନେଇ ପଚାରିଲେ, ‘ଆଚ୍ଛା କହିଲୁ କିଣୁ, ତୁ ରାଜଧାନୀର ଐଶ୍ୱର୍ଯ୍ୟ ଛାଡ଼ିଦେଇ ବଣ ଜଙ୍ଗଲକୁ ଯିବାପାଇଁ ଏତେ ବ୍ୟଗ୍ର କିଆଁ ?’

 

କିଣୁ ପ୍ରଧାନ ଖୁବ୍ ଗମ୍ଭୀର ହୋଇଯାଇ ଏକ ଦାର୍ଶନିକ ଭଳି ଆରମ୍ଭ କଲେ–‘‘ଆଜ୍ଞା, ଏ ସବୁ ଆଧ୍ୟାତ୍ମିକ ବିଷୟ, ଅନ୍ୟ କାହାକୁ କହିବା ଉଚିତ୍ ନୁହେଁ । ତଥାପି ଆପଣ ପିତୃତୁଲ୍ୟ । ଆପଣଙ୍କୁ ଜଣେଇବା ମୋର କର୍ତ୍ତବ୍ୟ । ଏ କ୍ଷଣଭଙ୍ଗୁର ଅନିତ୍ୟ ସଂସାର ପ୍ରତି ମୋର ବୈରାଗ୍ୟ ଆସିଯାଇଛି । ଅର୍ଥ ରୋଜଗାର ବିଳାସବ୍ୟସନ ଜୀବନର ଯେ ଲକ୍ଷ୍ୟ ନୁହେଁ ତାହା ମୋର ହୃଦବୋଧ ହୋଇଗଲାଣି । ମୋର ଆଧ୍ୟତ୍ମିକ ଗୁରୁ ବାବା ଗେନ୍ଦୁରା ଦାସ ମୋତେ ଆଦେଶ ଦେଇଛନ୍ତି, ବେଟା, ତୁ-ଏକ ଅରଣ୍ୟାଞ୍ଚଳକୁ ଯା । ନିର୍ଜନରେ ଯୋଗାଭ୍ୟାସ କରିବା ସଙ୍ଗେ ସଙ୍ଗେ ବନବାସୀମାନଙ୍କର କଲ୍ୟାଣ କର । ତୋର ପରିବାରର ଭରଣପୋଷଣ ପାଇଁ ଯତ୍‌ସାମାନ୍ୟ କର୍ମ ତୋତେ ମିଳି ଯିବ । ତୁ ଯା, ଶୀଘ୍ର ଜଙ୍ଗଲକୁ ଚାଲିଯା । ତୋର ଧର୍ମପିତା ଡି.ପି.ଆଇ ଅବଶ୍ୟ ତୋତେ ସାହାଯ୍ୟ କରିବେ । ତୋର ଯୋଗାଭ୍ୟାସ ବେଳେ ମୁଁ ମଝିରେ ମଝିରେ ତୋ ପାଖକୁ ଯାଇ ତୋର ଯୋଗାଭ୍ୟାସର ତ୍ରୁଟି ବିଚ୍ୟୁତିର ସଂଶୋଧନ କରୁଥିବି । ସେହି ଦିନଠାରୁ ଏ ମାୟା ମୋହଗ୍ରସ୍ତ ସଂସାର ପ୍ରତି ମୋର ବୈରାଗ୍ୟ ଆସିଯାଇଛି । ଆପଣ ମୋର ଧର୍ମପିତା, ଆପଣଙ୍କ ଆଦେଶ ନ ପାଇଲେ ମୁଁ ଯାଇ ନ ପାରେ ।

 

ଜଣେ ପକ୍‌କା ବୈରାଗୀ ପରି କିଣୁ ପ୍ରଧାନ ଏତକ ଅନର୍ଗଳ ଗାଳି ପକାଇ ଦୁଇ ଆଖିରୁ ଟୋପାଏ ଟୋପାଏ ଲୁହ ଗଡ଼ାଇ ପକେଇଲେ । ଡି.ପି.ଆଇଙ୍କ ହୃଦୟ ବସା ନଡ଼ିଆତେଲ ପିଗିଳି ଗଲାପରି ପିଗିଳି ଗଲା । ସେ ସାନ୍ତ୍ୱନା ଦେଇ କହିଲେ–‘‘ହଉ ଥାଉ ଥାଉ, ଆଉ ଏତେ ଭାବପ୍ରବଣ ହୁଅନା । ତୋ ଆଧ୍ୟାତ୍ମିକ ଉନ୍ନତିରେ ମୁଁ କଦାପି ବାଧା ଦେବି ନାହିଁ । ଗଣ୍ଡରପୁର ଆଶ୍ରମ ସ୍କୁଲର ହେଡ଼୍‍ମାଷ୍ଟର ପଦରେ ତୋତେ ଅତିଶୀଘ୍ର ନିଯୁକ୍ତ କରିଦେବି । ତୋର ଆଧ୍ୟାତ୍ମିକ ଉନ୍ନତି ସଙ୍ଗେ ସଙ୍ଗେ ଆଦିବାସୀମାନଙ୍କର ସବୁ ଉନ୍ନତି କରିପାରିବୁ । ହଉ ତେବେ ଯିବାର ପ୍ରସ୍ତୁତି କର; ଭଗବାନ ତୋର ସହାୟ ହୁଅନ୍ତୁ ।’’

 

ଏଣେ ଗଣ୍ଡରପୁର ଆଶ୍ରମ ସ୍କୁଲରେ ଖବର ଖେଳିଗଲା ଯେ ଜଣେ ଜବରହେଡ଼ମାଷ୍ଟ୍ର ଆସୁଛନ୍ତି । ତଳିଆ ମାଷ୍ଟ୍ରଗଣ ଓ କିରାଣି ଟିକିଏ ସଶଙ୍କ ହୋଇ ଉଠିଲେ । ପାଠ ଅତି ବେଶି, ତହିଁକି ସିଧାସଳଖ ରାଜଧାନୀରୁ ଆସୁଛନ୍ତି । କଡ଼ାତ ନିଶ୍ଚୟ ହୋଇଥିବେ । ପେଟପାଟଣା, ଦାନାପାଣି ବୁଡ଼ିଗଲା କି ଆଉ ! କିରାଣିଟି ପ୍ରବୋଧ ଦେଇ କହିଲା–‘‘ଥୟଧର, ଥୟଧର, ନଈ ନ ଦେଖୁଣୁ ଲଙ୍ଗଳା ହେଲେ ଚଳିବ ? ପନ୍ଦରଟି ଥାନରୁ ମୁଁ ସସ୍‌ପେଣ୍ଡ୍‍ ହୋଇ ଶେଷରେ ଏଇଠି ଆସି ବସା ବାନ୍ଧିଛି । କେତେ ଦନ୍ତା ଦନ୍ତା ହାକିମ ଦେଖିଛି । ହେଲେ ସମସ୍ତଙ୍କ ଦାନ୍ତ ପୋକକଟା । କଳା ଭାତିଆ କିଏ ପକେଟରେ ନ ପୂରାଏ ଏମିତିଆ ଲୋକ ଏ ରାଇଜରେ ଦେଖିନି । ନୂଆ ହେଡ଼୍‍ମାଷ୍ଟର କିଛି ସ୍ୱର୍ଗରୁ ଓହ୍ଲାଇ ଆସିନି । ଆମରି ଭଳି ଲୋକଟାଏ ତ ହୋଇଥିବ । ମୁହଁଟା ଦେଖିଲେ ମୁଁ ଚିହ୍ନି ନେବି । ସବରାତ କର, ଛାନିଆଁ ହୁଅନି । ଆମ ଗୋତ୍ରିଆ ହୋଇଥିଲେ ତ ଆଉ କଥା ନାହିଁ । ଯଦି ‘କିଏରେ କିଏରେ’ ବାଲା ହୋଇଥିବ ତେବେ ତାକୁ ସତର ସେଣାରେ ପାଣି ପିଆଇ ଦେବି । ପୁଅ ବୋପାକୁ ମଉସା ଡାକି ଛାଡ଼ି ପଳେଇବ । ଆଉ ଥରେ ଆଡ଼କୁ ଚାହିଁବାକୁ ମନ କରିବନି ।’’

 

କୋଡ଼ିଏ ମାଇଲ ଦୂରରେ କିଣୁ ପ୍ରଧାନ ଶଗଡ଼ରୁ ଓହ୍ଲାଇଲେ । କଚା ରାସ୍ତାରେ ଶଗଡ଼ଟି କେଁ କଟର୍‍ ହୋଇ ଏ ଯାଏ ଚାଲି ଆସିଲା । ଧକଡ଼ଚକଡ଼ରେ କିଣୁ ପ୍ରଧାନଙ୍କ ସମସ୍ତ ଶରୀର ଦରଜ । ନୂଆ ହେଡ଼୍‍ମାଷ୍ଟର ଆସିବେ ବୋଲି ୪/୫ ଜଣ ଆଦିବାସୀ ସେଠାରେ ଅପେକ୍ଷା କରି ରହିଥିଲେ । ସେ ଓହ୍ଲାଇବା ମାତ୍ରେ ସମସ୍ତେ ଯୋଡ଼ହସ୍ତ ହୋଇ ଆଦେଶକୁ ଅପେକ୍ଷା କରି ରହିଲେ । ଟିକିଏ ମଜରା ମାରିବାକୁ କିଣୁ ପଧାନେ ଗୋଟାଏ ଗଛ ମୂଳରେ ଚାରିକାତ ଲମ୍ବାଇ ଦେଇ ଆଦେଶ ଦେଲେ ‘‘ଆବେ, ଆଗ ଟିକିଏ ମୋଡ଼ାମୋଡ଼ି କରି ଦେବଟି । ଦିହରୁ ମଜରା ମରିଯାଉ, ତା ପରେ ଯିବା ।’’

 

ଆଦିବାସୀମାନେ କାମରେ ଲାଗିଲେ, ଅଧ ଘଣ୍ଟାର ମର୍ଦ୍ଦନ ପରେ କିଣୁ ପଧାନେ ଯାତ୍ରାରମ୍ଭ କଲେ । ଆଦିବାସୀ ଶଗଡ଼ିଆଟା ପଇସା ମାଗିବାରୁ ତାକୁ ନାଲି ଆଖି ଦେଖାଇ କହିଲେ–‘‘କିବେ, ଜାଣିନୁ, ମୁଁ ସରକାରୀ ଲୋକ, ଶଳା ତୋର ଏଡ଼େ ସାହାସ ମୋତେ ପଇସା ମାଗୁଛୁ ?’’

 

ସାଥୀ ଆଦିବାସୀମାନଙ୍କର ବୋଲମାନି ଶଗଡ଼ିଆଟି କପାଳରେ ହାତ ମାରି ଚୁପ୍ ହୋଇ ରହିଲା । ମନେ ମନେ ସରକାର ଓ ତା ଲୋକମାନଙ୍କ ପାଇଁ ବହୁବିଧ ଅଖାଦ୍ୟ ପରିବେଷଣ କଲା ।

 

୪/୫ ମାଇଲ ଯାତ୍ରା ଭିତରେ କିଣୁ ପ୍ରଧାନ ୩ଥର କଂସ କଚଡ଼ା ଖାଇ ଲହୁଲୁହାଣ ହୋଇଗଲେ । ହସକୁ ଚାପିରଖି ଆଦିବାସୀମାନେ ବଣ ଭିତରୁ ବଣୁଆ ପତର ତୋଳି ଆଣି ହାତରେ ମକଚି ଆଞ୍ଚୁଡ଼ା ଥାନରେ ବୋଳି ଦେଇଥିଲେ । ଅଧାବାଟରେ ଗୋଟିଏ ଗାଁ’ରେ ରହଣି ହେଲା । ଆଶ୍ରମ ସ୍କୁଲର ବଡ଼ଗୁରୁ ଯାଉଥିବା ଶୁଣି ସେ ଗାଁରେ ଲୋକେ ଦର୍ଶନ କରିବାକୁ ଆସିଲେ-। କୁକୁଡ଼ା ମୋଡ଼ା ସହ ରୋଷେଇ ଆରମ୍ଭ ହେଲା । କିଣୁ ପ୍ରଧାନଙ୍କର ବାରମ୍ବାର ଇଙ୍ଗିତ ସତ୍ତ୍ୱେ ତା’ର ସହଯାତ୍ରୀ ଆଦିବାସୀମାନେ ପହିଲେ ହାଣ୍ଡିଆ କୁଡ଼ୁଆଏ ଦେବାକୁ ସାହାସ କଲେ ନାହିଁ । ପରେ କିନ୍ତୁ ଦେବା ସଙ୍ଗେ ସଙ୍ଗେ ପେଟ ପୂରେଇ ପିଇଲେ । କିଣୁ ପ୍ରଧାନଙ୍କର ଆହୁରି ଅଧିକ ଆଗେଇବାକୁ ପ୍ରବଳ ଇଚ୍ଛା ହେଉଥିଲେ ସୁଦ୍ଧା ଭୟରେ ଆଗେଇଲେ ନାହିଁ । ପରଦିନ ସକାଳୁ ପୁଣି ଯାତ୍ରା ଆରମ୍ଭ ହେଲା । କିଣୁ ପଧାନେ ଆଉ ପାଦରେ ନ ଚାଲନ୍ତି । ଧମକ ଚମକ ସଙ୍ଗେ ମୋଟା ମଜୁରୀର ଆଶା ଦେଇ ସେ ଗାଆଁରୁ ଚାରିଜଣ ଆଦିବାସୀ ସଂଗ୍ରହ କଲେ । ସେମାନେ ତାଙ୍କୁ କାଠ ବାଉଁଶରେ ତିଆରି ଏକ ଝୁଲାରେ ବସାଇ ବୋହି ନେଇଗଲେ । ବାଟରେ ଚାରି ପାଞ୍ଚଜାଗା ରହି ଶେଷରେ ଆଶ୍ରମ ସ୍କୁଲରେ ପହଞ୍ଚିଲେ । ସ୍କୁଲର ଅନ୍ୟାନ୍ୟ ଶିକ୍ଷକ, କିରାଣି ତାଙ୍କୁ ଅପେକ୍ଷା କରି ରହିଥିଲେ । ନୂଆ ହେଡ଼୍‍ମାଷ୍ଟରଙ୍କୁ ପାଛୋଟି ନେଇ ଯାଇ ତାଙ୍କ ବସାଘରେ ରଖେଇ ଦେଲେ ।

ପଢ଼ାପଢ଼ି ଉପରେ କିଣୁ ପ୍ରଧାନଙ୍କର ଯେତେ ନଜର ଥିଲା, ତା’ ଠୁଁ ଢେର୍ ଢେର୍ ବେଶି ନଜର ଥିଲା ପିଲାଙ୍କ ଖାଇବା, ପିଇବା ଓ ପୋଷାକ ପତ୍ର ଉପରେ । ଦିବ୍ୟ ସରୁ ଚାଉଳର ଭାତ ପିଲାମାନଙ୍କୁ ଦିଆ ଯାଉଥିବାର ଦେଖି ସେ କହିଲେ–‘‘ଆହା, ସରକାରଟା, ଆଦିବାସୀ ପିଲାଙ୍କୁ ସାରିଦେଲା । ଏମାନେ ହେଲେ ପ୍ରକୃତିର ସନ୍ତାନ । ମୋଟା ବଗଡ଼ା ଚାଉଳ ସେମାନଙ୍କୁ ସୁହାଇବ-। ସେଥିରୁ ଯଥେଷ୍ଟ ପ୍ରାଣଶକ୍ତି ସେମାନେ ପାଇ ପାରିବେ । କାଲିଠୁଁ ବଗଡ଼ା ଚାଉଳ ଖାଇବାକୁ ଦିଅ-। ସରକାର ଯାହା ଦେଉଛନ୍ତି ଦିଅନ୍ତୁ । ସେତିକି ଆମେ ରଖିନେବା ତା ବଦଳରେ ମୋଟା ଚାଉଳ ଦେଇଦେବା ।’’

ସକାଳ ଜଳଖିଆରେ ପୁରି, ମହନଭୋଗ ପରଷା ହେବା ଦେଖି ହେଡ଼୍‍ମାଷ୍ଟର କହିଲେ–‘‘ଆରେ ଏ କଅଣ ? ବେଙ୍ଗ ପେଟରେ ଘିଅ ହଜମ ହେବ କୁଆଡ଼ୁ ! ଏ ବନବାସୀମାନଙ୍କୁ ସହରିଆ ଖାଦ୍ୟ । ସେମାନଙ୍କୁ ଭଲ ଲାଗିବନି କି ସେମାନଙ୍କ ଦେହରେ ସେ ଖାଦ୍ୟ ଚଳିବନି । ରାତିରେ କିଛି ଅଧିକ ଚାଉଳ ରାନ୍ଧି ପଖାଳ କରି ଦେଲେ ସକାଳେ ତାହା ସେମାନଙ୍କର ସର୍ବଶ୍ରେଷ୍ଠ ଜଳଖିଆ ହୋଇପାରିବ । ଭିଟାମିନ୍ ବି–କମ୍ପ୍‍ଲେକ୍‍ସ୍‍ ଏଥିରେ ଭରପୂର ହୋଇଥାଏ । ଏଣୁ ଏ ପଖାଳ ପିଲାମାନଙ୍କର କଳ୍ପନାତୀତ କଲ୍ୟାଣ ସାଧନ କରିଥାଏ । ସବୁଆଡ଼ୁ ଦେଖିଲେ ଏଥିରେ ଲାଭ । ଏପରି ଗୋଟାଏ ପୁଷ୍ଟିକର ଜଳଖିଆ ପ୍ରସ୍ତୁତି ପାଇଁ ପଇସାଟାଏ ବି ଖର୍ଚ୍ଚ ପଡ଼େନି । ସମୟ ମଧ୍ୟ ନଷ୍ଟ ହୁଏନି । ଯେଉଁ ସମୟ ବଞ୍ଚିବ ସେଥିରେ ଅନ୍ୟାନ୍ୟ କଲ୍ୟାଣକର କାର୍ଯ୍ୟ କରି ହେବ । ଏଣୁ କାଲିଠାରୁ ପୁରି, ମହନଭୋଗ ପରିବର୍ତ୍ତେ ପଖାଳଭାତକୁ ଜଳଖିଆ ରୂପେ ବ୍ୟବହାର କର ।’’

ପିଲାମାନେ ଗାଧୋଇଲାବେଳେ ଟର୍କିସ୍ ଟାଓ୍ୱେଲ, ବାସ୍ନାତେଲ ଓ ଲକ୍‌ସ୍‍ ସାବୁନର ପ୍ରଚଳନ ଦେଖି କହିଲେ–‘‘ଆଦିବାସୀଙ୍କର ସରଳ ଜୀବନଯାପନ ପ୍ରତି ଏହା ଏକ ଉପହାସ । ସେମାନେ ମାଟିର ମଣିଷ । ସେମାନଙ୍କ ଦେହରୁ ମାଟି ଛଡ଼ାଇବା ଘୋର ଅନ୍ୟାୟ ଓ ସେମାନଙ୍କ ପ୍ରତି ଘୋର ଅବିଚାର । ଜଙ୍ଗଲର ବାଘ ବାସ୍ନାତେଲ ଲଗାଏ ନାହିଁ, ଲକ୍‌ସ୍‍ ସାବୁନ ମାଖେ ନାହିଁ କି ଟର୍କିସ୍‍ ଟାଓ୍ୱେଲରେ ଘଷି ହୁଏ ନାହିଁ । ବାଘପରି ସେମାନଙ୍କର ଚଳିବା ଦରକାର । ଏ ସବୁ କୃତ୍ରିମତା କାଲିଠାରୁ ବନ୍ଦ ହେବ ।’’

ଶୀତଦିନିଆ କମ୍ବଳ, ହାପ୍‌ପେଣ୍ଟ୍‍, କାମିଜ ଓ ଗଞ୍ଜି ବନ୍ଦ କରିବା ପାଇଁ ସେ ମଧ୍ୟ କହିଲେ-। ‘‘ଶୀତ, ତାପ ସହ୍ୟ କରିବା ଶକ୍ତି ପିଲାଦିନୁ ବିକଶିତ ହେବା ଉଚିତ୍‍ । ଏତେ ଗୁଡ଼ାଏ କୁତ୍ରିମ ଆବରଣ ରହିଲେ ଶୀତତାପ ସହ୍ୟକରିବା ଶକ୍ତି ପିଲାଦିନୁ ବିକଶିତ ହେବା ଉଚିତ । ଏତେ ଗୁଡ଼ାଏ କୁତ୍ରିମ ଆବରଣ ରହିଲେ ଶୀତତାପ ସହ୍ୟକରିବା ଶକ୍ତିର ବିକାଶ ହେବ ନାହିଁ । ଏଣୁକରି ଏଗୁଡ଼ାକ ବନ୍ଦ ।’’

କିରାଣି ବାପୁଡ଼ାଟି ପହିଲେ ତ ଆନନ୍ଦରେ ଅଧୀର ହୋଇ ପଡ଼ିଲା । ସାଙ୍ଗ ସାଥୀଙ୍କୁ କହିଲା–‘‘ଆଉ ଭୟ କରିବାର କୌଣସି କାରଣ ନାହିଁ । ନୂଆ ହେଡ଼୍‍ମାଷ୍ଟର ଆମରି ଜାତି ଭାଇ । ଆମଠୁଁ ହାତେ ବଡ଼ । ଆମେ ସିନା ଅଧେ ଖାଇ ଅଧେ ପିଲାଙ୍କୁ ଦେଉଥିଲୁ । ଇଏତ ପୂରା ପାଞ୍ଚ ଆଙ୍ଗୁଠି ମୁହଁରେ ପୂରେଇବା ଲୋକ । ଏଥରକ ଆମର ଭାଗ ବଢ଼ିଯିବ ।’’

ହେଡ଼୍‍ମାଷ୍ଟର ସରକାରୀ ସାହାଯ୍ୟର ସମସ୍ତ କାଗଜପତ୍ର କଡ଼ାକଡ଼ି ଭାବରେ ନିଜ ହାତରେ ରଖିଲେ ଓ ସବୁ କାରବାର ନିଜ ହାତରେ କଲେ । ବର୍ଷଶେଷ ଆଡ଼କୁ ଅନ୍ୟମାନେ ଅପେକ୍ଷା କରି ରହିଲେ । ଲକ୍ଷାଧିକ ଟଙ୍କାର କାରବାର, ହିସାବ କିତାବ କରି ଦେବାକୁ ବହୁତ ସମୟ ଲାଗିବ । ବଣ୍ଟାବଣ୍ଟି କାମଟା ବର୍ଷକୁ ବୋଧହୁଏ ଥରେ କରିବେ । କିନ୍ତୁ ହାୟ ! ବର୍ଷ ଗଡ଼ିଗଲା, ହରିଲୁଟ୍ ଧନର ନାଆଁ ବି ହେଡ଼୍‍ମାଷ୍ଟର ଧରିଲେ ନାହିଁ । ସମସ୍ତେ ଅଥୟ ହୋଇ ପଚରା ପଚରି ଆରମ୍ଭ କଲାରୁ ହେଡ଼୍‍ମାଷ୍ଟର ଏକାବେଳେକେ ଲାଙ୍ଗୁଡ଼ ଅଗରେ ଠିଆ ହୋଇଗଲେ । ତାଙ୍କୁ ପଚାରିବାକୁ ସେମାନେ କିଏ ବୋଲି ଖିଙ୍କାରି ହୋଇ ଉଠିଲେ ।

ଦ୍ୱିତୀୟ ବର୍ଷଟି କଟିଗଲା । ତଥାପି ସମସ୍ତଙ୍କ ପତରରେ ଟୋପେ ବି ପାଣି ପଡ଼ିଲା ନାହିଁ । ସମସ୍ତଙ୍କ ମନ ଡହଳ ବିକଳ ହୋଇଗଲା । ବାରମ୍ବାର ଗୁପ୍ତ ମନ୍ତ୍ରଣା ବସିଲା । କିରାଣିଜଣକ ଉତ୍ତେଜିତ ହୋଇ କହିଲା–‘‘ଏହା ବରଦାସ୍ତ କରି ପାରିବା ନାହିଁ । ଆମେ ଅର୍ଦ୍ଧଗିଳା ଦଳ ସେ ସର୍ବଗିଳାକୁ ଜବତ କରିଦେବା । ଡାକୁମାନଙ୍କୁ ଭାଗ ନଦେଇ କେହି ବି ଡାକୁସର୍ଦ୍ଦାର ଦୁନିଆରେ ତିଷ୍ଠି ରହିପାରିନି । ଏ ଓଲୁ ସର୍ବଗିଳା ଭାବିଛି ପାଞ୍ଚ ଆଙ୍ଗୁଠିଯାକ ମୁହଁରେ ପୂରେଇବ, ଏଣେ ପୁଣି ଆମ ଉପରେ ଷେଣ୍ଢ ବନି ରହିବ । ତା ହୋଇପାରିବନି ।’’

ଜଣେ ମାଷ୍ଟର କହିଲା–‘‘ଚାଲ ମନ୍ତ୍ରୀ ଆଉ ଡି.ପି.ଆଇଙ୍କ ପାଖକୁ ବେନାମୀ ଦରଖାସ୍ତ ଦେବା ।’’

କିରାଣି କଥାଟାକୁ ଫୁ କରି ଉଡ଼େଇ ଦେଇ କହିଲା....ଏଗୁଡ଼ାକ ନିଜ ଗାତ ଖୋଳିବା ସଙ୍ଗେ ସମାନ । ପିଲାମାନଙ୍କୁ ବା ସେମାନଙ୍କ ବାପ ମା’ଙ୍କୁ ଏଗୁଡ଼ାକ କହିବା ଉଚିତ ନୁହେଁ । ଏତକ କଲେ ଭବିଷ୍ୟତରେ ଆମ ଖାଇବାର ବାଟ ବି ବନ୍ଦ ହୋଇଯିବ । ସମସ୍ତେ ଚାଲାଖ ହୋଇଯିବେ । ଏ ହେଡ଼୍‍ମାଷ୍ଟରଟାକୁ କିସ କଦରରେ ମୂଳପୋଛ କରିଦେଲେ କାମ ଫତେ । ତେଣିକି ଆମେ ଅଧା ବଦଳରେ ପୂରା ଖାଇବାକୁ ପାଇବା ।

ଦିନେ ହେଡ଼୍‍ମାଷ୍ଟରଙ୍କ ଗାଆଁରୁ ଆସିଥିବା ଗୋଟିଏ ଚିଠି କିରାଣି ଗାଏବ୍‍ କରି ପଢ଼ିଲେ-। ତାଙ୍କ ଦିହ ଜଳିଗଲା । ସାଥୀମାନଙ୍କୁ ରୁଣ୍ଡେଇ ଏକାନ୍ତରେ ସେ କହିଲେ–‘‘ସର୍ବଗିଳା ଘରୁ ଗୋଟାଏ ଚିଠି ଆସିଛି । ସେଥିରୁ ଜଣାଗଲା ଏଇ ଦୁଇବର୍ଷ ଭିତରେ ସେ ଗାଆଁକୁ ଟଙ୍କା ପଠେଇ ପନ୍ଦର ଏକର ନାଳକୂଳିଆ ଜମି କଲାଣି । ଛଅ ବଖରା ଦୋମହଲା କୋଠା ହୋଇ ଗଲାଣି-। ଲକ୍ଷ ଲକ୍ଷ ଟଙ୍କାର କାମ । ୫୦୦ ଆମ୍ବଗଛ ଥିବା ଗୋଟାଏ ତୋଟା କିଣା ହେବାର ଯୋଗାଡ଼ ଯନ୍ତ୍ର ଚାଲିଛି । ଏଣେ ଆମ ପେଟ ପିଠିକୁ ଲାଗିଗଲାଣି, ଖାଲି ଦରମାରେ କିଏ ଚଳିଲାଣି ନା ଚଳିବ ! ସେ ଯାହାହେଉ, ଆମେ ଅଧାବାଟ ମେଲା କରିଥିଲୁ । ସର୍ବଗିଳା ପୂରା ବାଟଖୋଲି ଦେଲାଣି । ପିଲାଏ ଓ ତାଙ୍କ ବାପା ମା ଏଥିରେ ଅଭ୍ୟସ୍ତ ହୋଇ ଆସିଲେଣି । ସର୍ବଗିଳାକୁ କିସ୍ କଦରରେ ସଫା କରିଦେଲେ ତେଣିକି ଆମେ ପାଞ୍ଚ ଆଙ୍ଗୁଠି ପାଟିରେ ପୂରେଇ ଦେବା ।’’

ହେଡ଼୍‍ମାଷ୍ଟର ଆଲ୍ଲା ଛପର ଫାଡ଼ି ଦେଇଥିବା ସମ୍ପଦରେ ମଜ୍‍ଗୁଲ୍ ହୋଇ ପାଦରେ ଚାଲିବା ଛାଡ଼ି ଦେଲେ । ଗୋଟାଏ ଚଉକି ଗୋଡ଼ରେ ଦୁଇଟା ଲମ୍ବା ବାଉଁଶ ବାନ୍ଧି ତାକୁ ତାମଜାନରେ ପରିଣତ କଲେ । ଚାରିଜଣ କନ୍ଧ ତାଙ୍କୁ ସେଥିରେ ବସାଇ ଏଣେ ତେଣେ ନେଇ ଯାଆନ୍ତି । ପ୍ରାୟ ୫ମାଇଲ ଦୂରରେ ଥିବା ପୋଷ୍ଟ ଅଫିସ୍‍କୁ ହେଡ଼୍‍ମାଷ୍ଟର ବେଶିଥର ଯାଆନ୍ତି । ବାଟରେ ଗୋଟାଏ ଘାଟି ପଡ଼େ । ସେ ଘାଟି ପାର ହେଲାବେଳେ ହେଡ଼୍‍ମାଷ୍ଟର ଡାହାଣ କଡ଼ କାନ୍ଥିକୁ ଚାହାନ୍ତି ନାହିଁ । ସେ ପାଖଟା ତିଖାହୋଇ ଏକାବେଳେକେ ୫୦୦/୬୦୦ ଫୁଟ ତଳକୁ ଚାଲିଯାଇଛି । ଚାହିଁଲେ ମୁଣ୍ଡ ବୁଲେଇ ଦିଏ । ହେଲେ କନ୍ଧ ୪ଜଣ ବେପରବାଏ ଭାବରେ ଚଉକିକୁ କାନ୍ଧେଇ ସେଇବାଟେ ଚାଲିଯାଆନ୍ତି । ସେଇ ଘାଟିଟା କିରାଣିକୁ ଉଦ୍ଧାରକର୍ତ୍ତା ପରି ଦେଖାଗଲା ।

ସେ ଧୀରେ ଧୀରେ କନ୍ଧଙ୍କ ଦେହରେ ଘୃଣା ଓ ରାଗର ବିଷ ପୂରେଇବାରେ ଲାଗି ପଡ଼ିଲେ । ସେ କିପରି ସେମାନଙ୍କ ତିର୍ଲାମାନଙ୍କ ଉପରେ ଆଖି ରଖିଛି ଆଉ ପକେଟ୍‌ରେ ଗୋଟାଏ ବାଘ ଚମଡ଼ାର ପଇସା ମୁଣି ରଖି ତାଙ୍କ କାନ୍ଧରେ ସବାର ହେଉଛି ଆଉ ତାଙ୍କ ଜାତି ନେଉଛି ଆଉ ତାକୁ ଦୂର କରିବାକୁ ସେଇ ଘାଟିଟି କିପରି ସକ୍ଷମ ହେବ ସେହିସବୁ ବିଷୟ ଭଲ ଭାବରେ ବୁଝେଇ ଦେଲେ ।

ବାପ ପୁଅ ରାତି ଅନିଦ୍ରା, ତେଣେ ମୁଗୁରା ମଳଦ୍ୱାର ମେଲା । ଆଦିବାସୀ କମିଶନର ଓ.ଡି.ପି.ଆଇ ବସି ଫାଇଲ୍‍ ଘାଣ୍ଟିବାରେ ଲାଗିପଡ଼ିଥାଆନ୍ତି । ଚାଟ, ଗ୍ରାଫ୍‍ ଇତ୍ୟାଦି ଦେଖି ଆଶ୍ରମ ସ୍କୁଲ ଛାତ୍ରମାନଙ୍କର କେତେ କିଲୋଗ୍ରାମ ଉନ୍ନତି ହୋଇଛି ତାହା କମ୍ପ୍ୟୁଟର୍‍ ମେସିନରୁ ଦେଖି ବେଶ୍ ଉତ୍‌ଫୁଲ୍ଲ ହୋଇ ଯାଉଥାଆନ୍ତି । ଦିନେ ଡି.ପି.ଆଇ ଓ କମିଶନର୍‍ ଚିଠି ପାଇଲେ ଯେ କିଣୁ ପ୍ରଧାନ ତାମଜାନରେ ବସି ଗୋଟାଏ ଘାଟି ପାର ହେଉଥିବା ବେଳେ ବାହକମାନଙ୍କ ଗୋଡ଼ ଖସିଯିବାଫଳରେ ଘାଟି କଡ଼ ଖାତକୁ ଖସିପଡ଼ି ଛତୁ ହୋଇ ଯାଇଛନ୍ତି ।

ଡି.ପି.ଆଇ ମନେ ମନେ ଭାବିଲେ–ଆଦିବାସୀ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ଯେପରି ତ୍ୱରାନ୍ୱିତ ହୋଇ ଆସୁଥିଲା ତାହା ବନ୍ଦ ହୋଇଗଲା ।

ହେ ଭଗବାନ, ଆଦିବାସୀ ପିଲାମାନଙ୍କର ସହାୟ ହୁଅ ।

Image

 

ଓଲ୍‍ଡ଼୍‌ୟର୍କାଳି ପୁସ୍ତକାଗାର

 

ଓଲ୍‌ଡ଼୍‌ୟର୍କ ଷ୍ଟେଟ୍ ପୁସ୍ତକାଗାର ବିଷୟରେ ମହାଦେବ ମିଶ୍ର ବହୁତ କିଛି ଶୁଣିଥିଲେ । ଏଇଟା କୁଆଡ଼େ ପୃଥିବୀ ଭିତରେ ସବୁଠାରୁ ବଡ଼ ଆଉ ଏହାର କର୍ମଚାରୀମାନେ ମଣିଷ ନୁହନ୍ତି, ଜଣେ ଜଣେ ଦେବତା କହିଲେ ଚଳେ । ବଡ଼ ବଡ଼ ଲୋକଙ୍କ ନାମରେ ଯେପରି ଅତି ଉପାଦେୟ ଗୁଲିଖଟି ଗପମାନ ତିଆରି ହୁଏ, ଏ ପୁସ୍ତକାଗାର ନାମରେ ମଧ୍ୟ ସେହିପରି ବହୁତ ଗପ ତିଆରି ହୋଇସାରିଛି । ଗୋଟିଏ ଦିଓଟି ନମୁନା ଏଠାରେ ବାଢ଼ିଲେ ମନ୍ଦ ହେବନାହିଁ ।

 

ତୁମେ ବସାରୁ ବାହାରିଲାବେଳେ ଯେଉଁବହିଟି ପୁସ୍ତକାଗାରରେ ଦେଖିବାକୁ ଇଚ୍ଛା କରିଥିବ, ପୁସ୍ତକାଗାରଅଧ୍ୟକ୍ଷଙ୍କ ପାଖରେ ପହଞ୍ଚିବା ମାତ୍ରେ ସେ ମୂର୍କିହସାସହ ସେହି ବହି ଖଣ୍ଡିକ ତାଙ୍କ ପିଚାତଳୁ କାଢ଼ି ତମକୁ ଦେଖିବାକୁ ଦେବେ । ଏହାର ଅର୍ଥ ନୁହେଁ ଯେ ବହିଟା ତାଙ୍କର ଦୁଇ ପିଚା ମଧ୍ୟରୁ ବାହାରିଲା । କଥାଟି ହେଉଛି ତୁମେ ଯେଉଁ ବହି କଥା ଭାବିଲ ତାହା ପୁସ୍ତକାଗାର ଅଧ୍ୟକ୍ଷ ଗୁଲିଖଟି କୋମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍‍ଙ୍କ ଦ୍ୱାରା ନିର୍ମିତ ଚିନ୍ତାସାଉଣ୍ଟା ଯନ୍ତ୍ର ସାହାଯ୍ୟରେ ତତ୍‌କ୍ଷଣାତ୍ ଜାଣିପାରନ୍ତି ଏବଂ ସଙ୍ଗେ ସଙ୍ଗେ ତାହା ଆଲମାରୀରୁ ଅଣାଇ ନିଜର ବସିବା ସ୍ଥାନରେ ଅର୍ଥାତ୍ ପିଚା ପାଖରେ ରଖିଥାଆନ୍ତି । ପଠନେଚ୍ଛୁ ବ୍ୟକ୍ତି ପହଞ୍ଚିବାମାତ୍ରେ ପିଚା ପାଖରୁ କାଢ଼ି ଧରେଇ ଦିଅନ୍ତି । ପିଚା ପାଖରୁ ବାହାରୁ ଥିବାଟା ପରିବର୍ତ୍ତିନୀ ସଂସାରରେ ପରବର୍ତ୍ତିତ ହୋଇ ପିଚା ତଳୁ ବାହାରିବାରେ ପରିଣତ ହୋଇଛି । ଏହି ‘ପିଚାତଳୁ ବାହାରିବାର କଥାଟା ଅଣ୍ଟାଗୁଞ୍ଜାନ୍ୱେଷୀ କିରାଣିମାନଙ୍କ ପାଖରେ ବିଶେଷ ଭାବରେ ଆତ୍ମପ୍ରକାଶ କରୁଥିବାର ଜଣାଯାଏ । ବହୁଲୋକ ବହୁବାର କହିବାର ଶୁଣାଯାଉଛି–‘‘ଦେଖହୋ, ସେ କିରାଣିଟା ମୋ ଫାଇଲଟାକୁ ପିଚାତଳେ ମାଡ଼ିବସିଛି । ନଗଦନାରାୟଣ ଦଶଟଙ୍କା ନ ପାଇଲେ ପିଚାତଳୁ କାଢ଼ିବ ନାହିଁ ।’’ କିରାଣି କଅଣ ଫାଇଲ ଲୁଚେଇବାକୁ ଆଉ କୌଣସି ଥାନ ପାଇଲା ନାହିଁ, ପିଚାତଳଟା ତାକୁ ସବୁଠାରୁ ଉତ୍କୃଷ୍ଟ ସ୍ଥାନ ବୋଲି ବିବେଚିତ ହେଲା । ପ୍ରକୃତ କଥା ହେଉଛି କିରାଣି ଜଣକ ଫାଇଲଟି ଏପରି ଏକ ଗୁପ୍ତ ସ୍ଥାନରେ ଥୋଇ ଦେଇଥାଏ ଯେ, ଅନ୍ୟ କେହି ତା’ର ସନ୍ଧାନ ସୁଦ୍ଧା ପାଆନ୍ତି ନାହିଁ । ସେ ସ୍ଥାନର ଗୋପନୀୟତା ପିଚାତଳର ଗୋପନୀୟତା ସଙ୍ଗେ ସମାନ । ତେଣୁ ଫାଇଲ ବା ବହି ପିଚାତଳୁ କାଢ଼ିବା କଥାଟା କାଳକ୍ରମେ ପ୍ରଚଳିତ ହୋଇଯାଇଛି । ଓଲଡ଼୍‌ୟର୍କ ପୁସ୍ତକାଗାରର ଅଧ୍ୟକ୍ଷଙ୍କ ପିଚାତଳୁ ବହି କାଢ଼ି ଦେବାଟାକୁ ଏହିପରି ଗ୍ରହଣ କରାଯାଇପାରେ ।

 

ଏହିପରି ଆଉ ଗୋଟିଏ ଖଟିକଥା ଏଠାରେ ଉଲ୍ଲେଖ କରିବା ମଧ୍ୟ ଦରକାର । କଥାରେ ଅଛି–ଏକ ଆଖି ଆଖି ନୁହେଁ, ଏକ କାନ କାନ ନୁହେଁ । ସେମିତି ଗୋଟାଏ କଥା କଥା ନୁହେଁ ।

 

ତୁମେ କି ବହି ପଢ଼ିବ ତାହା ବସାରୁ ନ ଭାବି ମନେକର ସିଧାସଳଖ ଅଧ୍ୟକ୍ଷଙ୍କ ପାଖରେ ପହଞ୍ଚିଲ । ହଠାତ୍ ସେଇଠି ମୁହାଁମୁହିଁ ପୃଥିବୀର ଯେ କୌଣସି ଭାଷାରେ, ଧର ବଗ୍‌ଡ଼ମ୍‍ ଭାଷାର ସଗ୍‌ଡ଼ମ୍ ବହିଟି ମାଗିଦେବ । ବାସ୍ ସେଇଠି କଥା ସରିଲା । ଅଧ୍ୟକ୍ଷ କଅଣ ଦି ଚାରିଟା ଚାବି ମୋଡ଼ି ଦେଇ ଖାଲି କହିଦେବେ–ହାଲୋ ବଗ୍‌ଡ଼ମ୍‌ ଭାଷା, ସଗ୍‌ଡ଼ମ୍ ବହି । ମାତ୍ର କେଇ ସେକେଣ୍ଡ ଭିତରେ ଗୋଟାଏ ସେଁ ସେଁ ଆବାଜ ବାହାରିବ । ଅଧ୍ୟକ୍ଷଙ୍କ ପାଖରେ ଗୋଟାଏ ମୋଟା ନଳର ମୁହଁ ପଟ୍‍କରି ଖୋଲିଯିବ, ଆଉ ବଗ୍‌ଡ଼ମ୍ ଭାଷାର ସଗ୍‌ଡ଼ମ୍ ବହିଟି ସଟ୍‌କରି ସେଇବାଟେ ଗଳିପଡ଼ିବ । ଆଉ ଅଧ୍ୟକ୍ଷ ମୁର୍କିହସା ଦେଇ ବହି ଖଣ୍ଡିକ ତୁମ ହାତରେ ଗୁଞ୍ଜି ଦେବେ । ଆଉ ତୁମେ ଯେମିତି ପଢ଼ିସାରି ଫେରାଇ ଦେବ, ଅଧ୍ୟକ୍ଷ ତାକୁ ସେ ନଳମୁହଁରେ ପୂରେଇ ଦେବେ ଓ ପୁଣି ଦି ଚାରିଟା ଚାବି ମୋଡ଼ିଦେବେ । ଦମ୍‌କଳର ମୁହଁ ପାଣି ଶୋଷି ନେଲାପରି ନଳ ବହିଟିକୁ ଶୋଷି ନେଇଯିବ-। ବଗ୍‌ଡ଼ମ୍ ଭାଷାର ସଗ୍‌ଡ଼ମ୍ ବହିଟି ନିର୍ଭୁଲଭାବେ ହଗ୍‌ଡ଼ମ୍ ଆଲମାରୀରେ ଯାଇ ଶୋଇ ପଡ଼ିବ-। ଟିକିଏ ହେଲେ ଏପାଖ ସେପାଖ ହେବନି ।

 

କେହି କେହି ଦେଖିଲା ପରି କହନ୍ତି–ସେ ପୁସ୍ତକଗାରର ବହି ସଂଖ୍ୟା ହେଲା–ଚଉଦ ହଜାର କୋଟି ସତାବନ ଲକ୍ଷ ପଚସ୍ତରୀ ହଜାର ଚାରିଶହ କୋଡ଼ିଏ । କେହି କେହି ଏହାର ପ୍ରତିବାଦ କରି କୁଆଡ଼େ କହିଛନ୍ତି ଯେ ନିକଟରେ ଏହି ସଂଖ୍ୟାରୁ ଗୋଟିଏ କମି ଯାଇଛି । କୋଡ଼ିଏ ପରିବର୍ତ୍ତେ ଊଣେଇଶି ହେବ । ଓଡ଼ିଆ ବିଭାଗରୁ ‘ରସ ଯା ଚାଲିପାରେ’ ବହି ଖଣ୍ଡିକ କେହି ବହିଚୋର ଚୋରାଇ ନେବାରୁ ଏ ସଂଖ୍ୟାରୁ ଗୋଟିଏ ଊଣା ପଡ଼ିଗଲା ।

 

ଓଲଡ଼୍‍ୟର୍କ ପୁସ୍ତକାଗାର ବିଷୟରେ ଏମିତିଆ ବହୁତ ବହୁତ ଲୋକକଥା ମହାଦେବ ମିଶ୍ରେ ଆଗରୁ ଶୁଣିଥିଲେ । ତାଙ୍କୁ ସେଇଟା ପରୀ ରାଇଜର କୁହୁକ କାରଖାନା ପରି ଜଣାଯାଉଥିଲା । ଓଲଡ଼୍‌ୟର୍କ ସହରକୁ ଆସି ତା’ର ପୃଥିବୀ ବିଖ୍ୟାତ ପୁସ୍ତାକାଗାରଟା ନ ଦେଖିଲେ ମନରେ ଗୋଟାଏ ଅବଶୋଷ ରହିଯିବ । ଏଇଟା ବଡ଼ଦେଉଳକୁ ଯାଇ ଜଗନ୍ନାଥ ଦର୍ଶନ ନ କରିବା ସଙ୍ଗେ ସମାନ ହେବ । ଅବଶୋଷକୁ ଅବଶୋଷ, ତାଛଡ଼ା ନିଜ ଦେଶକୁ ଫେରିବା ପରେ ଏମିତି କାଣ୍ଟୁଆ ହୋଇଯିବେ ଯେ ପଦାରେ ଆଉ ମୁହଁ ଦେଖାଇ ପାରିବେ ନାହିଁ । ଘରେ ସମସ୍ତେ ପଚାରିବେ–ହଇହେ ଓଲଡ଼୍‌ୟର୍କ ପୁସ୍ତକାଗାରଟି ଦେଖିଲ ? ସେତେବେଳେ ତାଙ୍କୁ କି ଉତ୍ତରଟା ସେ ଦେବେ ! ସତକଥାଟା କହିଦେଲେ ସାଙ୍ଗସାଥୀଏ କହିବେ–ହା ହତଭାଗା, ପକ୍‌କା ନାଲିଚୁଡ଼ା ଏଇଟା । ହଁ ଦେଖିଛି କହି ମିଛ କହିଲେ ସେ ମିଛକୁ ଘୋଡ଼େଇବାକୁ ସହସ୍ର ମିଛ ତା ପଛକୁ ତା ପଛ ଧାଡ଼ି ବାନ୍ଧିବେ । ନାଃ ସେ ଅଲବତ୍‍ ଦେଖିବେ । ନ ଦେଖି ନିଜ ଦେଶକୁ ଫେରିବେ ନାହିଁ ।

 

ଓଲଡ଼୍‌ୟର୍କ ପୁସ୍ତକାଗାରର ଅଧ୍ୟକ୍ଷଙ୍କ ନିକଟରେ ପହଞ୍ଚି ମହାଦେବ ମିଶ୍ରେ କହିଲେ, ‘ଆଜ୍ଞା, ମୁଁ ଓଡ଼ିଶା ମୁଲକରୁ ଆସିଛି । ଆପଣଙ୍କର ପୁସ୍ତକାଗାର ଦେଖିବାକୁ ମୋର ପ୍ରବଳ ଇଚ୍ଛା ହେଉଛି । ସମଗ୍ର ପାଠଗାରଟା ବୁଲି ଦେଖିବାକୁ ମୋତେ ଟିକିଏ ସୁବିଧା ଦିଅନ୍ତୁ ।’’

 

ଅଧ୍ୟକ୍ଷ, ମିଶ୍ରଙ୍କ ମୁହଁକୁ କିଛି ସମୟ ଗାରଡ଼େଇ ଚାହିଁ ପଚାରିଲେ, ‘‘ଆପଣ ଏଠାରେ ଆଉ କେତେଦିନ ରହିବେ ?’’

 

‘‘ମୁଁ କାଲି ଏଠାରୁ ଚାଲିଯାଉଛି । ତେଣୁ ଆଜି ପୁସ୍ତକାଗାର ବୁଲି ଦେଖିବାଟା ସାରିଦେବି ବୋଲି ଭାବିଛି । ଆପଣ ଟିକିଏ ସୁବିଧା କରିଦେବେ ବୋଲି ଆଶାକରେ ।’’

 

‘‘ମୁଁ ବଡ଼ ଦୁଃଖିତ, ଆପଣଙ୍କୁ ଏ ଦିଗରେ ସାହାଯ୍ୟ କରିବା ମୋ ଶକ୍ତିର ବହିର୍ଭୁତ ।’’

‘‘କାହିଁକି ?’’

 

‘‘ଆଜ୍ଞା, ସବୁ ବିଭାଗ ବୁଲି ଦେଖିବାକୁ ହେଲେ ଆପଣଙ୍କୁ ୨୮ ମାଇଲ ବାଟ ଚାଲିବାକୁ ପଡ଼ିବ । ଏତିକି ସମୟ ଭିତରେ ଏତେ ବାଟ ଆପଣଙ୍କୁ କଢ଼େଇ ନେବି କିପରି ? କେଉଁ ଭାଷାର, କେଉଁ ବିଭାଗର, କେଉଁ ଉପବିଭାଗ ଦେଖିବାକୁ ଚାହାନ୍ତି, କୁହନ୍ତୁ; ମୁଁ ଆପଣଙ୍କୁ ସେଠି ବୁଲାଇ ଆଣିବାର ବ୍ୟବସ୍ଥା କରିଦେବି । ଆପଣ ସେ ଉପବିଭାଗର କିଛି ଅଂଶ ଦେଖିଯାଇପାରିବେ–’’

 

‘‘ମୁଁ ଓଡ଼ିଆ ବିଭାଗଟା ଦେଖିବାକୁ ଚାହେଁ ।’’

 

‘‘ଠିକ୍ ଅଛି । ସେ ବିଭାଗଟି ସବୁଠାରୁ ସାନ ହେଲେ ବି ମାତ୍ର ଦୁଇ ତିନି ଘଣ୍ଟାରେ ଦେଖିପାରିବେ ନାହିଁ । ବିଭାଗର ଗୋଟିଏ ଅଂଶ ବାଛନ୍ତୁ ।’’

 

‘‘କବିତା ବିଭାଗ ।’’

‘‘କେଉଁ ଅଂଶ ? ପୁରାତନ ନା ଆଧୁନିକ ?’’

‘‘ପୁରାତନ ।’’

 

ଅଧ୍ୟକ୍ଷ ଗୋଟିଏ ବୋତାମ ଟିପିବା ସଙ୍ଗେ ସଙ୍ଗେ ଜଣେ କର୍ମଚାରୀ ଆସି ଠିଆହେଲେ-। ମିଶ୍ରଙ୍କୁ ଓଡ଼ିଆ କବିତା ପୁରାତନ ଅଂଶକୁ ନେଇ ଯିବା ଲାଗି ସେ ଆଦେଶ ଦେଲେ-। କର୍ମଚାରୀ ଜଣଙ୍କ ମିଶ୍ରଙ୍କୁ ଉତ୍ତୋଳକ (ଲିଫ୍‌ଟ) ସାହାଯ୍ୟରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ପହଞ୍ଚାଇ ଦେଲେ । ବିଭାଗୀୟ ରକ୍ଷକ ପୁରାତନ କବିତା ଅଂଶକୁ ସଙ୍ଗେ ସଙ୍ଗେ ନେଇ ଈପ୍‌ସିତ ବହିର ନାମ ପଚାରିଲେ । ମିଶ୍ରେ କହିଲେ ବୈଦେହୀଶ ବିଳାସ, କବି ଉପେନ୍ଦ୍ର ଭଞ୍ଜ । ରକ୍ଷକ ଆଖିପିଛୁଳାକେ ବହି ଖଣ୍ଡିକ ଆଣିଦେଲେ । ଷାଠିଏ ବର୍ଷ ତଳର ଛପା ବହି । ଯୋଉ ନୂଆକୁ ସେଇ ନୂଆ । ବହି ପୋକ ତାକୁ ଶୁଙ୍ଘିବାର ଚିହ୍ନ ନାହିଁ । ବହିଟି ଦେଖି ମିଶ୍ରେ କହିଲେ–‘‘ଏ ବହିଟିକୁ ବୋଧହୁଏ କେହି କେବେ ଛୁଇଁନି ।’’

 

ରକ୍ଷକ କହିଲେ–‘‘ଆପଣ ଓଲଟା କଥା କହିଲେ । ଏ ବହିଟିର ସାହିତ୍ୟିକ ଖ୍ୟାତି ଥିବାରୁ ଏଠାରେ ବହୁ ଓଡ଼ିଆ ଭାଷା ଶିକ୍ଷା କରୁଥିବା ଛାତ୍ର ପ୍ରାୟ ପ୍ରତ୍ୟେକ ଦିନ ଏ ବହିକୁ ପଢ଼ନ୍ତି । ସମସ୍ତେ ବହିଟିର ବିଶେଷ ଯତ୍ନ ନେଉଥିବାରୁ ତାହା ନୂଆପରି ରହିଛି ।’’

 

ମିଶ୍ରେ ଆବାକାବା ହୋଇଗଲେ । ସାରଳା ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ମଧ୍ୟ ଠିକ୍ ନୂଆପରି ରହିଛି । କବି ହମିଦଙ୍କର ‘ଅସଲି ଡଙ୍ଗାବୁଡ଼ା ଗୀତ’ ‘କମଳାହରଣ’ ‘ବାବ୍‌ବାରେ ଆଲୁଅ’ ବହିଗୁଡ଼ିକୁ ମଧ୍ୟ ସେଠାରେ ଦେଖି ମିଶ୍ରେ କମ୍ ଆଶ୍ଚର୍ଯ୍ୟ ହୋଇ ନ ଥିଲେ । କେବଳ ଓଡ଼ିଆ କବିତା ବହିରୁ ଏତେ ସଂଗ୍ରହ କରିଛନ୍ତି ! କେବଳ ଏହି ବିଭାଗଟି ଆମ ଦେଶର ଗୋଟାଏ ପୂର୍ଣ୍ଣାଙ୍ଗ ପୁସ୍ତାକାଗାର ସଙ୍ଗେ ସମାନ ହେବ, । ସମୁଦାୟ ଓଲଡ଼୍‌ୟର୍କ ପୁସ୍ତକାଗାରଟି କେଡ଼େ ବଡ଼ ନ ହୋଇଥିବ ! ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରି ଅର୍ଜୁନ ଯେପରି ହାଉଳି ଖାଇଯାଇଥିଲେ, ମହାଦେବ ମିଶ୍ର ଠିକ୍ ସେହିପରି ହାଉଳି ଖାଇଗଲେ । ତାଙ୍କ ପାଟିରୁ କଥା ବାହାରିଲା ନାହିଁ ।

ପୁସ୍ତକାଗାରରୁ ବିଦାୟ ନେଇ ଆସିଲାବେଳେ ଅଧ୍ୟକ୍ଷ କହିଲେ, ‘‘ଆପଣଙ୍କ ରାଜ୍ୟକୁ ମୋର ଯିବାର ଅଛି । ଆମେ ଅନୁଭବ କରୁଛୁ ଆମେ ବହୁ ଓଡ଼ିଆ ବହିର ସନ୍ଧାନ ପାଇନୁ । ଆପଣଙ୍କର ସବୁଠାରୁ ବଡ଼ ପୁସ୍ତକାଗାରକୁ ଯାଇ ସବୁ ବହିଗୁଡ଼ିକର ସନ୍ଧାନ ନେବି, ଆଉ ଏଠି ନଥିବା ବହିଗୁଡ଼ିକ ସଂଗ୍ରହ କରି ଆଣିବି । ଆପଣ ସେତେବେଳେ ମୋତେ ଟିକିଏ ସାହାଯ୍ୟ କରିବେ । ଭାରତରେ ପହଞ୍ଚିବାମାତ୍ରେ ମୁଁ ଆପଣଙ୍କୁ ଚିଠିଦେବି ।’’

ମହାଦେବ ମିଶ୍ରେ ଅକୁଣ୍ଠ ସାହାଯ୍ୟର ପ୍ରତିଶୃତି ଦେଇ ଓଲଡ଼୍‍ୟର୍କ ପୁସ୍ତକାଗାରରୁ ବିଦାୟ ନେଇ ଆସିଲେ ।

ଓଲଡ଼୍‌ୟର୍କ ପୁସ୍ତକାଗାରରେ ଅଧ୍ୟକ୍ଷଙ୍କୁ ନେଇ ମହାଦେବ ମିଶ୍ରେ ଆଳି ପୁସ୍ତକାଗାର ଭିତରେ ପଶିଲେ । ଘଣ୍ଟାରେ ଦେଖିଲେ ସାଢ଼େ ଏଗାରଟା ବାଜିଛି । ପୁସ୍ତାକାଗାରରେ କେହି ନାହାନ୍ତି, ପିଅନଟି କେବଳ ଗୋଟିଏ ଟୁଲରେ ବସି ଢୋଳାଉଅଛି ।

ମହାଦେବ ମିଶ୍ରେ ତାକୁ ସଚେତ କରାଇ ପଚାରିଲେ–‘‘ଆରେ, ବଡ଼ବାବୁ ଏଡ଼େ ଚଞ୍ଚଳ କୁଆଡ଼େ ଚାଲିଗଲେ ?’’

ଘଣ୍ଟାକୁ ଚାହିଁଦେଇ ପିଅନଟି କହିଲା ‘‘ବାବୁଙ୍କର ଆସିବାକୁ ଆଉ ଅଧଘଣ୍ଟାଏ ଡେରି ଅଛି ।’’

 

ଆଗନ୍ତୁକ ଓ ମହାଦେବ ମିଶ୍ରେ ବାଧ୍ୟହୋଇ ତାଙ୍କ ପାଇଁ ଅପେକ୍ଷା କରି ବସି ରହିଲେ । ୪୫ ମିନିଟ କାଳ ଅତ୍ୟାଚାରିତ ହେବା ପରେ ପୁସ୍ତକାଗାରର ଅଧ୍ୟକ୍ଷ ଆସି ଚଉକିରେ ଫାଁ ଗାଳି ପଡ଼ିଗଲେ । ହିମାଳୟର ଗୋଟିଏ ଶୃଙ୍ଗକୁ କୋଦାଳରେ ତାଡ଼ି ପକାଇ କ୍ଳାନ୍ତ ହୋଇ ଥିବାପରି ଜଣାଗଲା । ମହାଦେବ ମିଶ୍ର ତାଙ୍କ ପାଖକୁ ଯାଇ ଆଗନ୍ତୁକଙ୍କ ପରିଚୟ ଓ ଆଗମନର ଉଦ୍ଦେଶ୍ୟ ବୁଝାଇ ଦେବାରୁ ସେ ଟିକିଏ ବିବ୍ରତ ହୋଇ କହିଲେ–‘ଟିକିଏ ବସି ଯାଆନ୍ତୁ । ଖାଇଦେଇ ସାଙ୍ଗେ ସାଙ୍ଗେ ଧାଇଁ ଆସିବା ଫଳରେ ମୋ ପେଟଟା ଆଉଣ୍ଡି ହୋଇ ଯାଉଛି, ଆପଣଙ୍କ ଯାହା ଦରକାର ଏହି ପିଅନ ଦେଖାଇ ଦେବ ।’

 

ପିଅନଟି ମିଶ୍ରଙ୍କର କଥା ହୃଦୟଙ୍ଗମ କଲାପରି ଜଣା ଯାଉ ନ ଥିଲା । ମିଶ୍ରେ ତହୁଁ ଆଗନ୍ତୁକଙ୍କ ଦୃଷ୍ଟି ଏଡ଼ାଇ ଗୋଟାଏ ପାଞ୍ଚଟଙ୍କିଆ ନୋଟ୍ ତା ପକେଟରେ ଗୁଞ୍ଜିଦେଲେ । ତା ରକ୍ତନାଳୀରେ ସତେ ଯେମିତି କିଏ ଉତ୍ସାହ ଉଦ୍ଦିପନା ପିଚିକାରୀ ଦ୍ୱାରା ପୂରେଇ ଦେଲା । ପିଅନଟି ସଙ୍ଗେ ସଙ୍ଗେ ଉଠିପଡ଼ି ଆଗନ୍ତୁକଙ୍କୁ ସଲାମ ଦେଇ ଓଡ଼ିଆ ବହି ଥିବା ଥାନ ଆଡ଼କୁ ନେଇଗଲା ।

 

ଅତି ନିକଟରେ କେଉଁ କେଉଁ ଓଡ଼ିଆ ବହି ପୁସ୍ତକାଗାରରେ ଯୋଗ କରାଯାଇଛି ତାହା ଆଗନ୍ତୁକ ଜାଣିବାକୁ ଚାହିଁଲେ । ପିଅନଟି ଅଧକ୍ଷଙ୍କୁ ପଚାରିବାରୁ ସେ ଖିଙ୍କାରି ହୋଇ କହିଲେ–‘‘ଆରେ ଦେଖୁନୁ ସେ ପୁସ୍ତକ ତାଲିକାଟା ପଡ଼ିଛି, ମୁଁ କଅଣ ତାକୁ ଘୋଷିଛି, ମୋତେ ପଚାରୁଛୁ !’’

 

ତାଲିକାରୁ ଦେଖି ପିଅନ ବହି କାଢ଼ିଲା । ଅଧିକାଂଶ ବହିର ମଲାଟ ଚିରା, ବନ୍ଧେଇ ଛିଣ୍ଡା, ମାତ୍ର କେତେମାସ ହେଲା ଆସିଥିବା ବହି ଗୁଡ଼ିକର ଏପରି ଦୁରବସ୍ଥା ହେଲା କାହିଁକି ବୋଲି ପଚାରିବାରୁ ପିଅନଟି କହିଲା–‘‘ରାଜମୂଲିଆ ଓ ମୂଲିଆଣୀମାନେ ଇଟା ଫୋପାଡ଼ି ଆଉ ଧରି ତାକୁ ଯେପରି ଗୋଟିଏ ଥାନରୁ ଅନ୍ୟ ଥାନକୁ ନିଅନ୍ତି ଏଠି ଆମେ ବହିକୁ ସେହିପରି ନିଆ ଅଣା କରୁ ।’’

 

ମିଶ୍ରେ ଗମ୍ଭୀର ହୋଇଯାଇ କହିଲେ–‘‘ଏହାଦ୍ୱାରା ବହିଟିର ବନ୍ଧେଇ ଠିକ୍ ଅଛି କି ନାହିଁ ତାହା ବେଶ୍‍ ଜଣା ପଡ଼ିଯାଉଥିବ ।’’

 

ପିଅନଟି ଉତ୍ସାହିତ ହୋଇ କହି ପକେଇଲା–‘‘ହଁ ଆଜ୍ଞା, ସେଇଆ ନୁହେଁତ ଆଉ କଅଣ-। ବନ୍ଧେଇଟା ଖରାପ ଜଣା ପଡ଼ିଲେ ଆମେ ତାକୁ ବଢ଼ିଆ କରି ବନ୍ଧେଇ ଦେଉ ।’’

 

ଆଗନ୍ତୁକ ବହୁ ନୂଆ ବହିର ଟିପାସବୁ ଟିପିନେଇ ପୁରୁଣା ବହି ଥାକଗୁଡ଼ିକ ପାଖକୁ ଗଲେ । ତାଙ୍କ ଟିପା ଖାତାରୁ ଦେଖି ମାଦଳାପାଞ୍ଜି, ଚଇନିଚକଡ଼ା ଓ ହାସ୍ୟକଲ୍ଲୋଳ ଏହି ତିନିଖଣ୍ଡ ବହି କାଢ଼ିବାକୁ କହିଲେ । ଖୋଜି ଖୋଜି ପିଅନଟି ନୟାନ୍ତ ହୋଇଗଲା । ରାଗରେ ବହି ଗୁଡ଼ିକ କାଢ଼ି ତଳେ କଚି ପକାଇଲା । ବିରକ୍ତିରେ ମନ୍ତବ୍ୟ ପ୍ରକାଶ କଲା–‘‘ଏ ଶଳା ପୋଚରା ବହି ତିନିଟା କେଉଁଠି ଲୁଚିଛନ୍ତି କେଜାଣି !’’ ବିଫଳ ମନୋରଥ ହୋଇ ଶେଷରେ ବଡ଼ବାବୁଙ୍କୁ ବସାନିଦରୁ ଉଠେଇ କଥାଟା ଜଣେଇଲା । ସେ ବିରକ୍ତ ହୋଇ କହିଲେ, ‘‘ଆରେ ଗୁଡ଼ାଏ ପୁରୁଣା ବହି ସେ କଣରେ ଗଦା ହୋଇଛି, ସେଇଠି ଖୋଜୁନୁ, ଖାଲି ମୋତେ ଶସ୍ତା ପାଇଛୁ, ଟିକକ କଥାରେ ମୋ ପାଖକୁ ଦଉଡ଼ି ଆସୁଛୁ ।’’

 

ସତକୁ ସତ ପିଅନଟି ସେ କଣରୁ ବହୁ ଘଣ୍ଟାଘଣ୍ଟି ପରେ ବହି ତିନିଟା ପାଇ ଆଗନ୍ତୁକଙ୍କୁ ଦେଲା । ବହି ତିନିଟାର ଅବସ୍ଥା ନା–ନା ଦୁରବସ୍ଥା ଦେଖି ଆଗନ୍ତୁକ ବିସ୍ମିତ ହେଲେ । ବହି ଗୁଡ଼ିକର ଅବସ୍ଥା ୧୨ଟା ବାଜିବା ସଙ୍ଗେ ସଙ୍ଗେ ପୃଷ୍ଠାସବୁ ଚିରା ହୋଇଯାଇଛି । କାହାର ସମସ୍ତ ଭୂମିକା ଚିରା ହୋଇଛି ତ କାହାର ବିଷୟବସ୍ତୁରୁ ପୁଳାଏ ଲେଖାଏଁ ଚିରି କିଏ ନେଇଯାଇଛି । ଆଗନ୍ତୁକଙ୍କ ମୁହଁ ଆମ୍ବିଳା ହୋଇ ଗଲା । ଏଡ଼େ ବଡ଼ ବଡ଼ ମୂଲ୍ୟବାନ ବହି ଗୁଡ଼ିକର ଏ ଅବସ୍ଥା । ମିଶ୍ରେ ପିଅନକୁ ଏହା ଦେଖାଇ ତା ମୁହଁଆଡ଼େ ଚାହିଁଲେ ।

 

ପିଅନଟି ଚୁପ୍‌ଚୁପ୍‌ କରି କହିଲା–‘‘ଆଜ୍ଞା, ଏହା ବାହାର ଲୋକଙ୍କ କାମ ନୁହେଁ । କେତେ ଜଣ ଅଧ୍ୟାପକ ପାଠଟାକୁ ନିଜ ମୁଣ୍ଡ ଭିତରେ ବାନ୍ଧି ରଖିବାକୁ ଏ କାଣ୍ଡ କରିଛନ୍ତି । ଏହା ଫଳରେ ପାଠଟା ସେଇ କେବଳ ଜାଣିପାରିବେ ଅନ୍ୟ କେହି ଅଧ୍ୟାପକ ତା’ର ଗୁମର ପାଇବେ ନାହିଁ । ଚିରାଳି ଅଧ୍ୟାପକ ଅନ୍ୟ ସମସ୍ତଙ୍କ ଠାରୁ ଅଧିକ ଜ୍ଞାନୀ ହୋଇଯିବେ । ଅନ୍ୟ ସମସ୍ତଙ୍କୁ ଦବେଇ ଦେବେ ।’’

 

ଆଗନ୍ତୁକ ଗମ୍ଭୀର ହୋଇଯାଇ କହିଲେ–‘‘ଯାହା ହେଉ ଅଧିକ ଜ୍ଞାନୀ ହେବାର ଏହା ଏକ ଶସ୍ତା, ସୁନ୍ଦର ଓ ମଜଭୂତ ଉପାୟ । ଏହା ଏକ ସଂପୂର୍ଣ୍ଣ ନୂତନ ଉଦ୍ଭାବନ । ଏତେ ପରିଶ୍ରମ କରି ବହି ପଢ଼ୁଛି କିଏ, ଅନ୍ୟମାନଙ୍କୁ ପଢ଼ିବାକୁ ନ ଦେଲେ କାମ ସରିଲା । ଅନ୍ୟମାନେ ମୂର୍ଖ ହେଲେ ନିଜେ ଛାଏଁ ଛାଏଁ ପଣ୍ଡିତ ହୋଇଯିବ । କସରତ କରିବାର ଦରକାର କିଛି ନାହିଁ ।’’

 

ପିଅନଟି ଅଧିକ ଉତ୍ସାହିତ ହୋଇ କହି ପକେଇଲା–‘‘କେତେକ ଛାତ୍ର ବି କପି କରିବାକୁ ପାଠ ଚିରି ନେଇଛନ୍ତି ।’’

 

ଆଗନ୍ତୁକ ସଙ୍ଗେ ସଙ୍ଗେ କହି ଉଠିଲେ–‘‘ଆହା, ଜ୍ଞାନ ଆହରଣ କରିବା ଛାତ୍ରମାନଙ୍କ ସବୁଠୁଁ ବଡ଼ କାମ । ସେମାନେ ଜ୍ଞାନ ଗୁଡ଼ାକ ଚିରି ନେଇଗଲେ, ଭୁଲ କଅଣ କଲେ ?’’

 

ସେତେବେଳକୁ ବଡ଼ବାବୁ ଆସି ସେମାନଙ୍କ ଗହଣରେ ଠିଆ ହେଲେ । ଆଗନ୍ତୁକ ତାଙ୍କୁ ପଚାରିଲେ–‘‘ଆଜ୍ଞା, ହମିଦ୍‌ଙ୍କର ପୂର୍ଣ୍ଣ ବହିସେଟ୍ ଅଛି ?’’

 

ବଡ଼ବାବୁ ତାତ୍ସଲ୍ୟ କରି କହିଲେ–‘‘ସେଗୁଡ଼ାକ କଅଣ ବହି ପଦବାଚ୍ୟ ଯେ ଆମେ ତାକୁ ଏଠି ଥାନ ଦେବୁ ! ସେଗୁଡ଼ାକ କଅଣ ମଣିଷ ପଢ଼ନ୍ତି ?’’

 

‘‘ମୁଁ ଯେତେ ଦୂର ଖବର ସଂଗ୍ରହ କରିଛି ସେଥିରୁ ଜାଣେ ଯେ ମଫସଲମାନଙ୍କରେ ଯେଉଁଠି ଅନ୍ୟାନ୍ୟ ବହିର ଧାସ ସୁଦ୍ଧା ନଥାଏ ସେଠି ପ୍ରତ୍ୟେକ ଗୃହସ୍ଥର ପେଡ଼ିରୁ ଖୁବ୍ କମ୍‌ରେ ୪/୫ ଖଣ୍ଡ ହମିଦ୍‌ ବହି ବାହାରିଥାଏ । ଯେଉଁ ଗବେଷକ ଲୋକସାହିତ୍ୟ ଉପରେ ଗବେଷଣା କରୁଥିବ ସେ ଏସବୁ ବହି ପାଇବ କୁଆଡ଼ୁ ?’’

 

‘‘ସରକାର ଦେଉଥିଲେ ଆମେ ରଖନ୍ତୁ ।’’

‘‘ଆପଣ ଚାହିଁଥିଲେ ସରକାର ଯୋଗାଇ ଦେଇଥାନ୍ତେ ।’’

 

‘‘ଆମେ କାହିଁକି ସେ ଅଡ଼ୁଆରେ ପଶିବୁ ? ସେଥିଲାଗି ସରକାର କଅଣ ଆମକୁ ଅଧିକା ଦରମା ଦେବେ କି ?’’

 

କଥାର ମୋଡ଼ ଦେଖି ଆଗନ୍ତୁକ ନୀରବ ରହିବାକୁ ପସନ୍ଦ କଲେ ଓ ଓଡ଼ିଶାର ସବୁଠାରୁ ବଡ଼ ପୁସ୍ତକାଗାରକୁ ଆସିବା କେବଳ ବାଞ୍ଜ ପରିଶ୍ରମ ହେଲା ବୋଲି ଭାବିଲେ । ବହି ଦେଖିବା ଅପେକ୍ଷା ପୁସ୍ତକ ତାଲିକା ଦେଖିବା ବରଂ ଭଲ ବୋଲି ସେ ପୁସ୍ତକ ତାଲିକା ଘାଣ୍ଟିବାରେ ଲାଗିଲେ ।

 

ମହାଦେବ ମିଶ୍ରଙ୍କ ତଣ୍ଟି ସେତେବେଳକୁ ଶୁଖିଯାଇଥାଏ । ମନେ ମନେ ସେ ଭାବୁଥାନ୍ତି–ଚଣ୍ଡାଳଗୁଡ଼ାକ କଅଣ କଲେ; ଆମର ସର୍ବଶ୍ରେଷ୍ଠ ପୁସ୍ତକଗାର ବିଷୟରେ କି ମତ ପୋଷଣ କରି ସେ ନିଜ ଦେଶକୁ ଫେରିବେ ! ମୁଁ ଚଣ୍ଡାଳ କାହିଁକି ତାଙ୍କୁ ଏଠାକୁ ଆଣିଲି !

Image

 

ଇନ୍ଦୂରବାହନ କଲେଜ

 

ସବାଖିଆ ଗ୍ରାମପଞ୍ଚାୟତର ସରପଞ୍ଚ୍‍, ପରପଞ୍ଚ୍‍, ମାରପେଞ୍ଚ, ଗୁଗୁରି ପେଞ୍ଚ୍‍ ଏବଂ ସେମାନଙ୍କର ବଚସ୍କର ହୋଇ ରହିଥିବା ଗୋଡ଼ାଣିଆ ମାମଲତକାରମାନେ କ୍ରମେ ବେଉସା ମାନ୍ଦା ପଡ଼ି ଆସୁଥିବାର ଦେଖି ଆତଙ୍କିତ ହୋଇପଡ଼ିଲେ । ଏହାର ବିହିତ ପ୍ରତିକାର କରିବା ପାଇଁ ଉପାୟମାନ ସ୍ଥିର କରିବାକୁ ପଞ୍ଚାୟତ ଅଫିସ୍‍ରେ ଏକ କବାଟକିଳା ବୈଠକ ବସିଲା । ସରପଞ୍ଚେ ସଭାପତି ଆସନରେ ବସି ସଭାକାମ ସୁରୁ କଲେ ।

 

ଜଣେ ଆଖି ଛଳଛଳେଇ କହି ଉଠିଲା, ‘‘ଆହା ! କୁଆଡ଼େ ଗଲା ଆମର ସେ କଙ୍ଗରସ-! ଅଭାବ ଗୋଟିଏ କେମିତିଆ ଜିନିଷ ଆମେ ବିଲକୁଲ ଜାଣିନଥିଲୁ । ଅଃ ! ଯେଉଁ କଙ୍ଗରସ ମନ୍ତ୍ରୀସବୁ ଥିଲେ ସେମାନେ ଦିଲ୍‍ଦାରିଆ ଆଉ ଅମୀରମିଞ୍ଜାସିଆ ଲୋକ ଥିଲେ । ଖାଇ ଜାଣିଥିଲେ, ଖୁଆଇ ବି ଜାଣିଥିଲେ । ଆମ ଭଳି ଅନୁସରଣିଆମାନଙ୍କର ପେଟ ସବୁବେଳେ ଟୁମାଟୁମ୍ ଥିଲା । ବେଳ ଅବେଳରେ ପହଞ୍ଚି ଗଲେ ପକେଟ୍ ପୂରି ଯାଉଥିଲା । ନେ ପଚାଶ, ନେ ଶହେ କହି ମନ୍ତ୍ରୀ ବିଡ଼ା ଫିଙ୍ଗି ଦେଉଥିଲେ । ସେଥିରେ ତାଙ୍କର ଯେ କିଛି କମି ଯାଉଥିଲା ତା ନୁହେଁ-। ଝର ଫିଟା କୂଅରୁ ଯେତେ ମାଠିଆ ପାଣି ଯାଉ ପଛକେ ପାଣି ସବୁବେଳେ ସମାନ ଥାଏ । ପଚାଶ ଶହେ ଫିଙ୍ଗି ଦେଲେ ବି ତାଙ୍କର ଥଳି ଯେଉଁ ଉଞ୍ଚାକୁ ସେଇ ଉଞ୍ଚା । କୁଆଡ଼ୁ କୁଆଡ଼ୁ ଶେଠ ସାହୁକାରଙ୍କର ଆଡ଼ୁ ଟଙ୍କା ସୁଅ ଛୁଟି ଆସି ଥଳି ଫୁଲେଇ ଦେଉଥିଲା । କି ଅୟସରେ କାଳ ନ କଟୁ ଥିଲା ! କାମ ନାହିଁ, ଧନ୍ଦା ନାହିଁ, ଶୂନ୍ୟରୁ ଯେମିତି ଟଙ୍କା ବର୍ଷା ହେଉଥିଲା । ମନ୍ତ୍ରୀଙ୍କ ପାଖରେ ନଙ୍ଗର ପଙ୍ଗର ହେବା ଥିଲା ଏକମାତ୍ର କାମ ।’’

 

ଆଉ ଜଣେ ଉପରେ ପଡ଼ି କହିଲା, ‘‘ଖାଲି କଅଣ ହାତ ଟେକି ଦେଉଥିଲେ ? କେଉଁଠି କେଉଁଠି ଟଙ୍କାର ଖଣି ଅଛି, ଆଉ କେମିତି, କେଉଁ ବାଟରେ ଖୋଳିଲେ ସେ ଟଙ୍କା ମିଳିବ ତାହା ବତାଇ ଦେଉଥିଲେ, କହୁଥିଲେ–ଆରେ ଖାଇଯାଅ, ଯେତେ ପାରୁଛ ମନ ଇଚ୍ଛା ଖାଇଯାଅ । ଟଙ୍କାର ଝଡ଼ିପୋକ ଉଡ଼ୁଛି, ଯେତେ ପାରୁଛ ଝାମ୍ପି ନେଇ ଖାଇଯାଅ, ଅଜୀର୍ଣ୍ଣକୁ ଚିନ୍ତା ନାହିଁ, ଆମ ପାଖରେ ତହିଁକି ଓଷଦ ଅଛି । ଅଜୀର୍ଣ୍ଣର ବଡ଼ବୋପା ସାବାଡ଼ ହୋଇଯିବ ।’’

 

ଆଉ ଜଣେ କହି ଉଠିଲା–‘‘ସତକଥା । ଥରେ ନେହେରୁଙ୍କ ଅମଳରେ କେତେଜଣ ଅସହଣି ଚଣାଚଟା ପରଶିରୀ ଦେଖି ପାରୁ ନ ଥିବା ଲୋକ ନିଜ ନିଜର ସାଧୁପଣ ଦେଖେଇ ହେବା ଲାଗି ନେହେରୁଙ୍କ ପାଖରେ ଫେରାଦ ହୋଇ କହିଲା–‘‘ଆଜ୍ଞା, ଦେଖନ୍ତୁ ବାହାରୁ ଯେଉଁ ସବୁ ସାହାଯ୍ୟ ଟଙ୍କା ଆସୁଛି ତାହା କେମିତି ଲୁଟତରାଜରେ ଯାଉଛି । ଠିକ୍ ଠିକ୍ ବାଟରେ ଖର୍ଚ୍ଚ ହେଲେ ଦେଶର ବହୁତ ଉନ୍ନତି ହୋଇଯାଆନ୍ତା । ଆଜ୍ଞା, ଲୁଣ୍ଠନକାରୀମାନେ ଖଦଡ଼ ଲୁଗା, ପଞ୍ଜାବୀ ଆଉ ଟୋପି ପିନ୍ଧି ଲୁଟତରାଜ କରୁଥିବାରୁ କେହି ସେମାନଙ୍କୁ ଜବତ କରିବାକୁ ସାହାସ କରୁ ନାହାନ୍ତି; ଆପଣ ଏ ଦିଗରେ ଟିକିଏ ନଜର ନ ଦେଲେ ଦେଶଟା ଉଚ୍ଛନ୍ନ ହୋଇଯିବ, ଦେଶର ନୈତିକ ମେରୁଦଣ୍ଡ ଭାଙ୍ଗିଯିବ, କାଳକ୍ରମେ ସମସ୍ତେ ଦୁର୍ନୀତିଗ୍ରସ୍ତ ହୋଇଯିବେ । କେହି ପରିଶ୍ରମ କରିବେ ନାହିଁ, ସମସ୍ତେ କେବଳ ଏମିତିଆ ଉପରୁ ଧନକୁ ଚାହିଁ ରହିଥିବେ । ଏ ଦେଶଟା ଅଳସୁଆ ଓ ପରଧନଖିଆଙ୍କ ଦେଶ ପାଲଟିଯିବ । ପରେ ଶତ ଚେଷ୍ଟା କଲେ ବି ଦେଶ ଆଉ ଉଠି ପାରିବ ନାହିଁ । ଶେଷରେ ମହରଗରୁ ଯାଇ କାନ୍ତାରରେ ପଡ଼ିଲା ପରି ଦେଶଟା ବ୍ରିଟେନ ହାତରୁ ଯାଇ ଆଉ ଜଣକ ହାତରେ ପଡ଼ିବ ।’’ ହେଲେ ନେହେରୁ ଏଇ ଅସହଣି ଲୋକଗୁଡ଼ାଙ୍କୁ ଠିକଣା ଜବାବଟାଏ ଦେଇଥିଲେ । ଅଃ । ଜବାବ ଖଣ୍ଡେ ତ! ପୁଅଙ୍କ ବ୍ରହ୍ମରନ୍ଧ୍ର ଭେଦି ଯାଇଥିବ । ନେହେରୁ କହିଲେ–ହଃ । ଆମ ଦେଶର ଲୋକେ ତ ଖାଉଛନ୍ତି । ସେ ଧନ ଆମରି ଦେଶରେ ତ ରହୁଛି । କୋଉ ଆମେ ରୋଜଗାର କରୁଛୁ ଯେ ବାଧିବ । ବାହାରୁ ଟଙ୍କା ଆସୁଛି, ଯିଏ ଯେତେ ଖାଉଛନ୍ତି ଖାଆନ୍ତୁ । ଆମ ଦେଶଟା କଅଣ କଂସା, ଲୋଟା ହୋଇଛି ଯେ ମହାଜନ ଟଙ୍କା ପରିଶୋଧ ନ ପାଇଲେ ନିଲାମ କରି ନେଇଯିବ ? ବେଶି ବକ୍‌ବକ୍‌ କଲେ ତାକୁ ବୁଢ଼ା ଆଙ୍ଗୁଠି ଦେଖାଇ ଦେଇ ତା ଦୁସ୍‌ମନର ସାଙ୍ଗ ହୋଇଯିବା ।’’ ଆ–ହା-କି ଅମୀରମିଞ୍ଜାସର ଲୋକ ! କି ଦେବପ୍ରତିମ ଲୋକ । ଫେରାଦିଆମାନଙ୍କ ମୁହଁ ଆମ୍ବିଳା ହୋଇଗଲା । ନେହେରୁ ଚାଲିଗଲେନି ଯେ ଆମମାନଙ୍କ ଭାଗ୍ୟ ରବି ଚାଲିଗଲା । ଆଉ କାହିଁ ଥାଏ ସେ ମଉଜ ଯୁଗ ।’’

 

ଆଉ ଜଣେ ମୁହଁଟାକୁ ବିଚକାଟିଆ କରି କହିଲା–‘‘ଏବେ ହାଲିକୁ ଯେଉଁ ଚଣାଚଟା ଛୋଟଲୋକଗୁଡ଼ାକ ଆସିଛନ୍ତି, ସେମାନଙ୍କ କଥା ଆଉ କହି ହବନି । ଛକି ଛାକି କେଉଁଠୁ ଟଙ୍କା କେଇଟା ଝାମ୍ପିଲାବେଳକୁ ତାଙ୍କ ପଛଆଡ଼ୁ ପାଳବିଣ୍ଡା ବାହାରି ଯାଉଛି, କିଏରେ କିଏରେ ରଡ଼ିରେ ଚାରିଆଡ଼ ଫାଟି ପଡ଼ୁଛି । ସତେକି ଯେମିତି ବୋପା ଅଜାଙ୍କ ମୌରସି ସମ୍ପତ୍ତି । ପାଟି ତ ଯାହା କରୁଛନ୍ତି କରୁଛନ୍ତି, ତା’ ଉପରେ ଡାହାଳ କୁକୁର ପଛରେ ଲଗେଇ ଦେଲା ପରି ଲଗେଇ ଦେଉଛନ୍ତି–ଭିଜିଲାନ୍‌ସ, ସି.ବି.ଆଇ, କମିଶନ ଆଦି କେତେ କଅଣ । ମଣିଷ ଶହେଟଙ୍କା ଖାଇଥିବ କି ନାହିଁ, ହଜାରେ ଟଙ୍କାର ଘୋଷଡ଼ା ସମ୍ଭାଳିବାକୁ ପଡ଼ିବ । ନିଜେ ନ ଖାଉ ଥାଆନ୍ତେ କି ଜାଣନ୍ତେ ହଁ ସାଧୁଲୋକଗୁଡ଼ାଏ ସ୍ୱର୍ଗରୁ ଗଳି ପଡ଼ିଛନ୍ତି । ତାଙ୍କ ଖାଇବାଟା ସହଜରେ କାହାରି ଆଖିରେ ପଡ଼େନି । ଆମେ ଶହ ସିନା ଖାଉ ହେଲେ ସେମାନେ ‘ହ’ ଓ ‘ଲ’ । ନ ହେଲେ ପାଟି ମେଲା କରନ୍ତି ନାହିଁ । ଚାଲାଖି କଅଣ କମ୍ । ହାତରେ ନେଲେ ସିନା କିଏ କହିବ ଖାଇଲା, ଖାଇଲା । ପାର୍ଟିର ବଡ଼ମୁଣ୍ଡିଆ ମାରଫତ୍‍ରେ ଖାଆନ୍ତି । ହଲ୍ଲା ହେଲେ ବଡ଼ମୁଣ୍ଡିଆ ଯାଏ କଥାଟା ଯାଇ ସେଇଠି ଅଟକି ଯାଏ । ପାର୍ଟି ପାଇଁ ପଇସା ନେବାଟା ପାପ ନୁହେଁ । ତେବେ ବି ଲୋକେ ଝୁଣି ପକାଉଛନ୍ତି । ଲୋକମାନଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ମନ୍ତ୍ରୀଏ କାଁ ଭାଁ କେତେଟା କର୍ମଚାରୀ ଓ ଆମ ବେକକୁ ଚିପି ଦେଉଛନ୍ତି ।’’

 

ଆଉ ଜଣେ ହତାଶିଆ ନିଃଶ୍ୱାସଟାଏ ଛାଡ଼ି କହିଲା–‘‘ହଁ-ହେ; ପାଇଲୁଟ୍ ଯୋଜନା, କୃଷି ଉନ୍ନୟନ, ଗ୍ରାମମଙ୍ଗଳ, ନାରୀମଙ୍ଗଳ, କୁକୁଡ଼ା ଚାଷ, ମହୁ ଚାଷ, ଘିଅ ଚାଷ, ବନ୍ୟା ସାହାଯ୍ୟ, କୁଟୀର ଶିଳ୍ପ ଆଦି ବହୁ ବାଟରେ ମଣିଷ ହାତ ଚିକଣଉଥିଲା । ଅଳପେଇସେ ନିଜ ନିଜ ଭିତରେ କଳି କଲେ, ମଝିରେ ମଲୁ ଆମେ । ସବୁ ଆଡ଼ୁ ଟଙ୍କା ବନ୍ଦ ହୋଇଗଲା । କାଁ ଭାଁ ଯଦି ଟଙ୍କାଏ ମସାଏ କେଉଁ ବାଟରେ ଦିଆ ଯାଉଛି–ସେଥିରେ ବନ୍ଧା ହୋଇଛି ସାତ କି ଆଠ ସୂତା । ମନ ଇଚ୍ଛା ଏପାଖ ସେପାଖ କରିବାର ଜୁ ନାହିଁ ।’’

 

ଆଉ ଜଣେ କହିଲା–‘‘ଭବିଷ୍ୟତଟା ମତେ କାହିଁକି ଭଲ ଦିଶୁନି । ଏକପାର୍ଟିଆ ସରକାର ହୁଅନ୍ତା କି, ମାଡ଼ି ମକଚି ସବୁ କରିଯାଆନ୍ତେ । କଙ୍ଗରସ୍ ପୁଣି କୋଡ଼ିଏ ବର୍ଷ କାଳ ଏମିତି କରି ନେଲା ନା ! ଏବେ ତ ଖାଲି ଦୋମିଶା, ତିମିଶା ସରକାର ଗଢ଼ା ହେଉଛି । ଦିହାତିଆ ଖାଇବ କିଏ ? ସମସ୍ତେ ଉପରେ ଉପରେ ମନରଞ୍ଜା, ଭିତରେ ଭିତରେ ଛକାପଞ୍ଝା । ସାଥି ଜାଣିଗଲେ ଗୁମରଟା ପଦାକୁ ଫୁଟି ବାହାରି ପଡ଼ିବ, ଏହି ଭୟରେ ଖିଆଖୋଇ କାମଟା ସହିସମ୍ଭାଳି ହେଉଛି । ଯେଉଁଠି ମନ୍ତ୍ରୀଏ ଏମିତି ଛେରୁଆ ପାଲଟିଲେଣି ସେଠି ଆମ କଥା ଆଉ ପଚାରେ କିଏ ? ପୂର୍ବପରି ମନ୍ତ୍ରୀମାନଙ୍କ ଠାରୁ ପେଟପୂରା ଖାନା ମିଳିବା ଅସମ୍ଭବ । ଆଡ଼କୁ ଆମର ବାଟ ନ ବଦଳେଇଲେ ରକ୍ଷା ନାହିଁ । ଏବେ ଶିଳଶିଳପୁଆ ଗଗନେ ଉଡ଼ୁଛନ୍ତି; ସେକ୍ରଟେରି, ମେଜେଷ୍ଟର, ପୁଲିସ, ହାକିମ, ଜଜ୍‌ସାହାବମାନଙ୍କ ହାତରେ ବି ହାତକଡ଼ା ପଡ଼ିଯାଉଛି, ସେଠି ଆମେ ଶିମୁଳିତୁଳାମାନେ କାହାକୁ କହିବା ଆମକୁ ରଖ ।’’

 

ସରପଞ୍ଚେ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଲେ–’‘ଏତେଦୂର ଡରି ଯାଅନି । ଆମେ ଯଦି ଠିକଣା ବାଟରେ ଯିବୁ ତେବେ ମନ୍ତ୍ରୀମାନେ ଆମ ଆଡ଼େ ଚାହିଁଯିବେନି । ଆଗ ମନ୍ତ୍ରୀଏ କହୁଥିଲେ ଖାଇ ଯାଅବେ ଖାଇଯାଅ, ଆମେ ତମ ପଛେ ଅଛୁ, ସବୁ ସମ୍ଭାଳି ନେବୁ । ଏବର ମନ୍ତ୍ରୀଏ କିନ୍ତୁ କହୁଛନ୍ତି–ବାପଧନ, ଯେତେ ଖାଉଛ ଖାଅ, ଯାହା ଖାଉଚ ଖାଅ, କିନ୍ତୁ ଖବରଦାର, ଆମ ନଜରକୁ ଯେପରି ନ ଆସେ । ଆମ ନଜରକୁ ଅଣାଗଲେ ଆମେ ଆଉ ମୁହଁ ଚାହିଁ ଯିବୁନୁ । ଖାଇସାରି ଯଦି ମୁହଁ ଧୋଇ ଆସେ ତେବେ ଖାଅ, ପରବାଏ ନାହିଁ, ଆମେ ବି ମୁହଁ ବୁଲେଇ ବସିଯିବୁ । ଏବେ ସୁବିଧା ସତ୍ତ୍ୱେ ତୁମେ ଯଦି ଅଇଣ୍ଠା ମୁହଁରେ ଧରାପଡ଼ ତେବେ ତୁମକୁ କେହି ସାହାଯ୍ୟ କରି ପାରିବନି । ଆମେ ତୁମକୁ ମାମୁଁ ହାତରେ ସଅଁପି ଦେବାକୁ ବାଧ୍ୟ ହେବୁ । ଯଦି ଖାଇ ନଆସେ ତେବେ ଖଟିଖାଅ, ନ ହେଲେ ଭିକ ମାଗ । ସେ ଯାହା କହୁଛନ୍ତି ଉଆଜିପ୍ କଥା କହୁଛନ୍ତି-। ଆମର ସେମିତିକା କିଛି ନୂଆ ବାଟ ଧରିବା ଉଚିତ । କେଉଁ ବାଟ ଧରିବା ସମସ୍ତେ ଠିକ୍ କର ।’’

 

ସମସ୍ତେ ଲାଗିପଡ଼ି ମଥା ଖେଳାଇଲେ । କିଛି ସମୟ ପରେ ଜଣେ ତାଳିଟାଏ ମାରିଦେଇ ବିଳ୍‌ବିଳେଇଲା, ‘‘ଅଃ । ବଢ଼ିଆ ବାଟଟାଏ, କୋଉ ବୋପାର ସାଧ୍ୟ ନଥିବ ଅଇଁଠା ମୁହଁ ଦେଖିବାକୁ, ଦେଖିଲେ ବି କିଛି କରିପାରିବନି । ଚାଲ ଗୋଟିଏ ସମବାୟ ସମିତି ଗଢ଼ିନେବା । ଦିନକ ପାଇଁ କାହାଠାରୁ ହଜାରେ ଟଙ୍କା ମାଗିଆଣି ମୂଳଧନ ରୂପେ ଦେଖେଇଦେଇ ସମବାୟ ବ୍ୟାଙ୍କରୁ ଦଶହଜାର ନେଇ ଆସିବା । ସମବାୟ ବାଲାଙ୍କୁ କିଛି ହାତଗୁଞ୍ଜା ଦେଇଦେଲେ ସେ ସବୁଠାରେ ଖସିବାକୁ ବାଟ ରଖିଦେବେ । ଏଇ ବାଟରେ କୋଟି କୋଟି ଟଙ୍କା ବୋହିଗଲାଣି । ଆମର ଅବଶ୍ୟ ଡେରି ହୋଇ ଯାଇଛି । ଅବଶ୍ୟ ‘ଲ’ ଥାନରେ ‘ହ’ ପାଇବା ତ ।’’

 

ସରପଞ୍ଚେ କଥାଟାକୁ ହସରେ ଉଡ଼ାଇ ଦେଇ କହିଲେ–‘‘ଥାଉ ଥାଉ, ସେ ସମବାୟ ଗୁଡ଼ମୁଆଁ ସରିଗଲାଣି । ତେମେ ତ ଦୁନିଆ ଖବର କିଛି ରଖୁନା । ଗୋଟାଏ କେନ୍ଦ୍ର ସମବାୟ ବ୍ୟାଙ୍କରେ ମୂର୍ଖ ସଭାପତିଟା ହେଡ଼୍‍କିରାନୀ ଉପରେ ରାଗି ତାକୁ ବରଖାସ୍ତ କରିଦେଲା । ସେ ହେଡ଼୍‍କିରାନୀ ଜଣକ କିଛି କମ୍ ନଥିଲା । ନାଗବଚାଟାଏ ତ ! ଚୋଟ ଉପରେ ଚୋଟ ମାରି ସଭାପତିକୁ ତ ଖାଇଲା; ତା ସଙ୍ଗେ ସଙ୍ଗେ ସାରା ସମବାୟ ବିଭାଗକୁ ଦୋହଲାଇ ଦେଲା । ସବୁ ଗୁମର ପଦାରେ ପଡ଼ିଗଲା । ସେତେବେଳର ମନ୍ତ୍ରୀ ବି ମାଙ୍କଡ଼ଚିତ୍ ମାଇଲେ । ଓଲୁଗୁଡ଼ାକ, ଜାଣୁଛ ଗଲ୍‍ତି ଅଛି, ତା ସାଙ୍ଗରେ ଲାଗୁଥିଲ କାହିଁକି ? ତାକୁ ଚୁପ୍‌ଚାପ୍ ଘରକୁ ଡାକିନେଇ ପାକଳାପାକଳି କରିବା ବଦଳରେ ଓଲଟି ଚିମୁଟିବାରେ ଲାଗିଛନ୍ତି । ସେ ବି ଗୋଟିକ ପରେ ଗୋଟିଏ ବ୍ରହ୍ମାସ୍ତ୍ର ଖଞ୍ଜି ଖାଞ୍ଜି ରଖୁଛି । ଦରକାର ବେଳେ ଗୋଟିଏ ଲେଖାଏଁ ଛାଡ଼ିବ । ଗୋଟିଏ ଗୋଟିଏ ବଡ଼ମୁଣ୍ଡିଆ ମାଟି କାମୁଡ଼ିବେ । ସମସ୍ତେ ମୂଳା ଭୟରେ କାକୁସ୍ଥ । ପୂର୍ବପରି ଆଉ ଟଙ୍କା ବିଞ୍ଚିବ କିଏ ? ସେ ସମବାୟ ନା ଆଉ ଧରନା ।’’

 

ସମସ୍ତେ ମିଳି କାନ୍ତରାଟି କରିବା କଥା ଉଠିଲାରୁ ସରପଞ୍ଚେ ତାକୁ ବି ନାପସନ୍ଦ କରି କହିଲେ, ‘‘ହଁ ବାରିବମିସ୍ତ୍ରୀ ବିଭାଗରୁ ଏ ବାଟରେ ଭଲ ଆସୁଥିଲା । ହେଲେ ସେଠି ବି ଲୋକଙ୍କ ନଜର ପଡ଼ିଲାଣି । ଲୋକଙ୍କର ଆଖି ଖୋଲିଗଲାଣି । ସିମିଟିରେ ବାଲି ତିନିବସ୍ତା ଥାନରେ ୪ବସ୍ତା ହୋଇଗଲେ ଖରବକାଗଜରେ ବାହାରିପଡ଼ୁଛି । ଆଗେ ସିନା କିରାନୀ ଓଭରସିଅର, ଇଞ୍ଜିନିୟର ଖାଉଥିଲେ, ଏବେ ଲୋକେ ପାଟି ମେଲା କଲେଣି । ଅନେକେ ଗଲ୍‌ତି ଧରେଇ ଦେବାକୁ ଧମକେଇ ମୋଟା ପଇସା ଆଦାୟ କରିବାକୁ ପେଶା କଲେଣି । ଏସବୁ ବାଟ ଆଉ କାମ ଦେବନି-।’’

 

ଜଣେ ମାମଲତାର ଗମ୍ଭୀର ହୋଇ କହିଲା–‘‘ଗୋଟିଏ ବଢ଼ିଆ ବାଟ ଅଛି । ହେଲେ ତାକୁ ନେଇଆଣି ଥୋଇପାରିଲେ ଖୁବ୍ କାମ ଦେଖାଇବ । ଆମର ଏ ଖଣ୍ଡମଣ୍ଡଳରେ କଲେଜ ନାହିଁ । ଗୋଟିଏ ଯାହିତାହି କଲେଜ ଠିଆ କରାଇଦେଲେ ବହୁ ବାଟରେ ଟଙ୍କା ଆସିବ । ମନ ଇଚ୍ଛା ଟଙ୍କା ଖାଇ ହେବ । କେହି ସନ୍ଦେହ କରିବେନି । ସନ୍ଦେହ କଲେ ବି ପଚାରିବାକୁ ସାହାସ କରିବେନି । ଚାନ୍ଦା ଆଦାୟ କରିବାକୁ ବି ସୁବିଧା । ଲୋକେ ଖୁସିରେ ଦେବେ । କୌଣସି ପ୍ରକାରରେ ଡିପୋଜିଟ୍ ଟଙ୍କାଟା ଶିକ୍ଷା ବିଭାଗରେ ପଇଠ କରିଦେଲେ, ତେଣିକି ଆମ ପଙ୍ଗତ ସୁରୁ ହୋଇଯିବ ।’’

 

କଥାଟା ସମସ୍ତଙ୍କ ମନକୁ ପାଇଗଲା । ସରପଞ୍ଚେ ତା ବୁଦ୍ଧିକୁ ବହୁତ ବହୁତ ତାରିଫ୍ କଲେ । ଶୁଭସ୍ୟ ଶୀଘ୍ରମ୍‍ । ସଙ୍ଗେ ସଙ୍ଗେ କାମ ଆରମ୍ଭ ହୋଇଗଲା । ଜିଲ୍ଲା ହାକିମଙ୍କୁ ସଭାପତି ଓ ଜଣେ କ୍ରୋଡ଼ପତି ମିଲ୍‌ମାଲିକଙ୍କୁ ଉପସଭାପତି କରି ସଭା ଉପରେ ସଭା ନାଦି ଦିଆଗଲା । ଗାଁ ପୋଖରୀ ଘଣ୍ଟା ହେଲାବେଳେ ଗାଁ ଲୋକେ ଯେମିତି ଖଣ୍ଡିଏ ଖଣ୍ଡିଏ ପୋଳୁହ ଧରି ଧାଆଁନ୍ତି, ସରପେଞ୍ଚିଆ ଦଳ ସେମିତି ଖଣ୍ଡେ ଖଣ୍ଡେ ରସିଦ ବହି ଧରି ସାରା ଅଞ୍ଚଳଟାକୁ ଖେଦିଗଲେ । କ୍ରମେ ଆଦାୟକାରୀମାନଙ୍କ ପୋଷାକପତ୍ର ଓ ତାପରେ ଶାରୀରିକ ଉନ୍ନତି ଦେଖାଗଲା । ଗୋଟାଏ କଲେଜ ହେବ, ପିଲାଏ ସ୍କୁଲରୁ ପାସ୍ କରି ସେଇଠି କଲେଜରେ ପଢ଼ିବେ, ସହରକୁ ଯାଇ ଆଉ ହଲାପଟା ହେବାକୁ ପଡ଼ିବନି । ନ ଦେଲା ଲୋକ ବି ମୁଣି ଖୋଲିଦେଲେ । ଚାନ୍ଦା ଆଦାୟକାରୀମାନେ ଭୋକ ଓପାସ, ଦିନ-ରାତି ଭୁଲି କାମରେ ଲାଗିଥାନ୍ତି । ଆଦାୟକାରୀମାନେ ‘ଚିହ୍ନା ନପଡ଼ି ଗୋପନ ଦାନ’ର ଉପାଦେୟତା ଓ ଶ୍ରେଷ୍ଠତ୍ୱ ବିଷୟରେ ସାରଗର୍ଭକ ଭାଷଣମାନ ଦେବା ଫଳରେ ବହୁବ୍ୟକ୍ତି ମୋଟା ଟଙ୍କା ଗୋପନରେହିଁ ରହିଗଲା । ଅର୍ଥାତ୍ ସଂଗୃହୀତ ପାଣ୍ଠିରେ ସେମାନେ ଦେଖାଗଲେ ନାହିଁ ।

 

ଜିଲ୍ଳା ହାକିମ ଓ କ୍ରୋଡ଼ପତିଙ୍କ ଆନ୍ତରିକ ଉଦ୍ୟମ ଫଳରେ କଲେଜଟା ସ୍ଥାପିତ ହୋଇଗଲା । ନାମକରଣ ନେଇ ଗୋଟିଏ ବଡ଼ ସମସ୍ୟା ଦେଖାଦେଇଥିଲା । ଆଖପାଖରେ ପ୍ରାୟ ଷାଠିଏଟା ଗାଆଁର ଲୋକେ ଷାଠିଏଟା ନାମ ବାଢ଼ି ବସିଲେ । ଲାଗିଲା କଳି, ଟଣାଟଣି, ପେଲାପେଲି । କଥାଟା ଯେତେବେଳେ ଠେଙ୍ଗାବାଡ଼ି ଯାଏ ଗଲା ଜିଲ୍ଳା ହାକିମ ପ୍ରମାଦ ଗଣିଲେ । ଶେଷରେ ସମସ୍ତଙ୍କୁ ସେ ଏକାଠି କରି ବୁଝାଇ ଦେଲେ, ‘‘ଦେଖ ଏଇଟା ଭବିଷ୍ୟତରେ ଗୋଟାଏ ମସ୍ତବଡ଼ କଲେଜ ହେବ । ଏଣୁ ଗୋଟାଏ ଗାଆଁର ନାଆଁ ଦେଇ ତାକୁ ଛୋଟ କରି ଦେବା ଉଚିତ ହେବନାହିଁ । ବିଦ୍ୟାଦାତା ଗଣେଶଙ୍କ ନାମରେ କରାଯାଉ । କଲେଜର ନାମ ‘ଇନ୍ଦୁରବାହନ’ କଲେଜ କରାଯାଉ । ସମସ୍ତେ ହୋଇ ହୋଇ ମାରିଦେଲେ । ହେଲେ କେତେ ଜଣ ଲୋକ ନାମକରଣ ଶେଷରେ ପଦାକୁ ଯାଇ ଫସୁରୁ ଫୁସୁରୁ ହେଲେ–‘‘ଗଲା, କଲେଜଟା ଗଲା । ଇନ୍ଦୁର ସବାରକୁ ତଳେ ଫୋପାଡ଼ି ଦେଇ କଲେଜ ଭିତରେ ଗାତ କରି ପକାଇବ । ଏଠି ଯେଉଁ ଦି’ଗୋଡ଼ିଆ ଇନ୍ଦୁରସବୁ ସାଲୁସାଲୁ ହେଉଛନ୍ତି ସେମାନେ କେଇଟା ବର୍ଷରେ କଲେଜର ମୂଳଦୁଆକୁ ବି ଖୋଳି ପକାଇବେ । ସେମିତିଆ ଦି’-ଗୋଡ଼ିଆ ବିରାଡ଼ି ଏଠାରେ ନ ରହିଲେ କଥା ଶେଷ ।’’

 

ଇନ୍ଦୁରବାହନ କଲେଜ ସୁରୁ ହୋଇ ଯିବାପରେ ପେଞ୍ଚୁଆ ଦଳଙ୍କର ଟିକିଏ ହତାଶିଆ ଭାବ ଦେଖାଗଲା । ଲୋକେ ଆଉ ଟଙ୍କା ଦେଲେନି । ସେମାନଙ୍କର ଚିକ୍‌ଣିଆ ହାତ କ୍ରମେ ଖଦଡ଼ା ହେବାକୁ ଲାଗିଲା । ସେମାନଙ୍କର ଆତଙ୍କର କାରଣ ବୁଝିପାରି ସରପଞ୍ଚ ସାନ୍ତ୍ୱନା ଦେଇ କହିଲେ–‘‘ଥୟ ଧର, ହତାଶ ହୁଅନା, କଲେଜ ମେନେଜିଂ କମିଟିରେ ମୁଁ ଅଛି । ଆସ୍ତେ ଆସ୍ତେ ସମସ୍ତଙ୍କୁ ନେଇ ସେଥିରେ ପୁରାଇ ଦେବି । ତେଣିକି ଅନ୍ୟବାଟରେ ହାତ ଚିକିଣେଇବା । ଇନ୍ଦୁରକୁ ଗଣେଶ ବୋହିବା କାମରେ ନ ଲଗେଇ ଟଙ୍କାଥଳି ବୋହିବା କାମରେ ଲଗେଇଦେବା । ଟିକିଏ ସବରାତ୍ କରିଯାଅ ଦେଖିବ କେତେ ବାଟ । ଇନ୍ଦୁର ତା ବସାରୁ ପଦାକୁ ବହୁ ବାଟ ରଖିଥାଏ । ତାକୁ କେଉଁ ବାଟଟା ବନ୍ଦ କରିବ ?’’

 

କିଏ ସିନା ଦୁଧରେ ସର ପକାଏ, ସରପଞ୍ଚ କିନ୍ତୁ ପେଞ୍ଚପାଞ୍ଚରେ ବି ସର ପକାଇ ଦିଅନ୍ତି, ସେଥିପାଇଁ ତ ତାଙ୍କ ନାମ ସରପଞ୍ଚ । ଘଣ୍ଟା କଣ୍ଟା କାମ କଲା ପରି ସେ ପେଞ୍ଚପାଞ୍ଚ କରି ଚାଲିଲେ । ମାସ କେଇଟିରେ ଅନୁଚରମାନେ ମେନେଜିଂ କମିଟିରେ ପଶିଲେ ।

 

ଇନ୍ଦୁରର ଗୋଟାଏ ବାଟ ପହିଲେ ଦେଖାଗଲା । ନାଆଁ ଲେଖାଇବାକୁ ଆତୁର ପିଲାଙ୍କଠାରୁ କଲେଜ ସଂପ୍ରସାରଣ ନାଆଁରେ ମୁଣ୍ଡପିଛା ଦୁଇଶହ ଲେଖାଏଁ ଟଙ୍କା ବିନା ରସିଦରେ ଆଦାୟ କରାଗଲା । ପ୍ରତିବର୍ଷ ଇନ୍ଦୁର ଏଇବାଟେ ଗୋଟାଏ ଲେଖାଏଁ ଇସକାର୍‍ ଟଙ୍କାଥଳି ବୋହିଆଣିଲା । ଏ ଟଙ୍କା ଘରୋଇ ମହାଜନିରେ ଲାଗି ଖଦଡ଼ିଆ ହାତଗୁଡ଼ିକ ବେଶ୍ ଚିକିଣିଆ କରିଦେଲା ।

 

ଇନ୍ଦୁରର ପୁଣି ଗୋଟିଏ ବାଟର ସନ୍ଧାନ ମିଳିଲା । ପେଞ୍ଚୁଆ ଦଳ ଆନନ୍ଦରେ କୁଲୁରି ଉଠିଲେ । ସରକାରୀ ଗ୍ରାଣ୍ଟ, ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ, କମିଶନ୍‌ଙ୍କ ଗ୍ରାଣ୍ଟ, କଲେଜ ଉନ୍ନୟନ ପାଇଁ ସରକାରଙ୍କର ସ୍ପେଶାଲ୍‍ ଗ୍ରାଣ୍ଟ ଆଦି ଏଇ କାଟରେ ଇନ୍ଦୁରଙ୍କଦ୍ୱାରା ବୁହା ହୋଇ ଆସିଲା । ସରପଞ୍ଚ ଫଉଜ ଏତେ ମଜଗୁଲ୍‍ ହୋଇଗଲେ ଯେ ସେମାନଙ୍କର ଏକମାତ୍ର କାମ ହେଲା ଇନ୍ଦୁରର ନୂଆବାଟ ଖୋଜିବା । ଫଳରେ ଫେଲ୍ ପିଲାଙ୍କୁ ପାଶ୍ କରାଇ ଦେବାକୁ ଟଙ୍କା ଆଦାୟ କରାଗଲା ।

 

ଅଧ୍ୟାପକମାନେ ସବୁ ଜାଣୁଥିଲେ ସୁଦ୍ଧା ଚାକିରି ବଜାୟ ରଖିବା ପାଇଁ ଓ ଦରମାଗଣ୍ଡାକ ସୁରୁଖୁରୁରେ ପାଇଯିବାକୁ ସାଡ଼େ ନଜର ଦେଇ ନ ଥିଲେ କି ଉଁ ଚୁଁ କରି ନ ଥିଲେ । କିନ୍ତୁ ଯେଉଁଥର ମାତ୍ର ଶେଷ ବେଳକୁ ଅଧ୍ୟାପକମାନଙ୍କଠାରୁ ପୂରା ଦରମା ପ୍ରାପ୍ତିର ରସିଦ୍ କରାଇନେଇ ଅଧା ଦରମା ଧରାଇ ଦେଲେ, ସେହିଦିନ ଅଧ୍ୟାପକ ତଥା ଅଧ୍ୟକ୍ଷଙ୍କ ନିଦ ଭାଙ୍ଗିଗଲା । ସେଇ ମାସଟିର ଦରମା କଟା ହୋଇଥିଲେ ରକ୍ଷା ହୋଇଥାନ୍ତା; କିନ୍ତୁ ପ୍ରତି ମାସରେ ତାର ପୁନରାବୃତ୍ତି ଅଧ୍ୟାପକମାନଙ୍କୁ ଅଥୟ କରି ପକାଇଲା । ସେମାନଙ୍କର ଏକ ଜରୁରିକାଳୀନ କବାଟକିଳା ବୈଠକ ସୁରୁ ହୋଇଗଲା । ଜଣେ କହିଲେ, ‘‘ଆମକୁ ଧିକ୍, ଆମ ପାଠକୁ ଧିକ୍ । ସବୁଠାରୁ ଉଚ୍ଚ ଶିକ୍ଷା ପାଇ ଆମେ ଏବେ ଶ୍ରୀଅକ୍ଷରବିବର୍ଜିତ ମୂର୍ଖ, ଟାଉଟର ଓ ଡାକୁମାନଙ୍କ ଦ୍ୱାରା ପରିଚାଳିତ ହେବୁ ? ପିଲାଙ୍କୁ ପାଠ ପଢ଼େଇବୁ ନା ନୀଚ ସେବାରେ କାଳ କଟେଇବୁ ?’’

 

ଆଉ ଜଣେ କହିଲେ ‘‘ଯେଉଁଠି ଠକ୍‍, ଅର୍ଦ୍ଧଶିକ୍ଷିତ ବା ଅଶିକ୍ଷିତ ଦୋଗୋଲାମାନେ ରାଜ୍ୟର ସର୍ବମୟକର୍ତ୍ତା ହୁଅନ୍ତି ସେଠି ଏ ମୂର୍ଖ, ଜୁଆଚୋର ଦଳ ଆମକୁ ପରିଚାଳିତ କରିବେ ଇ କରିବେ ।’’

 

ଆଉ ଜଣେ କହିଲେ ‘‘ଏଇଟା ଯଥାର୍ଥ କଳିଯୁଗ; ସବୁ ଓଲଟା । ଆଗେ ଜ୍ଞାନୀମାନେ ଅଜ୍ଞାନମାନଙ୍କୁ ବାଟ ଦେଖାଉଥିଲେ । ସେମାନଙ୍କୁ ଠିକ୍‍ ବାଟରେ ନେଇ ଯାଉଥିଲେ ଜ୍ଞାନର ମଶାଲ ଜାଳି ଅଜ୍ଞାନଅନ୍ଧକାର ଦୂର କରୁଥିଲେ । ଏବେ ଅଜ୍ଞାନମାନେ ଜ୍ଞାନୀମାନଙ୍କୁ ଜବରଦସ୍ତ ତଣ୍ଟିଆମାରି ତାଙ୍କରି ବାଟରେ ଠେଲି ନେଇ ଯାଉଛନ୍ତି । ଅଜ୍ଞାନର ହୋସ୍‍ପାଇପ୍‍ରୁ ପାଣି ଫୋପାଡ଼ି ଜ୍ଞାନର ମଶାଲ ସବୁ ଲିଭେଇ ଦେଉଛନ୍ତି, ଦେଶଟାକୁ ଅନ୍ଧାରରେ ବୁଡ଼େଇ ଦେଉଛନ୍ତି । ଅଜ୍ଞାନଙ୍କ କଳାରାଜତ୍ୱ କିଛି ଦିନ ଚାଲିବ । ଆମକୁ ଗୁଡ଼ାଏ ଅପମାନ, ଦୁଃଖ, ଦାରିଦ୍ର୍ୟ ଭୋଗିବାକୁ ପଡ଼ିବ ।’’

 

ଜଣେ ଟୋକା ଅଧ୍ୟାପକ ଉତ୍ତେଜିତ ହୋଇଯାଇ କହିଲେ–‘‘ଏପରି ନଇଁ ପଡ଼ିବାଟାକୁ ମୁଁ ବରଦାସ୍ତ କରି ପାରିବିନି ।

 

ଦେଶ ଗାଧୋଇ ଯାଉ । ଯେଉଁ ବଦମାସ, ଗଣ୍ଡମୂର୍ଖମାନେ ଆମକୁ ମେଣ୍ଢାଛୁଆ ବୋଲି ପାଇଛନ୍ତି, ସେମାନଙ୍କୁ ଆମେ ପାନେ ଆଚ୍ଛାକରି ଦେବା । ସେମାନେ ଯେ ପର୍ଯ୍ୟନ୍ତ ଆମ ଦେହରେ ଟିପ ଛୁଆଇଁ ନ ଥିଲେ ସେତେଦିନଯାଏ ଆମେ ପିଲାଙ୍କୁ ଠିକ୍ ଠିକ୍ ପାଠ ପଢ଼ାଉଥିଲୁ । ସେମାନେ ଆମ ଦିହରେ ହାତ ଦେଲେଣି, ଏଣିକି ଆମେ ପିଲାଙ୍କୁ ଅଲଗା ପାଠ ପଢ଼ାଇବା । ଯାହା ହେବାର ହୋଇଯାଉ ।’’

 

କଥାଟାକୁ ଟୋକାଟାକଳିଆ ଅଧ୍ୟାପକମାନେ ମାନିନେଲେ । ବୁଢ଼ାଳିଆମାନେ ଟିକିଏ ‘ଉଁ, ଆଁ’ ହୋଇ ମୌନ ରହିଲେ । ପଢ଼ାର ମୁହଁ ସେଇଦିନଠାରୁ ବଦଳିଗଲା ।

 

ଅର୍ଥନୀତି ଅଧ୍ୟାପକ ପଢ଼େଇଲେ–ପୁଞ୍ଜିପତି ପରିଚାଳକବୃନ୍ଦ ଏହି କଲେଜ ଫ୍ୟାକ୍‍ଟେରୀରେ ଅଧ୍ୟାପନା ଶ୍ରମକୁ ବେପରବାଏ ଭାବରେ ଶୋଷଣ କରି କଳର ସୁଚାରୁ ପରିଚାଳନା କରୁ ନଥିବାରୁ ପ୍ରସ୍ତୁତ ମାଲ୍‌ସବୁ ବଜାରରେ ଅନାଦୃତ ହେଉଛି । ଏଣୁ ପୁଞ୍ଜିପତିମାନଙ୍କୁ ହଟେଇ ସାମ୍ୟବାଦୀମାନଙ୍କୁ ଆଣିବା ଦରକାର ।

 

ଓଡ଼ିଆ ଅଧ୍ୟାପକ ରସ ବିଷୟ ପଢ଼ଉ ପଢ଼ଉ କହିଲେ–ଏବେ ଛାତ୍ରଙ୍କ ପାଇଁ ଆଦିରସରୁ ଟୋପାଏ ମିଳିବା ଅସମ୍ଭବ । ପରିଚାଳନା ସମିତିର ଆଦିରସଲୋଭୀ ସଭ୍ୟବୃନ୍ଦ ଚାଟିଚୁଟି ସବୁରସ ନିଃଶେଷ କରି ଦେଇଛନ୍ତି । ଟୋପାଏ ବି କେଉଁଠି ଦେଖାଦେଲେ ସେମାନେ ଚାଟି ଦେଉଛନ୍ତି-। ସେମାନଙ୍କ ନିକଟରେ ଭୟାନକ, ବୀଭତ୍ସ, ବୀର, ରୌଦ୍ର ଆଦି ରସର ସଞ୍ଚାର କରା ନ ଗଲେ ଛାତ୍ରମାନେ ଆଉ ଆଦିରସର ସନ୍ଧାନ ପାଇବେ ନାହିଁ ।

 

ଇତିହାସ ଅଧ୍ୟାପକ ପଢ଼ାଇଲେ–ଅବିବେକୀ ଏକଛତ୍ରାଧିପତି ଷୋଡ଼ଶ ଲୁଇ ଓ ଜାର୍‌ଙ୍କ ଯୋଗୁଁ ଯଥାକ୍ରମେ ଫ୍ରାନ୍‍ସ ଓ ରୁଷିଆରେ ରାଷ୍ଟ୍ରବିପ୍ଳବ ଦେଖା ଦେଇଥିଲା । ଏହି ବିପ୍ଳବର ନିଆଁରେ ଲୁଇ ଓ ଜାର ପୋଡ଼ି ପାଉଁଶ ହୋଇଗଲେ । ଫ୍ରାନ୍‌ସ, ରୁଷ୍‍ ଆଉ ଆମ କଲେଜ ବି ଗୋଟିଏ ନିୟମରେ ବନ୍ଧା । ଲୁଇ, ଜାର ଓ ଆମ ପରିଚାଳନା ସମିତି ମଧ୍ୟ ଏକ ନିୟମରେ ବନ୍ଧା ।

 

ଦର୍ଶନ ଅଧ୍ୟାପକ ପଢ଼େଇଲେ–ଯଦା ଯଦାହି ଧର୍ମସ୍ୟ ଏ ଗୀତାଦର୍ଶନ ଅତି ଅମୂଲ୍ୟ । ସବୁ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ଯେତେବେଳେ ଜ୍ଞାନୀ ବା ଅଧ୍ୟାପକମାନଙ୍କର ଗ୍ଳାନି ଘଟେ ଏବଂ ଅଜ୍ଞାନ, ଅବିବେକୀ ପରିଚାଳକମାନଙ୍କର ଅଭ୍ୟୁଦୟ ଘଟେ ସେତିକିବେଳେ ଯୁବଶକ୍ତି ନିଜକୁ ସୃଜନ କରେ । ଅଧ୍ୟାପକମାନଙ୍କୁ ପରିତ୍ରାଣ ଓ ପରିଚାଳକମାନଙ୍କୁ ବିନାଶ କରି ଜ୍ଞାନର ସଂସ୍ଥାପନ ନିମିତ୍ତ ଯୁଗେ ଯୁଗେ ଛାତ୍ରଶକ୍ତିର ସମ୍ଭବ ହୋଇଥାଏ ।

 

ଏହିପରି କ୍ରମାଗତ ଅଧ୍ୟାପନା ଫଳରେ ଛାତ୍ରଶକ୍ତି ଉଠିଲା ପଡ଼ିଲା । ଅଧ୍ୟାପକମାନେ ଅତି ସତର୍କତା ସହିତ ସେମାନଙ୍କ କ୍ରୋଧାଗ୍ନିକୁ ଫୁଙ୍କି ଲାଗିଲେ ।

 

ଛାତ୍ର ଅସ୍ଥିରତା ନିବାରଣ ପାଇଁ ପରିଚାଳକମାନେ ନିଜେ ଏକଜୁଟ ହୋଇଥିଲା ବେଳେ ଧର୍ମସଂସ୍ଥାପନାର୍ଥାୟ ଛାତ୍ରଶକ୍ତି ଭୁଷ୍‌ କରି ନିଜକୁ ସୃଜନା କରିଦେଲା । ଫଳରେ ପରିଚାଳକମାନଙ୍କର ବୈଠକରେ ଧ୍ୱଂସର ତାଣ୍ଡବ ଖେଳିଗଲା । କାହାର ହାତ ଭାଙ୍ଗିଲା, କାହାର ଗୋଡ଼ ଭାଙ୍ଗିଲା, କାହାର ବା ମୁଣ୍ଡ ଫାଟିଲା । ସମସ୍ତେ ଆମ୍ବୁଲାନ୍‌ସରେ ବୁହାହୋଇ ଡାକ୍ତରଖାନାକୁ ଗଲେ । ସେମାନଙ୍କ ଘରେ ମଧ୍ୟ ଅଧରାତିଆ ବୋଲୁଅ ପଡ଼ିଲା । ଦୁଆର କବାଟରେ ଗୁହ ବୋଳା ହେଲା ।

 

କଲେଜ କିଛିଦିନ ପାଇଁ ବନ୍ଦ ହୋଇଗଲା ସତ, ଶେଷରେ କିନ୍ତୁ ଛାତ୍ରମାନେ ଅଡ଼ିବସିବାରୁ ସରକାର ବାଧ୍ୟହୋଇ ଇନ୍ଦୁର କଲେଜକୁ ହାତକୁ ନେଲେ ।

Image

 

Unknown

ସଭାପତି ନିର୍ବାଚନ

 

ଗୋଟିକ ପରେ ଗୋଟିଏ ଅଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ, ହିନ୍ଦୀ ସାହିତ୍ୟ ସମ୍ମିଳନୀ, ତେଲୁଗୁ ସାହିତ୍ୟ ସମ୍ମିଳନୀ, ଉର୍ଦ୍ଦୁ ସାହିତ୍ୟ ସମ୍ମିଳନୀ ଭୁବନେଶ୍ୱରରେ ମହାସମାରୋହରେ ସମାପ୍ତ ହେବା ପରେ ଓଡ଼ିଆ ସାହିତ୍ୟ କଡ଼ ଲେଉଟାଇଲା । ସମ୍ମିଳନୀମାନଙ୍କର ଆନନ୍ଦ କୋଳାହଳରେ ଓଡ଼ିଆ ସାହିତ୍ୟର ନିଦ ଭାଙ୍ଗିଲା ସତ; କିନ୍ତୁ ଚଟାପଟ୍ ଉଠି ପଡ଼ିବାକୁ ତାର ଇଚ୍ଛା ହେଉ ନ ଥାଏ । ଭିଡ଼ିମୋଡ଼ି ହୋଇ, ହାଇ ମାରି ପୁଣି ଘାଲେଇ ପଡ଼ୁଥାଏ । ଏପରି ଅଳସୁଆପଣଟା କିନ୍ତୁ ଜେନା କବି ମୁରାରିମୋହନ ଜେନାଙ୍କୁ ବିଲ୍‍କୁଲ୍ ଭଲ ଲାଗିଲାନି । ସେ ରାଗରେ ପାଚି ଯାଇ ଗର୍ଜି ଉଠିଲେ–‘‘ଉଠୁଛ ନା ଠିଆ ଫାଡ଼ି ଦେବି, କୋଉ ବୋପା ତୋ ପିଠିରେ ପଡ଼ିବ । ଯଦି ନ ଫାଡ଼ିଛି ତେବେ ମୋ ନାଆଁରେ କୁକୁର ପାଳିବ ।’’

 

ଏପରି ଝିଙ୍ଗାସ ବଚନ ଶୁଣି ଓଡ଼ିଆ ସାହିତ୍ୟ ଉଠି ପଡ଼ିଲା । ଫୁଲ ଫୁଟିଲେ ଭଅଁରମାନେ ଯେପରି ବେଢ଼ିଯାଇ ଗୁଞ୍ଜନ ଆରମ୍ଭ କରିଦିଅନ୍ତି, ଓଡ଼ିଆ ସାହିତ୍ୟ ଚେଇଁ ଉଠିବାରୁ ଗଜା, ବୁଢ଼ା, ହଡ଼ା ସାହିତ୍ୟିକମାନେ ସେଠାକୁ ଧାଇଁ ଗୁଣୁଗୁଣୁ ଆରମ୍ଭ କରିଦେଲେ । ଜେନାକବି ସମସ୍ତଙ୍କୁ ଧିକ୍‌କାରି କହିଲେ–‘‘ଆମ୍ଭମାନଙ୍କର ସତିଚଉରାକୁ ଯାଇ ସେଇଠି ଏନ୍‌ଡ଼୍ରିନ୍ ପିଇଦେବା ଦରକାର । ପଡ଼ୋଶୀ ସାହିତ୍ୟିକମାନେ ସେମାନଙ୍କର ନିଜ ନିଜ ଘରେ ସାହିତ୍ୟ ସମ୍ମିଳନୀ କରି କରି ଗଇଁଆ ହେଲାରୁ ସର୍କସ ପରି ଭ୍ରାମ୍ୟମାଣ ସାହିତ୍ୟ ସମ୍ମିଳନୀ ଚାରିଆଡ଼େ ବୁଲେଇ କଲେଣି । ଆମେ ଏ ପର୍ଯ୍ୟନ୍ତ ଆମ ଘରେ ଗୋଟିଏ ସର୍ବଭାରତୀୟ ସମ୍ମିଳନୀ କରି ପାରିଲୁନି । ପଡ଼ୋଶୀ ସାହିତ୍ୟକମାନେ ଏଇଠି ସମ୍ମିଳନୀ କରି ଆମ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଖେଇ ଦେଇଗଲେ । ତଥାପି ଆମେ ଶିଖିଲୁ ନାହିଁ, ଧିକ୍,ଆମକୁ ଧିକ୍, ଆମ ସାହିତ୍ୟ ସାଧନାକୁ ଧିକ୍ ।’’

 

ଏହା କହି ଜେନାକବି ନିଜ କପାଳରେ ଏକ ହତାଶିଆ ଥାପଡ଼ ବସେଇ ଦେଲେ । ଭାବପ୍ରବଣତାଟା ଅତି ପ୍ରଖର ହୋଇଥିବାରୁ ଥାପଡ଼ଟା ବି ଅଲକ୍ଷରେ ଅତି ପ୍ରଖର ହୋଇଗଲା । କବିମୁଣ୍ଡ କି ଏଡ଼େ ଟାଣୁଆ ଥାପଡ଼ା ସହିପାରେ ! ଜେନା କବିଙ୍କ ମୁଣ୍ଡ ଘୂରିଗଲା । ଆଖିରୁ ଜୁଳୁଜୁଳିଆ ପୋକ ବାହାରି ପଡ଼ିଲା । ସେ ସେଇଠି କଚାଡ଼ି ହୋଇ ପଡ଼ିଗଲେ । ହା ହାଁ, କଅଣ ହେଲା, କଅଣ ହେଲା, କହି ଅନ୍ୟ ସାହିତ୍ୟିକମାନେ ତାଙ୍କୁ ସାଷ୍ଟମ କରିବାରେ ଲାଗିପଡ଼ିଲେ । ମୁହଁ ବିଞ୍ଚା ଓ ମୁହଁରେ ପାଣି ଛାଟ ପରେ ଜେନାକବି ଚେଇଁ ଉଠି ବସିଲେ । କବି ସୀତାନାଥ ମହତାବ ପ୍ରବୋଧ ଦେଇ କହିଲେ, ‘‘ହଇହେ, ତୁମେ ଜଣେ ପ୍ରତିଷ୍ଠିତ କବି, ଦେଶର ଅମୂଲ୍ୟ ସମ୍ପଦ, ଏପରି କଲେ କିପରି ହେବ, ଏପରି ଭାବପ୍ରବଣ ହେଲେ ଚଳିବ କି ? ହଉ ହଉ ଏଇଟା ଧରିଲ ।’’–ଏହା କହି ତଳେ ପଡ଼ିଯାଇଥିବା ହାତ ମୁଣିଟାକୁ ଜେନା କବିଙ୍କୁ ଧରାଇଦେଲେ ।

 

ଜେନାକବି ପ୍ରକୃତିସ୍ଥ ହୋଇ ବଜ୍ର ଡାକରା ଦେଲେ–‘‘ଆମକୁ ଯେ କୌଣସି ପ୍ରକାରରେ, ଏଇ ଓଡ଼ିଶା ମାଟିରେ ନିଖିଳ ଭାରତୀୟ ସାହିତ୍ୟ ସମ୍ମିଳନୀଟିଏ କରିବାକୁ ହେବ ।’’

 

ସମସ୍ତେ ଏକ ସଙ୍ଗେ ରଡ଼ି ଦେଲେ–‘‘ଅଲବତ୍ ହେବ ।’’

‘‘ଆମେ ସମସ୍ତେ ଏକଜୁଟ୍‌ ହେବା ।’’

‘‘ଅଲବତ୍ ହେବା’’ ।

‘‘ସରକାରଙ୍କଠାରୁ ମୋଟା ଟଙ୍କା ଆଣିବା ।’’

‘‘ଅଲବତ୍ ଆଣିବା ।’’

‘‘ସବୁ ପଡ଼ୋଶୀ ସାହିତ୍ୟିକଙ୍କୁ ଡାକିବା ।’’

‘‘ଅଲବତ୍ ଡାକିବା ।’’

‘‘ଓଡ଼ିଆ ସାହିତ୍ୟର ଐଶ୍ୱର୍ଯ୍ୟ ପଡ଼ୋଶୀଙ୍କ ଆଗରେ ଖୋଲିଦେବା ।’’

‘‘ଅଲବତ୍ ଖୋଲି ଦେବା ।’’

‘‘ଜୟ ମା ଉତ୍କଳ ଭାରତୀ କି–’’

‘ଜ...ଅ...ୟ’

 

ବନ୍ଧୁମାନଙ୍କ ସମର୍ଥନ ପାଇ ଜେନାକବି ଆନନ୍ଦରେ ଫୁଲିଉଠିଲେ । ଭଲ କାମଟିଏ କଲେ ଲୋକବଳ ବା ଧନବଳର ଅଭାବ ଘଟେ ନାହିଁ । ରାଜ୍ୟର ଇଜ୍‍ଜତ ବଞ୍ଚେଇବା କାମ । ଜେନାକବିଙ୍କ ସାଙ୍ଗକୁ ବହୁ ଭେଣ୍ଡିଆ, ଦରଭେଣ୍ଡିଆ ଗଜାଭେଣ୍ଡିଆ, ସାହିତ୍ୟିକ ଆସି ଜୁଟିଗଲେ କାମଦାମ ପଛକୁ ପକେଇ ସମସ୍ତେ ଦିନ ରାତି ଯୋଜନା କରିବାରେ ଲାଗି ପଡ଼ିଲେ ।

 

ଚାହୁଁ ଚାହୁଁ ବିଭାଗ ମାନ ଗଢ଼ା ହୋଇଗଲା । ପ୍ରତ୍ୟେକ ବିଭାଗ ପାଇଁ ମୁଖିଆ ବଛା ବେଳେ ଜୋରସୋରରେ ଗୁଁ ଗାଁ ଲାଗିଯାଉଥାଏ । ବେଶି ଗୁଁ ଗାଁ ଲାଗିଲା ଚାନ୍ଦା ଆଦାୟ ଓ ସ୍ମାରକୀ ପ୍ରକାଶନ ବିଭାଗ ପାଇଁ । କଙ୍ଗାଳି ସାହୁ ଅଡ଼ି ବସିଲେ ଚାନ୍ଦା ବିଭାଗର ମୁଖିଆ ହେବାକୁ-। କିନ୍ତୁ ବିଷମୁଖ ଦାସ ରୋକ୍‌ଠୋକ୍‌ ଶୁଣାଇ ଦେଲେ–‘‘ସେ କାଙ୍ଗାଳିଆ ହାତରେ ଚାନ୍ଦା ବିଭାଗ ଦେବା ଯାହା ବିରାଡ଼ି ହାତରେ ମାଛର ରକ୍ଷଣାବେକ୍ଷଣ ଭାର ଦେବା ସେଇଆ । ତିନିଭାଗ ତା ପେଟରେ ଯିବ । ଭାଗକରେ କାମ ହେବ ।’’ କାଙ୍ଗାଳି ଓ ବିଷମୁଖଙ୍କ ଭିତରେ ବେଶ୍‍ ତେରିମେରି ଲାଗିଗଲା । ଅନ୍ୟମାନେ ଆବୋରିପଡ଼ି ହାତାହାତିଟାକୁ ବନ୍ଦ କରିଦେଲେ । ଜେନାକବିଙ୍କ ମନଟା ଊଣା ହୋଇଗଲା । ସେ ମନେ ମନେ ଭାବିଲେ-ଆରମ୍ଭରୁ ତ ବିରାଡ଼ି ଛିଙ୍କିଲାଣି; ଆଗକୁ କଅଣ ଅଛି ଭଗବାନଙ୍କୁ ଜଣା ।

 

ସ୍ମାରକୀର....ସମ୍ପାଦକ ହେବା ପାଇଁ ଗଜାନନଙ୍କ ଜିଗରକୁ ତେଢ଼ି–ଦେଇ ବିଷମୁଖ ସାଫ୍ ସାଫ୍ ଶୁଣେଇ ଦେଲେ, ‘‘ଗୋଟାଏ ଗଜ ମୂର୍ଖକୁ ସ୍ମାରକୀ ସଂପାଦନଭାର ଦେବ ଯାହା ମାଙ୍କଡ଼ ହାତରେ ଶାଳଗ୍ରାମ ଦେବା ସେଇଆ ।’’ ପୁଣି କୁହୁଳି ଉଠିବା ନିଆଁକୁ ସମସ୍ତେ ଲିଭେଇ ଦେଲେ ।

 

ଏସବୁ ଟିକି ବିଭାଗ ପାଇଁ ଏତେ ଝକାଝକି, ସଭାପତି ବଛାବଛି ବେଳେ କଅଣ ନ ହେବ ! ସାହିତ୍ୟ ସମ୍ମିଳନୀଟାର ଗଜାମରୁଡ଼ି ହୋଇଯିବ । ଏହି ଆଶଙ୍କାରେ ସଭାପତି ବଛାଟାକୁ ଶେଷକୁ ରଖି ଦେଲେ । ଅନ୍ୟ ସବୁ କାମ ଆଗେଇ ଗଲେ କେବଳ ଏଇଥି ପାଇଁ ଗଣ୍ଡଗୋଳ ଭିଆଇ ସମ୍ମିଳନୀ ଭଣ୍ଡୁର କରିବା କଷ୍ଟକର ହେବ ।

 

ନିର୍ବାଚନ ଗଡ଼ିଗଲେ ଦଳମାନଙ୍କ ଭିତରେ ଯେପରି ତର୍କା ତର୍କି, ପେଞ୍ଚପାଞ୍ଚ, ଛକାଛକି ଓ ପରଛିଦ୍ରାନ୍ୱେଷଣ କାର୍ଯ୍ୟ ଗୁଡ଼ାକ ହୁ ହୁ ହୋଇ ବଢ଼ିଯାଏ, ଏହି ସଭାପତି ବଛା କାମ ଗଡ଼ି ଯିବାରୁ ଠିକ୍ ସେହିପରି ଅବସ୍ଥା ଉପୁଜିଲା । ଏଡ଼େ ବଡ଼ ସାହିତ୍ୟ ସମ୍ମିଳନୀ ଟାଏ ସାରା ଭାରତରୁ ମୋହରମରା, ଆଗ୍‌ ମାର୍କା ସାହିତ୍ୟିକମାନେ ନିମନ୍ତ୍ରିତ ହୋଇ ଆସିବେ । ସେମାନଙ୍କ ଆଗରେ ସଭାପତି ହୋଇ ବସିବା କଅଣ ଊଣା ଗୌରବର କଥା ! ତାପରେ କେଡ଼େ ସହଜରେ ଜଣେ ସର୍ବ ଭାରତୀୟ ସାହିତ୍ୟିକ ବନିଯିବ ! ମାତ୍ର କେଇଟା ଘଣ୍ଟାରେ । କେତେ ତପସ୍ୟା, କେତେ ଗୋଦାନ, କେତେ କନ୍ୟାଦାନ, କେତେ ଭୂଦାନ କଲେ ଏପରି ସୁଯୋଗ ମିଳେ । ଏପରି ସୁଯୋଗର ସମ୍ଭାବନାକୁ ଉପେକ୍ଷା କରିବ କିଏ ! କି ଉପାୟ କଲେ ସଭାପତି ଗାଦିଟା ମାଡ଼ି ବସିବାକୁ ହେବ ତାହା ପ୍ରାୟ ସମସ୍ତେ ମନେ ମନେ ପାଞ୍ଚିବାକୁ ଲାଗିଲେ ।

 

ନିର୍ବାଚନର ବର୍ଷକ ଆଗରୁ ନିର୍ବାଚନରେ ଲଢ଼ିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ଯେପରି ଭୋଟର ମାନଙ୍କ ପ୍ରିୟପାତ୍ର ହେବା ଲାଗି ସେମାନଙ୍କ ସଙ୍ଗେ ସୁସମ୍ପର୍କ ପ୍ରତିଷ୍ଠା କରେ ଓ ସବୁବେଳେ ସେମାନଙ୍କର କୁଶଳ ଓ ଅଭିବୃଦ୍ଧି କାମନାରେ ଶତମୁଖ ହୋଇଉଠେ, ଏହି ସମ୍ମିଳନୀର ଉଦ୍ୟୋକ୍ତାମାନେ ଠିକ୍ ସେହିପରି ପରସ୍ପର ସହିତ ମଧୁର ସଂପର୍କର ପ୍ରତିଷ୍ଠା କରିବା ପାଇଁ ତତ୍ପର ହୋଇଉଠିଲେ । ଏସବୁ ହାଲ୍ ଦେଖି ଜେନାକବି ଆନନ୍ଦରେ କୁଲୁରି ଉଠି ମନେ ମନେ ଭାବିଲେ–କୋଉ ବଦମାସ୍‍ ବୋକଡ଼୍‍ଟା କହେ–ଓଡ଼ିଆମାନେ ଏକାଠି ହୋଇ ମନ ମିଳେଇ କୌଣସି କାମ କରିପାରନ୍ତି ନାହିଁ । ଏଇଥର ବାହାର ଲୋକେ ଆଖିରେ ଦେଖିନେବେ ଓଡ଼ିଆଙ୍କର ଏକତା ଓ ଭ୍ରାତୃଭାବ । ଶହ ଶହ ବର୍ଷଧରି ଯେଉଁ ‘ପରଶ୍ରୀକାତରତା’ ଅପବାଦ ଓଡ଼ିଆଙ୍କ ଲଲାଟରେ ବେଳାହୋଇଛି ତାହା ଧୋଇ ହୋଇଯିବ । ସମ୍ମିଳନୀରେ ଆଉ ଯାହା ହେଉ ନ ହେଉ ଅନ୍ତତଃ ଓଡ଼ିଆମାନେ ଗୋଟାଏ କୁତ୍ସିତ ଅପବାଦରୁ ମୁକ୍ତ ହେବେ । ଏଇଟା କିଛି ଗୋଟାଏ ଛୋଟିଆ କଥା ନୁହେଁ ।

 

ଜେନାକବି ବେଳ ଉଣ୍ଡି ନିଜର ମନଟାକୁ ଅନ୍ୟମାନଙ୍କ ଆଗରେ ଅଳ୍ପ ଟିକିଏ ଖୋଳି ଦେଇ କହିଲା-‘‘ଦେଖ, ଅନେକ ମୋତେ ସଭାପତି ହେବା ପାଇଁ ବହୁତ ଅନୁରୋଧ କରୁଛନ୍ତି । ମୋର କାହିଁକି ମନ ତହିଁକି ଯାଉନି । କମ୍ ବଡ଼ ଦାୟିତ୍ୱ କାମ ! କେଡ଼େ କେଡ଼େ ବଡ଼ ସାହିତ୍ୟିକ ଆସିବେ । ଅବଶ୍ୟ ସେମାନଙ୍କ ସଙ୍ଗେ ଟକ୍‌କର ଦେବା ପାଇଁ ଓ ସବୁ ଦାୟିତ୍ୱ ତୁଲାଇବା ପାଇଁ ମୋର ସବୁଠୁଁ ବେଶି ଦକ୍ଷତା ଅଛି । ଅଧିକାଂଶ ମୋର ଆଗରୁ ଜଣାଶୁଣା । ଚିଠି ଦିଆ ନିଆ ନିତି ସେମାନଙ୍କ ସାଙ୍ଗରେ ଚାଲିଛି । ସେମାନଙ୍କ ରାଜ୍ୟକୁ ଯଦି ମୁଁ କେବେ ଯାଏ ତେବେ ସାଧାରଣତଃ ସେଇମାନଙ୍କର ଅତିଥି ହୋଇଥାଏ । ଆଉ କି ଆମ ସାଂସ୍କୃତିକ ମନ୍ତ୍ରୀ ୪ଦିନ ତଳେ ମୋତେ ଅତି ଗୋପନରେ କହିଲେ ଯେ ମୁଁ ସଭାପତି ହେବାକୁ ଯାଉଥିବାରୁ ସେ ଗୋଟାଏ ମୋଟା ଟଙ୍କା ମଞ୍ଜୁର କରିବାକୁ ଯାଉଛନ୍ତି । ଆଉ କାହା ଉପରେ ତାଙ୍କର ଆସ୍ଥା ନାହିଁ । ତଥାପି ମୋର କାହିଁକି ମୋଟେ ଇଚ୍ଛା ହେଉନି । ମୁଁ କରିବା ଲୋକ, ମୁଁ କର୍ମଯୋଗୀ, ମୋତେ ଏସବୁ ପଦବୀ ମୋଟେ ଭଲ ଲାଗେ ନାହିଁ । ନିହାତି ସମସ୍ତେ ବାଧ୍ୟ କଲେ ସିନା ମୁଁ ସଭାପତି ହେବି, ହେଲେ ମୋର ସେଥିପ୍ରତି ଆଗ୍ରହ ନାହିଁ ।’’

 

ଜେନାକବିଙ୍କର ଏ ଭୂମିକା ଶୁଣି ସଭାପତି ପଦଲାଳସୀ ଅନ୍ୟାନ୍ୟ ସଭ୍ୟମାନେ ଡିମା ଡିମା ଆଖିକରି ପରସ୍ପର ମୁହଁକୁ ଚାହିଁଲେ । ଜଣେ ଦି ଜଣ ଅତି ଲାଳସୀ ମାଡ଼ିବସି କହି ପକେଇଲେ–‘‘ତୁମେ ଯାହା କହିଲ, ତାହା ଅକ୍ଷରେ ଅକ୍ଷରେ ଠିକ୍ । ସଭାପତି ଆସନରେ ବସିବା ଅର୍ଥ ନିକମା ବନିଯିବା । ଆଉ କୋଉ ପୁଅଟା ଅଛି ତୁମ ଭଳିଆ ଏଡ଼େ ବଡ଼ କାମଟାକୁ ନେଇ ଆଣି ଥୋଇ ପାରିବ ? ଯାହା ଭାବିଛ ତାହା ଯଥାର୍ଥ, ଆଉ ତା ନାଁ ଧରନା । ତୁମେ ଯଦି ନିକମା ହୋଇଯିବ ମୂଳରୁ ସମ୍ମିଳନୀ ହୋଇ ପାରିବ ନାହିଁ ।’’

 

ଆଉ ଜଣେ ଯୋଖି ଦେଲା–‘‘ହୁଁ, ଯିଏ କର୍ମଯୋଗୀ ସିଏ କର୍ମଯୋଗୀ । ସଭାପତିର କାମ ତୁଲାଇବାକୁ ସେ ସବୁଠୁଁ ବେଶି ଦକ୍ଷ, ଅଥଚ ସେ ସମ୍ମାନକୁ ସ୍ୱେଚ୍ଛାରେ ଆଡ଼େଇ ଦେଲେ । ଏହାକୁହିଁ କହନ୍ତି କର୍ମଯୋଗ । ଜେନାକବି ଯଥାର୍ଥରେ କର୍ମଯୋଗୀ ।’’

 

ଆଉ ଜଣେ କହିଲେ–‘‘ୟାଙ୍କୁଇ ସଚ୍ଚା ନିଃସ୍ୱାର୍ଥପର ବ୍ୟକ୍ତି କହନ୍ତି । ଆଉ କିଏ ହୋଇଥିଲେ ସଭାପତି ପଦ ପାଇଁ ଯେ କୌଣସି ଲୋକର ପାଦ ଚାଟି ପକାଇ ଥାନ୍ତା । କିନ୍ତୁ ଦେଖ ଆମ ଜେନାକବି ‘ଥୁ’ କରି ସଭାପତି ପଦଟାକୁ ଫିଙ୍ଗି ଦେଉଛନ୍ତି । ଜେନାକବି ତୁମେ ଧନ୍ୟ ଓଡ଼ିଶା ତୁମକୁ ପାଇ ଧନ୍ୟ ହୋଇଛି ।’’

 

ଏହି ସବୁ ଭାଟୋକ୍ତି ଶୁଣିଥିଲେ ଯେ କୌଣସି ଗୋଟାଏ ରକ୍ତମାଂସ ଧାରୀ ବ୍ୟକ୍ତି ଆନନ୍ଦରେ ଗୋଲକ ଧାମ ଯାଏ ଚାଲିଯାଇଥାନ୍ତେ । କିନ୍ତୁ ଜେନାକବି ମନ ଭିତରେ ଭାଙ୍ଗି ପଡ଼ିଲେ-। ତାଙ୍କର କଳ୍ପନା ରାଜ୍ୟ ଏକାବେଳେକେ ଭୁଶୁଡ଼ି ପଡ଼ିଲା । ନୈରାଶ୍ୟ ତାଙ୍କୁ ଟାଉ କରି ଗିଳିଦେଲା-। ତଥାପି ତାଙ୍କ ମନରେ ଗୋଟାଏ ସାନ୍ତ୍ୱନା ଆସିଲା ଯେ ଅନ୍ୟମାନଙ୍କ ଆଖିରେ ସେ କେଡ଼େ ଉଚ୍ଚରେ ରହିଛନ୍ତି । ସଭାପତି ଆସନଟା ନ ହେଲା ନାହିଁ । ମନେ ମନେ ସେ ଯେପରି ସଭାପତି ଆସନକୁ ପାଦ ବଢ଼ାଇଥିଲେ ଠିକ୍ ସେହିପରି ମନେ ମନେ ପଛେଇ ଆସିଲେ । ପ୍ରକାଶ୍ୟରେ ରୋକ୍‍ଠୋକ୍ କହିଦେଲେ ‘‘ଯିଏ ଯେତେ କହୁ ପଛକେ ମୁଁ ସେ ସଭାପତି ନେଣ୍ଟରା ଭିତରକୁ ପଶିବି ନାହିଁ କି ହାତ ବାନ୍ଧିଦେଇ ପାରିବି ନାହିଁ । ଅପର୍ଯ୍ୟାପ୍ତ କାମ ବାକି ପଡ଼ିଛି । ସେ ସବୁ ମୋତେ ହଗାମୂତା ହୋଇ କରିବାକୁ ପଡ଼ିବ । ସେଥିରେ ମୋର ସବୁଠୁଁ ବେଶି ଆନନ୍ଦ ।

 

ଗୋଟିଏ ଟାଣୁଆ ପ୍ରତିଦ୍ୱନ୍ଦୀକୁ ଚତୁରତାର ସହିତ ହଟେଇ ଦେଇ ଅନ୍ୟାନ୍ୟ ପ୍ରାର୍ଥୀମାନେ ବେଶ୍ ଆତ୍ମପ୍ରସାଦ ଲାଭ କଲେ ।

 

ବଡ଼ ପ୍ରତିଦ୍ୱନ୍ଦୀଟା ସିନା ଖତମ୍ ହୋଇଗଲା କିନ୍ତୁ ପ୍ରାର୍ଥୀମାନଙ୍କର ଆଶା ଗଜୁରି ଉଠି ଡାଳ ପତର ମେଲେଇବାରେ ଲାଗିଲା । କାନ ଫୁସ୍‌ଫୁସ୍, ଅନ୍ଧାରୀ ବୈଠକ, ଚାହା–ଜଳଖିଆର ସୁଅ, ସିନେମା ଥିଏଟର୍‌ର ତୋଡ଼ା ପରେ ପରେ ଗୋଇ ଖୋଳାଖୋଳିର ଝଡ଼ତୋଫାନ ଛୁଟିଲା । ନୁଡ୍‌ବୁଡ଼ିଆତକ ଏ ତୋଫାନରେ ଛିନ୍‌ଛତର ହୋଇ ଉଡ଼ିଗଲେ । ରହିଗଲେ ମାତ୍ର ଦୁଇଜଣ । ଗୋବର୍ଦ୍ଧନ ଓ ଖଗେଶ୍ୱର, ଓରଫ୍ ଗୋବା ଓ ଖଗା । ଦୁହେଁ ପଇସାରେ ଓ ମନ୍ତ୍ରୀମାନଙ୍କ ଉପରେ ପ୍ରଭାବ ପକାଇବାରେ ଏକ୍‌ ସେ ଏକ୍ ବଳୀୟାର । ଦୁହେଁ ସମ୍ମିଳନୀର ଟାଣୁଆ ସଭ୍ୟ ।

 

ସଭାପତି ବାଛିବା ପାଇଁ ସଭା ଡକାଗଲା । ଗୋବା ମହା ତର୍କା ଥିଲେ । ତେଣୁ ଆଗରୁ ସେ ବାଟ ସଜାଡ଼ି ଦେଇଥିଲେ । ସଭା ବସିବାମାତ୍ରେ ଜଣେ ସଭ୍ୟ ହୁ କରି ଉଠିପଡ଼ି ସଭାପତି ପଦ ପାଇଁ ଗୋବାଙ୍କ ନାମ ପ୍ରସ୍ତାବ କରିଦେଲା ଓ ଆଉ ଜଣେ ଚଟାପଟ୍ ସମର୍ଥନ କରିଦେଲା । ଖଗା ଓ ତାଙ୍କ ଦଳ ଭଅକ୍ ହୋଇ ରହିଗଲେ । କେହି ପ୍ରକାଶ୍ୟରେ ବିରୁଦ୍ଧାଚରଣ କରିବାକୁ ସାହାସ କଲେ ନାହିଁ । ଆଗରୁ ଗୋବାର ବହୁଟଙ୍କା ସେମାନଙ୍କ ପାଟିରେ ପଶିଥିଲା । ଭବିଷ୍ୟତରେ ବି ତାଙ୍କରି ଦ୍ୱାରା ବହୁ କାମ ହେବାର ଆଶା ଥିଲା । ଖଗାଙ୍କ ନାମ ଉଠାଇ ପ୍ରକାଶ୍ୟ ପ୍ରତିରୋଧ କରିବାକୁ ସମସ୍ତେ ପଛେଇଲେ । ଖଗା ପେଟ ଭିତରେ ଜଳିଗଲା । ହେଲେ କୌଣସି ଉପାୟ ନଥିଲା । ନେଡ଼ି ଗୁଡ଼ କହୁଣିକୁ ବୋହିଯାଇଥିଲା । ତଥାପି ଖଗାଙ୍କ ଲୋଭ ଛାଡ଼ିଲା ନାହିଁ । ସେ ଗୁପ୍ତରେ ପରାମର୍ଶ ଚଳେଇଲେ ଯେ ଗୋବାଙ୍କର ବହୁ ଆଡ଼େ କାମ । ଧାଁ ଧପଡ଼ କରି ପାରିବେ ନାହିଁ-। ତାଙ୍କୁ ସାହାଯ୍ୟ କରିବା ପାଇଁ ଜଣେ କାର୍ଯ୍ୟକାରୀ ସଭାପତି ଦରକାର । ଗୋବା ସଭାପତି ଥାଆନ୍ତୁ-। ତାଙ୍କୁ କାର୍ଯ୍ୟକାରୀ ସଭାପତି କରିଦେଲେ ସେ ଗୋବାଙ୍କୁ ବହୁତ ସାହାଯ୍ୟ କରିବେ । ସମ୍ମିଳନୀଟି ସୁରୁଖୁରୁରେ ହୋଇଯିବ । ଦିନେ ଗୋବାଙ୍କ ଅନୁପସ୍ଥିତିରେ ସର୍ବସମ୍ମତିକ୍ରମେ ଖଗା କାର୍ଯ୍ୟକାରୀ ସଭାପତି ହୋଇଗଲେ ।

 

ଗୋବାଙ୍କ କାନରେ ଏ ଖବର ପଡ଼ିବା ମାତ୍ରେ ସେ ଚମକି ପଡ଼ି ଭାବିଲେ–ଖଗା ଏଡ଼େ ଚତୁର ହେଲା କେଉଁ ଦିନରୁ ! ଗୋବା ଦାରୁଭୂତମୂର୍ତ୍ତି ହୋଇ ସିଂହାସନରେ ଅଚଳ ହୋଇ ବସି ରହିବ, ଆଉ ଖଗା ଗୋବାର ଚଳନ୍ତି ପ୍ରତିମା ହୋଇ, ଚଉଦୋଳରେ ଚାରିଆଡ଼େ ବୁଲି ଭୋଗ ଖାଇବ ! ଗୋବା କଅଣ ମାଦଳମୁଣ୍ଡା ଯେ କାମ କରିପାରିବନି । ତା ପାଇଁ ଖଗା କାମ କରିବ ! ଖଗା ପଡ଼ୋଶୀ ସାହିତ୍ୟିକମାନଙ୍କ ସହ ଘସର ପସର ହୋଇ ସର୍ବଭାରତୀୟ ଲେଖକ ବନିଯିବ ଆଉ ଗୋବା ଖଟୁଲିରେ ବସି ବାଲୁବାଲୁ କରି ଚାହିଁଥିବ । ଏହା କଦାପି ହୋଇ ପାରିବ ନାହିଁ ।

 

ସମ୍ମିଳନୀର ପ୍ରସ୍ତୁତି ଯେତିକି ଆଗଉଥାଏ ଗୋବାର ଚାବି ଅଣ୍ଟା କାମ ସେତିକି ପ୍ରବଳ ହେଉଥାଏ । ନିତି କେହି ନା କେହି ଗୋଟାଏ ଲେଖାଏଁ ମେଖ ଭର୍ତ୍ତି କରୁଥାନ୍ତି । କାର୍ଯ୍ୟକାରୀ ସମିତିରେ ଅମୁକ କିଆଁ ଗଲା ? ସମୁକ କିଆଁ ଗଲାନି ? ଢମୁକ କୋଉଦିନ ସାହିତ୍ୟିକ ବନିଗଲା-? ସରକାରୀ ଲୋକ କିଆଁ ୟା ଭିତରେ ପଶିଲେ ? ସବୁ ଜିଲ୍ଲାରୁ ସମାନ ସମାନ ପ୍ରତିନିଧି ନିଆଗଲାନି କାହିଁକି ? ଏହିପରି ମେଖ ଉପରେ ମେଖ ସମସ୍ତଙ୍କୁ କାଲୁବାଲୁ କରି ପକେଇଲା ।

 

କାର୍ଯ୍ୟକାରୀ ସଭାପତି ଖଗା ଓ ତାଙ୍କ ଗୋଡ଼ାଣିଆମାନେ ଏଥିରେ ଉତ୍ତେଜିତ ହୋଇ ଅଧିକରୁ ଅଧିକ ଟାଣପଣ ଦେଖାଇଲେ । ସେମାନେ ଅଡ଼ିବସିଲେ–ଆକାଶ ଛିଡ଼ୁ ବା ପୃଥିବୀ ଫାଟୁ ସମ୍ମିଳନୀ ଅଲବତ୍ ହେବ । କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବା ଦଳ ଚାରିଆଡ଼େ କହି ବୁଲିଲେ ଖଗା ଏଥିରୁ ନ ଓହରିଲେ ଅନ୍ଧାଧୁନିଆ ଶାଳଗ୍ରାମ ଚାଲିବ । ଲେଉଟ ଶାଳଗ୍ରାମ ପାଇଁ ଖଗାଦଳ ବି ତିଆର ହେଇଗଲେ ।

 

ବେଳ ଉଣ୍ଡି ଜେନାକବି ସମସ୍ତଙ୍କୁ କହିଲେ, ‘‘ଦେଖ, ଏ ଦୁହେଁ କି କଦର୍ଯ୍ୟ କାମ କରୁଛନ୍ତି-। ଏ ଦୁହିଁଙ୍କୁ ନିକାଲି ନଦେଲେ ଓଡ଼ିଶାର ଇଜ୍ଜତ ମହତ ପଦାରେ ପଡ଼ିଯିବ ।’’

 

ଦୁଇଟା ଷେଣ୍ଢ ଲଢ଼ାଲଢ଼ି ହେଉଥିଲେ । ଲଢ଼ାଇ ଥାନରେ ତୃତୀୟ ଷେଣ୍ଢ ପଶିଲା । ଉତ୍କଳଭାରତୀଙ୍କ ପଦ୍ମବଣ ଖାଲି ଉଠିଲା ପଡ଼ିଲା । ବାଣୀଙ୍କ ବିହାର ସ୍ଥଳୀରେ ଏପରି ଅପକର୍ମ ଯେ ଏକାବେଳେ ଅବାଞ୍ଛନୀୟ ତାହା ଆଉ କିଏ ବୁଝୁ ବା ନ ବୁଝୁ ବାଣୀବିହାରର ଆଗ୍‍ମାର୍କା କବି ନୀଳମଣି ମାହାନ୍ନାଏ ବେଶ୍ ବୁଝିପାରିଲେ । ସେ ଭାବିଲେ ବାହାରର କୁଣିଆମାନଙ୍କ ଆଗରେ ଏପରି ବାଟରେ ହଗିବା, ଅପେକ୍ଷା ସମ୍ମିଳନୀ ବରଂ ବନ୍ଦ ହୋଇଯିବା ଭଲ । ତେଣୁ ସେ ଗୋପନରେ ଗୋଟିଏ ନୋଟିସ୍ ଭଳିଆ ଚିଠି ଇଂରେଜୀରେ ଲେଖି ରୋନିଓ କରି ଦେଲେ, ଓ ପୂର୍ବରୁ ନିମନ୍ତ୍ରିତ ହୋଇଥିବା ସାହିତ୍ୟିକମାନଙ୍କ ପାଖକୁ ଖଣ୍ଡେ ଖଣ୍ଡେ ଡାକରେ ପଠାଇ ଦେଲେ । ଚିଠିର ସାରାଂଶ ଥିଲା–ସମ୍ମିଳନୀରେ, ଘୋର ବିଶୃଙ୍ଖଳା, ଏପରିକି ଦଙ୍ଗା ଲାଗିଯିବାର ଆଶଙ୍କା ଦେଖାଦେଇଛି; ଇଟା ବୋଲୁଅ ମଧ୍ୟ ଚାଲିପାରେ । ଏଣୁ ବନ୍ଧୁମାନଙ୍କୁ ଅନୁରୋଧ ସେମାନେ ଆସିଲା ବେଳେ ଗୋଟାଏ ଲେଖାଏଁ ଷ୍ଟିଲ୍‍ ହେଲ୍‌ମେଟ୍, ବ୍ୟାଣ୍ଡେଜ୍, ତୁଳା, ଡେଟଲ ଏବଂ ଆସପ୍ରୋ ବଟିକା ଥିବା ଗୋଟିଏ ଡବା ନେଇ ନିଜ ଦାୟିତ୍ୱରେ ସମ୍ମିଳନୀକୁ ଆସିବେ ଏବଂ ଦଙ୍ଗାଜନିତ ଦୁର୍ଘଟଣା ପାଇଁ ଅନ୍ୟ କେହି ଦାୟୀ ନୁହନ୍ତି, ଏହି ସ୍ୱାକ୍ଷରିତ ସ୍ୱୀକାରପତ୍ର ନିଜ ନିଜ ସଙ୍ଗରେ ଆଣିବେ ।

 

ସମ୍ମିଳନୀ ଆରମ୍ଭ ହେବାକୁ ଆଉ ପ୍ରାୟ ସପ୍ତାହେ ବାକି ଅଛି ବାହାରୁ ଚିଠି ଆସି ଗଦା ହୋଇଗଲା । ଦିଚାରିଟା ଚିଠିରେ ରୋନିଓ ହୋଇଥିବା ନୋଟିସ ବି ଥିଲା ।

 

ଜେନାକବି, ଗୋବା ଓ ଖଗା ତିନିହେ ପରସ୍ପରକୁ ଦୋଷ ଦେବାରେ ଲାଗିଲେ । ସମସ୍ତେ କହିଲେ ଏ ତୋରି କାଣ୍ଡ । ନୀଳମଣି ମାହାନ୍ନା ଭଲ ଲୋକ ପରି କହିଦେଲେ–ତିନି ଭାଣ୍ଡ ଏକାଠି ହେଲେ ଏମିତିକା କାଣ୍ଡ ହେବ ଇ ହେବ ।

Image

 

ରସ ପରିବେଷଣ

 

ବାପ ନାହିଁ, ମା ନାହିଁ, ମାଇପ ନାହିଁ, କଣା କି କୁଜା ଭାଇଟାଏ ବି ନାହିଁ । ଲଗା ନାହିଁ କି ପଘା ନାହିଁ, ପୂରା ଧବଳେଶ୍ୱରଙ୍କ ଷଣ୍ଢ କହିଲେ ଚଳେ । ପଛକୁ ଟାଣିବା କି ଆଗକୁ ପେଲିବା ପାଇଁ କେହି ନାହିଁ । ବସିଛି ତ ବସିଛି । ପଶୁଛି ତ ମଡ଼ାଅମଡ଼ା ନ ମାନି ଧସେଇ ପଶି ଯାଉଛି । ନ ଜାଣି ସାଙ୍ଗମାନେ ଡାକୁଥିଲେ ଷେଣ୍ଢବାବୁ ।
 

ଶାସ୍ତ୍ର କହୁଛି ଠିକ୍ ଏମିତିଆ ଲୋକ ପାଇଲେ ରାଜନୀତିଟା ତା ଉପରକୁ କୁଦିପଡ଼େ । ଶାସ୍ତ୍ର କିନ୍ତୁ ଏଇଠି ମାଙ୍କଡ଼ଚିତ୍ ମାରିଲା । ଷେଣ୍ଢବାବୁଙ୍କ ପାଖ ମାଡ଼ିଲା ନାହିଁ । ଷେଣ୍ଢଙ୍କ ଫଁ ଫଁ ରେ ରାଜନୀତି ଶୁଖିଲା ବାଉଁଶ ପତର ପରି କୁଆଡ଼େ ଉଡ଼ିଯାଏ ।

 

ଦୁର୍ଯୋଗକୁ ସାହିତ୍ୟଟା କେଉଁଠି ଲୁଚି ରହିଥିଲା କେଜାଣି ବେଳ ଉଣ୍ଡି ଷେଣ୍ଢବାବୁଙ୍କ ଉପରକୁ ଫାକୁ କରି ଡେଇଁ ପଡ଼ିଲା । ପାତିମାଙ୍କଡ଼ ଛୁଆ ପିଠିରେ ନାଉ ହୋଇ ମାଆକୁ ଜକଟିମକଟି ଧରିଲା ପରି ଷେଣ୍ଢଙ୍କୁ ଜକଟିମକଟି ଧରିଲା, ତାଙ୍କୁ ଏକାବେଳେକେ କାବୁ କରିଦେଲା-

 

ସାହିତ୍ୟର ଖଞ୍ଜଣି ମାଡ଼ ପାଇଁ ତାଙ୍କ ଘରଟି ଥିଲା ଏକ ବଢ଼ିଆ ଟୁଙ୍ଗି । ଘରର ବାସିନ୍ଦା ବୋଇଲେ ସେହି ଏକା । ଫଳରେ ରାତି ଅଧଯାଏ ହାଉହାଉ ହେଲେ କେହି ଅଭିଯୋଗ କରିବାକୁ ନାହିଁ । ଏଡ଼େ ସୁବିଧା ଥାନକୁ ସାହିତ୍ୟ କି ଆଉ ଛାଡ଼େ ? ସାହିତ୍ୟ ପହିଲେ କେମିତି ସେ ଟୁଙ୍ଗି ଭିତରକୁ ଗୁଳ୍‌କରି ଗଳିଗଲା ତାହାର ସଠିକ ବିବରଣୀ ମିଳିବା ବଡ଼ କଷ୍ଟକର । ତେବେ ଏତିକି ଜଣାଅଛି ଯେ ସେଦିନ ଥିଲା ଗୋଟାଏ କଅଣ ଛୁଟିର ଦିନ । ଷେଣ୍ଢବାବୁ ନିତ୍ୟକର୍ମ ସାରି ଉପରଓଳି କ୍ୟାନ୍‌ଭାସ୍ ଚଉକିରେ ଟିକିଏ ଆରାମ କରୁଥାଆନ୍ତି । କୁଆଡ଼ୁ କେଜାଣି ଜେନାକବି ମୁରାରିମୋହନ ଜେନା ଆସି ପହଞ୍ଚିଗଲେ, ସାଙ୍ଗରେ ଥାଆନ୍ତି ବାଣୀବିହାରର ସବୁଠୁଁ ବେଶି ଡେଙ୍ଗା କର୍ମଚାରୀ ଓ ଆଗ୍‍ମାର୍କା ଲେଖକ ନୀଳମଣି ମାହାନ୍ନା ।

 

ଷେଣ୍ଢଙ୍କୁ ସମ୍ଭାଷଣ ଜଣାଇ ଜେନାକବି ବସିପଡ଼ିଲେ ଓ କଥାବାର୍ତ୍ତା ଆରମ୍ଭ କରିଦେଲେ-

 

‘‘ଆଉ କଅଣ ଷେଣ୍ଢସାହେବ, ଏମିତି ଗୁମ୍ ହୋଇ ବସିଛ କିଆଁ ? ଆଜିତ ଷେଣ୍ଢପରି ନ ଦିଶି ବଳଦ ପରି ଦିଶୁଛ; କଥା କଅଣ ?’’

 

‘‘ଷେଣ୍ଢ ଥିଲି ଯେ, ଦୁଇ ଦୁଇଟା ସାହିତ୍ୟ ଷେଣ୍ଢ ଆସି ପହଞ୍ଚି ଯିବାରୁ ବଳଦ ହୋଇଗଲି-।’’

 

‘‘କାହିଁକି ତୁମେ ସାହିତ୍ୟ କିଆରିରେ ଧସେଇ ପଶୁନ, ପୂରା ଷେଣ୍ଢ ବନି ରହନ୍ତ, ବଳଦ ହେବାକୁ ପଡ଼ନ୍ତା ନାହିଁ । ଖାଲି ବାଡ଼ଭାଙ୍ଗି ପଶିଲେ ହେଲା ।’’

 

‘‘ମୋ କିଆରି ହେଲା ଇନ୍‌କମ୍-ଟ୍ୟାକ୍‌ସ ଖାତା ତିଆରି । ଦଶ ବାର ଜଣ ବ୍ୟବସାୟୀଙ୍କୁ ଧରିଛି । ସେମାନଙ୍କ ଖାତା ସଜାଡ଼ି ଦିଏ । ସବୁଆଡ଼ୁ ମିଶି ମାସକୁ ତିନିଶହ ଟଙ୍କା ପାଏ, ବେଶ୍ ମଉଜରେ ଥାଏ, ସେହି କିଆରିରେ ଷେଣ୍ଢଗିରି କରେ । ସାହିତ୍ୟଟା ହେଲା ଦୁସରା କିଆରି, ସେଠି ଷେଣ୍ଢଗିରି କରିବା ଅର୍ଥ ଠେଙ୍ଗା ପାହାର ଫାଳ ଇଟାର ଛେଚଣ । ଆଖିବୁଜା ମାଡ଼ । ମୁଁ କିଏ, ସେ ସାହିତ୍ୟ କିଆରି କିଏ ! ଆଉ ବି ତମ ସାହିତ୍ୟ କିଆରିରେ ଯେଉଁ ମାରଣା ଷଣ୍ଢ ଦୁଇଟି ଅଛନ୍ତି ତାଙ୍କ ଭୁସା ସମ୍ଭାଳିବ କିଏ ?’’

 

‘‘କାହାକଥା କହୁଛ ? ରବିସିଂହ ଆଉ ରବି ମହାପାତ୍ର ?’’

 

‘‘ହଁ ହଁ, ସେହି ଦୁଇ ରବି । ଗୋଟାଏ ରବି ତ ସାରା ପୃଥିବୀଟାକୁ ଏଡ଼େ ତାଉ କରିଦେଉଛି । ତେହିଁକି ତୁମ ସାହିତ୍ୟ କିଆରିରେ ଯୋଡ଼ାଏ ରବି । କେମିତି ଯେ ତୁମେ ସବୁ ପୋଡ଼ି ନ ଯାଇଛ ତାହା ହିଁ ଆଶ୍ଚର୍ଯ୍ୟ ।’’

 

ଏତିକି ବେଳେ ନୀଳମଣି ମାହାନ୍ନା ଏ କଥାବାର୍ତ୍ତାର ସୁଅ ବଦଳାଇ ଦେଇ କହିଲେ–‘‘ହେତ୍, ଏମିତିଆ ନିରସିଆ ଚର୍ଚ୍ଚା ହେଲେ ଚଳିବନି । ଚାହା, ପାନ, ସିଗାରେଟ–’’

 

ଜେନାକବି ଯୋଡ଼ିଦେଲେ ‘‘ତା ସାଙ୍ଗକୁ ବରା, ପିଆଜି, ପକୁଡ଼ି ନହେଲେ ମାତ୍ ହବନି-। ସେଥିରୁ କିଛି ବି ଅଣାଯାଉ ।’’

 

‘‘ହଉ ହଉ, ତାହାହିଁ ହେଉ’’ କହି ଷେଣ୍ଢବାବୁ ସେ ସବୁର ବ୍ୟବସ୍ଥା କରିଦେଲେ । ସବୁ ଆସିଲା । ରାତି ୧୨ଟା ଯାଏ ସାହିତ୍ୟ ସେଠାରେ ନାଚିଲା ଓ କୁଦିଲା ।

 

ସେହିଦିନ ଜାଣ ସାହିତ୍ୟଟା ଷେଣ୍ଢଙ୍କ ଉପରକୁ କୁଦି ପଡ଼ିଲା । ତେଣିକି ପ୍ରତି ରବିବାର ଓ ଅନ୍ୟାନ୍ୟ ଛୁଟି ଦିନମାନଙ୍କରେ ଅଫିମାମାନେ ଠିକଣା ବେଳକୁ ଆପୁ ଦୋକାନରେ ପହଞ୍ଚିଲାପରି ଜେନାକବି ଓ ନୀଳମଣି ମାହାନ୍ନାଏ ସେଇଠି ଯାଇ ସାହିତ୍ୟକୁ ଉଖାରନ୍ତି ।

 

ଷେଣ୍ଢଙ୍କ ପାଖରେ ସାହିତ୍ୟ ଉଖାରିଲେ ଯେ ତହିଁରୁ ବରାପକୁଡ଼ି ବାହାରେ ଏ କଥାଟା କ୍ରମେ ବାହାରକୁ ପ୍ରଘଟ ହୋଇଗଲା । ଫଳରେ ସେ ଦୁହିଁଙ୍କ ଲାଞ୍ଜ ଧରି ଆହୁରି ଅନେକ କଞ୍ଚା ସାହିତ୍ୟିକ ଆସରରେ ଯୋଗଦେବାକୁ ଛାଡ଼ିଲେ ନାହିଁ । କ୍ରମେ ଷେଣ୍ଢବାବୁଙ୍କ ଘରଟା ଏକ ସ୍ଥାୟୀ ସାହିତ୍ୟ ମନ୍ଦିରରେ ପରିଣତ ହେଲା; ଆଉ ଖୋଦ୍ ଷେଣ୍ଢବାବୁ ସମସ୍ତଙ୍କ ଅନୁରୋଧ ତଥା ଜିଗର ଫଳରେ ସେ ମନ୍ଦିରର ବଡ଼ପଣ୍ଡା ବନିଲେ ।

 

ସେବାଏତମାନଙ୍କ ଧର୍ମଘଟ ଫଳରେ ଜଗନ୍ନାଥଙ୍କ ନୀତି ଦିନେ ଦିନେ ବନ୍ଦ ହୋଇଯାଇ ପାରେ, ହେଲେ କୌଣସି ରବିବାର ବା ଅନ୍ୟ ଛୁଟିଦିନ ସାହିତ୍ୟ ଆସରରୁ ଷେଣ୍ଢଙ୍କ ସାହିତ୍ୟ ମନ୍ଦିର ବାଦ୍ ପଡ଼ିଲା ନାହିଁ । ଧୀରେ ଧୀରେ ମନ୍ଦିରର ଧୂପ ଖର୍ଚ୍ଚ ବଢ଼ିବାକୁ ଲାଗିଲା । ଷେଣ୍ଢବାବୁ ପ୍ରମାଦ ଗଣିଲେ । ମନ୍ଦିର ଭିତରୁ ସାହିତ୍ୟକୁ ସେ ତଡ଼ିବେ ବା କେମିତି ! ଭକ୍ତମାନଙ୍କୁ ବା ରୋକିବେ କେମିତି ! ଏଗୁଡ଼ାକ ନାସ୍‌ନା କଥା ହେବ ସିନା ! ବହୁ ଭାବିଚିନ୍ତି ସେ ଗୋଟିଏ ବାଟ ପାଇଗଲେ । ପ୍ରସିଦ୍ଧ ମିଷ୍ଟାନ୍ନ ବ୍ୟବସାୟୀ ଶାମ ମହାରାଜର ପୁଅ ଉପରେ ତାଙ୍କର ନଜର ପଡ଼ିଲା-। ସରସ୍ୱତୀ ତା ଉପରେ ବିଗିଡ଼ି ଛଅ ସାତବର୍ଷଯାଏ ତାକୁ ହାଇସ୍କୁଲ ପାସ୍ ପ୍ରମାଣ ପତ୍ରଟା ଦେଲେ ନାହିଁ । ତେଣୁ ଶାମ ମହାରାଜ ଟ୍ରେଜେରି ଭିତରୁ ଲକ୍ଷ୍ମୀଙ୍କୁ ମୁକୁଳେଇ ଦେଲେ । ଲକ୍ଷ୍ମୀ, ପରୀକ୍ଷକ, ବୋର୍ଡ଼ କର୍ମଚାରୀମାନଙ୍କ କାନମୋଡ଼ି ତା’ପାଇଁ ପ୍ରମାଣପତ୍ରଟି ଛଡ଼େଇ ଆଣିଲେ ଏବଂ ତାକୁ କଲେଜରେ ବସେଇ ଦେଲେ । ଷେଣ୍ଢବାବୁ ଶାମ ମହାରାଜର ଖାତାପତ୍ର ମଧ୍ୟ ତିଆରି କରୁଥିଲେ । ଦିନେ ବେଳ ଉଣ୍ଡି ବାପ ପୁଅ ଉଭୟେ ଏକତ୍ର ଥିଲାବେଳେ କହିଲେ-ଶେଠଜୀ, ପୁଅକୁ ଆପଣ ଆମ ସାହିତ୍ୟ ଆସରକୁ ପଠାନ୍ତୁ । ସେଠାକୁ ଗଲେ ଦଶ ଜଣ ସାହିତ୍ୟିକଙ୍କ ସଙ୍ଗେ ମିଶିବ, ଦଶକଥା ଶିଖିବ । ତାକୁ ବି ଦଶଜଣ ଜାଣିବେ । ଫଳରେ ଉଭୟଙ୍କର ଖାତିର୍ ବଢ଼ିବ । ପାଠୁଆ ଲୋକମାନଙ୍କ ପାଖରେ ଆଦର ପାଇବ । ବୁଦ୍ଧିଆ ଲୋକଙ୍କ ସଙ୍ଗେ ଜାନ୍ ପୈଚାନ୍ ହେଲେ ହାକିମ ହୁକୁମମାନେ ମଧ୍ୟ ଖାତିର କରିବେ ।

 

ଶାମ ମହାରାଜ ଯାହା ବା କୁଁ କାଁ ହୋଇଥାନ୍ତା ହାକିମ ହୁକୁମାମାନଙ୍କ କଥା ଶୁଣିବା ମାତ୍ରେ ଚଟାପଟ୍ ରାଜି ହୋଇଗଲା । ପୁଅଟା ଯଦି ସାହିତ୍ୟ ଆସର ବାଟେ ଆୟକର ହାକିମଙ୍କ ସଙ୍ଗେ ଭଲଭାବରେ ଜାନ୍ ପୈଚାନ୍ ହୋଇଯାଏ ତେବେତ କାମ ଫତେ । ସାଙ୍ଗେ ସାଙ୍ଗେ ସେଇଠି ପୁଅକୁ ହୁକୁମ ଦେଲା, ‘‘କେଉଁବେ ? କୁଚ୍ଛ୍‍ ଶୁନା । ଆଜିଠୁଁ ବାବୁର ସାଙ୍ଗରେ ସାହିତ୍ୟ ଆସରକୁ ଯା, ଏଥିରେ ବହୁତ ବହୁତ ମୁନାଫା ଅଛି । ତୁ ବଚ୍ଚା ଅଛୁ, ସମୁଝି ପାରିବୁ ନାହିଁ । ପରେ ଜାଣିବୁ । ଆଚ୍ଛା ଷେଣ୍ଢୋବାବୁ ! ସାହିତ୍ୟ ଆସରକା ଫିସ୍ କେତ୍‌ନା ?’’

 

ଅରେ ଫିସ୍ କଥା ପରେ । ପହିଲେ ଚାଲୁନା ।

–ଉଁ, ହୁଁ ଖାଲି ହାତରେ ଯିବାଟା ଠିକ୍ ହବନି, ଆଚ୍ଛା ସେ କିଛି ମିଠାଇ ଲେଇଯିବ–

 

ତେଣିକି ତୁମ ଇଚ୍ଛା । ଗୁଡ଼ାଏ ହାକିମ ହୁକୁମା ସେଠାକୁ ଆସନ୍ତି, ସେମାନେ ଅବଶ୍ୟ ଖୁସି ହୋଇ ଯାଆନ୍ତେ । ରବିବାର ଦିନ ଗୋଟାଏ ବଡ଼ ମିଠେଇହାଣ୍ଡି ସହ ଆସରରେ ପହଞ୍ଚିବ ।

 

ଶାମମହାରାଜ ପୁଅର ପରିଚୟ ସଭ୍ୟମାନଙ୍କୁ ଦେଇ ଷେଣ୍ଢବାବୁ କହିଲେ–‘ଆମର ଏ ନୂଆ ସଭ୍ୟଙ୍କୁ ଆପଣମାନେ ଜାଣି ନ ଥିବେ, କିନ୍ତୁ ଏହାଙ୍କ ବାପାଙ୍କୁ ଆପଣମାନେ ସମସ୍ତେ ଜାଣନ୍ତି-। ଏହାଙ୍କ ବାପା ହେଉଛନ୍ତି ଆପଣମାନଙ୍କର ଅତି ପ୍ରିୟ ଶାମ ମହାରାଜ ।’

 

ଅଧିକ ପରିଚୟ ପାଇଁ ଅପେକ୍ଷା ନକରି ଏବଂ ହାଣ୍ଡି ଉପରେ ଘନ ଘନ ଦୃଷ୍ଟି ପକାଇ ସମସ୍ତେ ଏକାବେଳେକେ କହି ଉଠିଲେ, ‘ଆରେ ବାଃ, ଆସନ୍ତୁ, ଆସନ୍ତୁ, ବସନ୍ତୁ, ବସନ୍ତୁ ଆମ୍ଭମାନଙ୍କର ବଡ଼ ଭାଗ୍ୟ, ସାହିତ୍ୟର ପରିପୁଷ୍ଟି ପାଇଁ ଆପଣମାନଙ୍କ ପରି ଯୁବକମାନଙ୍କର ଏକାନ୍ତ ଦରକାର । ସାହିତ୍ୟ ତ ଆପଣମାନଙ୍କୁ ଆଗ୍ରହର ସହିତ ଚାହିଁ ରହିଛି । ଆମ ସାହିତ୍ୟ ଆସରଟା ବଡ଼ ଭାଗ୍ୟବାନ୍ ।

 

ସେ ଦିନର ଆସର ପରେ ଶାମ ମହାରାଜର ପୁଅର ଆନନ୍ଦରେ ପାଞ୍ଚ ସେଣ୍ଟିମିଟର ଫୁଲି ବାପ ଆଗରେ ସାହିତ୍ୟ ଆସର ଓ ତହିଁରେ ଯୋଗ ଦେଇଥିବା ହାକିମ ହୁକୁମା ଆଉ ସମସ୍ତେ ତା ବାପାଙ୍କୁ ଭଲ ଭାବେ ଜାଣନ୍ତି ବୋଲି କହିବାରୁ ଖୋଦ୍ ଶାମ ମହାରାଜ ବି ଦଶ ସେଣ୍ଟିମିଟର ଫୁଲିଗଲା ।

 

ଆସରରୁ ବିଦାୟ ନେବାପରେ ଅଟକି ରହିଯାଇଥିବା ସଭ୍ୟମାନେ ଷେଣ୍ଢବାବୁଙ୍କ ବୁଦ୍ଧିକୁ ଖୁବ୍ ତାରିଫ୍‍ କଲେ । ମହାନ୍ନା କହିଲେ, ‘ସାବାସ୍ ଷେଣ୍ଢ ! ସାହିତ୍ୟ ଭାଲୁକୁ ଯାହା ଶାମମହାରାଜର ପୁଅକୁ ଧରେଇ ଦେଲ, କିଛି କମ୍ ବଡ଼ କଥାଟାଏ କଲନାହିଁ!’

 

ଜେନାକବି କହିଲେ–ଓ୍ୱାଃ ସାହିତ୍ୟର ଯେଉଁ ରସଟା ଶୁଖି ଶୁଖି ଆସୁଥିଲା ଆଉ ବନ୍ଦ ହୋଇଯିବାର ଯେଉଁ ଆଶଙ୍କା ଦେଖା ଦେଇଥିଲା ତାକୁ ତୁମେ ଦୂର କରିଦେଲ । ରସହୀରାକୁଦର କବାଟ ଖୋଲି ଦେଲ ଜାଣ । ଏଥର ଆମେ ସମସ୍ତେ ଉବେଇ ଟୁବେଇ ହେବା !

 

ଷେଣ୍ଢ ସାହିତ୍ୟ ମନ୍ଦିରରେ ସେହିଦିନଠାରୁ ଅଳଙ୍କାର ଶାସ୍ତ୍ରକୁ ଧକାଏ ପକେଇ ସାହିତ୍ୟରେ ନୂଆ ରସର ଆର୍ବିଭାବ ହେଲା । ସେ ଶାମ ମହାରାଜୀ ରସର ସଞ୍ଚାର କରେଇଲେ ତାଙ୍କର ପୁତ୍ରମଣି । ପ୍ରଧାନ ଚିପୁଡ଼ିଲା ବାଲା ହେଲେ ଆଗ୍‍ମାର୍କା କବି ନୀଳମଣି ମାହାନ୍ନା ଆଉ ଜେନାକବି ମୁରାରିମୋହନ ଜେନା ।

 

ୟାଡ଼କୁ ୟାଡ଼କୁ ସାହିତ୍ୟ ଆଲୋଚନାର ସୁଅ ଶେଷଆଡ଼କୁ ମୋଡ଼ି ହୋଇଯାଏ । ସମସ୍ତେ କବି ସମ୍ରାଟଙ୍କ ସାହିତ୍ୟର ଶୈଳୀ, ଅଳଙ୍କାର ଆଦି ଉଖାରିଲାବେଳକୁ ଶାମ ମହାରାଜ ପୁଅ ଘାଣ୍ଟିବସେ–‘ଦେଖନ୍ତୁ, ଭଞ୍ଜେ ଖୁବ୍ ଛେନାପୋଡ଼ପିଠା ଖାଉଥିଲେ । ଏହାକୁ ନାହିଁ କହିବାର ଜୁ କାହାରି ନାହିଁ । ଦେଖନ୍ତୁ ଭଞ୍ଜଙ୍କ ପୂର୍ବରୁ ରଘୁନାଥଙ୍କ ମନ୍ଦିରରେ ଛେନା ପୋଡ଼ପିଠା ଭୋଗ ଦିଆଯାଉଥିଲା । ଏହି ଛେନା ପୋଡ଼ପିଠା ହିଁ ଭଞ୍ଜଙ୍କୁ ରଘୁନାଥ ମନ୍ଦିରକୁ ଆକୃଷ୍ଟ କରି ଆଣିଥିଲା-। ଛେନା ପୋଡ଼ପିଠା ଯେମିତି ତାଙ୍କ ମୁହଁରେ ବାଜିଛି ସେ କି ଆଉ ତାକୁ ଛାଡ଼ି ଯାଆନ୍ତି-। ପୋଡ଼ପିଠାତ ଖାଇଲେ, ବାକି ସମୟତକ କଅଣ କରିବେ ? ତାଙ୍କୁ ବୁଦ୍ଧିଟାଏ ଦେଖାଗଲା । ଖାଲିରେ ବସିବେ କିଆଁ, ବସି ରାମ ତାରକ ମନ୍ତ୍ରର ଜପ ଆରମ୍ଭ କରିଦେଲେ । ଛେନା ପୋଡ଼ପିଠା ଖିଆ ଆଉ ରାମତାରକା ମନ୍ତ୍ର ଜପିବା ଛଡ଼ା ତାଙ୍କର ଆଉ ଅନ୍ୟକିଛି କାମ ରହିଲା ନାହିଁ । ଏହି ଛେନା ପୋଡ଼ପିଠା ହିଁ ତାଙ୍କୁ ରାମ ତାରକ ମନ୍ତ୍ର ଜପିବାକୁ ବାଧ୍ୟ କଲା ଜାଣ । ଏହି ମନ୍ତ୍ର ଜପି ଜପି ସେ ସିଦ୍ଧିଲାଭ କଲେ ଆଉ କବି ସମ୍ରାଟ ବନିଗଲେ । ଏଇ ଛେନା ପୋଡ଼ପିଠା ଜାଣ ତାଙ୍କୁ କବି ସମ୍ରାଟ ବନେଇଦେଲା । ମଝିରେ ଯଦି ଛେନା ପୋଡ଼ପିଠା ତାଙ୍କୁ ଦିଆଯାଇ ନଥାନ୍ତା, ତେବେ ସେ ରୁଦ୍ରାକ୍ଷ, କୋଥଳି ଫୋପାଡ଼ିଦେଇ ପଳାଇ ଯାଇଥାନ୍ତେ । ରାମତାରକ ମନ୍ତ୍ରରେ ସିଦ୍ଧି ହୋଇଥାଆନ୍ତେ ନା କବିସମ୍ରାଟ ବନିଥାଆନ୍ତେ । ଏହି ଛେନା ପୋଡ଼ପିଠା ହିଁ ଭଞ୍ଜଙ୍କୁ କବି ସମ୍ରାଟ କରିପାରିଛି । ଏଇଟା କେହି ଜାଣନ୍ତି ନାହିଁ ।’’

 

ମାହାନ୍ନା ତାଳିଟାଏ ମାରିଦେଇ କହିଲେ–‘ମୁଁ ବାଜିମାରି କହିପାରେ ତୁମେ ଯଦି ଏମ୍:ଏ:ଟା ପାସ୍‍କରି ଯାଇଥାଆନ୍ତ ନା ଡକ୍ଟରେଟ୍‌ଟା ଏକଦମ୍ ଥୁଆ ହୋଇଥିଲା ଜାଣ । ଉତ୍କଳଭାରତୀଙ୍କ ଗନ୍ତାଘରେ ଯେତେ ପୋଥି ଅଛି କେଉଁଥିରେ ଏ କଥା ନାହିଁ । ଯାହା ହେଉ ତୁମେ ଆଖି ଫିଟେଇ ଦେଲ । କେଡ଼େ ବଡ଼ ଗହନ କଥାଟାଏ ଆଜି ସମସ୍ତଙ୍କ ଆଗରେ ଖୋଲି ନ ଦେଲ-!’

 

ଶାମ ମହାରାଜ ପୁଅ ଆହୁରି କୁଲୁରି ଉଠି କହିଲା–‘‘ବାବା କହନ୍ତି, ରଘୁନାଥ ମନ୍ଦିରରେ ଯେଉଁ ଛେନା ପୋଡ଼ପିଠା ହୁଏ ତାଠୁଁ ଆହୁରି ଭଲ ଆମ ଦୋକାନରେ ହୁଏ ।’’

 

ଜେନାକବି ଫୁଟୁକିଟାଏ ମାରିଦେଇ କହିଲେ–‘ଆଃ’ ଦେଖିବ ତୁମରି ଦୋକାନରୁ ମହା କବିସମ୍ରାଟ ଗୋଟାଏ ଦୁଇଟା ଅଲବତ୍‍ ବାହାରିବେ ।

 

‘‘ଆଜି ସେଇ ଛେନା ପୋଡ଼ପିଠାରୁ କିଛି ଆଣିଛି ।’’

 

ଆଉ ଜଣେ ମୁହଁ ବୁଲେଇ ଦେଇ କହିଲା–‘‘ତୁମେ ନିତି ଯଦି ଆଣନ୍ତ ନା ଏ ଷେଣ୍ଢ ସାହିତ୍ୟ ମନ୍ଦିରରେ ଜଣେ ଦିଜଣ ମହାକବିସମ୍ରାଟଙ୍କର କୁଆଁ କୁଆଁ ରଡ଼ି ଦିନ କେଇଟାରେ ଶୁଣିବାକୁ ମିଳନ୍ତା ।

 

ଶାମ ମହାରାଜ ପୁଅ ଷେଣ୍ଢ ସାହିତ୍ୟ ଆସରରେ ଯୋଗଦେବା ପରଠାରୁ ସାହିତ୍ୟ ଓ ସାହିତ୍ୟିକମାନଙ୍କର ଗୋଟାଏ ନୂଆଦିଗ ଦେଖା ଦେଲା । ଖୁବ୍ ଖୋଳତାଡ଼ ପରେ ସ୍ଥିର ହୋଇଥିଲା ଯେ ବଡ଼ଜେନା ବରା ଖାଉଥିଲେ । କବିସୂର୍ଯ୍ୟ ଇଡ଼ିଲି, ରାଧାନାଥ ନିମ୍‌କି, ଗଙ୍ଗାଧର କାଲାକନ୍ଦ, ଫକୀରମୋହନ ଛେନାମୁଡ଼କି, କାନ୍ତକବି ପାଳୁଅ ଲଡ଼ୁ, ନନ୍ଦକିଶୋର ଚିତଉପିଠା, ଗୋପାଳ ପ୍ରହରାଜ ରସଗୋଲା ଓ ମଧୁସୂଦନ ଘି ପିଠା ନିଃସନ୍ଦେହରେ ଖାଉଥିଲେ ।

 

ଧାତୁ ମାଜିଲେ ଛୋଟ, ମଣିଷ ମାଜିଲେ ମୋଟ । ମିଠେଇ ହାଣ୍ଡି ଲୋଭରେ ଶାମ ମହାରାଜ ପୁଅକୁ ମଜାମଜି କରିବାରୁ ସେ କ୍ରମେ ଅଧିକରୁ ଅଧିକ ମୋଟ ହେବାକୁ ଲାଗିଲା । ସମସ୍ତଙ୍କ ସାଙ୍ଗରେ ତେଢ଼ା ତେଢ଼ା କରି କଥାବାର୍ତ୍ତା କଲା । ଏଣେ ତା ବାପ ଦେଖିଲା ସେ ପୂରା ସାହିତ୍ୟିକ ବନିଗଲାଣି । ଏଣିକି ତାହାର ସାହିତ୍ୟିକମାନଙ୍କ ମଧ୍ୟରେ ନସର ପସର ହୋଇ ଲାଭ ନାହିଁ । ଏଥର ତାହାର ହାକିମ, ଜଜ୍, ମେଜେଷ୍ଟର, ଲାଟସାହାବଙ୍କ ମେଳରେ ହେରଫେର ହେବା ଉଚିତ୍ । କ୍ରମେ ଷେଣ୍ଢ ସାହିତ୍ୟ ଆସରରେ ମିଠେଇ ହାଣ୍ଡିର ଆକାର କମି କମି ଆସି ବନ୍ଦହୋଇଯିବାର ଆଶଙ୍କା ସଞ୍ଚାର କଲା । ଶାମମହାରାଜ ପୁଅ ପେଟରୁ କାରଣଟା କଢ଼େଇ ନେବାକୁ ଅନ୍ୟମାନଙ୍କୁ କିଛି ଡେରିଲାଗିଲା ।

 

ଦିନେ ସେ ଆସରକୁ ଆସିଲା ନାହିଁ । ଅନ୍ୟମାନେ ତାକୁ ସତବାଟକୁ ଅଣେଇବାର ଯୋଜନାରେ ଲାଗିପଡ଼ିଲେ । ମାହାନ୍ନା କହିଲେ–‘‘ଓଲଟାର ମୁଣ୍ଡରେ ଏବେ ଲାଟସାହାବ, ସେକ୍ରେଟେରୀ ସବାର ହେଉଛନ୍ତି । ତାକୁ ଏହିକ୍ଷଣି ସ୍ୱର୍ଗ ଦି’ହାତ ।’’

 

ଜେନା କବି କହିଲେ, ’‘ତା ମୁଣ୍ଡରୁ ସେଗୁଡ଼ାକ କଢ଼େଇ ଦେବାକୁ ହେବ । ନହେଲେ ଏଠାକଥା ଯେ ସରିଲା । ମନ ମିଠା ସଙ୍ଗେ ପାଟି ମିଠା ହେଉଥିଲା । ଅଥଚ ପକେଟ୍ ଉପରେ ଚପଟ ପଡ଼ୁନଥିଲା । କେଡ଼େ ସୁବିଧାଟା ନଷ୍ଟ ହେବାକୁ ବସିଲାଣି !’’

 

ପର ରବିବାର ଦିନ ମାହାନ୍ନା ଆସରକୁ ଆସିଲା ବେଳେ ଦୋକାନରୁ ତାକୁ ଟାଣି ଆଣିଲେ । ଆସରରେ ତାକୁ ସମସ୍ତେ ଅଣହାଣ୍ଡିଆ ଦେଖି ମନେମନେ ତା ଚଉଦ ପୁରୁଷର ଶ୍ରାଦ୍ଧ କରିଗଲେ ।

 

ଜେନାକବି ପଚାରିଲେ–’‘କି ସାନ ମହାରାଜେ ! କଥା କଅଣ ? ଏପରି ଚୁପ୍ ମାରିଗଲେ କାହିଁକି ?’’

 

‘‘ଦୋକାନରେ ଟିକିଏ କାମ ବେଶି ପଡ଼ିଯାଇଛି । ବାବା ଗୋଟାଏ ନୂଆ ମିଠେଇ ତିଆରି କରିଛନ୍ତି-ତା ନାଁ ‘ରସ ପୁଚୁକି ।’ ଆଃ ! ମିଠେଇ ଭିତରେ ରାଜା । ଖାଇଲେ ହାଇ ହାଇ କରିଯିବ ।’’

 

ମାହାନ୍ନା ଉପରେ ପଡ଼ି ଆରମ୍ଭ କରିଦେଲେ–‘‘ଆରେ ସେଗୁଡ଼ାକ କଥାରେ କହି ଲାଭ କଅଣ, କାର୍ଯ୍ୟରେ ଦେଖାଇଲେ ସିନା ଠିକ୍ କଥାଟା ଜଣାପଡ଼ନ୍ତା ! ଏମିତି ମୁହଁ କଥାରେ ଆମେ ବିଶ୍ୱାସ କରିବୁନି ।’’

 

‘‘ନା-ବାବା କହିଛନ୍ତି, ଆଗ ଲାଟ ସାହାବଙ୍କୁ ହାଣ୍ଡିଏ ଭେଟି ଦେବାପରେ ସେ ବଜାରକୁ ଛାଡ଼ିବେ ।’’

 

‘‘ଆରେ, ସରପୁଚୁକିକୁ ଲାଟସାହେବ ଖାଇ ହେଉଡ଼ିଟାଏ ମାରିଦେଲେ କାମ ସରିଲା-। ସେଇଠି ରସପୁଚୁକି ହଜମ । ଆଉ ସାହିତ୍ୟରେ ପଶିବ କୁଆଡ଼ୁ ? ଆମ ପେଟରେ ଆଗ ପଡ଼ୁ, ତାହାହେଲେ ଆମେ ତାକୁ ସାହିତ୍ୟରେ ନେଇ ଥାପନା କରିଦେବା, କଅଣ କହୁଛ ଜେନାକବିଏ, ମୁଁ କଅଣ ନାକରା କଥା କହୁଛି ?’’

 

‘‘ନା ନା, କଦାପି ନୁହେଁ । ଆମ ପେଟରେ ପଡ଼ିବା ଅର୍ଥ ସାହିତ୍ୟରେ ଏକ ବଡ଼ ଆସନ ପାଇବା । ସାନ ମହାରାଜଙ୍କୁ କଅଣ ଏଇଟା ବୁଝେଇବାକୁ ପଡ଼ିବ । ସେ କଅଣ ସେଇଟା ବୁଝି ନାହାନ୍ତି । କଅଣ କହୁଛ ସାନମହାରାଜେ ?’’

 

‘ନାହିଁ ନାହିଁ, ମୋତେ ସେ କଥା ଆଉ କୁହନା । ବାବା କେଭେ ରାଜି ହେବେନି । କାଲି ରାତିରେ ପାଗେ ମାତ୍ର ତିଆରି ହେବ । ଆଉ ଠିକ୍ ହୋଇଛି ମୁଁ ନିଜେ ଲାଟସାହାବଙ୍କ କୋଠିକୁ ପଅରଦିନ ସକାଳେ ନେଇ ଦେଇଆସିବି । ତାଙ୍କଠୁଁ ଗୋଟିଏ ସାର୍ଟିଫିକେଟ୍ ଆସିବ । ସେଇଟା ବନ୍ଧାହୋଇ ଦୋକାନରେ ଟଙ୍ଗା ହେବ । ତାପରେ ଯାଇ ଆଉ ଯିଏ । ମୋର ଡେରି ହେଲାଣି, କାମ ଥିଲା ।’

 

ଏତକ କହିବା ସଙ୍ଗେ ସଙ୍ଗେ ସେ ସେଠାରୁ ବିରୁଡ଼ି ମାରିଲାପରି ଛାଟିପିଟି ହୋଇ ପଳେଇଗଲା । ତାର ପ୍ରସ୍ଥାନ ପରେ ସମସ୍ତଙ୍କ ମନରେ ରାଗ କୁହୁଳିଲା ।

 

ଜଣେ କହିଲା–‘‘ଗୋବାଟାର ଭାରି ଗଉଁ ହୋଇଗଲାଣି । ତା ଗଉଁ ଟିକିଏ ଛଡ଼େଇ ନ ଦେଲେ ସେ ବାଟକୁ ଆସିବ ନାହିଁ । ଓଃ ! କି ତାଉ ! ମୁଁହରୁ କଥା ବାହାରୁ ନଥିଲା, ଆଖି ଫିଟି ନଥିଲା । ଆମ ସାଙ୍ଗରେ ବସାଉଠା କରିବାରୁ ଆଖି ଓ ପାଟି ଫିଟିଗଲା । ବଗା ଭାବିଛି ଏଠାରୁ ସିଧା ସଳଖ ଲାଟସାହାବଙ୍କ ପାଖକୁ ଚାଲିଯିବ । ରହ ବଚା, ତୋ ଗଉଁ ଛଡ଼େଇ ଦଉଛୁ ।’’

 

ଜେନାକବି କହିଲେ–‘ଓଃ । କେଡ଼େ ବେଖାତିର କରି ଚାଲିଗଲା । ହାଣ୍ଡିଟାଏ ହେଲେ ଥୋଇଦେଇ ଯାଇଥାଆନ୍ତା, ନା ନା, ତା ଔଦ୍ଧତ୍ୟର ବଦଲା ନେବାକୁ ହେବ ।’

 

ମାହାନ୍ନା କହିଲେ–‘ରୁହମ, ତାକୁ ପାନେ ମଜା ଚଖେଇ ଦେଉଛି । ପୁଅ ଲାଟସାହାବଙ୍କ ପାଖକୁ ଧାଇଁଯିବ ବୋଲି ଠିକ୍ କରିଛି; ଦେବି ଏମିତି ଏକ ପେଞ୍ଚ କରି ଯେ ପୁଅ କାଳକାଳକୁ ମନେ ରଖିଥିବ । ଆଉ ଲାଟସାହେବ ନାଁ ଧରିବନି ।’

 

ସମସ୍ତଙ୍କ ଅନୁରୋଧରେ ମାହାନ୍ନାଏ କାଳବିଳମ୍ବ ନକରି ଅଠାକାଣ୍ଡିଆ ବସେଇବାରେ ଲାଗିଗଲେ ।

 

ଦିନକ ପରେ ବଡ଼ି ସକାଳୁ ରାଜଭବନର ନିରାପତ୍ତାରକ୍ଷୀମାନେ ଅତିମାତ୍ରାରେ ସତର୍କ ହୋଇ ଉଠିଲେ । ଚତୁର୍ଦ୍ଦିଗରେ କଡ଼ା ମିଲିଟାରୀ ପୋଲିସ ପହରା । ପୁଲିସ ଅଫିସର କେତେଜଣ ବି ଖଣ୍ଡେ ଖଣ୍ଡେ ରୁଲ୍‍ବାଡ଼ି ଧରି ଟହଲ ମାରୁଥାନ୍ତି । ଜଣେ ଅଫିସର ଆର ଜଣଙ୍କୁ କହିଲା–‘ଓଃ ! ଏ ନକ୍‌ସଲିଆମାନେ କି ଭୟଙ୍କର, କେଡ଼େ ଟାଣ ତାଙ୍କ ଜୀବନ । ଜୋକପରି ଲାଗି ରହିଛନ୍ତି । କାହ୍ନୁ ସାନ୍ୟାଲ୍‍, ସେ ଗୁଡ଼ାଙ୍କୁ ବାୟା କରିଦେଇଛି । କେଡ଼େ ବିଚକ୍ଷଣ ବୁଦ୍ଧି ଦେଖ । ରାଜଭବନ ଚାରିପାଖର ନିରାପତ୍ତା ବାଡ଼କୁ ଭେଦକରି ପାରିବେନି; ସେଥିପାଇଁ ମିଠେଇ ହାଣ୍ଡି ଭିତରେ ବୋମା ରଖି ରାଜଭବନ ଭିତରେ ପୂରେଇ ଦେବାକୁ ବସିଛନ୍ତି । ଆମେ ତ ସବୁ ଓଲୁ ଏଠି ରହିଛୁ । ଆସୁ ସେ ବଦମାସ, ଆଚ୍ଛା କରି ଚେଙ୍କାଏ ପାଇବ ।’

 

ଅଦୂରରେ ଗୋଟାଏ ଟ୍ୟାକ୍‌ସି ଆସୁଥିବାର ଦେଖି ସମସ୍ତେ ସତର୍କ ହୋଇଗଲେ । ଗାଡ଼ିଟି ଫାଟକ ପାଖରେ ଅଟକିବା ମାତ୍ରେ ପୋଲିସମାନେ ତାକୁ ଘେରିଗଲେ । ଶାମ ମହାରାଜ ପୁଅ ଭାବିଲା ଲାଟସାହେବଙ୍କ ପାଇଁ ମିଠେଇ ନେଉଥିବାରୁ ସମସ୍ତେ ତାକୁ ଖାତିର୍ ଦେଖାଉଅଛନ୍ତି-। ସେ ହାଣ୍ଡିଟି ଗାଡ଼ିରୁ ଓହ୍ଲାଇ ଆଣିଲା । ଜଣେ ଅଫିସରଙ୍କ ଦ୍ୱାରା ଆଦିଷ୍ଟ ହୋଇ ଜଣେ ପୁଲିସ୍‍ ଖୁବ୍ ସତର୍କତାର ସହ ହାଣ୍ଡିଟି ତା’ଠୁଁ ନେଲା ଓ ବାଲିବସ୍ତା ଘେରଭିତରେ ଥିବା ଗୋଟାଏ ପାଣି କୁଣ୍ଡରେ ପୂରେଇଦେଲା । ଆଉ କେତେଜଣ ଶାମ ମହାରାଜ ପୁଅର ହାତକୁ ପଛଆଡ଼ୁଆ ବାନ୍ଧିପକେଇ ଶୂନ୍ୟେ ଶୂନ୍ୟେ ଟେକିନେଇ ପୋଲିସ୍‍ଭ୍ୟାନ୍ ଭିତରକୁ ଫିଙ୍ଗିଦେଲେ । ତାକୁ ଏସବୁ ସ୍ୱପ୍ନପରି ଲାଗୁଥାଏ ।

 

ଦି ଚାରିଦିନ ପରେ ଶାମ ମହାରାଜ ପୁଅ ପୁଣି ସାହିତ୍ୟ ଆସରରେ ଯୋଗଦେଲା । ଜେନାକବି ରସ ସମ୍ବନ୍ଧରେ ଏକ ସାରଗର୍ଭକ ଭାଷଣ ଦେଇ କହିଲେ–‘ପ୍ରତ୍ୟେକ ଜିନିଷର ରକ୍ଷଣାବେକ୍ଷଣ ପାଇଁ ଉପଯୁକ୍ତ ସ୍ଥାନ ଦରକାର । ଲୁଣକୁ ଦରକାର ଶୁଖିଲା ଥାନ, ତାକୁ ଓଦା ଥାନରେ ରଖିଲେ ପାଣି ହୋଇଯାଏ । ସେହିପରି ସାହିତ୍ୟରେ ରସର ପରିବେଷଣ ପାଇଁ ଉପଯୁକ୍ତ ସ୍ଥାନ ଦରକାର । ଅନୁପଯୁକ୍ତ ସ୍ଥାନରେ ପରିବେଷିତ ହେଲେ ତାହା ବିଷମୟ ଫଳ ଦେଇଥାଏ । ତେଣୁ ରସର ପରିବେଷଣ ଯଥା ସ୍ଥାନରେ ହେବା ନିତାନ୍ତ ଦରକାର ।’

 

ମାହାନ୍ନାଏ ପଛକୁ ମୁହଁ ବୁଲାଇ ନେଇ କୁରୁ କୁରୁ ହୋଇ ହସି ପକାଇଲେ ।

Image

 

ପାଗଡ଼ ପତ୍ରିକା ସମବାୟ ସମିତି

 

ପତ୍ରିକା ଏଜେଣ୍ଟମାନଙ୍କ ଉପରେ ‘ଚିରେଇତା’ ମାସିକ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ହାଡ଼ି ପଣ୍ଡା ରାଗିଯାଇ ରକ୍ତ ଚାଉଳ ଚୋବାଇବାକୁ ଲାଗିଲେ । ଏଜେଣ୍ଟଖାତାରୁ ବାକି ପଡ଼ିଥିବା ଟଙ୍କାର ହିସାବ ଦେଖି ତାଙ୍କର ପିଳେହି ପାଣି ହୋଇଗଲା । ବାରମ୍ବାର ଚିଠି ଦେବା ସତ୍ତ୍ୱେ ଉତ୍ତର ମିଳୁ ନଥାଏ । ଖୁବ୍ କଟାଳ କଲେ ଯାହା ଉପରେ ଦୁଇଶହ ଟଙ୍କା ବାକି ଥାଏ ସେ ଖୁବ୍ ବଦାନ୍ୟତା ଦେଖାଇ ପାଞ୍ଚଟଙ୍କା ପଠାଇଦିଏ । ତା’ପରେ ଦି’ ତିନି ମାସ ଯାଏ ଘୁଙ୍ଗୁଡ଼ି ନିଦ । କେହି କେହି ଏଜେଣ୍ଟ ଅତିବେଶି ତାଗଦା ହେଲେ ଲେଖିପଠାନ୍ତି–‘‘ଆଜ୍ଞା, ମୋ ଘରେ ଚୋର ପଶି କଳାକନା ବୁଲାଇଦେଇ ଯାଇଛନ୍ତି । ମୋ ଅଣ୍ଟା ଟିକିଏ ସଳଖି ହୋଇଯାଉ, କଡ଼ାକ୍ରାନ୍ତି କରି ଆପଣଙ୍କ ଟଙ୍କା ଶୁଝିଦେବି ।’’ ଏହିପରି କୋଉ ଏଜେଣ୍ଟର ଘର ବନ୍ୟାରେ ଭାସିଯାଏ, କାହାର ଘର ବାତ୍ୟାରେ ଉଡ଼ିଯାଏ । ବହୁ ଆଗରୁ ଦେହତ୍ୟାଗ କରିଥିବା କାହାରି କାହାରି ବାପ ମା’ମାନେ ପୁଣିଥରେ ମର୍ତ୍ତ୍ୟଧାମକୁ ଆସି ମରିଯାଆନ୍ତି । ଏହି ସବୁ କାରଣରୁ ସେହିମାନେ ସମ୍ପାଦକଙ୍କୁ ଏମିତି ଛଟ ପଟ ନହୋଇ ସବରାତ କରିବାକୁ ନିର୍ଦ୍ଦେଶ ଦିଅନ୍ତି । କେତେ-ଜଣଙ୍କର ବୋଧହୁଏ ଅସ୍ଥାୟୀ ମୃତ୍ୟୁ ହୁଏ ନା କଅଣ ଯେତେ ହୋ ହା କଲେ ବି, ଓକିଲ ନୋଟିସ୍ ପଠାଇବାର ଭୟ ଦେଖେଇଲେ ବି ସେମାନଙ୍କର କିଛି ହେଲେ ପ୍ରତିକ୍ରିୟା ଦେଖାଯାଏ ନାହିଁ । ସମ୍ପାଦକଙ୍କର ଏଣେ ପତ୍ରିକା ପଠାଇବା ବନ୍ଦକରି ଦେବାକୁ ସତ ବଳୁନଥାଏ, କାଳେ ପଛନ୍ତେ ଏଜେଣ୍ଟ ଟଙ୍କା ପଠେଇଦେବେ; ତେଣେ ପଇସା ଆଦାୟ କରିବାକୁ କୋର୍ଟର ଆଶ୍ରୟ ନେବାକୁ ସାହସ ହେଉ ନଥାଏ । ସମସ୍ତଙ୍କ ଉପରେ ନାଲିସ୍ କରିବା କିଛି ଅଳପକର କଥା ନୁହେଁ । ଏମିତି କୁନ୍ଥୁ କୁନ୍ଥୁ ଭିତରେ ବାକିଆ ଟଙ୍କା ଯେତେବେଳେ ତିନି ସଂଖିଆ ଧରେ ସେତେବେଳେ ବାଧ୍ୟ ହୋଇ ପତ୍ରିକା ପଠେଇବା ବନ୍ଦକରି ଅନ୍ୟ ଏଜେଣ୍ଟ ଲୋଡ଼ନ୍ତି । ଏବେ କଅଣ କରିବେ କିଛି ଠିକ୍ କରି ନ ପାରି ରାମ୍ପୁଡ଼ି ବିଦାରି ହେବାକୁ ଲାଗିଲେ । ଅନ୍ୟ ପତ୍ରିକାମାନଙ୍କ ଅବସ୍ଥା ଏହିପରି ନା ଏକା ତାଙ୍କରି ହାଲତ ଏହିପରି ତାହା ଜାଣିବା ଲାଗି ସେ ଅନ୍ୟ ସମ୍ପାଦକମାନଙ୍କଠାରୁ ଖବର ଅନ୍ତର ସଂଗ୍ରହ କଲେ । ବିଶେଷ କରି କାପିଟାଲ୍‍ର ଏଜେଣ୍ଟ ବିଷୟରେ ଅନୁସନ୍ଧାନ କଲେ; କାରଣ ସେହି ଏଜେଣ୍ଟଟି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିଲା ଓ ଓଡ଼ିଶାର ପ୍ରାୟ ସବୁ ପତ୍ରିକା ରଖି ବେଶ୍ ଭଲ କଟେଇ ପାରୁଥିଲା । ଖବର ସଂଗ୍ରହ କରିବାରୁ ‘ଗୁଣ୍ଠୁଣିହାତୀ’ର ସମ୍ପାଦକ ସାଫ୍ ସାଫ୍ ଶୁଣାଇ ଦେଲେ ଯେ ତାଙ୍କ କଥା ନିଆରା-। ଖୋଦ୍ କ୍ୟାପିଟାଲ ଏଜେଣ୍ଟ ତାଙ୍କ ଘରକୁ ଆସି ମୁଣ୍ଡିଆମାରି ଆଗତୁରା ଟଙ୍କା ଥୋଇ ‘ଗୁଣ୍ଠୁଣିହାତୀ’ ନିଏ । ଅନ୍ୟ ଏଜେଣ୍ଟମାନେ ବି ଅଗ୍ରୀମ ଟଙ୍କା ପଠେଇଲେ ତାଙ୍କ ପାଖକୁ ପତ୍ରିକା ପଠାଯାଏ । ଏଣୁ ତାଙ୍କର ଗୋଟାଏ ପଇସା ବି ବୁଡ଼େ ନାହିଁ ।

 

‘ତାଳଗଛ’ ପତ୍ରିକା ସମ୍ପାଦକ କହିଲେ ଯେ ତାଙ୍କ ପତ୍ରିକାର ଏଜେଣ୍ଟମାନେ ପତ୍ରିକା ପାଇବାର ସପ୍ତାହକ ଭିତରେ ଟଙ୍କା ମନିଅର୍ଡ଼ର ଯୋଗେ ପଠାଇ ଦିଅନ୍ତି । ଥରେ କ୍ୟାପିଟାଲ ଏଜେଣ୍ଟ ଉପରେ ଦୁଇଟା ସଂଖ୍ୟାର ଦାମ୍ ବାକି ପଡ଼ିଗଲା । ଟଙ୍କା ୩ ଦିନ ମଧ୍ୟରେ ନ ପଠାଇଲେ ପତ୍ରିକା ବନ୍ଦ କରିଦିଆଯିବ ବୋଲି ଧମକ ଦିଆଯିବାରୁ ସେ ପତ୍ରପ୍ରାପ୍ତି ସଙ୍ଗେ ସଙ୍ଗେ ହଗା ମୂତା ହୋଇ ଟଙ୍କା ସହ ତାଙ୍କ ପାଖକୁ ଧାଇଁଆସିଲା । ଟଙ୍କା ଗୋଡ଼ତଳେ ଥୋଇ ଦେଇ ବିକଳରେ କାକୁତି ମିନତି ହେଲା । କହିଲା–‘‘ଆଜ୍ଞା ! ପତ୍ରିକା ବନ୍ଦ କରନ୍ତୁ ନାହିଁ, ମୋ ପିଲା କବିଲା ଭୋକରେ ଆଉଟୁ ପାଉଟୁ ହୋଇ ମରିଯିବେ । ‘ତାଳଗଛ’ ମୋର ଏକମାତ୍ର ସାହା । ତା’ରି ଛାଇରେ ଆଜିଯାଏ ଆରାମରେ ରହିଆସିଲି । ଆଜି ମୋ ବେକରେ ଛୁରୀ ଦିଅନ୍ତୁ ନାହିଁ । କାନ ମୋଡ଼ି ହେଉଛି, ଆଉ ଏ ଭୁଲ୍ କରିବିନି । ଆଡ଼କୁ ପହିଲାକୁ ପହିଲା ଟଙ୍କା ପଠେଇଦେବି । ଏତେ କାକୁତିମିନତି ହେବାରୁ ତାଙ୍କର ଦୟା ହେଲା ଏବଂ ସେ ପୂର୍ବପରି ‘ତାଳଗଛ’ ପଠାଉଛନ୍ତି । କେବଳ ଏଇ ଦୁଇଜଣ ସମ୍ପାଦକ ନୁହଁନ୍ତି, ‘ନେଉଳ’ ’ବିଲୁଆ’, ‘ଚୁଚୁନ୍ଦ୍ରା’, ‘ମୃଦଙ୍ଗ’ ଆଦି ପତ୍ରିକାର ସମ୍ପାଦକମାନଙ୍କ ମୁହଁରେ ସେହି ଏକ କଥା–ତାଙ୍କ ପତ୍ରିକାର ଗୋଟିଏ ହେଲେ ପଇସା ଏଜେଣ୍ଟମାନେ ଖାଇ ପାରନ୍ତି ନାହିଁ । ସମସ୍ତେ ଡାକରେ ହେଉ ବା ନିଜ ନିଜ ହାତରେ ହେଉ ଦେଇ ହିସାବ ଚୁକ୍ତି କରିଦିଅନ୍ତି । ‘ଚିରେଇତା’ ସମ୍ପାଦକ ସବୁ ଶୁଣି ଠିକ୍ କଲେ ଯେ ତାଙ୍କର ଏକା ଶନିସପ୍ତା ଆଉ ସମସ୍ତଙ୍କର ପଞ୍ଚମ ବୃହସ୍ପତ୍ତି ହୋଇଛି । ତା ନହେଲେ ସମସ୍ତେ ଗୋଟାଏ ପାଖରେ ତ ସେ ଠିକ୍ ଆରପାଖରେ ! ସମସ୍ତଙ୍କ ସୌଭାଗ୍ୟ ତାଙ୍କ ଆଖି ଆଗରେ ଝଲସି ଉଠିଲା । ନିଜ ଭାଗ୍ୟକୁ ଦିନରାତି ଧିକ୍‌କାରିବାକୁ ଲାଗିଲେ । ପୁଣି ମନେ ମନେ ନିଜକୁ ସାନ୍ତ୍ୱନା ଦେବାକୁ ଲାଗିଲେ-‘‘ମୁଁ ନିଶ୍ଚୟ ପୂର୍ବ ଜନ୍ମରେ ଏଜେଣ୍ଟଟିଏ ଥିଲି, ସମ୍ପାଦକମାନଙ୍କୁ ବୋଧହୁଏ ନିସ୍ତୁକ ପାଣି ପିଆଇଥିଲି, ସେମାନଙ୍କୁ କାଲୁବାଲୁ କରିଥିଲି । ଏବେ ତା’ରି ପ୍ରତିଫଳ ପାଉଛି, ପାପର ପ୍ରାୟଶ୍ଚିତ୍ତ କରୁଛି । ଯାଃ-! ସେଗୁଡ଼ାକ ଭୋଗ ହୋଇଯାଉ । ପାପଗୁଡ଼ାକ କଟିଯାଉ ! ପାପ ସବୁ କଟିଗଲେ ପୁଣି ପୁଣ୍ୟ ଦେଖାଦେବ । ଅନ୍ୟମାନଙ୍କ ପରି ମୋ ପାଖକୁ ମଧ୍ୟ ଏଜେଣ୍ଟମାନେ ଧାଇଁବେ ଏବଂ ଆଗତୁରା ପଇସା ଦେଇ ‘ଚିରେଇତା’ ନେବେ ।’’

 

ମନକୁ ବୁଝେଇ ଦେବା ପରେ ତାଙ୍କର ପୁଣି ମନ ହେଲା ଭାଗ୍ୟ କେଉଁଦିନ ଲେଉଟିବ ତାହା ଜଣାପଡ଼ିବ କେମିତି ? ପୂର୍ବର ପାପ କେଉଁଦିନ ସରିବ ତାହା କହିବ କିଏ ? ବହୁତ ଭାବିଚିନ୍ତି ଶେଷରେ ସେ ସ୍ଥିର କଲେ ଯେ ପାପ କେଉଁଦିନ ସରୁଛି ସରୁ; ଭାଗ୍ୟ ଯେଉଁଦିନ ଫିଟୁଛି ଫିଟୁ; ସେ କିନ୍ତୁ ଚେଷ୍ଟାରେ କିଛି ଖଇଚା କରିବେ ନାହିଁ । ଏଜେଣ୍ଟମାନଙ୍କ ପାଖକୁ ଖାଲି ଚିଠି ଦେବାରୁ ସେମାନେ ସିନା ଚୁପ୍‌ଚାପ୍ ରହି ଯାଉଛନ୍ତି, ନିଜେ ଗଲେ ଆଉ ସାମନା ସାମନି ତାଗଦା କଲେ ଯିବେ କୁଆଡ଼େ ? ଦଶ ଜାଗାରେ ପାଞ୍ଚ ତ ଅବଶ୍ୟ ମିଳିବ । ଆଉ ସମସ୍ତଙ୍କୁ ପାଖକୁ ଏଜେଣ୍ଟମାନେ ଯାଉଛନ୍ତି, ସେ ଏବେ ଏଜେଣ୍ଟମାନଙ୍କ ପାଖକୁ ଯିବେ । ଏଜେଣ୍ଟମାନଙ୍କର ନିଶ୍ଚୟ ନୂଆ ଅନୁଭୂତି ହେବ । ସେମାନଙ୍କ ମନରେ ହୁଏତ ଗୋଟାଏ ଧାରଣା ହୋଇପାରେ ଯେ ସେମାନେ ସମ୍ପାଦକମାନଙ୍କ ପାଖକୁ ଦଉଡ଼ି ଗୋଡ଼ରୁ ପାଣିମାରୁଥିବା ବେଳେ ଜଣେ ସମ୍ପାଦକ ତାଙ୍କ ପାଖକୁ ଦଉଡ଼ିଲାଣି; ତେଣୁ ପତ୍ରିକା ଦାମ୍‌ଟା ଚଟାପଟ ଦେଇଦେବା ଦରକାର । ଏପରି ହେଲେ ଟଙ୍କା ନିଶ୍ଚୟ ମିଳିବ । ଏପରି ଭଲ ବୁଦ୍ଧିଟାଏ ମୁଣ୍ଡକୁ କିଆଁ ଆଗରୁ ପଇଟୁ ନଥିଲା ତାହା ଭାବି ‘ଚିରେଇତା’ ସମ୍ପାଦକ ମୁହଁକୁ ଚିରେଇତା ଚୋବାଇଲା ପରି କଲେ । ତହିଁ ଆରଦିନ ସକାଳୁ ବସ୍‌ରେ କ୍ୟାପିଟାଲ୍ ଗଲେ ।

 

ବସ୍‌ରେ ଉଠି ଦେଖିଲେ ତହିଁରେ ‘ନେଉଳ’ ସମ୍ପାଦକ ଆଗରୁ ବସିଅଛନ୍ତି । ତାଙ୍କୁ ଦେଖି ମୃଦୁହସ ସହ ପଚାରିଲେ–‘‘କି ଆଜ୍ଞା, ଆପଣ କୁଆଡ଼େ ?’’

 

‘‘ହେଁ–ହେଁ, ଜଣେ ବନ୍ଧୁଙ୍କ ଘରକୁ ଯାଉଛି । ତାଙ୍କ ପୁଅ ଏକୋଇଶା । ଆଉ ଆପଣ–?’’

 

‘ଚିରେଇତା’ ମନେ ମନେ ଠିକ୍ କରିନେଲେ ଏଜେଣ୍ଟଙ୍କ ପାଖକୁ ଧାଇଁବା ଭଳି ଖରାପ କଥାଟାଏ ପ୍ରଘଟ କରିଦେବା ବିଜ୍ଞତାର କାମ ହେବନି । ମନକଥା ମନରେ ଚାପି ଉତ୍ତର ଦେଲେ ‘‘ହେଁ ହେଁ ମୁଁ ବି ନିମିତା ଖାଇଯାଉଛି । ମୋ ମାଉସୀପୁଅ ଭାଇ ତା ପୁଅ ଏକୋଇଶା କରିନଥିଲା । ଏବେ ଜନ୍ମଦିନ କରୁଛି । ଖବର ଦେଇଥିଲା । ନଗଲେ ନ ଚଳେ ।’’

 

ଆଉ ଗୋଟିଏ ଷ୍ଟାଣ୍ଡରୁ ’ବିଲୁଆ’ ସମ୍ପାଦକ ଉଠିଲେ । ତାଙ୍କ କଥାରୁ ଜଣାପଡ଼ିଲା ସେ ଲିଙ୍ଗରାଜ ଦର୍ଶନକୁ ଯାଉଛନ୍ତି । କିଛି ସମୟ ପରେ ‘ଚୁଚୁନ୍ଦ୍ରା’ ଓ ତାପରେ ‘ମୃଦଙ୍ଗ’ ଉଠିଲେ । ତାଙ୍କଠୁ ଜଣା ଗଲା ଜଣେ ସଚିବାଳୟ ଓ ଆଉଜଣେ ବିଧାନସଭା ସଭ୍ୟଙ୍କ ଘରକୁ ଯାଉଛନ୍ତି । ବସ୍‌ଷ୍ଟାଣ୍ଡ୍‍ ପୂର୍ବରୁ ‘ଚିରେଇତା’ଙ୍କ ଛଡ଼ା ଅନ୍ୟମାନେ ଖପ୍‌ଖାପ୍ ଓହ୍ଲେଇ ପଡ଼ିଲେ । ‘ଚିରେଇତା’ ସମ୍ପାଦକ ଷ୍ଟାଣ୍ଡରେ ଓହ୍ଲେଇ ଚାରିଆଡ଼କୁ ଆଖି ବୁଲେଇ ନେଲେ; ଦେଖିଲେ ନେଉଳ, ବିଲୁଆ, ଚୁଚୁନ୍ଦ୍ରା, ମୃଦଙ୍ଗ କେହି କୁଆଡ଼େ ନାହାନ୍ତି । ଏଜେଣ୍ଟ ନାଁ ଓ ଷ୍ଟଲ ପଚାରି ପଚାରି ଠିକଣା ଥାନରେ ଯାଇପହଞ୍ଚିଲେ । ଟିକିଏ ଦୂରରୁ ଦେଖିଲେ ଏଜେଣ୍ଟଟି ଜଣେ ଲୋକ ସାଙ୍ଗରେ କଳି କରୁଛି । ତାଙ୍କୁ ଶୁଭୁଥାଏ–

 

‘‘କହୁଛି, ଟଙ୍କା ଏହିକ୍ଷଣି ନାହିଁ, ତୁଚ୍ଛାଟାରେ ସକାଳଟାରୁ ବକର ବକର ହଉଛ ।’’

‘‘ପତ୍ରିକା ତ ସବୁ ବିକ୍ରି ହୋଇଛି । ଟଙ୍କା ଗଲା କୁଆଡ଼େ ?’’

‘‘ଗଲା ତୁମରି ଭଳିଆ ଆଉଜଣକ ପେଟକୁ ।’’

 

‘‘ଏଁ ! ମୋ ପଇସା ଆଉଜଣକ ପେଟରେ ପଡ଼ିବ, ଆଉ ମୁଁ ପେଟରେ ଓଦାକନା ପକାଇବି ।’’

 

‘‘ତୁମ ପେଟରେ ସେମିତି ଆଉ କାହାର ଟଙ୍କା କେବେ ପଶିଥିବ ।’’

 

‘‘ହଉ ହଉ, ତମ ଭଦ୍ରପଣିଆ ଜଣାଗଲା । ମୁଁ ଟଙ୍କା ନେଇଯିବି । ଏମିତିଆ ଏଜେଣ୍ଟ ମୋର ଲୋଡ଼ାନାହିଁ ।’’

 

‘‘ହଉ, କେମିତି ନଉଛ ନିଅ; ଏମିତିଆ ରାଣ୍ଡ ଧମକାଣ ଢେର ଦେଖିଛି । ମୋର ବି ଏମିତିଆ ପତ୍ରିକା ଦରକାର ନାହିଁ ।’’

 

ଏଜେଣ୍ଟଟା ତାଙ୍କରି ଭଳିଆ ଏକ ପତ୍ରିକା ମାଲିକଙ୍କୁ ରୁକ୍ଷ ବ୍ୟବହାର ଦେଖାଉଥିବାର ଦେଖି ‘ଚିରେଇତା’ କ୍ରୁଦ୍ଧ ହୋଇ ଆଗେଇଲେ । ଏଜେଣ୍ଟ ବ୍ୟବହାରର ପ୍ରତିବାଦ କରୁ କରୁ ମୁଣ୍ଡବୁଲାଇ ଦେଖନ୍ତି ତ ଏଜେଣ୍ଟ ସଙ୍ଗେ କଳହରେ ବ୍ୟାପୃତ ଲୋକଟି ଖୋଦ ‘ତାଳଗଛ’ର ସମ୍ପାଦକ । ତାଙ୍କ ମୁଣ୍ଡ ଗୋଳମାଳ ହୋଇଗଲା । ପାଟି ଖନିବାଜିଗଲା । କେଇଦିନ ତଳେ ସେ ତାଙ୍କଠାରୁ ଶୁଣିଥିଲେ କଅଣ ଓ ଏବେ ନିଜ ଆଖିରେ ଦେଖୁଛନ୍ତି କଅଣ ? ଏମିତିଆ ଏକ ଉଦ୍ଧତ ଏଜେଣ୍ଟଙ୍କୁ ସିଏ କହିବେ କଅଣ ? ଏଜେଣ୍ଟ ସଙ୍ଗେ ନିଜ ଟଙ୍କା ବିଷୟ କଥାବାର୍ତ୍ତା ହୋଇ ପଛକୁ ଚାହାନ୍ତି ତ ‘ତାଳଗଛ’ ଅନ୍ତର୍ଦ୍ଧାନ । ଏଜେଣ୍ଟକୁ ଘରକୁ ଫେରିବାକୁ ଗାଡ଼ିଭଡ଼ା ନାହିଁ ବୋଲି କହିବାରୁ ସେ ଦୟାକରି ଖଣ୍ଡିଏ ପାଞ୍ଚଟଙ୍କିଆ ନୋଟ ବଢ଼େଇ ଦେଲା । ବସ୍ ଷ୍ଟାଣ୍ଡର ଟିକଟଘର ପାଖରେ ‘ତାଳଗଛ’ଙ୍କୁ ଖୋଜି ଖୋଜି ନିରାଶ ହେଲେ । ପୁଣି ପଦାକୁ ଯାଇ ସେ ଏଜେଣ୍ଟର ଦୋକାନ ଆଡ଼କୁ ଚାହିଁଲେ । ମନରେ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେ ଦେଖିଲେ ପ୍ରାୟ ୫/୭ ମିନିଟ ବ୍ୟବଧାନରେ ନେଉଳ, ବିଲୁଆ, ଚୁଚୁନ୍ଦ୍ରା ଓ ମୃଦଙ୍ଗ ସମସ୍ତେ ଜଣ ଜଣ ହୋଇ ସେ ଦୋକାନକୁ ଗଲେ ଆଉ ମୁହଁଟାକୁ ଅସନା ପଦାର୍ଥ ଶୁଙ୍ଘିଲା ଭଳିଆ କରି ଫେରିଲେ । ନିଜକୁ ମିଶାଇ ସମସ୍ତେ ଯେ ଗୋଟିଏ ଗଛର ଚଢ଼େଇ ତାହା ତାଙ୍କୁ ଆଉ ବୁଝିବାକୁ ବାକି ରହିଲା ନାହିଁ ।

 

ଘରକୁ ଫେରି ସେ ଏହାର ପ୍ରତିକାର କରିବାକୁ ମନେ ମନେ ସ୍ଥିର କଲେ । ଆଗରେ ଥିବା ରବିବାର ଦିନ ସମସ୍ତେ ଯେପରି ତାଙ୍କରି ଅଫିସରେ ରୁଣ୍ଡ ହୁଅନ୍ତି ତାର ବ୍ୟବସ୍ଥା କଲେ । ଠିକଣା ଦିନରେ ବି ସମସ୍ତେ ରୁଣ୍ଡ ହେଲେ । ସମସ୍ତଙ୍କୁ ସମ୍ବୋଧନ କରି ସେ କହିଲେ ‘‘ଦେଖ–ଯାହା ହେବାର ହୋଇଗଲାଣି, ଆଉ ନିଜ ନିଜକୁ ଲୁଚେଇ ଲାଭ ନାହିଁ । ଆମେ ସମସ୍ତେ ପଦାରେ ପଡ଼ିଯାଇଛେ । ଏଜେଣ୍ଟମାନେ ଆମର ଦୟନୀୟ ଅବସ୍ଥା ଜାଣିପାରି ବେଶ୍ ଠିଆଚିତା କାଟୁଛନ୍ତି । ଆମର ପତ୍ରିକା ସବୁ ବିକ୍ରି ହେଉଛି । ଲୋକେ କିଣି ପଢ଼ୁଛନ୍ତି । ମଝିରେ ଏଜେଣ୍ଟମାନେ କଳାକନା ବୁଲେଇ ଦେଉଛନ୍ତି । ଆମର ସବୁ ଉଦ୍ୟମ ପଣ୍ଡ ହେଉଛି । ଏମିତି ଲାଗି ରହିଲେ ପତ୍ରିକାସବୁ କେଇେଦିନ ବଞ୍ଚିବ ? ମୁଁ ଯାହା ଦେଖୁଛି ଏ ଏଜେଣ୍ଟମାନଙ୍କୁ ବିଲ୍‍କୁଲ୍‍ ଛାଡ଼ି ଦେବାକୁ ହେବ ?’’

 

‘ତାଳଗଛ’ ପଚାରିଲେ–‘‘ବିକିବ କିଏ ? ପତ୍ରିକା ସବୁ କଅଣ ବନ୍ଦ କରିଦେବା ?’’

‘‘ବନ୍ଦ କରିବା କାହିଁକି ? ଆମର ନିଜର ଦରମାଦିଆ ଏଜେଣ୍ଟ ରଖିବା ।’’

 

‘‘ଏତେ ଟଙ୍କା ଆସିବ କୁଆଡ଼ୁ ଯେ ସବୁ ଜାଗାରେ ଦରମା ଦେଇ ଏଜେଣ୍ଟ ବା ହକର୍‍ ରଖିବା ?’’

 

‘‘ଏ ଅଗା, ବଗା, ଖଗା ତିନିହେଁ ତିନି ଅଲଗା’’–ପାଠ ଆଉ ଚଳିବନି । ଚାଲ ସମସ୍ତେ ଏକଜୁଟ ହୋଇ ଗୋଟାଏ ଅନୁଷ୍ଠାନ ଗଢ଼ିବା । ପ୍ରତି ମାସରେ ଏଜେଣ୍ଟଙ୍କ ମୁହଁରେ ଯେତିକି ସ୍ୱାହା ହେଉଛି ସମସ୍ତେ ସେତିକି କିମ୍ବା କିଛି ବେଶି ଚାନ୍ଦା ଦେଲେ ବଡ଼ ବଡ଼ ଥାନରେ ଏଜେଣ୍ଟ ରଖି ଦରମା ଦେବାକୁ ପଇସା ହୋଇଯିବ । ସମସ୍ତେ ଚାନ୍ଦା ଆଉ ପତ୍ରିକା ଅନୁଷ୍ଠାନକୁ ପଠାଇ ଦେବେ । ଅନୁଷ୍ଠାନ ଏଜେଣ୍ଟ ଓ ହକ୍‍ର ରଖି ପତ୍ରିକା ବିକ୍ରୀ କରାଇବ । ବିକ୍ରୀ ଧନ ଯାହାର ଯାହା ହୋଇଥିବ ତାକୁ ତାହା ଦେଇଦେବ । ଅନୁଷ୍ଠାନଟିକୁ ସମବାୟ ସମିତିରେ ପରିଣତ କରିଦେଲେ ଆହୁରି ଲାଭ-। ଥିବା ନ ଥିବାରୁ ସମବାୟ ବ୍ୟାଙ୍କରୁ ଧାର ଉଧାର ବି ମିଳନ୍ତା । ଚାଲ ଦିବର୍ଷ ପରୀକ୍ଷା କରିବା, ଯଦି କିଛି ନ ହେବ ପଛେ ଭାଙ୍ଗିଦେବା । କହିଛି ପରା ‘ମଇଁଷି ଶିଙ୍ଘ ଫଟା, ଯୁଝିଲାବେଳକୁ ଗୋଟା’ ଆମେ ସମସ୍ତେ ଏକ ହେଲେ ଦୁନିଆ ତାଡ଼ିଦେବା; ଓ-କଅଣ କହୁଛ ?’’

 

ସମସ୍ତେ ଏଥିରେ ରାଜି ହେଲେ; ପ୍ରସ୍ତାବ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ହୋଇଗଲା । ‘ଚିରେଇତା’ ଅଫିସରେ ସମିତିର କାର୍ଯ୍ୟାଳୟ ଖୋଲାଗଲା । କ୍ୟାପିଟାଲକୁ ମିଶାଇ ପାଞ୍ଚଟା ବଡ଼ ବଡ଼ ପେଣ୍ଠ ଜାଗାରେ ଦରମାଦିଆ ଏଜେଣ୍ଟ ରହିଲେ । କମିଶନ ଟିକିଏ ବଢ଼େଇ ଦେବାରୁ ହକର୍‍ମାନେ ସେଇଠୁ ଆଗତୁରା ପଇସା ଦେଇ ପତ୍ରିକା ସବୁ ନେଲେ । ହକର୍‍ମାନଙ୍କୁ ବି ଭାରି ସୁବିଧା ହେଲା । ଗୋଟାଏ ଜାଗାରୁ ସବୁ ପତ୍ରିକାଯାକ ପାଇଲେ । ଦରମାଦିଆ ଏଜେଣ୍ଟମାନଙ୍କୁ ନିର୍ଦ୍ଦିଷ୍ଟ ସଂଖ୍ୟାରୁ ବେଶି ଯେତେ ବିକିବେ ତହିଁରେ କିଛି କମିଶନ ଦିଆଯିବାର ବ୍ୟବସ୍ଥା ହେବାରୁ ସେମାନେ ମନ ଲଗାଇ ବିକ୍ରୀ କରିବାରେ ଲାଗି ପଡ଼ିଲେ । ଏଣେ ସମ୍ପାଦକମାନଙ୍କୁ ପତ୍ରିକା ବିକ୍ରୀ ଓ ତାର ମୂଲ୍ୟ ପ୍ରାପ୍ତି ବିଷୟରେ ମୁଣ୍ଡ ଖେଳାଇବାକୁ ନ ପଡ଼ିବାରୁ ସେମାନେ ପତ୍ରିକାର ଉନ୍ନୟନରେ ମନଦେଲେ । ସବୁ ପତ୍ରିକା ନିୟମିତ ବାହାରିଲା । ଗୋଟାଏ ବର୍ଷରେ ସବୁ ଓଲଟ ପାଲଟ ହୋଇଗଲା । ସମ୍ପାଦକମାନେ ପୁଡ଼ିଆ ଜମେଇ ଯେଉଁ ଡାହାମିଛ କହୁଥିଲେ ତାହା ସତରେ ପରିଣତ ହେଲା । ବାହାର ଏଜେଣ୍ଟମାନେ କୋଠ ଅନୁଷ୍ଠାନକୁ ଏକ ସମବାୟ ସମିତିରେ ପରିଣତ କରି ନାଁ ଦିଆଗଲା-‘‘ପାଗଡ଼ ପତ୍ରିକା ସମବାୟ ସମିତି’’ । ପାଗଡ଼ଟା ଦଉଡ଼ିଠାରୁ ବେଶି ଟାଣ ଓ ବନ୍ଧନ ବିଲ୍‍କୁଲ୍‍ ଛିଣ୍ଡିବ ନାହିଁ ବୋଲି ଏହିପରି ନାମକରଣ କରାଗଲା । ସଭ୍ୟମାନଙ୍କ ମନକୁ ବି ତାହା ପାଇଲା ।

Image

 

ରାଣ୍ଡ ଧମକାଣର ଓଷଦ

 

ଗନ୍ଧିଆ ବଡ଼ି ସକାଳୁ ଉଠି ଚଟାପଟ୍ ନିତ୍ୟକର୍ମ ସାରିଦେଲା । କାମିଜଟା ଗଳେଇ ପକେଇ ଖଟ ଉପରେ ବସିଗଲା । ହାତଯୋଡ଼ି ଆଖିବୁଜି କିଛି ସମୟ ଦି’ଓଠ ନଚେଇଲା । କିଛି ମନ୍ତ୍ରଫନ୍ତ୍ର ମନେ ମନେ ଉଚ୍ଚାରଣ ବୋଧହୁଏ କରୁଥିଲା । ବସାର ଅନ୍ୟମାନେ ତା’ର ଏପରି ଗତିଗୋତ୍ର ଦେଖି ଅବାକ୍ । ଦିନ ଆଠଟା ବେଳେ ଯିଏ ନ ଡାକିଲେ ଉଠେନାହିଁ ତାର ପୁଣି ଏପରି କାରବାର ! କେହି କେହି ଭାବିଲେ କୁଆଡ଼େ ଏକ ବଡ଼ କାମରେ ଅନୁକୂଳ କରି ବାହାରିଛି ବୋଧହୁଏ ।

 

ମନ୍ତ୍ରଯନ୍ତ୍ର କରିସାରି ଗନ୍ଧିଆ କଅଣ ଗୋଟାଏ ଖୋଜି ଲାଗିଲା । ଖାତାପତ୍ର ଘାଣ୍ଟିଲା, ବହିପତ୍ର ଘାଣ୍ଟି ଶେଯ ଲେଉଟାଇଲା । ତକିଆ ଫିଙ୍ଗିଲା–ଶେଷରେ ପାଟିକଲା–‘‘ଏଡ଼େ ବାହାଦୁରିଆଟା କିଏ ମୋ ଜିନିଷରେ ହାତ ଦେଲା । ଯାହାର ଏମିତିଆ ଦରକାର ସେ ଗୋଟାଏ କିଣୁନି । କାହିଁକି ଯେ ମୋସାଙ୍ଗରେ ଲାଗିଛନ୍ତି ମୁଁ କିଛି ବୁଝିପାରୁନି । ଏଇଠି ଥିଲା, ଗଲା କୁଆଡ଼େ-? କଅଣ ତା’ଠିଁ ପର ଲାଗିଗଲା ସେ ଉଡ଼ି ପଳେଇଲା ।’’ ଏମିତି ବିଳ୍‌ବିଳେଇବା ସଙ୍ଗେ ସଙ୍ଗେ ସେ ବିରକ୍ତରେ ଜିନିଷପତ୍ର ଏଠୁଁ ଟେକି ସେଠି ଥୋଉଥାଏ, ସେଠୁଁ ଟେକି ଏଠି ଥୋଉଥାଏ । ବାଂଝ ପରିଶ୍ରମ କରି କରି ହାଲିଆ ହୋଇ ପଡ଼ିଲାରୁ ବସିପଡ଼ି ଚିତ୍କାର କଲା–‘‘ଆରେ କିଏ ନେଇଛ ଆଣି ଦେଇଯାଅ । କାହିଁକି ମୋତେ ହଇରାଣ କରୁଛ ? ଯଦି ଦରକାର ଥିଲା ନେଲ ତ ନେଲ, ଆଣି ଦଉନ କାହିଁକି ? ଏ କି ଧରଣର ଜବରଦସ୍ତି ? କଅଣ ମୁଁ କାହାକୁ କିଛି କହେନି ବୋଲି ଏମିତି ହଇରାଣ କରୁଛ ନା ଆଉ କିଛି ? ଆରେ ଯିଏ ନେଇଛି ତା କାନ କଅଣ ଫୁଟି ଗଲାଣି ? ଆରେ ବାବା ଦିଅ ଭଲା ତୁମ ଗୋଡ଼ତଳେ ପଡ଼ୁଛି । ମାହେନ୍ଦ୍ର ବେଳା ଗଡ଼ି ଯାଉଛି, ଦିଅ ଭଲା ! ହେଇ ଦେଖ ! ଏଇଟା ଭଲ ହେବନି । ତୁରନ୍ତ ଆଣି ଦେଇଦିଅ, ନହେଲେ ରାଣ ଖାଇ କହୁଛି ଆତ୍ମହତ୍ୟା କରିଦେବି । ତୁମ୍ଭମାନଙ୍କ ଦୌରାତ୍ମ୍ୟ ଆଉ ସହି ପାରିବିନି । ସବୁ ଜିନିଷର ଗୋଟାଏ ସୀମା ଅଛି । ଆଉ ମୁଁ ସହି ପାରିବିନି । ମୁଁ ଲକ୍ଷ୍ୟ କଲିଣି ତୁମେ ସମସ୍ତେ ଏକଜୁଟ ହୋଇ ମୋତେ ହଇରାଣ କରୁଛ । ଦବ ତ ଦିଅ ନ ହେଲେ ଆଜି ନିଶ୍ଚୟ ଆତ୍ମହତ୍ୟା କରିଦେବି ।’’

 

ତା’ର କ୍ରମାଗତ ଚିତ୍କାରରେ ସମସ୍ତେ ଉଠିଲେ । ଶୋଇଥିବା ଲୋକେ ଉଠି ବସିଲେ । ବସିଥିବା ଲୋକେ ଉଠି ଠିଆହେଲେ । ଠିଆ ହୋଇଥିବା ଲୋକେ ଧୀରେ ଧୀରେ ତା’ରି ଆଡ଼କୁ ଆସିଲେ ।

 

ସମସ୍ତେ ପଚାରିଲେ–‘‘କଅଣ ହୋଇଛି କିରେ ? କିଏ କଅଣ ନେଇଗଲା ? କାହିଁକି ଏମିତି ଚିଲଉଛୁ ?’’

 

‘‘କିଛି ଜାଣି ନଥିବ । ତୁମରି ଭିତରୁ ତ କିଏ ଜଣେ ନେଇଥିବ । ତୁମେ ନେଇନ ତ ଆଉ କଅଣ ବାହାରୁ ଚୋର ଆସି ନେଲା ? ସତ କହୁଛି ଶୀଘ୍ର ନ ଦେଲେ ଆତ୍ମହତ୍ୟା କରିବି । ଆଉ ମୁଁ ସହ୍ୟ କରି ପାରିବିନି ।’’

 

‘‘ଆରେ କଅଣ କିଏ ନେଇଛି କହିଲେ ସିନା ପଚାରନ୍ତେ କି ଖୋଜାଖୋଜି କରନ୍ତେ । ଖାଲି ବସି ହାଉହାଉ ହେଲେ କିଏ କଅଣ କରିବ ?’’

 

‘‘ହୁଁ । କିଛି ନଜାଣିଲା ପରି କହୁଛି । ତୋ ଗୋଡ଼ତଳେ ପଡ଼ୁଛି ଦେଇ ଦେ । ନହେଲେ ନିଶ୍ଚେ ଆତ୍ମହତ୍ୟା କରିବି’’ ।

 

‘‘ଧେତ୍ ତେରିକା, ଆତ୍ମହତ୍ୟା କରିବି, ଆତ୍ମହତ୍ୟା କରିବି । କେମିତିଆ ଲୋକଟାଏ ମ-। ଆରେ କିଏ କଅଣ ନେଇଛ ଦେଇଦିଅ । ଇଏତ ଆତ୍ମହତ୍ୟା କରିବ ବୋଲି କମ୍ପେଇଲାଣି, ଦଶଦିଗ ଫଟେଇଲାଣି । ତା ମୁହଁରେ ମଣ୍ଡା ପଶିଛି, କଅଣ ହଜିଛି କିଛି କହିବନି ।’’

ଦୁଇଚାରିଜଣ ଫୁସୁରୁ ଫାସର ହୋଇ ଠିକ୍ କଲେ–ଫଟା ରସିକଟା, କେଉଁଠୁ ଗୋଟାଏ ପ୍ରେମ ଚିଠି ପାଇଛି । ସେଇଟିକୁ ବୋଧହୁଏ କେଉଁଠି ଗଳେଇ ପକେଇଛି । ବଡ଼ି ଭୋର୍‍ରୁ ଚୋପାଚପକନ୍ ହୋଇ ସେଠାକୁ ବାହାରିଥିଲା । ଦେଖିଲା ବେଳକୁ ସେ ଚିଠି ଖଣ୍ଡିକ ଗାଏବ୍‍ । ସେଇଟିକୁ ଛାଡ଼ିଦେଇ ସେଠାକୁ ଯିବ ବା କିପରି ? କଅଣ ହଜିଛି ଲାଜରେ ବିଚରା କହିପାରୁନି । ହତଭାଗାର ବୁଦ୍ଧି ଦେଖ । ମନେ ମନେ ଭାବିଛି ଏଠି ସେଇ ଏକା କେବଳ ଗୋଟାଏ ପ୍ରେମ ପତ୍ର ପାଇଛି । ଆମେ କେହି କେବେ ପାଇନୁ । ତେଣୁ ତା ପ୍ରେମପତ୍ରଟି ଲୁଚେଇ ନେଇଯାଇଛୁ । ସେଇଠି କେଉଁଠି ପଡ଼ିଯାଇଥିବ । ଖୋଜିଲେ ନିଶ୍ଚୟ ସେଇଠୁ କେଉଁଠୁ ବାହାରିପଡ଼ିବ । ଚାଲିବଟି ଖୋଜିବା । ଅନ୍ତତଃ ଦେଖିନବା କୋଉ କଖାରୁଫୁଲଟା ଏ ପାରୁଡ଼ା ପୋକଟାକୁ ପ୍ରେମପତ୍ରଟାଏ ଦେଇଛି ।

ଗନ୍ଧିଆ ତେଣେ ଆଖିରୁ ଲୁହ ଡବାଳି ଆତ୍ମହତ୍ୟାର ଧମକ ଉପରେ ଧମକ ଅଜାଡ଼ିବାରେ ଲାଗିଥାଏ । ଏଣେ ତିନି ଚାରିଜଣ କନ୍ଦିବିକନ୍ଦି ଖୋଜିବାରେ ଲାଗିଥାନ୍ତି । ଖୋଜାଖୋଜିଙ୍କ ଭିତରୁ ଜଣେ ଗନ୍ଧିଆର ଡାଏରୀଟା ପାଇଲା । ତାର ଡାଏରୀ ଲେଖୁଥିବା କଥା ସମସ୍ତେ ଜାଣିଥିଲେ । ପର ଡାଏରୀ ପଢ଼ିବା ଦୋଷାବହ ବୋଲି ଜାଣିଲେ ସୁଦ୍ଧା ଏପରି ଏକ ଜରୁରୀ ଅବସ୍ଥାରେ ଅନ୍ତତଃ କଖାରୁଫୁଲର ନାମଧାମ ଜାଣିବା ପାଇଁ ସମସ୍ତେ ବ୍ୟଗ୍ର ହୋଇ ଉଠିଲେ । ଜଣେ ସେଇଟାକୁ ଗୁପ୍ତରେ ନେଇ ଝରକା ପାଖରେ ଖୋଲିଲା । ତରତର ହୋଇ ଗଲା ଦିନର ତାରିଖ ଯାଏ ପୃଷ୍ଠାଗୁଡ଼ିକ ଓଲଟାଇ ଗଲା । ଦି’ଜଣ ମୁହଁକୁ ଯୋଖି ପଢ଼ିଗଲେ । ସେଥିରେ ଲେଖାଥିଲା–‘‘କାଲି ସକାଳ ଛଅଟାଠାରୁ ସାତଟା ପଇଁତ୍ରିଶି ଯାଏ ମାହେନ୍ଦ୍ରବେଳା ଅଛି । ସମସ୍ତ ପ୍ରକାର ଶୁଭକର୍ମାରମ୍ଭ ପାଇଁ ପ୍ରକୃଷ୍ଟ ସମୟ । କାଲି ଭୋର୍‌ରୁ ଶୁଚିମନ୍ତ ହୋଇ ଗୀତା ପାଠାନ୍ତେ କବିତାଟିଏ ଲେଖିବି । ସାହାଡ଼ା ଗଛରେ ଯେଉଁ ପସାରୁଣୀ ଲତିକାଟି ମାଡ଼ିଛି ତା’ରି ବିଷୟରେ କବିତା ଲେଖାଯିବ । ଲତାର ଧର୍ମ ହେଲା ଗଛରେ ଜଡ଼େଇ ହୋଇଯିବ, ଗଛ ଚାହୁଁ ବା ନଚାହୁଁ । ପସାରୁଣୀ ଲତିକାର ଦୁର୍ଗନ୍ଧ ଯୋଗୁ ସାହାଡ଼ା ଗଛଟି ନାହିଁ ନାହିଁ କହିଲେ ସୁଦ୍ଧା ପସାରୁଣୀ ଅତି ଆବେଗର ସହିତ ତାକୁ ଚକଟି ମକଟି ଧରିଛି । ସାହାଡ଼ା ଗଛକୁ ସେ ଛାଡ଼ିବାକୁ ନାରାଜ । ଏହାହିଁ ମୋର ଯୁଗାନ୍ତକାରୀ କବିତାର ବିଷୟବସ୍ତୁ ହେବ । କବିତା ଲେଖା ନ ସରିବାଯାଏ ଅନ୍ୟ କୌଣସି କାମ କରିବି ନାହିଁ । ନୂଆ କଲମରେ ନୂଆ କାଳି ଭର୍ତ୍ତିକରି ପକେଟରେ ରଖିଲି । ବର୍ତ୍ତମାନ ମୁଁ ଶୋଇବାକୁ ଗଲି । ଓଁ ନମୋ ଭାଗବତେ ବାସୁଦେବାୟ ।’’

ଡାଇରୀକୁ ଲୁଚେଇ ଥୋଇଦେଇ ଦୁଇଜଣଯାକ ଠୋ ଠୋ ହୋଇ ହସି ଉଠିଲେ । କଥାଟା ପ୍ରଘଟ କରିଦେଲେ ସେମାନେ ଅସଦାଚରଣ କରି ଅନ୍ୟର ଡାଇରୀ ପଢ଼ିଛନ୍ତି ବୋଲି ଜଣା ପଡ଼ିଯିବ ।

ଜଣେ ଗନ୍ଧିଆକୁ ପଚାରିଲା-‘ହଇରେ ଖାତା ହଜେଇଛୁ ? କଲମ ?

ଗନ୍ଧିଆ କାନ୍ଦକାନ୍ଦ ହୋଇ ଚିଲେଇ ଉଠିଲା, ‘ହଁ-ଅଁ-ଅଁ –ଦେ ଭାଇ ଦେ, ତୋର ଗୋଡ଼ତଳେ ପଡ଼ୁଛି ।’ କଥା ସାଙ୍ଗେ ସାଙ୍ଗେ କାମ । ତା ପାଦ ପାଖରେ ଠୋ’କରି ମୁଣ୍ଡଟା ପିଟିଦେଲା ।

ଆର ଜଣଙ୍କ ବିରକ୍ତ ହୋଇଯାଇ କହିଲା–‘‘କିଏ ତୋ କଲମ ନେଇଛି ? ସିକ୍‌ଚିଲିଆ କଥାଗୁଡ଼ାକ ଆଉ କହନା । ଦେଖିଲୁ ନିଜ ପାକିଟି ଦେଖିଲୁ ।’’

 

ଗନ୍ଧିଆ ପାକିଟି ଦରାଣ୍ଡି ପକାଇ ସତ କଲମଟି ପାଇଲା । ଏକାବେଳେକେ ଶରବିଣ୍ଡା ହୋଇ ମୁହଁ ତଳକୁ ପୋତି ଦେଲା । କୂଅରେ ପଡ଼ିଥିବା ବେଙ୍ଗକୁ ସମସ୍ତେ ଯେପରି ଟେକାଏ ଟେକାଏ ପକେଇ ଥାଆନ୍ତି, ସମସ୍ତେ ସେମିତି ଥଟ୍ଟା, ଟାପରା, ବିଦ୍ରୂପ, ଟାହି, ଉପହାସ, ପରିହାସ ଆଦି ଟେକାରୁ ଗୋଟାଏ ଲେଖାଏଁ ତା ଉପରକୁ ଫୋପାଡ଼ିଲେ । ସେ କିନ୍ତୁ ସେଥିପ୍ରତି ଭ୍ରୂକ୍ଷେପ ନ କରି କବିତା ରଚନାରେ ଲାଗିଗଲା । ମାହେନ୍ଦ୍ର ବେଳା ସରିବାକୁ ଆଉ ମାତ୍ର ପନ୍ଦର ମିନିଟ ବାକି ଥିଲା-। ତାହାହିଁ ତାକୁ ପରମ ସନ୍ତୋଷ ଦେଇଥିଲା । ସେ ସନ୍ତୋଷ ଟେକାଗୁଡ଼ିକୁ ପବନରେ ମିଳାଇ ଦେଲା ।

 

ଏଇଟା ଯେ ତାର ପ୍ରଥମ ବା ଶେଷ ଆତ୍ମହତ୍ୟା ଧମକ ଥିଲା ତାହା ନୁହେଁ । ଥରେ ଛତା କେହି କାଳେ ନେଇଯିବ ଏହି ଭୟରେ ଆଲମାରି ତଳେ ଗୁଞ୍ଜି ଦେଇଥିଲା । ଆଉ ତାହା ମନେପଡ଼ିଲା ନାହିଁ । ଘର ଓଳେଇଲା ବେଳେ ଆଲମାରି ତଳେ ଛତାକୁ ଆବିଷ୍କାର କରିବା ପର୍ଯ୍ୟନ୍ତ ଗନ୍ଧିଆର ଆତ୍ମହତ୍ୟା ଧମକ ଲାଗି ରହିଥିଲା ।

 

କିଛିଦିନ ପରେ ବସାଘରେ କେହି ନଥିଲା ବେଳେ ଏକ କ୍ଷୁଧାତୁର କୁତି ଗନ୍ଧିଆର ଜୀର୍ଣ୍ଣ ଚପଲରୁ ଗୋଟିଏ ଅପହରଣ କରି ନେଇଗଲା । ବହୁ ଖୋଜାଖୋଜି ପରେ ବାଡ଼ିଆଡ଼ୁ ଏହାକୁ କୁତି ମୁଖରୁ ଉଦ୍ଧାର କରିବା ପର୍ଯ୍ୟନ୍ତ ଗନ୍ଧିଆର ଆତ୍ମହତ୍ୟା ଧମକ ଅବିରାମ ଗତିରେ ଚାଲିଥିଲା ।

 

ଦିନେ ଗନ୍ଧିଆର ଅନୁପସ୍ଥିତିରେ ଏକ ବିଚାର ପରାମର୍ଶ ଚାଲିଲା । ଗନ୍ଧିଆ ଲୋକଟା ଭଲ ହେଲେ କଅଣ ହେବ ତା’ର ଥରକୁ ଥର ଏପରି ‘ରାଣ୍ଡ ଧମକାଣ’ ସମସ୍ତଙ୍କୁ ବିବ୍ରତ କରି ପକାଉଛି । ଏମିତି ସବୁବେଳେ ଆତ୍ମହତ୍ୟା, ଆତ୍ମହତ୍ୟା ହେଲେ, ସତକୁ ସତ କେଉଁଦିନ ଆତ୍ମହତ୍ୟା କରିଦେଇ ପାରେ । ତା’ର ଏଇ ଖୋଇଟାକୁ କୌଣସି ପ୍ରକାରରେ ଭାଙ୍ଗିଦେବାକୁ ହେବ-

 

ଜଣେ କହିଲା–‘‘ତୁଚ୍ଛା କଥା ମ । ସମସ୍ତେ ତାକୁ ଆତ୍ମହତ୍ୟା କରିବାକୁ ତଡ଼ିଲେ ସେ କରିବନା ? ଏଗୁଡ଼ାକ ଖାଲି ରାଣ୍ଡ ଧମକାଣ, ଅବଶ୍ୟ ବିରକ୍ତିକର ।’’

 

ଆଉ ଦିନେ ସମସ୍ତଙ୍କ ଆଖି ଖୋସି ହୋଇଗଲା । ଚାକର ଟୋକାଟା ଅବାଧ୍ୟପଣିଆ ଦେଖାଇବାରୁ ଜଣେ ତାକୁ ଚଟକଣାଟାଏ ଦେଲା । ସେ ସାଙ୍ଗେ ସାଙ୍ଗେ କାନ୍ଦରେ ଘର ଫଟେଇ କହିଲା–‘‘ମୁଁ ଯାଉଛି ଏହିକ୍ଷଣି ଆତ୍ମହତ୍ୟା କରିବି ।’’ ଖାଲି କହି ସେ କ୍ଷାନ୍ତ ହେଲାନାହିଁ, କୂଅ ଦଉଡ଼ିଟା ନେଇ ବାଡ଼ିପଟ ଆମ୍ବଗଛ ପାଖକୁ ଧାଇଁଲା । ଜଣେ ଧରି ପକାଇ ଫେରାଇ ଆଣିଲା ।

 

ସମସ୍ତେ ଡିମା ଡିମା ଆଖି କରି ମନ୍ତବ୍ୟ ଦେଲେ ଯେ, ରୋଗଟା ଗନ୍ଧିଆଠାରୁ ନିଧାର୍ଯ୍ୟ ଭାବରେ ଚାକରଟୋକା ଉପରକୁ ଡେଇଁଛି ।

 

ଏତିକିରେ କଥାଟି ସରିଯାଇଥିଲେ ସମସ୍ତେ ଚୁପ୍‌ଚାପ୍ ରହିଯାଇଥଆନ୍ତେ । କିନ୍ତୁ ଆଉ ଗୋଟିଏ ଘଟଣା କୂଆ ବସାରେ ଢମଣା ପୂରେଇ ଦେଲାପରି ହେଲା । ମେସ୍ ପଚିଚାଳକ, ରାନ୍ଧୁଣିଆର ବଜାରରୁ ସଉଦାପତ୍ର ଖର୍ଦ୍ଦିରେ ସାଧୁତାର ଘୋର ଅଭାବ ଥିବା ଓ ସେ ଏହାର ଅକାଟ୍ୟ ପ୍ରମାଣ ପାଇଗଲେଣି ବୋଲି ପ୍ରକାଶ୍ୟ ଅଭିଯୋଗ କଲେ । ଏଥିରେ ରାନ୍ଧୁଣିଆ ମର୍ମାହତ ହେଲାପରି ଅଭିନୟ କରି କହିଲା–‘‘ମୁଁ ଏତେ ବର୍ଷ ହେଲା ରହିଲିଣି । ଏପରି ଦୁର୍ନାମ ଶୁଣି ନଥିଲି-। ଆଉ ଏ ଜୀବନ ରଖିବି ନାହିଁ । ଆତ୍ମହତ୍ୟା କରିଦେବି ।’’

 

ରୋଗଟା ହଇଜା ପରି ମାଡ଼ିଯିବାର ଦେଖି ସମସ୍ତେ ତା’ର ଔଷଧ କରିବାକୁ ବଦ୍ଧପରିକର ହେଲେ । ଅଚାନକ କିଏ ଏ ମେସ୍‌ରୁ ରୋଗ ବଇରାଗରେ ମଲେବି ଗୋଟାଏ ‘ହୋ’ ଉଠିଯିବ ସେ ଆତ୍ମହତ୍ୟା କରିଛି । ପୁଲିସ୍‍ ଆସିବ, ଲାସ୍‍କୁ ମେଡ଼ିକାଲ ନେଇ, ଆମକୁ ହରଦମ୍ ଥାନାକୁ ଘୋଷାଡ଼ିବ । ତାହା ପରେ କୋର୍ଟକୁ ଦଉଡ଼ି ଦଉଡ଼ି ଚପଲର ତଳା ଛିଣ୍ଡିଯିବ ।

 

ଗନ୍ଧିଆ ନଥିଲା ବେଳେ ଏକ କବାଟକିଳା ବୈଠକ ବସିଲା । ରୋଗଟାର ପ୍ରସାର ପାଇଁ ଗନ୍ଧିଆ ଦାୟୀ । ପୁଣି ରୋଗ ତାହାଠାରେ ଦେଖାଦେଲେ ସଙ୍ଗେ ସଙ୍ଗେ ଉପଯୁକ୍ତ ଚିକିତ୍ସା କରିବାକୁ ହେବ । ରୋଗ ଆଉ ଥିବ ନା କାହା ଉପରକୁ ଡେଇଁବ । ଯଦି ଆଉ କାହା ଭିତରେ ଲୁଚି ରହିଥିବ ତେବେ ବିରିମାଡ଼ ଦେଖି କୋଳଥ ଚୋପା ହେଲାପରି ସେ ତାକୁ ଚୁପ୍‌ଚାପ୍‌ ଛାଡ଼ି ଲୁଚି ପଳେଇବ । ସମସ୍ତେ ରୋଗକୁ ଛକି ରହିଲେ ।

 

କିଛିଦିନ ସୁରୁଖୁରୁରେ କଟିଗଲା । ଦିନେ ଗନ୍ଧିଆର ଗୁଡ଼ାଖୁ ପୁଡ଼ିଆଟି କିଏ ନେଇଗଲା-। ଏଇଟା କୁଆର ଅବଶ୍ୟ ବଦମାସୀ ଥିଲା । ପରେ ଛାତ ଉପରେ ତାର ଆବିଷ୍କାର କରାଯାଇଥିଲା-। ଗନ୍ଧିଆ ପୁଡ଼ିଆ ନଦେଖିବା ମାତ୍ରେ ବିଳ୍‌ବିଳେଇ ଉଠିଲା–‘‘ନାଃ । ଆଜି ନିଶ୍ଚେ ଆତ୍ମହତ୍ୟା କରିଦେବି । ଆଉ ସହ୍ୟ କରି ହେବନି । ନାଃ ଆଜି ନିଶ୍ଚେ ଫଲିଡ଼ଲ୍‍ ଖାଇଦେବି, ଏମିତିଆ ହନ୍ତସନ୍ତ ଜୀବନଟା ଥାଇ କେତେ ନ ଥାଇ କେତେ । ଫଲିଡ଼ଲ୍‍ ନ ମିଳିଲେ ଏଣ୍ଡ୍ରିନ ଖାଇବି, ଖାଇବି, ଖାଇବି । ଆଜି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଆସିଲେ ବି ମୋତେ ଅଟକାଇ ପାରିବେ ନାହିଁ । ଫଲିଡ଼ଲ୍‍ ହେଉ ବା ଏଣ୍ଡ୍ରିନ ହେଉ ଆଜି ନିଶ୍ଚେ ଖାଇଦେବି ।

 

ଗୁଡ଼ାଏ ବ୍ୟସ୍ତ ହୋଇ ହୋଇ ଆଉ ପାଟିତୁଣ୍ଡ କରି କରି ଗନ୍ଧିଆ ହାଲିଆ ହୋଇପଡ଼ିଲା, ଆଉ ଖଟ ଉପରେ ମୁହଁ ପୋତି ବସିରହିଲା ।

 

ଏଣେ ବଇଦମାନେ ଚିକିତ୍ସା କରିବାକୁ ପ୍ରସ୍ତୁତ ହୋଇଗଲେ । ଜଣେ ବଇଦ ପ୍ରଥମେ ଆସି ତା ପାଖରେ ଠିଆ ହୋଇ ପଚାରିଲା–‘‘କିରେ, ଫଲଡ଼ଲ୍‍ ଖାଇଦେଲୁ କିରେ ?’’

 

ଅତି ବିରକ୍ତି ହୋଇପଡ଼ି ଗନ୍ଧିଆ କହି ପକାଇଲା–‘‘ହଁ-ଖାଇଲି ଭଲ କଲି, ତୋର କଅଣ ଗଲା ।’’

 

ସାଙ୍ଗେ ସାଙ୍ଗେ ବଇଦ ପାଗଳା ଘଣ୍ଟି ବଜେଇ ଦେଲା–‘‘ଆରେ ଦଉଡ଼ି ଆସରେ, କଥା ସରିଗଲାରେ, ଗନ୍ଧିଆ ଫଲିଡ଼ଲ୍‍ ଖାଇଦେଲାରେ, ଦଉଡ଼ି ଆସ,ଦଉଡ଼ି ଆସ ।’’

 

ସମସ୍ତ ଖିଦାଖାଦ୍‍ ହୋଇ ଦଉଡ଼ି ଆସିଲେ । ଥୋକେ ଗନ୍ଧିଆକୁ ମାଡ଼ିବସିଲେ । ଆଉ ଦଳେ କହିଲେ ତୁରନ୍ତ ଖୋଜି ବିରାଡ଼ି ଗୁହ ଆଣ । ବିଷର ସବୁଠୁଁ ଭଲ ଓଷଦ ହେଉଛି ବିରାଡ଼ି ଗୁହ-

 

ବିରାଡ଼ି ଗୁହର ନାଁ ଶୁଣି ଗନ୍ଧିଆ ଭୟରେ କହି ପକେଇଲା–‘‘ଆରେ ନାହିଁ ହୋ, ମୁଁ କିଛି ଖାଇନି । ବିରକ୍ତି ଲାଗିବାରୁ କହିଦେଲି ।’’

 

ତା କଥା ଶୁଣୁଛି କିଏ ! ଜଣେ କହିଲା, ‘‘ଆମକୁ ଠକି ପାରିବୁନି । ଆମେ ସମସ୍ତେ ଥାଉଁ ଥାଉଁ ତୁ ଆମରି ଭିତରୁ ଜୀବନ ହରେଇ ଦେବୁ, ଆଉ ଆମେ ଉପରକୁ ଚାହିଁ ବସିଥିବୁ ? ତୋ ବାପା ବୋଉ କଅଣ କହିବେ–ଆରେ ଦେଖହୋ, ଏତେ ଲୋକ ଥାଉ ଥାଉ ମୋ ପୁଅଟା ଆତ୍ମହତ୍ୟା କରି ମରିଗଲା–ଆରେ ଆଣରେ ଚଞ୍ଚଳ ବିରାଡ଼ି ଗୁହ ।’’

 

ଆଉ ଜଣେ କହିଲା-ବିରାଡ଼ି ଗୁହ ୫୦ ଗ୍ରାମ, କୁକୁର ଗୁହ ୫୦ ଗ୍ରାମ ଆଉ ମଣିଷ ଗୁହ ୫୦ ଗ୍ରାମ, ପାଣି ପାଣ୍ଠିଏ । ଡାକ୍ତରମାନେ ଆଜିକାଲି ଫଲିଡ଼ଲ୍ ପାଇଁ ଏହି ମିକ୍‌ସଚର୍‍ ବ୍ୟବହାର କରୁଛନ୍ତି । ବିରାଡ଼ି ଓ କୁକୁର ଗୁହ ଖୋଜୁ ଖୋଜୁ ଟିକିଏ ଡେରି ହେଲା । ମଣିଷ ଗୁହ ପାଖ ପାଇଖାନାରେ ଥିଲା । ମିକ୍‌ସଚର୍ ତିଆରି ହୋଇ ଆସିଲା । ଘର ଭିତରେ ମିକ୍‌ସଚର୍‌ର ପ୍ରୟୋଗ କଲେ ଭଲ ହବନି ଭାବି ଗନ୍ଧିଆକୁ ସମସ୍ତେ ଶୂନ୍ୟେ ଶୂନ୍ୟେ ନଳାମୁହଁ ପାଖକୁ ଟେକି ନେଇଗଲେ । ତଳେ ଶୁଆଇ ଦେଇ ମାଡ଼ିବସିଲେ । ଗନ୍ଧିଆ ବିକଳରେ ପାଟି କରୁଥାଏ-‘‘ଆରେ ଫଲିଡ଼ଲ୍ ଖାଇନିରେ, ଆରେ ରାଗିକରି ମିଛରେ କହିଦେଲିରେ, ଆରେ ଆଉଦିନେ କହିବି ନାହିଁରେ । ଆରେ ତୁମ ଗୋଡ଼ ତଳେ ପଡ଼ୁଛିରେ ।’’

 

ଜଣେ କହିଲା–‘ତୁଇ ତ ଜାଣିସିଆଣାଟା । ଏମିତି କହିଲେ ଆମେ ଚିକିତ୍ସା ନ କରି ଛାଡ଼ିଦେବୁ, ଆଉ ତୁ ଆମକୁ, ବାପା ମାଆଙ୍କୁ, ବନ୍ଧୁବାନ୍ଧବଙ୍କୁ ଚିତାକାଟି ଦେଇ, ଶୋକ ସାଗରରେ ଭସେଇ ଦେଇ ଖସି ପଳେଇବୁ । ଆମେ ବଞ୍ଚି ଥାଉଁ ଥାଉଁ ତୋତେ ଏମିତି ଚାଲିଯିବାକୁ ଛାଡ଼ି ଦେବୁନି । କେଡ଼େ ନିଷ୍ଠୁରଟା ତୁ ରେ । ସ୍ନେହ ବନ୍ଧନଟା କାଟି ଦେବାକୁ ତୋ ହାତ କେମିତି ଗଲା ରେ-’’

 

ଗନ୍ଧିଆର ପାଟି ଖୋଲିବାକୁ ଚେଷ୍ଟା କରିଲାରୁ ସେ ଦାନ୍ତ ଚାପିରଖି ଉଁ ଉଁ ରଡ଼ି ଛାଡ଼ିଲା-। ତହୁଁ ତା ଥୋଡ଼ିଟାକୁ ମେଲାରଖି ଡଙ୍କିଏ ମିକ୍‌ସଚର୍ ମୁହଁରେ ଛାଡ଼ି ଦିଆଗଲା । ଅ-ଅ-ଅ–ଚିତ୍କାର କରି ଗନ୍ଧିଆ ବାନ୍ତିକରି ପକେଇଲା ।

 

ନାକରେ ଲୁଗା ଦେଇ ଜଣେ କହିଲା–‘ହାଁ, ଫଲିଡ଼ଲ୍‌ ଗୁଡ଼ାକ ବାହାରି ଗଲା । ଆଉ ଡଙ୍କିଏ ଦିଅ ସବୁ ପୋଛିପାଛି ହୋଇ ପେଟରୁ ଚାଲି ଆସିବ ।’’

 

ମୁହଁରେ ଆଉ ଡଙ୍କିଏ ଢଳାଗଲା । ଗନ୍ଧିଆ ବିକଳରେ ଖାଲି ଅ-ଅ-ଅ–ହେବାକୁ ଲାଗିଲା । ସମସ୍ତେ ମତଦେଲେ ଯେ ଫଲିଡ଼ଲ୍ ସବୁ ବାହାରିଗଲା । ଏଥର ପାଣି ଦିଅ, ମୁହଁ ଧୋଇଦିଅ ।

 

ମୁହଁ ଧୁଆଧୋଇ ପରେ ଗନ୍ଧିଆକୁ ଗାଧୋଇ ଦିଆଗଲା । ସମସ୍ତେ ଏତେ ଯତ୍ନର ସହିତ ତା’ର ସେବା ଶୁଶ୍ରୂଷା କଲେ ଯେ ସେ ସେମାନଙ୍କର ଅତ୍ୟାଚାର ଭୁଲିଗଲା । ବିଚରା, ଦୁଇଦିନ ଯାଏ ଅନ୍ନଜଳ ତାକୁ ରୁଚିଲା ନାହିଁ । ସମସ୍ତେ ଯତ୍ନର ସହ ତାକୁ ଟିକିଏ ଟିକିଏ ଦୁଧ ପିଆଇଲେ ।

 

ଗନ୍ଧିଆ ସବୁକିଛି ଭୁଲିଗଲା–ତା ସାଙ୍ଗରେ ରାଣ୍ଡ ଧମକାଣକୁ ବି ।

Image

 

ଥୋପେଶ୍ୱର ମହାଦେବ

 

ବମ୍ବଇ ମେସ୍‌ର ସାମନା ରାସ୍ତା ସେ ପାଖରେ ତିଆରି ହେଉଥିବା ବଡ଼ କୋଠାଘରର କାମ ଶେଷ ହୋଇଗଲା । ଦୋମହଲା କୋଠା, ତଳ ମହଲାର ମଝିରେ ଗୋଟାଏ ବଡ଼ କୋଠରି, ଆଉ ଦି’ପାଖରେ ଦୁଇଟି ଛୋଟ ଛୋଟ କୋଠରି । ପ୍ରତ୍ୟେକ କୋଠରିର କବାଟଗୁଡ଼ିକ କୋଠରିକୁ ଚାହିଁ ଖୁବ୍ ବଡ଼ । ଦୋକାନ ଛନ୍ଦାହେବ ପରା ! ଘର ମାଲିକ ଯେମିତି ଗୁମ୍‌-ମୁହାଁ, ମିସ୍ତ୍ରି ମୂଲିଆମାନେ ବି ତଥୈବତ । ଘର ତିଆରିଟା ସରିବାକୁ ଚାରିମାସ ଲାଗିଗଲା । ମାଲିକଟା ନିତି ଆସେ,ନିତି ଯାଏ । ହେଲେ, ଦିନେ ହେଲେ ମେସ୍ ବାସିନ୍ଦାଙ୍କ ସଙ୍ଗେ ପଦେ ହେଲେ କଥା କହିଲା ନାହିଁ । କଥା ଗଲା ଗାଧୋଇ; ଟିକିଏ ହେଲେ କଣେଇ କରି ଚାହିଁ ଅଳ୍ପିକିଆ ମୁର୍କିହସାଟିଏ ବି ଫୋପାଡ଼ିଲା ନାହିଁ । ମିସ୍ତ୍ରି, ମୂଲିଆ ତହୁଁ ବଳି । ଘର କାହାର, କି ଦୋକାନ ହେବ ପଚାରିଲେ–ଦେଖ ତାଙ୍କ ମୁହଁ ନେଫେଡ଼ା, ମୁହଁ ଛିଞ୍ଚଡ଼ା । ଉତ୍ତର ମିଳେ-‘‘କେଜାଣି–ସେ ବାବୁ କଅଣ କରେ, ଏଠି କି ଦୋକାନ କରିବ ଆମକୁ କି ଜଣା ! ଆମ କାମ ଭଲ କି ମଜୁରି ଭଲ । ସନ୍ଧ୍ୟାରେ ମଜୁରିଟା ହାତରେ ପଡ଼ିବା ମାତ୍ରେ ତେଲଲୁଣ ନେଇ ଘରେ ପହଞ୍ଚିବାକୁ ବାହାର ସହେ ନାହିଁ । ଏତେ ଖବର ଅନ୍ତର ଖୋଳିତାଡ଼ି ବୁଝିବାକୁ ଆମର ସମିଆ କାହିଁ ? ଆମେ ଆସିଛୁ ଆମ୍ବ ଗୋଟେଇବାକୁ, ତୋଟାମୂଲ କରିବାକୁ ଯିବୁ କାହିଁକି ?’’

ଏମିତିଆ ପିତା ଉତ୍ତର ପରେ ଆଉ ଅଧିକ ପଚାରିବାକୁ ମେସ୍‌ ବାଲାଏ କି ପାଟି ଫିଟାନ୍ତି ! ମେସ୍‌ର ପୂଝାରୀ ତିହାଡ଼ି ନନାଙ୍କ କଥା ଦୁସରା । ନିତି ତରକାରିରେ ସାରୁ ଗୋଳେଇ ଗୋଳେଇ ସେ ନିଜେ ସାରୁ ବନି ଯାଇଛି କହିଲେ ଚଳେ । ସେ ସମସ୍ତଙ୍କ ସାଙ୍ଗରେ ଗୋଳେଇ ପୋଳେଇ ହୋଇ ଯିବାରେ ଧୁରନ୍ଧର ନନାଟାଏ ଏକା ! ଘର ସଫେଇତି ହେବା ଦିନ ସେ ଖବର ପାଇଲା ଯେ ଅପରିଦିନ ଘରପ୍ରତିଷ୍ଠା ହେବ । ଦିନ ରତ ରତ ବେଳକୁ ଘର ମାଲିକ ୩/୪ ଜଣ ଲୋକଙ୍କୁ ସାଙ୍ଗରେ ଆଣି ସେ ଘର ଭିତରେ ବସିଲା । ନନାକୁ କେମିତି ବାସିଲା ଯେ ଘର ପ୍ରତିଷ୍ଠା କଥା ବୋଧହୁଏ ପଡ଼ିବ । ସେ ଧୀରେ ଧୀରେ ଯାଇ ପିଣ୍ଡା ଉପରେ ନାକେଇଲା ।

ଆରେ ସତକୁ ସତ ଘର ପ୍ରତିଷ୍ଠା ତ ! ତାଲିକା ୪/୫ ଜଣଙ୍କ ରଦଘଷ୍ ଭିତରେ ତିଆରି ଚାଲିଥାଏ । ତାଲିକାର ଲୋଭନୀୟତା ଓ ପ୍ରାଚୁର୍ଯ୍ୟର ସନ୍ଧାନ ପାଇବା ମାତ୍ରେ ନନା ଆଉ ଠିଆ ହୋଇ ରହିପାରିଲା ନାହିଁ । ଲାଥୁକରି ପିଣ୍ଡା ଉପରେ ବସିପଡ଼ି କାନଦିଟା ମେଲା କରିଦେଲା ।

ଜଣେ ଡାକି ଯାଉଥାଏ ଓ ଆଉ ଜଣେ ଲେଖି ପକାଉଥାଏ । ମଇଦା ଏତେ, ଘିଅ ଏତେ, ମସଲା ମସଲି ଏତେ ଲେଖା ହୋଇଗଲା । ଖାସି ଗୋଟାଏ କହିଲା ବେଳକୁ ସବୁ ଅଟକି ଗଲା । ଘର ମାଲିକ କହିଲେ, ନା, ନା, ଯୋଡ଼ାଏ ଖାସି ଲେଖ । ଖାଇଲାବାଲା ସବୁ ଆସୁଛନ୍ତି । ଅଧ୍ୟାପକ ବୈଷ୍ଣବ ସାମଲ ଏକା ତ ଗୋଟାଏ ଖାସି ଖାଇଦେବ । ଆହୁରି କେତେକ ବି ସେମିତି ଅଛନ୍ତି ।

ଯୋଡ଼ାଏ ଖାସି ଲେଖା ହେଲା । ପୁଣି ଡକା ହେଲା–ଲେଖ ରସଗୋଲା ୨୦ କିଲୋ । କଥା ପୁଣି ଅଟକିଲା । ଜଣେ କହିଲା–ଆରେ ଏକା ଅଧ୍ୟାପକ ବିଚିତ୍ରାନନ୍ଦ ମହାନ୍ତି ତ ୫ କିଲୋ ଉଠେଇଦେଇ ହେଉଡ଼ି ଗୋଟାକରେ ସବୁ ଖତମ କରିଦେବ । ଅଧ୍ୟାପକ ମିତ୍ରଭାନୁ ଶତପଥୀ ତ ୬ କିଲୋବାଲା । ୨ କିଲୋ ୩ କିଲୋ ବାଲା ଊଣା ନାହାନ୍ତି । ୨୦ କିଲୋ ସମୁଦ୍ରକୁ ଶଙ୍ଖେ ପାଣି ପରି । ଘର ମାଲିକ ଶେଷରେ ଫଇସଲା କରିଦେଲେ ୪୦ କିଲୋ ରଖ ।

ଚା’ସିଗାରେଟ ବେଳକୁ ପୁଣି ଅଚଳ ଅବସ୍ଥା । ଚାହା ୨୫୦ ଗ୍ରାମ ଉପରେ ସେମିତି ଠୋକର ପଡ଼ିଲା–ଏକା ନୀଳମଣି ମହାନ୍ନା ପାଇଁ ୫ ଲିଟର ଚାହା ଲୋଡ଼ା; ତା ସାଙ୍ଗକୁ ପୁଣି ବାଉଁଶିଆଏ ଖିଲିପାନ ଦରକାର । ଏଣୁ ଚାହା ୧ କିଲୋ ଦରକାର । ଅଧ୍ୟାପକ ଅସିତ କବି ଘଣ୍ଟାକେ ଟିଣେ ସିଗାରେଟ ଉଡ଼େଇ ଦେବେ; ତେଣୁ ଖବ୍ କମ୍‌ରେ ୪ ଟିଣ ସିଗାରେଟ ଦରକାର ।

 

ତାଲିକା ସରିଲା ବେଳକୁ ମେସ୍ ନନାଙ୍କ କାନ ଭୋଁ ଭୋଁ କଲାଣି । କେତେବଡ଼ ଭୋଜିଟାଏ ନହେବ ! ଗୋଟାଏ ବଡ଼କାଟର ବାହାଘର ନୁହେଁତ ଆଉ କଅଣ ! ତାରି ଆଖି ଆଗରେ ଶହେ ପାଞ୍ଚପା ଲୋକ ଖାଇ ହାପୁଡ଼ି, ଟାକରା ଫୁଟାଇ, ହେଉଡ଼ି ମାରି ଚାଲିଯିବେ, ଆଉ ସେ ପେଟରେ ଓଦାକନା ପକାଇ ବାଲୁ ବାଲୁ କରି ଚାହିଁଥିବ ! ଅହସ୍ୟ, ଅସହ୍ୟ ସେ ଯନ୍ତ୍ରଣା । ଘର ଆଗରେ ଘର, ଅଥଚ ନୂଆ ଘରବାଲାଟା ଟିକିଏ ଆଡ଼ ନୟନରେ ବି ଚାହିଁଲା ନାହିଁ ! କି ଅଭଦ୍ର, ଅସନା ଲୋକଟାଏ !

 

ଶେଷରେ ନନା ନିଜ ଭାଗ୍ୟକୁ ନିନ୍ଦି ଫେରିଲା । ମେସ୍‌ରେ ପଶିବା ମାତ୍ରେ ପେଟ ଭିତରେ ରୁଦ୍ଧ ହୋଇ ରହିଥିବା ଲୋଭନୀୟ ଖବରକୁ ଓକାଳି ପକାଇଲା–‘‘ଆଜ୍ଞା, ସେ ଘରବାଲା ଘର ପ୍ରତିଷ୍ଠା କରୁନି ଯେ ଗୋଟାଏ ବଡ଼ ବାହାଘର ଏକରକମ କରୁଛି । ଓଃ ଲୁଚି, ଡାଲି, ମାଉଁସ ତରକାରି ପାୟସ, ରସଗୋଲାରେ ଏ ଥାନକୁ ଏକରକମ ଭସେଇଦେବ । ଚଣ୍ଡାଳଟା ଆମ ଭିତରୁ ଜଣକୁ ହେଲେ ଡାକିଲା ନାହିଁ ! ତାର କି ଦୋଷ କରିଥିଲୁ ଆମେ ?’’

 

ଜଣେ ମେସ୍‌ବାଲା କହିଲା–ହଇହେ ନନା, ଆମେ ତାର ବନ୍ଧୁ ନା କୁଟୁମ୍ବ ଯେ ସେ ଆମକୁ ଡାକିବ । ଜଣାନାହିଁ ଶୁଣାନାହିଁ, ଡାକନ୍ତା କେମିତି ଯେ ! କେମିତିଆ ପେଟବିକଳିଆ କଥାଗୁଡ଼ାକ କହିଯାଉଛ ହୋ !

 

ଆଉ ଜଣେ ତା କଥାର କାଟପାଣି ଲଗେଇ କହିଲା–‘‘ଏଁ, ମା ପେଟରୁ କଅଣ ସମସ୍ତେ ଜାଣ ପୈଚାଣ ହୁଅନ୍ତି ? ଆମେ ତାର ସବୁଠୁଁ ପାଖ ପଡ଼ୋଶୀ ୩/୪ ମାସ ହେଲା ଆମକୁ ନିତି ଦେଖୁଛି, କାହିଁକି ଚିହ୍ନିବ ନାହିଁ ଯେ ! ଉଁ ! ପଇସାର ଘମଡ଼ ! ପଇସାବାଲିଆ ଚଷମା ପିନ୍ଧିଛି; ତାକୁ କେବଳ ପଇସାବାଲାହିଁ ଦିଶିବେ । ଆମପରି ଅଣ୍ଟାଶୂନିଆ ତା ଆଖିକୁ ଦିଶିବେ କୁଆଡ଼ୁ ? ମାର ଗୋଲି ତା ଭୋଜିକୁ, ଛାଡ଼ ସେ ତୁଚ୍ଛା କଥା ।

 

ଜଣେ ଚିହିଁକି ଉଠି କହିଲା–‘‘ଏଁ, କାହିଁକି ଛାଡ଼ିଦେବା, ଶାସ୍ତ୍ରରେ ଅଛି ଯିଏ ଭୋଜିଭାତରେ ପାଖଲୋକଙ୍କୁ ଖାଇବାକୁ ନଦିଏ ତାକୁ ଚଉଷଠି ନର୍କ ଘୂରିବାକୁ ପଡ଼େ । ସେ ଏତକ ଜାଣିନି, ତାକୁ କୌଣସି ପ୍ରକାରରେ ଏକଥା ଜଣେଇ ଦେବାକୁ ହେବ । ବିଚାରାକୁ ନର୍କ ଯାତ୍ରାରୁ ଅଟକାଇ ଦେବାକୁ ହେବ । ସେ ଜାଣିବା ମାତ୍ରେ ଆମକୁ ଆଦରରେ ଡାକି ପଙ୍ଗତର ପହିଲି ଧାଡ଼ିରେ ବସେଇଦେବ ।’’

 

ଜଣେ ବିଦ୍ରୂପ କରି କହିଲା–‘‘ଆ-ହା-ହା-ହା ଖାଲି ସେମିତି ଡାକିବନି । ସ୍ପେଶାଲ କାର୍ଡ଼ ଛପେଇ, ନିଜ ହାତରେ କାର୍ଡ଼ ଦେଇ ହାତଯୋଡ଼ି ଡାକିନବ ନା ! ଓଲୁ କୋଉଠିକାର ! ବରଂ ସେ ଭାବିବ ଦଳେ ଲୋଭୀ, ଡାହାଣା, ବେକାର ଖାଇବା ଲୋଭରେ ଗୋଟାଏ ପେଖନା ଲଗେଇଛନ୍ତି । ଯାହା ଡାକନ୍ତେ ନା ଓଲଟି ତଡ଼ା ଧରି ଗୋଡ଼େଇବ ।’’

 

ଏକ ଅଚଳ ଅବସ୍ଥା ସୃଷ୍ଟି ହୋଇଗଲା । ଯେ କୌଣସି ଉପାୟରେ ପଙ୍ଗତରେ ଠେଲି ପେଲି ବସିବାକୁ ହେବ । ଏଥିରେ ସମସ୍ତେ ଏକମତ । ସମସ୍ୟାଟା ହେଲା କି ଉପାୟରେ ପଶିବାକୁ ହେବ । ଉପାୟ ଦରଣ୍ଡା ଚାଲିଲା । ଯୁଦ୍ଧକାଳୀନ ଉପାୟ ଉଦ୍ଭାବନ ଭିତ୍ତିରେ ସମସ୍ତେ ଉପାୟ ଉଦ୍ଭାବନରେ ଲାଗିପଡ଼ିଲେ ।

 

ଜଣେ ନିଜର ଦହି ମନ୍ଥି ମନ୍ଥି କହିଲା–‘‘ଗୋଟାଏ ବଢ଼ିଆ ଉପାୟ ମୋ ମୁଣ୍ଡକୁ ଆସିଛି-। ଆମେ ଜଣେ ଗୁପ୍ତଚରକୁ ତା ଦଳ ଭିତରେ ପୂରେଇ ଦେବା; ସେ ତାଙ୍କ ସହ ଦୋସ୍ତି ଜମେଇ କହିବ ଯେ ଏଠି ବ୍ୟବସାୟ ଫ୍ୟବସାୟ କରିବାକୁ ହେଲେ ଆମ୍ଭମାନଙ୍କୁ ହାତରେ ରଖିବା ନିହାତି ଦରକାର । ଏଠି ଚୋର ଡାକୁଙ୍କ ଦାଉ ଖୁବ୍ ବେଶୀ । ଅଣହୁସିଆର ହୋଇ ଟିକିଏ ନଇଁ ପଡ଼ିଲେ ପଛରୁ କାଟି ନେଇ ଯିବେ । ସେମାନଙ୍କ ସାଙ୍ଗରେ ମୁକାବିଲା କରିବାକୁ ଆମେ ଏକା ସମର୍ଥ । ଏତକ ଶୁଣିଲେ ସେ ସଙ୍ଗେ ସଙ୍ଗେ ଆମକୁ ମିତ୍ର ବନେଇବା ଲାଗି ପଙ୍ଗତକୁ ଡାକିବ ।’’

 

ଆଉ ଜଣେ କଥାଟାକୁ ବିବାକ୍‍ କାଟିଦେଇ କହିଲା–‘‘ବରଂ ସେ ଆମକୁ ସେଇ ଚୋର ଡାକୁଙ୍କ ସାଥି ଖଣ୍ଟ ତଣ୍ଟିକଟା ଭାବି ଆଗରୁ ହୁସିଆର ହୋଇ ପୁଲିସ ପାଖରେ ଅଗ୍ରୀମ ଏତଲା ଦେଇଦେବ । ସେ ଲୋକଟା ନିହାତି ଅପାଠୁଆ ବ୍ୟବସାୟୀ ନୁହେଁ । ତାହା ହୋଇଥିଲେ ଏତେ ଗୁଡ଼ାଏ ଅଧ୍ୟାପକ ତାର ସାଙ୍ଗ ହୋଇ ନଥାନ୍ତେ । ସେ ବାଟ ଠିକ୍ ନୁହେଁ ।’’

 

ଆଉ ଜଣେ କହିଲା-‘‘ସେଇଟା ଠିକ୍‍ । ଚାଲ ଯିବା, ସେଠାକୁ ଯାଇ ତାଙ୍କ ସାଙ୍ଗରେ ଗୋଳେଇ ପୋଳେଇ ହୋଇ ତାଙ୍କ ବ୍ୟବସାୟର ଉତ୍ତରୋତ୍ତର ଅଭିବୃଦ୍ଧି କାମନା କରିବା । ଭଦ୍ର ପଡ଼ୋଶୀ ଭାବରେ ଆମେ ସମସ୍ତେ ତାଙ୍କୁ ସବୁମନ୍ତେ ସାହାଯ୍ୟ କରିବୁ ବୋଲି କହିବା । ଏଥିରେ ସେ ନିଶ୍ଚୟ ପିଗିଲି ଯାଇ ଆମକୁ ଡାକିବ ।’’

 

ଆଉ ଜଣେ କଥାଟାକୁ ଏକାବେଳେକେ ନାପସନ୍ଦ କରି କହିଲା-‘‘ସେ ଲୋକଟା ଶିକ୍ଷିତ ଅଛି । ଅଜଣା ଅଶୁଣା ଲୋକମାନଙ୍କର ଉପରେପଡ଼ି ସାହାଯ୍ୟ କରିବା ପଛରେ ନିଶ୍ଚୟ କିଛି ଅଭିସନ୍ଧି ଅଛି ବୋଲି ସେ ଭାବିବ ହିଁ ଭାବିବ ।’’

 

ଏମିତି ଅନେକ ପ୍ରସ୍ତାବ ବାଟ ଖାଇଯିବା ପରେ ନିରାଶାର କଳାହାଣ୍ଡିଆ ମେଘ ଘୋଟି ଆସିଲା । ଏଡ଼େବଡ଼ ଭୋଜିଟାଏ ବାସନା ଶୁଙ୍ଘେଇ ଦେଇ ବାଏଁ ବାଏଁ ଚାଲିଯିବ ବୋଲି ଭାବି ସମସ୍ତେ ଝାଉଁଳି ପଡ଼ିଲେ । ଏତିକି ବେଳେ ସେଇ କଳାହାଣ୍ଡିଆ ମେଘ ଚିରି ଗୋଟିଏ ଆଲୁଅ ପଡ଼ିଲା–‘‘ମା ଭୈ, ତମ ଅକଲର ଦଉଡ଼ି ଦେଖୁଥିଲି । କାହାରି ଟିକିଏ ହେଲେ କାଣ୍ଡଜ୍ଞାନ ନାହିଁ । ଥୟଧର, ମୁଁ ସମସ୍ତଙ୍କୁ ନେଇ ସେ ପଙ୍ଗତରେ ବସେଇ ଦେବି । ସେ ବାଟ ମୋତେ ମାଲୁମ ଅଛି । ଇଏ ହେଲା ଥୋପର ଯୁଗ । ଯେ କୌଣସି କାମ କରିବାକୁ ହେଲେ ସେଥିଲାଗି ଗୋଟାଏ ଥୋପ ଦରକାର । ଥୋପ ଠିକ୍ ଥିଲେ କାମ ଅଲବତ୍‍ ହେବ । ଆଚ୍ଛା ନନାଏ ! ତାଙ୍କର ଯାହା ଯାହା ବରାଦ ଶୁଣିଥିଲ ସେଥିରେ ଗୋଟାଏ ପତରର ଦାମ ମୋଟାମୋଟି କେତେ ହେବ ?’’

 

‘‘ଆଜ୍ଞା ସାତ ଆଠ ଟଙ୍କାରୁ କମ୍ ନୁହେଁ ।’’

‘‘ଆମର ଲୋକ ସଂଖ୍ୟା ୧୦ । ମୋଟ ଅଶୀ ଟଙ୍କାର ମାମଲା । ନୁହେଁ ?’’

‘‘ହଁ, ସେଇଆ ନୁହଁ ତ ଆଉ କଅଣ ।’’

 

‘‘ଏ ଅଶୀଟଙ୍କା ଆଦାୟ କରିବାକୁ ହେଲେ ଖୁବ୍ କମ୍‌ରେ ଚାରିଟଙ୍କିଆ ଥୋପଟାଏ ଦରକାର । ଆମେ ତ ଦଶ ଜଣ ଅଛୁ । କାଢ଼୍‍ ୪୦ ପଇସା ଲେଖାଏଁ । ଥୋପରେ ଯଦି ରୋହି ନଲାଗେ ତେବେ ମୁଁ ଚାରି ଦୁଣେ ଆଠଟଙ୍କା ଦେଇଦେବି । ମୁଁ ଯାହା କହୁଛି କରିଯାଅ । ମୋ କାମରେ ତିଖଡ଼ ବିଖଡ଼ ଭର୍ତ୍ତି କରନାହିଁ । ପଅରଦିନ ତାଙ୍କ ଭୋଜି; ମଝିରେ କେବଳ କାଲି ଦିନଟା-। କାଲି ଯେ କୌଣସି ମତେ ଥୋପ ପକାଇବାକୁ ହେବ ।’’

 

ସକାଳୁ ସକାଳୁ ଖଇ, ଉଖୁଡ଼ା, କଦଳୀ, କାକୁଡ଼ି ସଙ୍ଗେ ଫୁଲ, ବେଲପତ୍ର ସିନ୍ଦୂର ଆସି ଜମାହେଲା । ବାରଣ୍ଡାଟା ସଫା ହୋଇ ଗୋଟାଏ ଚଉକି ଥୁଆ ହେଲା । ତହିଁରେ ଗୋଟାଏ ଶିଳପୁଆ ସିନ୍ଦୂରରେ ଚିତ୍ରିତ ଓ ନାଲିକନାରେ ମଣ୍ଡିତ ହୋଇ ଥୁଆଗଲା । ଫୁଲ ମାଳଟିଏ ବି ଲମ୍ବେଇ ଦିଆଗଲା । ଦିନ ପ୍ରାୟ ୪ଟା ବେଳକୁ ପୂଜା ଆରମ୍ଭ ହୋଇଗଲା । ମନ୍ତ୍ର କୁହାଟ ଓ ଘଣ୍ଟପିଟାରେ ଥାନଟା ଉଠିଲା ପଡ଼ିଲା । ସାମନା କୋଠା ଘରର ମାଲିକ ଓ ତାର କର୍ମଚାରିମାନେ ଜାଣି ପାରିଲେ ଯେ ମେସ୍‌ ରେ ଗୋଟାଏ କିଛି ପୂଜା ହେଉଛି । କିଛି ସମୟ ପରେ ମେସ୍‍ର ୩/୪ ଜଣ ସେମାନଙ୍କ ପାଖକୁ ଯାଇ ଆଙ୍ଗୁଠି ମଳି ମଳି ଅତି ବିନୟର ସହିତ ନିମିତା କଲେ–‘‘ଆଜ୍ଞା ଆପଣମାନେ ସମସ୍ତେ ଆମ ମେସ୍‌ରେ ଟିକିଏ ପାଦ ପକାଇବା ହୁଅନ୍ତୁ । ଆମର ଥୋପେଶ୍ୱର ମହାଦେବଙ୍କ ପୂଜା ହେଉଛି । ଟିକିଏ ଠାକୁରଙ୍କ ପ୍ରସାଦ ସେବନ କରି ଚାଲି ଆସିବେ । ଡେରି ହେବନି, ଏଇ ଯିବେ ଆସିବେ । ଆଜ୍ଞା ସମସ୍ତେ ଆସନ୍ତୁ । ବିଦୁର ଘରକୁ ଶ୍ରୀକୃଷ୍ଣ ବିଜେ କଲାପରି ଆସନ୍ତୁ ।’’

 

ଏତେ ନମ୍ରତା ! ଏତେ ଶ୍ରଦ୍ଧା ! ଏଡ଼େ ବିନୟ ନିମନ୍ତ୍ରଣ ସେମାନେ ଉପେକ୍ଷା କରିପାରିଲେ ନାହିଁ । କବାଟରେ ଚାବିଦେଇ ସମସ୍ତେ ମେସ୍‌ରେ ପଶିଲେ । ଚୌକିରେ ବିରାଜମାନ କରିଥିବା ସୁଶୋଭିତ ଥୋପେଶ୍ୱର ମହାଦେବଙ୍କୁ ଅତି ଭକ୍ତିର ସହ ମୁଣ୍ଡିଆମାନ ମାରିଲେ । ଜଣେ ସମସ୍ତଙ୍କ ମୁଣ୍ଡରେ ଟିକିଏ ଟିକିଏ ଚନ୍ଦନ ମାରିଦେଇ ଗଲା । ଅନ୍ୟମାନେ ଥାଳିଆମାନଙ୍କରେ ସଜା ହୋଇଥିବା ଖଇଉଖୁଡ଼ା କଦଳୀ, କାକୁଡ଼ି ଧରାଇ ଦେଲେ । ଅତିଥିମାନେ ଭୋଗ ଅପେକ୍ଷା ଢେର୍ ବେଶି ଅଭ୍ୟର୍ଥନା ଓ ଅତିଥିସତ୍କାର ପାଇ ଏକାବେଳେକେ ଅଭିଭୂତ ହୋଇପଡ଼ିଲେ । ପ୍ରସାଦ ସେବନ କରି ଫେରିଲା ବେଳେ ନମ୍ରତାର ସୋଟ ଫିଟିଗଲା । ସେମାନେ ସେଥିରେ ନିଜ ଘରକୁ ଭାସିଗଲେ ।

 

ଘର ମାଲିକ ଖନ୍ଦାଶାଳ ନନାକୁ ଡାକି ପଚାରିଲେ–‘‘ହଇହେ, ଯେତିକି ଆୟୋଜନ ସେଥିରେ ଆଉ ଅଧିକା ଦଶଜଣକର ଚଳିଯିବନି ?’’

 

ନନା ଖୁବ୍ ଭାବି ଚିନ୍ତି କହିଲେ–‘‘ହଁ ହୋଇଯିବ, ହେଲେ ଆଉ ୪କିଲୋ ରସଗୋଲା ଆଣିବାକୁ ହେବ ।’’

 

ନନାଙ୍କ ପ୍ରସ୍ତାବ ସଙ୍ଗେ ସଙ୍ଗେ ମଞ୍ଜୁର ହୋଇଗଲା ।

Image

 

ଭୂତ ଭେଳିକି

 

କୁଞ୍ଜିଆ ବାଡ଼ିର କରମଙ୍ଗା ଗଛଟା ଭଲ ପିଲାଟାକୁ ବି ଟକଳା କରିଦେବ । ଗୋଟିଏ ପାଚିଲା କରମଙ୍ଗା ପାଟିରେ ପୂରେଇ ଦାନ୍ତ ଲଗେଇବା ମାତ୍ରେ ରସ ପାଟି ଭିତରୁ ଉଛୁଳି ପଡ଼ି ଛାତି ଓ ପେଟ ଓଦା କରିଦିଏ । ରସ କଅଣ ଏମିତିଆ ରସ, ସେଗୁଡ଼ାକ ଖଦି ଭଣ୍ଡାର ମହୁଠାରୁ ବଳେ । ଖଟାର ନାଆଁ ଗନ୍ଧ ନାହିଁ । ଦି’ଗଣ୍ଡା କରମଙ୍ଗା ଚୋବେଇ ଦେଲେ କି ଦାନ୍ତ ଜାଣି ପାରିବ ନାହିଁ । ଖଟା ସତ୍ୱ ଥିଲେ ସିନା ଦାନ୍ତ ଜାଣନ୍ତା । ଦି’ଗଣ୍ଡା କୁଞ୍ଜିଆ କରମଙ୍ଗା ଯିଏ ଚୋବେଇ ଦେଇଛି, ତା ଆଗରେ ଦୋଳମୁଣ୍ଡେଇ ଟଙ୍କିକିଆ ସରବତ କିଛି ଛୋଟ ନୁହେଁ । ଗିଲାସରୁ ମୁହଁ ବୁଲିଯିବ । କରମଙ୍ଗା ବି ଦେଖିବାକୁ କିଛି ଛୋଟ ନୁହେଁ । ୟେହେଁ ୟେହେଁ ଦେଖିବାକୁ, ହଳଦି ଗୁରୁଗୁରୁ ହୋଇ ଗଛ ଦିହିଯାକ ନଟକି ଥିଲାବେଳେ ଦେଖିଲା ଟୋକାଏ ଘଡ଼ିଏ ତାକୁ ଚାହିଁ ରହନ୍ତି । ସେମାନଙ୍କ ପାଟି ବାରମ୍ବାର ଜକେଇ ଆସେ । ଜଣାଯାଏ ସତେ ଯେମିତି କରମଙ୍ଗାମାନେ ଟୋକାମାନଙ୍କୁ ଡାକି କହୁଛନ୍ତି, ‘‘ଆରେ ପିଲେ, ଆସ ଚାଲିଆସ ମୁଁ ଏତେ ଅମୃତ ସଞ୍ଚୟ କରି ରଖିଛି କାହାପାଇଁ-? ଆସ ପିଇଯାଅ, ପେଟ ଭରି ପିଇଯାଅ । ଆସ ଗଛରେ ଚଢ଼ିଯାଅ ନହେଲେ ଆଙ୍କୁଡ଼ିରେ ତୋଳିନିଅ । କିଛି ନ ହେଲେ ଢେଲାଟାଏ ବା ଚାବୁଲଟାଏ ଛାଡ଼ିଦିଅ, ଆମେ ଗଛରୁ ଓହ୍ଲେଇ ପଡ଼ି ତୁମମାନଙ୍କ ଅଣ୍ଟିରେ ଲୁଚିଯିବୁ । ଆସ ଆସ ଚାଲିଆସ, ଆଉ ଡେରି କରନା ।’’ ଟକଳା ପିଲାଏ କରମଙ୍ଗାର ଏ ଡାକରା ପରିଷ୍କାର ଶୁଣି ପାରନ୍ତି, ତାର ଭାଷା ବୁଝନ୍ତି । ବୋଲକରାଙ୍କ ପରି ଆଉ କୁଆଡ଼େ ମନ ନ ଦେଇ କରମଙ୍ଗା ଗଛ ଆଡ଼କୁ ଯିବାକୁ ଆଙ୍କୁଡ଼ିଟାଏ ବା ଗୋଟାଏ ଚାବୁଲର ସନ୍ଧାନ ନେବାକୁ ଉଦ୍ୟମ କରନ୍ତି ।

 

କିନ୍ତୁ ହେତ୍ ଇଏ କଅଣ ! ଇଏ କେଉଁ ଅଶୁଭ ପେଚାର ରଡ଼ି । ଘରେ ନ ପଶୁଣୁ ଚାଳରେ ମୁଣ୍ଡ ଢୋଃ । ଗଛ ପଛ ପାଖ ଗୋଟାଏ ଚାଳି ଭିତରୁ କୁଞ୍ଜିଆର ଘଡ଼ଘଡ଼ିଆ ରଡ଼ି ଶୁଭେ ‘‘ହଇରେ ମାଙ୍କଡ଼ ପଲ, ଚାହାଳିର ଅବଧାନ ମଲାଣି ପରା । ଦି’ ପହରେ ପାଠ କୁଆଡ଼େ ଗାଧୋଇ ଗଲା । ଦି’ ଗୋଡ଼ିଆ ମାଙ୍କଡ଼ତକ ଆସିଗଲେ ପରଗଛରୁ କରମଙ୍ଗା ଚୋରି କରିବାକୁ । ଅଳପେଇସ ଅବଧାନ ଏଇ ପାଠ ପଢ଼େଇଛି ! ବୋପାମାନଙ୍କୁ କହୁନ କରମଙ୍ଗା କିଣି ତୁମମାନଙ୍କୁ ଗିଳିବାକୁ ଦିଅନ୍ତେ । ଉଁ ! ଶସ୍ତା ପଡ଼ିଛି, ବୋପା ଥାତି ଏଠି ଥୁଆ ହୋଇଛି । ଚାଲି ଆସିଲେ ମାଙ୍କଡ଼ ଦଳ ଗଛରୁ ଚୋରି କରି ଖାଇବେ । ରୁହ ରୁହ, ତୁମ ବୋପା ମାଆଙ୍କ ହାତରେ ଯଦି ତୁମ କାନ ନ ରଗଡ଼େଇଛି ତେବେ ମୋ ନାଆଁ କୁଞ୍ଜିଆ ନୁହେଁ ।’’

 

କୁଞ୍ଜିଆ ନାଆଁ ଶୁଣିବା ମାତ୍ରେ ପିଲାଏ ଦେ ଛୁ । ପଡ଼ି ଉଠି କେମିତି ଯେ ପଳାନ୍ତି ତାର ଠିକ୍ ଠିକଣା ନଥାଏ । କରମଙ୍ଗାର ସୁନ୍ଦର ରୂପ, ମିଠାଳିଆ ରସରେ ଟକଳା ଟୋକାମାନେ ଏତେ ଦୂର ଭାସି ଯାଇଥାଆନ୍ତି ଯେ କରମଙ୍ଗାମାନଙ୍କୁ ଚୋର ହାବୁଡ଼ରୁ ରକ୍ଷା କରିବା ପାଇଁ କୁଞ୍ଜିଆ ଯେ ନିଶ୍ଚିତ ଭାବରେ ଉପାୟ ଖଞ୍ଜିଥିବ, ସେ କଥା ଏକା ବେଳକେ ଭୁଲିଯାଇଥାଆନ୍ତି । ଫଳରେ ଏମିତିଆ ଅଚାନକ ବଜ୍ରପାତ ! ଖୋଦ୍ କୁଞ୍ଜିଆ ଯେ ଗଛ ପଛ ପାଖେ ଲୁଚି ରହି ଜଗିଛି ଏକଥା ଟୋକାଙ୍କ ମୁ‌ଣ୍ଡରେ ପଶୁଛି କୁଆଡ଼ୁ ! ଆଣ୍ଠୁଗଣ୍ଠି ଛିଣ୍ଡେଇ ପଳେଇ ଗଲାବେଳେ ଟୋକାମାନେ କୁଞ୍ଜିଆକୁ ଅଭିଶାପ ଦିଅନ୍ତି–ତତେ ଲମ୍ବ ଲାଞ୍ଜୁଆ ଡଂଶୁରେ କୁଞ୍ଜିଆ । ନିରାପଦ ସ୍ଥାନରେ ପହଞ୍ଚିବା ପରେ ଟକଳା ଦଳଙ୍କ ମନ୍ତ୍ରଣା ବସେ । ଭଗବାନଙ୍କୁ ପ୍ରାର୍ଥନା କରାଯାଏ–ହେ ଭଗବାନ, କୁଞ୍ଜିଆକୁ ଗୋଟାଏ ଝାଡ଼ା, ଗୋଟାଏ ବାନ୍ତିରେ ନେଇଯାଅ । ତାହାହେଲେ ଆମେ ତା କରମଙ୍ଗା ଗଛରୁ ପେଟପୂରା କରମଙ୍ଗା ଖାଇ ପାରିବୁ ।’’

 

ଜଣେ ଅଧେ ପ୍ରତିବାଦ କରି କହନ୍ତି–‘‘ଆରେ ହେ, ସେ ଯଦି ମରିଯିବ କରମଙ୍ଗା ଗଛର ଯତ୍ନ ତା ଭଳି କେହି ନେଇ ପାରିବେ ନାହିଁ । ଫଳରେ ଏମିତିଆ କରମଙ୍ଗା ଦେଖିବାକୁ ସାତସପନ ହେବ । ତେଣୁ ସେ ବଞ୍ଚିରହୁ । କରମଙ୍ଗା ପାଚିଲା ବେଳେ ଖାଲି ସେ ଆଉ କୁଆଡ଼େ ଚାଲିଯାଉ ।’’ କେହି କେହି କହନ୍ତି, ‘‘ସେତେବେଳେ କୁଞ୍ଜିଆ ଘରୁ ପାଦେ କୁଆଡ଼େ ଯିବ ନାହିଁ ।’’

 

ତେବେ ତାକୁ ହାରମାନିଆ ରୋଗ ପକୁଡ଼ୁ, ବୁହା ହୋଇ ଡାକ୍ତରଖାନା ଯାଉ । ସେଠି ସେ ରହିବା ବେଳେ ସମସ୍ତେ ପାଚିଥିବା କରମଙ୍ଗା ଗୁଡ଼ିକର ଯତ୍ନ ନେବା ।

 

ଏମିତିଆ ବିଲୁଆ ବିଚାର ହେବାହିଁ ସାର ହୁଏ । ପାଚିଲା କରମଙ୍ଗା ଗଛରେ ସେମିତି ଟହ ଟହ ହୋଇ ହସିବାରେ ଲାଗି ଥାଆନ୍ତି ।

 

ଟୋକାମାନେ କ୍ରମେ ଦିନରେ କରମଙ୍ଗା ପାଇବା ପାଇଁ ଆଶା ଛାଡ଼ି ଦେଲେ । କୁଞ୍ଜିଆକୁ ଲମ୍ୱଲାଞ୍ଜିଆ ଡଂଶିଲା ନାହିଁ କି ତାର ହାରମାନିଆ ରୋଗ ହେଲା ନାହିଁ । ଟୋକାଦଳ ଶେଷରେ ଅନ୍ଧାରି ବିଜେ କରିବାକୁ ସ୍ଥିର କଲେ । ଦି’ତିନିଟା କରମଙ୍ଗାଲୋଭୀ ଭେଣ୍ଡିଆ ବି ଦଳରେ ଯୋଗ ଦେଲେ ।

 

ଦିନେ ସକାଳୁ କୁଞ୍ଜିଆ ଦେଖିଲା, ତା କରମଙ୍ଗା ଗଛରୁ କିଛି କରମଙ୍ଗା ଯେ କେବଳେ ଚୋରି ହୋଇଛି ନୁହେଁ, ତା ସଙ୍ଗେ ସଙ୍ଗେ ତା କୋବି ଚାରା ପଟାଳି, ଶାଗ ପଟାଳି ଖିନ୍‍ ଖରାପ ହୋଇ ଯାଇଛି । ପଟାଳିରେ ମଣିଷ ପାଦ ଚିହ୍ନସବୁ ପଡ଼ିଛି । ମନଟା ତାହାର ଡହଳ ବିକଳ ହୋଇଗଲା । ଅଳପେଇସେ ରାତିରେ ପଶି କରମଙ୍ଗା ତ ଯାହା ଖାଇବାର ଖାଇଲେ, ପଟାଳି ଗୁଡ଼ାକ ଯାହା ନଷ୍ଟ କରିଦେଲେ ।

 

କୁଞ୍ଜିଆର ବିକଳ ଦେଖି ପୁଅ ବୁଝେଇଲା –‘‘ଏମିତି ବ୍ୟସ୍ତ ହେଲେ କଅଣ ଆମ କରମଙ୍ଗା ଆଉ ପଟାଳି ଫେରି ଆସିବ । ଆଡ଼କୁ ଚୋରଙ୍କୁ ଛକି କେମିତି ପଟାଏ ଦେବା ତାର ଉପାୟ ସ୍ଥିର କରିବା । ତୁମେ ମୁଁ ରାତିରେ ପାଳି କରି ଜଗିବା ।

 

ତା’ରି କଥା ହେଲା କରମଙ୍ଗା ଗଛ ମୂଳରେ ଥିବା ଚାଳିଟାକୁ ଭଲ କରି ମରାମତି କରାଗଲା । ତା ଭିତରେ ଚାରିଟା ଖୁଣ୍ଟ ପୋତି ଗୋଟାଏ ଖଟିଆ ତିଆରି ହେଲା । ଜଣେ ଖଟିଆରେ ଶୋଇଲେ ଜଣେ ପଦାରେ ଚେଇଁ ରହିଲା ।

 

 

 

୭/୮ ଦିନ ବିତିଗଲା । ଟୋକା-ଭେଣ୍ଡିଆ ଦଳଙ୍କ ପାଟିରେ କରମଙ୍ଗା ବାଜିବାକୁ ନାହିଁ-। ରାତିରେ ଥରେ ପଶି ପଳେଇ ଆସିବାକୁ ସମସ୍ତଙ୍କର ବାହାର ସହିଲା ନାହିଁ । କୁଞ୍ଜିଆଟା ଯେ ଠେଙ୍ଗାଟାଏ ଧରି ଗଛ ମୂଳରେ ଜଗି ବସିଛି ତାହା କିଏ ଜାଣିବ ? କିଏରେ କିଏରେ ହେଇ, ଠେଙ୍ଗାଟା ଉଞ୍ଚେଇ ବାବନାଭୂତ ପରି ସେମାନଙ୍କ ଆଡ଼କୁ କ୍ଷେପି ଆସିଲା । ପ୍ରାଣ ଭୟରେ ସମସ୍ତେ ଛାଡ଼ି ପଳେଇଲେ ।

 

ଟକଳା ଦଳ ଆସି ବିଚାର କଲେ, ନା ଏମିତି ବେହୁସିଆର ହୋଇ ପଶିବା ନାହିଁ, ଆଗ ଗଛମୂଳେ କିଏ ଅଛି କି ନାହିଁ ସଠିକ୍ ଭାବେ ନଜାଣି ପଶିବା ନାହିଁ । ଆଉ ଏକ ଅଡ଼ୁଆ କଥା-ଭିତରେ ନ ପଶିଲେ କିଏ ଅଛି କି ନ ଅଛି ଜଣାପଡ଼ିବ କେମିତି ? ଜଣେ କହିଲା–ଏଇଟା ଗୋଟାଏ ମାମୁଲି କଥା । ବାପପୁଅ ଗଛମୂଳେ ଅଛନ୍ତି କି ଘରେ ଅଛନ୍ତି ପଚାରି ବୁଝିନେବା ।

 

ଆଉ ଜଣେ କହିଲା–ଆହା, ମାଷ୍ଟରକୁ କୁଣ୍ଡା ଦେଇ ବୁଦ୍ଧି ଶିଖିଥିଲୁ ପରା ! ହଇରେ ଓଲୁଙ୍କ ବୋକଚା ବୁହା ! ହଇରେ ତୁ ତ ବାପେ ପୁଏ କେଉଁଠି ଅଛନ୍ତି ବୋଲି ୫ଜଣଙ୍କୁ ପଚାରିଥିବୁ-। ସେଦିନ ରାତିରେ ଚୋରି ହୋଇଥିବା ଜଣାପଡ଼ିଲେ, ସମସ୍ତେ ତ କୁହାକୋହି ହେବେ ଆରେ ସେଇ ଓଲିଆଟାତ ପଚରା ପଚରି କରୁଥିଲା ‘କୁଞ୍ଜିଆ କେଉଁଠି ଅଛି ।’ ଏଇଟା ସେଇ ବାଳୁଙ୍ଗା ଦଳଙ୍କ କାମ । ତାଙ୍କଠୁ ପୁଲିସ୍‍ ଜାଣିବ । ଘୋଷାଡ଼ି ନେଇ ଦୁଇଟା ଖୋବଣ ଦେବାମାତ୍ରେ ସବୁ କଥା ପଦାରେ ପଡ଼ିଯିବ । ସମସ୍ତେ ଧରାଧରି ହୋଇ ପାଣିରେ ବୁଡ଼ି ମଲାପରି ମରିବା । ରଖ ରଖ ତୋ କୁଣ୍ଡାଦିଆ ବୁଦ୍ଧି ।

 

ଅନ୍ୟମାନେ ଏକ ସ୍ୱରରେ କହି ଉଠିଲେ, ଆରେ ସତ କଥା ତ, ନାହିଁ ନାହିଁ ସେ ଉପାୟ ଥାଉ । ଆଉ ଅନ୍ୟ କିଛି ଉପାୟ ଠିକ୍ କର । ବହୁତ ମୁଣ୍ଡ ଖେଳେଇ ଜଣେ କହି ଉଠିଲା–‘‘ମୋ ମୁଣ୍ଡକୁ ବଢ଼ିଆ ବାଟଟାଏ ଦିଶୁଛି । ରାତି ବହୁତ ହୋଇଗଲେ ଆଗ ଗୋଟାଏ ବଡ଼ ଗୋଡ଼ି କୁଞ୍ଜିଆ ଗଛକୁ ଛାଡ଼ି ଦେବା । ପତରର ଖଡ଼୍‍ ଖଡ଼୍‍ ଶବ୍‌ଦରେ ସେମାନଙ୍କ ନିଦ ଭାଙ୍ଗିଯିବ । ସେମାନେ ଜରୁର କୁହାଟିବେ ‘ଆବେ କିଏବେ’ । ଚାହିଁଥିଲେ ତ ସଙ୍ଗେ ସଙ୍ଗେ କୁହାଟିବେ । ଗୋଟିଏ ଗୋଡ଼ି ନ ହେଲେ ଦୁଇ ତିନିଟା ଗୋଡ଼ି ପକାଇବା । କିଛି ଜବାବ ନ ମିଳିଲେ ବେଧଡ଼କ ତା ବାଡ଼ିରେ ପଶିବା ।’’

 

ଏତେ ବଡ଼ ବଢ଼ିଆ ବୁଦ୍ଧିଟା କେମିତି ଯେ, କେଉଁଠି ଏତେବେଳ ଯାଏ ଲାଖି ରହିଥିଲା ଆଉ ଠିକଣା ବେଳରେ ଗୁଲ୍ କରି ଖସି ପଡ଼ିଲା, ତାହା ଦେଖି ସମସ୍ତେ ତାଟକା ହୋଇଗଲେ, ଆଉ ଉପାୟ-ବତାଳିକୁ ବହୁତ ବହୁତ ପ୍ରଶଂସା କଲେ ।

 

ପ୍ରଥମଥର ରାତିରେ ଗୋଡ଼ି ଫୋପଡ଼ାର ଜବାବ ଆସିଲା ‘‘କିଏ ବେ’’ ସମସ୍ତେ ଚୁପ୍‌ଚାପ୍‍ ଫେରି ଆସିଲେ । ତା’ପରେ ଦିନେ ଦୁଇ ତିନିଟା ଗୋଡ଼ିର ବି ଜବାବ ଆସିଲା ନାହିଁ । ସେଦିନ ରାତିରେ ସମସ୍ତେ ମହାଆନନ୍ଦରେ କରମଙ୍ଗା ଖାଇଲେ । ସକାଳେ ବାପ ପୁଅ ମୁଣ୍ଡ କୋଡ଼ି ହେଲେ–‘‘ଅଳପେଇସଗୁଡ଼ାକ କେମିତି ଜାଣୁଛନ୍ତି ଆମେ ନାହୁଁ ବୋଲି ।’’

 

ବ୍ୟତିବ୍ୟସ୍ତ ହୋଇ କୁଞ୍ଜିଆ ଦିନେ ପୁଅକୁ କହିଲା–‘‘ଏ ଗଛକୁ କାଟିଦେବା । ତାରି ଲାଗି ଆମ ପନିପରିବା କ୍ଷେତ ସବୁ ଉଜୁଡ଼ିଲା । ଗଛ ଥବ ନା ସେମାନେ ଆସିବେ ।’’

 

ପୁଅ କହିଲା–‘‘ଆଉ କିଛି ଦିନ ତକେଇବା । ମୋର ମନେ ହେଉଛି ସେହିମାନେ ମଝିରେ ମଝିରେ ରାତିରେ ଗୋଡ଼ି ପକାଉଛନ୍ତି । ଆମେ ପାଟି କଲାରୁ ଆଉ ଆସୁ ନାହାନ୍ତି । ଯେଉଁଦିନ ଆମେ ରହୁନୁ ସେଦିନ ଗୋଡ଼ି ପକାଇଲେ ଜବାବ କେହି ଦେଉ ନାହାନ୍ତି । ସେଇଥିରୁ ସେମାନେ ଜାଣି ପାରୁଛନ୍ତି ଆମେ ନାହୁଁ । ବାସ୍ ତାପରେ ପଶି ଦେଖିଲା କାମ କରୁଛନ୍ତି ।’’ କୁଞ୍ଜିଆ ମନକୁ କଥାଟା ପାଇଲା । ଭୂତ ଭେଳିକି ଦେଖାଇ ସେମାନଙ୍କୁ ଥରେ ଦିଥର ହାଉଳି ଖୁଆଇ ଦେଲେ ପୁଅମାନେ ସାବାଡ଼ ହୋଇ ଯିବେ ବୋଲି ବାପ-ପୁଅ ମନ୍ତ୍ରଣାରେ ସ୍ଥିର ହେଲା । ଦୁହିଁକି ଦୁହେଁ ଭୂତ ବିଜେ କରେଇବା କାମରେ ଲାଗିପଡ଼ିଲେ ।

 

ସେଦିନ ରାତିରେ କରମଙ୍ଗାଲୋଭୀ ଟୋକାଙ୍କ ଦଳ ଖୁବ୍ ବେଶି ଥାଏ । ରାତି ପ୍ରାୟ ସାଢ଼େ ବାରଟା । ଦଳପତି ବାଡ଼ି ଆରପାଖରୁ ଗୋଡ଼ିଟାଏ ଛାଡ଼ିଲା । ଗୋଡ଼ି ପକାଇବା ମାତ୍ରେ ପୁଅ ବାପକୁ ହଲେଇ ଫୁସ୍‌ ଫୁସ୍ କରି କହିଲା–ଆସିଗଲେ, ଏଥର ତିଆର ହୋଇଯାଅ ।

 

ଦଳପତି ପ୍ରଥମ ଗୋଡ଼ିରୁ କିଛି ଜବାବ ନପାଇ ଆଉ ଗୋଟିଏ ଗୋଡ଼ି, ତା ପଛକୁ ଆଉ ଗୋଟିଏ ଗୋଡ଼ି ପକାଇଲା । ତେବେ ବି ଜବାବ ନାହିଁ । ମହାଆନନ୍ଦରେ ବାଡ଼ କଣାକରି ସମସ୍ତେ କିଆରିରେ ପଶିଲେ । ଜଣକ ପାଖରେ ଚୋରା ବତିଟାଏ ବି ଥାଏ । ସେ ଆଗେ ଆଗେ ଗଲା । ଚୋରାବତି ପକାଇ ଭଲ ଭଲ ବଡ଼ କରମଙ୍ଗାତକ ତୋଳି ପକେଇବ ବୋଲି ତରତର ହୋଇ କରମଙ୍ଗା ଗଛ ପାଖକୁ ଧାଇଁଗଲା । ପଛେ ପଛେ ଅନ୍ୟମାନେ ଜଣ୍ଟି ଯାଇଥାନ୍ତି । ଚୋରା ବତିବାଲା ହଠାତ୍ ଅଟକି ଗଲା । ବତି ଆଲୁଅଟା ଆଗକୁ ପଡ଼ିଛି । ‘‘ଏଁ ଇଏ କଅଣ ? କଅଣଟାଏ ହଲୁଛି ।’’ ଗୋଟାଏ ସଇକାର ଗୋଖର ସାପ ଫଅଁ କରି ଫଣା ଟେକିଲା । ‘ବୋପାଲୋ ହାମ୍ପ’ କହି ଟୋକାଟା ଚିତଳମାଛ ପରି ପଛରେ ଥିବା ଟୋକାଙ୍କ ଉପରେ ଲେଉଟି ପଡ଼ିଲା । ‘ହାମ୍ପ, ହାମ୍ପ’ କହି ତା ପାଟି ଖନି ବାଜିଗଲା । ବିପଦ ଆସିଲା ବେଳେ ଏକୁଟିଆ ଆସେ ନାହିଁ । ଟିକିଏ ଦୂରରେ ଭୂଇଁ ଉପରେ ଗୋଟାଏ ଭୂତ ଶୋଇଥିଲା ନା କଅଣ ଭୁଷ୍‍ କରି ଉଠି ପଡ଼ିଲା । ସେତିକି ହୋଇଥିଲେ ରକ୍ଷା ଥିଲା । ସେ କଅଣ ସହଜ ଭୂତ ହୋଇଛି । ହୁଉମ୍‍, ହୁଉମ୍‍ ଗର୍ଜନ କରି ସଙ୍ଗେ ସଙ୍ଗେ ତାଳଗଛ ପରି ହୋଇ ଗଲା । ହାତ ଦି’ଟା ମେଲେଇ ଟୋକାଗୁଡ଼ାଙ୍କୁ ଧରି ପଳେଇବ ବୋଲି ସନାଟି ଆସିଲା । ଟୋକାଦଳଙ୍କୁ ଆଉ ସମ୍ଭାଳେ କିଏ ! ଏଣେ ବିରାଟ ଗୋଖରସାପ, ତେଣେ ବାବନା ଭୂତ, ତାଳଗଛ ପରି ଉଞ୍ଚ, ମାଠିଆ ପରି ମୁଣ୍ଡ, କି ପାଟି ! କି ଦାନ୍ତ ! ତହିଁରେ ପୁଣି ହାତ ମେଲେଇଛି ଯେ ସବୁ ଟୋକାଙ୍କୁ ଏକାଥରକେ କୁଣ୍ଢେଇ ପକେଇବ ! ଆଖି ପିଛୁଳାକେ ଏ କି ଭୁତିଆ ଚଡ଼କରେ ବାବା ! ଆଉ ଦଳ ଫଳ ପଚାରେ କିଏ, ଆପେ ବଞ୍ଚିଲେ ସଇ । ଇଏ ତା ଉପରେ, ସେ ୟା’ଉପରେ ପଡ଼ି ଉଠି, ଘୁଷୁରି, ଧାଇଁଲେ ବାଡ଼ ପାଖକୁ । ବାଡ଼ରେ କଣା କରିବାକୁ ଆଉ ବେଳ ନାହିଁ । ଷେଣ୍ଢ ବାଡ଼ ମାଡ଼ିଦେଇ ପଳାଇଲା ପରି ସମସ୍ତେ ଫରିକ କଣ୍ଟାର ବାଡ଼କୁ ମାଡ଼ିଦେଇ ପଳେଇଲେ । ଜଣେ ବିଚାରା ହତଜ୍ଞାନ ହୋଇ ବାଡ଼ ପାଖରେ ଲୋଟି ପଡ଼ିଲା-। ତାକୁ ଉଠାଇବାକୁ ସମୟ ନାହିଁ ! ଜଣେ ତା ହାତଧରି ମୁର୍ଦ୍ଦାର ଘୋଷାଡ଼ି ନେଲା ପରି ଘୋଷାଡ଼ି ନେଇ ଗଲା । ବାଡ଼ ଆରପଟେ କିଛି ବାଟ ଘୋଷାଡ଼ି ନେଇଗଲା ପରେ ଦେଖିଲା ଯେ ସେଇଟା ଅଦ୍ଭୁତ ଲଙ୍ଗଳା । ଲୁଗାଟା କଣ୍ଟାବାଡ଼ରେ ଲାଗି ରହିଯାଇଛି । କାହା ପ୍ରାଣକୁ ଲୋଭ ନାହିଁ ଯେ ଯିବ ବାଡ଼ ପାଖକୁ ଲୁଗା ପାଇଁ ! ଜଣେ ତା ଗାମୁଛାଟା ତା ଅଣ୍ଟାରେ ଗୁଡ଼େଇ ଦେଲା । ଅଧା ଟେକା ଅଧା ଘୋଷରା କରି ତାକୁ କୌଣସି ପ୍ରକାରରେ ଠାକୁର ଘର ପିଣ୍ଡାକୁ ନେଇଗଲେ । ଠାକୁର ଘର ସୀମାକୁ ବି ଭୂତ ଯାଇପାରେ ନାହିଁ ବୋଲି ନିଶ୍ଚିତ ଭାବରେ ଜାଣିଥିବାରୁ ସମସ୍ତେ ଅଟକିଲେ । ସମସ୍ତଙ୍କର ଦିହ ହାତ ପୋଡ଼ିବା ସେଇଠି ଜଣାଗଲା । କଣ୍ଟାରେ ଦିହ ହାତ ଚିରିଯାଇଥିବା କଥା ସେଇଠି ଜଣାପଡ଼ିଲା । ଘାଆସବୁ ଭଲ ହେବାକୁ ପ୍ରାୟ ଦିନ ପନ୍ଦରଟା ଗଡ଼ିଗଲା-

 

କୁଞ୍ଜିଆ ବିଲରେ ଯେ ଏକ ମସ୍ତବଡ଼ ନାଗସାପ ଅଛି ଆଉ ଗୋଟାଏ ମହାଦୁର୍ଦ୍ଦାନ୍ତ ବାବନାଭୂତ ବିଜେ କଲାଣି, ସେଇଟା ଫୁଟୁର୍‍-ଫାଟର୍‍ ହୋଇ ପଦାକୁ ବାହାରି ପଡ଼ିଲା ।

 

ରାତିହେଲେ କୁଞ୍ଜିଆ ବିଲ ବାଡ଼ର ଫାଇଦା କେହି ମାଡ଼ିଲେ ନାହିଁ, କରମଙ୍ଗା ଗଛ ତ ଦୂରର କଥା । କୁଞ୍ଜିଆକୁ ତା ପୁଅ ଚୁପ୍‌ଚାପ୍ କହିଲା–‘‘ବୁଦ୍ଧି ଖଟେଇ ବିପଦର ମୁକାବିଲା କଲେ ଏମିତିଆ ଫଳ ମିଳେ । ତୁମ କହିବା ମୁତାବକ ଗଛଟି କାଟି ଦେଇଥିଲେ କି ଲାଭ ମିଳିଥାନ୍ତା ?’’ କୁଞ୍ଜିଆ ମୁଣ୍ଡ ଟୁଙ୍ଗାରି କହିଲା–ଠିକ୍ କଥା କହୁଛୁ । ସେ ପାଳ ଦଉଡ଼ିର ସାପଟାକୁ ଗୁଡ଼େଇ ଗାଡ଼େଇ ଢାବଲ ଭିତରେ ଲୁଚେଇ ଦେ । ମାଠିଆଟାକୁ ବାଉଁଶ ଦିହରୁ କାଢ଼ିନେଇ ଖଟତଳେ ଲୁଚେଇ ଦେ । କନା ଗୁଡ଼ାକ ବି ଖୋଲି ଚଉତେଇ ରଖିଦେ । ସେ ଟୋକାଗୁଡ଼ାକ ଜୀବନ ଥିବାଯାଏ ଆଉ ଆଡ଼େ ମୁହଁ ବୁଲାଇବେ ନାହିଁ । ପୁଣି ଯଦି ଆଉ କିଏ ଦଳେ ବିଲରେ ପଶିବା ଆରମ୍ଭ କରିବେ ତେବେ ତୁ ସେହି ପାଳ ଦଉଡ଼ି ଫଣାରେ କଳା ସୂତା ବାନ୍ଧି ସୂତା ସହ ଗଛ ଉପରକୁ ଉଠିଯିବୁ । ମୁଁ ପୁଣି ଡେଲଙ୍ଗି ବାଉଁଶରେ ସେ ହାତ ବାଉଁଶକୁ ବାନ୍ଧି, ଚିତ୍ରା ମାଠିଆ ଭିତରେ ତାକୁ ପୁରେଇ କଳା ଘଟାଟୋପ ଝୁଲେଇ ମୋ କାମରେ ଲାଗିଯିବି । ଯାହା କିଛି ହୁଅନ୍ତା କି ନାହିଁ, ଘଟାଟୋପ ଭିତରେ ପଶି ବାଉଁଶକୁ ଟେକି ଦେବାରୁ ଭୂତଟା ଚାହୁଁ ଚାହୁଁ ତାଳଗଛ ପରି ହୋଇ ଯାଉଛି । ଯେତେ ବଡ଼ ଦମ୍ଭିଲା ଲୋକ ହେଲେ ବି ଛାନିଆରେ ଛେରି ପକେଇବ ।

 

ପୁଅ ହସି ହସି କହିଲା–ଏଗୁଡ଼ାକ ଯଦି କିଏ ଦେଖିନେବ ତେବେ ରକ୍ଷାନାହିଁ । ଏଗୁଡ଼ାକ ଲୁଚେଇ ଦଉଛି । ଗୋଟାଏ ଟୋକାକୁ ଏପର୍ଯ୍ୟନ୍ତ ଛାନିଆ ଜର ଛାଡ଼ିନି । ନିତି ରାତିରେ ବିଳ୍‌ବିଳଉଛି–‘‘ହାମ୍ପ ହାମ୍ପ, ବୁତବୁତ ।’’ ଗୁଣିଆଏ ଲାଗି ପଡ଼ିଛନ୍ତି । ଗୋଟାଏ ଗୁଣିଆତ କହୁଛି ସେଇଟା କୁଆଡ଼େ ସହଜ ଭୂତ ନୁହେଁ ।

Image

 

ସାଙ୍ଗ ଛଡ଼େଇ

 

ଧାନ-ତଳି ରୋଇବାକୁ କିଆରିର ଆହୁରି ପାଏ ବାକି । ପାଣ୍ଡିଆ ଉପକରୁ ଚାହିଁ ଦେଖିଲା ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରକୁ ଆସିଗଲେଣି । ତାର ଘଡ଼ିଟା ଏକ ମସ୍ତବଡ଼ ଘଡ଼ି । ଆକାଶଟା ସେ ଘଡ଼ିର ସୂଚନା ପଟ । ସୂର୍ଯ୍ୟ ହେଉଛି ତାର ଘଣ୍ଟା କଣ୍ଟା । ମିନିଟ୍‍ କଣ୍ଟା ତାର ଦରକାର ନାହିଁ । ସୂର୍ଯ୍ୟ ଦିଗ୍‌ବଳୟରେ ଉଙ୍କି ମାରିଲେ ସେ ଜାଣିଯାଏ ଛଅଟା ବାଜିଗଲା । ଠିକ୍ ମୁଣ୍ଡ ଉପରକୁ ଆସିଗଲେ ବାରଟା ବାଜିଗଲା ଆଉ ପଶ୍ଚିମ ଦିଗରେ ନାଲି ପେଣ୍ଡୁଳା ପରି ହୋଇ ପାହାଡ଼ ପଛରେ ଲୁଚିଗଲେ ସନ୍ଧ୍ୟା ଛଅଟା ହୋଇଗଲା । ତା ଘଣ୍ଟାରେ ଏଇ ତିନୋଟି ମାତ୍ର ସଙ୍କେତ ତାର ଦରକାର-

 

ସକାଳ ଛଅଟାରେ ସେ କ୍ଷେତକୁ ଯିବ । ବାରଟାରେ ଗାଧୋଇ ପାଧୋଇ ଖାଇବ ଓ ଟିକିଏ ବିଶ୍ରାମ ନେଇ ପୁଣି କ୍ଷେତକୁ ଯିବ, ସନ୍ଧ୍ୟା ଛଅଟାରେ କ୍ଷେତରୁ ଘରକୁ ଫେରିବ । ୟା’ଛଡ଼ା ଅଧିକ ସଙ୍କେତ ତାର କି କାମରେ ଲାଗିବ ? ଅବଶ୍ୟ ବର୍ଷା ଦିନରେ ବେଳେ ବେଳେ ତା’ଘଡ଼ି ଅଚଳ ହୋଇଯାଏ । ସେଥିରେ ତା’ର ବେଶି କିଛି ଅସୁବିଧା ହୁଏନି । ଅଧଘଣ୍ଟା, ଘଣ୍ଟାଏ ଏ ପାଖ ସେ ପାଖ ହୋଇଗଲେ, କାହିଁକି ଡେରି ହେଲା ବୋଲି ପଚାରିବାକୁ ତା ଉପରେ କେହି ହେଲେ ହାକିମ ନାହିଁ, କି ତା’ର ହାଜିରା ଖାତାରେ ଗାର ପଡ଼େନି ।

 

ପାଣ୍ଡିଆ ପେଟ ଟିକିଏ ଟିକିଏ କଅଁ କଅଁ ହେଲାଣି । ମନେ ମନେ ଭାବିଥିଲା, ପୁଅଟା ଘରକୁ ଆସିଛି, ତା ସାଙ୍ଗରେ ମିଶିଗଲେ କିଆରିଟାର ରୁଆରୋଇ ସରିଯିବ । କାହିଁ ! ପୁଅଟାର ସୁରଶବଦ ନାହିଁ ! ଏଡ଼େବଡ଼ କିଆରିଟାର ପାଏ ବାକି । ଏକୁଟିଆା ରୋଇ ବସିଲେ ବଜରା ଦୁଇ ଘଣ୍ଟା ଲାଗିଯିବ-। ଏଇଠି କିଆରିଟା ଛାଡ଼ିଦେଲେ ଆଉ ରୋଇ ହବନି । ପୁଅ ଉପରେ ରକ୍ତ ଚାଉଳ ଚୋବେଇ ପ୍ରତିଜ୍ଞା କଲା-ନାଃ, ଘଡ଼ି ଯେତେ ବାଜୁଛି ବାଜୁ, ପେଟ ଯେତେ କଅଁ କଅଁ ହେଉଛି ହେଉ କିଆରି ପୁରା ନ କରି ଯିବନି । ରାଗରେ ତମ ତମ ହୋଇ ସେ କାଦୁଅ ଭିତରକୁ ତଳିଗୁଡ଼ାକ ଗେବି ଦେଇଗଲା-। କାଦୁଅରେ ତଳି ଗେବୁ ନ ଥାଏ ଯେ ପୁଅ ମାଇପଙ୍କ ଆଖିରେ ଆଙ୍ଗୁଠି ଗେବି ଦେଇ କହୁଥାଏ–‘‘ହେଇ ଦେଖୁଥାଅ, ତମ ପେଟ ପାଇଁ ମୋ ପେଟର ଡାକ ନ ଶୁଣି କେମିତି କାମ କରୁଛି-। ଆଉ ତମେ କେହିହେଲେ ମୋର ସାହା ହେଉନ କି ମତେ ପଛରୁ ଟିକିଏ ହେଲେ ଅଣ୍ଟଉନ ।’’

 

ରାଗର ନିଆଁଟା କୋଇଲା ନିଆଁଠୁଁ ଆହୁରି ଟାଣ । କୋଇଲା ନିଆଁରେ ଚାଳିତ ମେସିନ୍‍ ଯେତିକି ଜୋର୍‍ରେ କାମ କରେ, ରାଗ ନିଆଁରେ ଚାଳିତ ତା’ଦିହ ମେସିନ୍‍ଟି ତା’ଠାରୁ ପ୍ରଖରତର ବେଗରେ କାମ କରିବାକୁ ଲାଗିଲା । ସିଲେଇ ମେସିନ୍‍ର ଛୁଞ୍ଚିପରି ତା’ହାତ କାଦୁଅକୁ ଫୋଡ଼ି ପକାଇଲା । ଫଳରେ ଦୁଇ ଘଣ୍ଟାର କାମ ଘଣ୍ଟାକରେ ଖତମ ହୋଇଗଲା । କାମ ସାରି ଧୁଆଧୋଇ ହୋଇ ଟିକିଏ ଝାଳ ମାରିଲା । ଅଣ୍ଟାରୁ ଗୋଟାଏ ଛୋଟ ଶିଶି କାଢ଼ି ତହିଁରେ ଥିବା ତେଲ ଦିହ ମୁଣ୍ଡରେ ଘଷି ହେଲା । ପୋଖରୀରେ ଗାଧୋଇ ପାଧୋଇ ଘରେ ଯାଇ ପହଞ୍ଚିଲା । ଗାମୁଛା ଲୁଗା ଦଉଡ଼ିରେ ଶୁଖେଇଲା ବେଳେ ଭାରିଯା ପଚାରିଲା, ‘‘ଆଜି କାହିଁକି ଏତେ ଡେରି ହେଲା ?’’

 

‘‘ଉଁ, ଲାଟ ସାହାବାଣୀ ପଚାରିଦେଲା–କାହିଁକି ଏତେ ଡେରି ହେଲା ?’’

 

‘‘ଯୋଗଣୀଖିଆଟା ମୋ ଉପରେ କାହିଁକି ବିରିଜି ଉଠୁଛୁ ମ, ମୁଁ କଅଣ କରିପକାଇଲି କି-?’’

 

‘‘ତୁ କରିନୁ ଯେ, ଯେଉଁ ପୁଅ ରତନ ଖଣ୍ଡିକ ବେଇଛୁ ସେଇ କରିଛି ।’’

 

‘‘କଅଣ ହେଲା, ସେ ତ ଇସଗୁଲରୁ କାଲି ଆସି ପହଞ୍ଚିଲା । ସାଙ୍ଗେ ସାଙ୍ଗେ ତା’ ସାଙ୍ଗ ଗୋବରା ଘରକୁ ପଳେଇଲା । ରାତି ବାରଟାରେ ଆସି ଶୋଇଲା । ପୁଣି ବଡ଼ି ସକାଳୁ ଉଠି ଚାଲି ଯାଇଛି । ସେ କେତେ ବେଳେ କଅଣ କଲା ? ତୁଚ୍ଛାଟାରେ ତା ଉପରେ ରବେଇ ଖବେଇ ହଉଛୁ କାହିଁକି ?’’

 

‘‘ଆରେ ଏଇଟା କି ଅଖାଡ଼ୁ ମାଇକିନିଆଟା ମ ! ହଇଲୋ ସେ ଆସି ଗୋବରା ସାଙ୍ଗ ଘରକୁ ପଳାଇଲା । ବିଧାତା ତାକୁ କହିଲାନି କି ବୋପାଟା କିଆରିରେ ଏକୁଟିଆ ଘାଣ୍ଟି ହେଉଛି, ଯାଏ ତା’ ସାଙ୍ଗରେ ଟିକିଏ ହାତ ଲଗେଇଦିଏ । ଆଜି ସକାଳୁ ମୋ ସାଙ୍ଗରେ ଯାଇ କିଆରିରେ ପଶିଥିଲେ କାହିଁ କେତେବେଳଠାରୁ କାମ ସରନ୍ତାଣି ।’’

 

‘‘କାହିଁକି ମ ଏଡ଼େ ଶରଧା ସେ ନ ଆସିଥିଲେ କଅଣ କରିଥାଆନ୍ତୁ ? ଏବେ ଜାଣି ସେ ଆସିନି, ଦେଖା ତୋ ଖାଢ଼ୁ ପଣିଆ, ଦେଖା ।’’

 

‘‘ଧେତ୍, ଏ ହୁଣ୍ଡୀଟାକୁ ମଣିଷ କଅଣ ବୁଝେଇବ । ଆଲୋ ରାଣ୍ଡି ! କିଆରିଟା ରୋଇବା ଦି’ଜଣଙ୍କର କାମ ଥିଲା । ପୁଅକୁ ଦେଖିଲାରୁ ମୁଁ ଆଉ ଯାହାକୁ ଠିକ୍ କରିଥିଲି ତାକୁ ମନା କରିଦେଲି । ଭାବିଥିଲି ବୋପା-ପୁଅ ଦୁହେଁ ଲାଗିଯିବା, ମିଛରେ କାହିଁକି ତିନି ଟଙ୍କା ଗଣିବି । ଛତରାଟା କାହିଁକି ଟିକିଏ କିଆରି ମାଡ଼ିବ । ସେ ଗୋବରାଠୁ କି ରସ ପାଇଛି କେଜାଣି, ଦିନ ନାହିଁ ରାତି ନାହିଁ ସବୁବେଳେ ତାରି ପାଖରେ । କି ଅଲକ୍ଷଣା ଅସରନ୍ତି ଗପ ଗପନ୍ତି, କେଜାଣି !’’

 

‘‘ଯଦି ତୋର ଇଚ୍ଛା ଥିଲା ଯେ ସେ ଚାଷକାମ କରିବ, ଯୋଗୋଣୀଖିଆ ତାକୁ ଇସ୍‌ଗୁଲକୁ ପଠେଇଲୁ କାହିଁକି ? ଘରେ ଅଟକେଇ ରଖିଲୁନି ।’’

 

‘‘ଏ ରାଣ୍ଡିଟା ଅଗଆଡ଼ୁ ବୁଝି ପକେଇଲା । ହଇଲୋ ସିଏତ ମାଟିକି ପଢ଼ିବ ବୋଲି ଲଙ୍ଗଳାମୁକୁଳା ହୋଇପଡ଼ିଲା । ମୁଁ ବି ଭାବିଲି, ଆମର ମାଟି ହେଲା ଜୀବନ । ସେଇ ମାଟିକି ସିଏ ପଢ଼ିବ, ମାଟିକି ଭଲ ଭାବରେ ଚିହ୍ନିଯିବ । ଛତରାଟା ମୋତେ ଏମିତି ଠକିବ ବୋଲି କିଏ ଜାଣିଥିଲା ? ମାଟିକି ମାଟିକି ବୋଲି ନାଚି ଯାଉଥିଲା, ମାଟିକିରେ ପଶିଲା । ଏବେ ତ ତା ପାଦରେ ଟିକିଏ ହେଲେ ମାଟି ଲାଗୁନି । କି ମାଟିକି ପାଠ ! ହଉ ହଉ ଯା ହେବାର ହେଲାଣି, ଭାତ ବାଢ଼ । ସେ ଟୋକାଟା ଯାହା କରୁଛି କରୁ । କି ମିଳିବ ସେ ମୁଣ୍ଡ ବାଡ଼ିଆରୁ ।’’

 

ଭାତ ଲୁଣ ବାଢ଼ିଦେଇ ଭାରିଯା କହିଲା–‘‘ହଅବା ତୁ ଖାଇ ଦବୁଟି, ସେ ଯାହା କରୁଛି କରୁଥାଉ । ବେକରେ ପଡ଼ିଲେ ବଳେ ବଜେଇ ଶିଖିବ । ତୁ ତ ହଜାର ଥର ବୁଝେଇଲୁ; ମୁଁ ତ ହଜାର ଥର ବୁଝେଇଲି । କାହିଁରେ ତ ନୋହିଲା ।’’

 

‘‘ଗୋବରା ନିଶ୍ଚେ କିଛି ଜଡ଼ିବୁଟି କରିଛି । ତା ନ ହେଲେ ଏମିତିଆ ସାଙ୍ଗସୁଙ୍ଗା ଦୁନିଆରେ କୋଇଠି ଦେଖାନାହିଁ । ଗାଆଁକୁ ଆସିବା ମାତ୍ରେ ସେଇ ଜଡ଼ିବୁଟି ତାକୁ ଗୋବରା ପାଖକୁ ନାକରେ ତୁଣ୍ଡି ଦେଇ ଘିଡ଼ଘାଡ଼ିଆ ଘୋଷାଡ଼ି ନେଉଛି । ବେଗର ଜଡ଼ିବୁଟିରେ ଏମିତିଆ କାମ ହୋଇନି କି ହବନି ।’’

 

‘‘ମୁଁ ତ ସେଇଆ ଭାବୁଛି । ତାଠି ତ ଜଡ଼ିବୁଟି କାମ କରୁଛି, ସେ କଅଣ କରିବ ? ତା ଉପରେ ରାଗି କି ଲାଭ ! ସତରେ ଏଇଟା ଭାରି ନାସନା କଥା । ସବୁବେଳେ ଗୋଟାଏ ତା ଘରେ ଯାଇ କାହିଁକି ପଡ଼ିଥିବ । ଏହାର ଗୋଟାଏ କାଟପାଣି ଶୀଘ୍ର କରିବାକୁ ହେବ । କାଟପାଣି କରିବାରେ ଡମେଇ ଘୁଷୁରିଆର ଖୁବ୍ ନା ଡାକ୍‍ । ତାକୁଇ ଧରିବାକୁ ହେବ ।’’
 

ଘଇତା ମାଇପ ଦୁହେଁ ଠିକ୍ କଲେ ଯେ ଏକା ଡମେଇ ଘୁଷୁରିଆ ଏ କାମକୁ ତୁଲେଇ ପାରିବ । ପୁଅ ଉପରୁ ବାପର ରାଗ ବି ଉଭେଇ ଗଲା । ପୁଅ କିଛି ନିଜ ମନକୁ ଅବାଗିଆ ହୋଇନି-। ଜଡ଼ିବୁଟି ତାକୁ ଏମିତିଆ କରଉଛି । ଗୁଣିଗାରଡ଼ି ପାଖରେ ଟୋକାର କି ଚାରା !

 

ରାତିରେ ବାପା ବୋଉଙ୍କ ସଙ୍ଗେ ପୁଅର ଭେଟ ହୋଇଗଲା । ବାପା କଅଁଳେଇ ପଚାରିଲା–‘‘ହଇରେ ନାଣ୍ଡିଆ, ଏତେବେଳଯାଏ କୋଉଠି ଥିଲୁ କିରେ ?’’

 

‘‘ବାପା, ସହରର, କୋଳାହଳ, ଜନଗହଳି, ଆତ୍ମକୈନ୍ଦ୍ରିକ ଓ ସହାନୁଭୂତିହୀନ ଲୋକଙ୍କର ଜାଲଫିସାଦି, ସମାଜ ବିରୋଧୀ ଲୋକମାନଙ୍କର କୁତ୍ସିତ କ୍ରିୟାକଳାପ ଦେଖି ଦେଖି ମୋରି ପ୍ରାଣ କଣ୍ଠାଗ୍ରତ ହୋଇଗଲାଣି । ଚତୁର୍ଦ୍ଦିଗରେ କେବଳ କୋଠା, ସଡ଼କ, ଯାନବାହାନର ଧୂମରାଶି ଓ ବିକଟ ଚିତ୍କାର ମୋତେ ଅସ୍ତବ୍ୟସ୍ତ କରିଦେଲାଣି । ରାଧାନାଥଙ୍କ ଚିଲିକାରେ ଯେଉଁ ମନୋହର ପ୍ରକୃତିର ଚିତ୍ର ଦେଖିଲି ତାହାର ଚିହ୍ନବର୍ଣ୍ଣ ସହରରେ ପାଇଲି ନାହିଁ, ମୋର କବିପ୍ରାଣ ବ୍ୟାକୁଳ ହୋଇ ଉଠିଲା । ସେଇଥିଲାଗି ଦିନେ ଅଧେ ଅବସର ମିଳିଲେ ମୁଁ ଧାଇଁ ଆସେ ମୋର ଅତିପ୍ରିୟ ଗାଆଁକୁ, ନିଜକୁ ହଜାଇଦିଏ ପ୍ରକୃତିର ଶାନ୍ତିପ୍ରଦାୟକ କୋଳରେ । ମୋର ଅନ୍ତର୍ବେଦନା କେବଳ ଗୋବରା ବୁଝେ । ତେଣୁ ତାକୁ ସାଙ୍ଗରେ ନେଇ ଭୁତମୁଣ୍ଡିଆ ପାହାଡ଼, ସଇତାନ ତୋଟା, ପିଶାଚୁଣୀ ପାଟ, ଆଉ ସେଇ ବଡ଼ ଚିରିଗୁଣୀ ବସା ବରଗଛ ମୂଳେ ଘଣ୍ଟା ଘଣ୍ଟା ଧରି ବସେ । ବ୍ୟାକୁଳ ପ୍ରାଣ ମୋର ଶାନ୍ତ ହୋଇ ଆସେ । ଆମ ସ୍କୁଲରେ ମୁଁ ସର୍ବଶ୍ରେଷ୍ଠ କବି ଏହିସବୁ ରୂପେ ପରିଚିତ । ମୋ କବିତାର ସମସ୍ତ ଉପାଦାନ ମୁଁ ଏହିସବୁ ସ୍ଥାନରୁ ଆହରଣ କରେ । ନିଷ୍କପଟ, ନିର୍ମଳ ହୃଦୟ ଗୋବରା କେବଳ ମୋତେ ଏଥିରେ ସାହାଯ୍ୟ କରେ । ସେଇଥିଲାଗି ମୁଁ ତାର ସଙ୍ଗ ଛାଡ଼ି ପାରେନା । ତାର ନିଭୃତତମ କଥାଗୁଡ଼ିକ ମୋ ପାଖରେ ଉନ୍ମୁକ୍ତ କରିଦିଏ । ତେଣୁ ମୁଁ ତାକୁ ବିଶ୍ୱାସ କରେ । ସେ ମୋ କାବ୍ୟ ଜୀବନର...’’

 

ପାଣ୍ଡିଆ ଆଉ ସମ୍ଭାଳି ପାରିଲାନି । ପାଟି କରି ଉଠିଲା–‘‘ଥାଉ ଥାଉ, ଗଅପନା । ଯା ଯା ଶୋଇ ପଡ଼ିବୁ ।’’

 

ନାଣ୍ଡିଆ ଦାଣ୍ଡଘର ପିଣ୍ଡାରେ ମସିଣା ପକେଇ ସୁଲୁସୁଲିଆ ପବନରେ ଶୋଇ ପଡ଼ିଲା । ତେଣେ ଘର ଭିତରେ ବାପା ବୋଉଙ୍କର ଗହନ ମନ୍ତ୍ରଣା ଚାଲିଲା ।

 

‘‘ଦେଖିଲୁଟି ! ଜଡ଼ିବୁଟି ନ ହେଲେ ଭୂତପ୍ରେତ ନ ଗ୍ରାସିଲେ ଏମିତିଆ ବାରଚାଉଳିଆ କଥା କିଏ କହେ । ମୁଁ ତ ତା କଥାରୁ କିଛି ବୁଝି ପାରିଲିନି । ଗୋବରା ଜଡ଼ିବୁଟି ଯାହା କରିବାର କରିଛି, ତେହିଁରେ ପୁଣି, ତାକୁ ନ ଯିବା ଥାନକୁ ନେଇ ଭୂତପ୍ରେତ ସବାର କରେଇ ଦେଇଛି । ଟୋକାଟାକୁ ସାରିଦେଇଛି । ଆଛା ତୁ କିଛି ତା କଥାରୁ ବୁଝିଲୁ ? ମୁଁ ସିନା ଚାହାଳି ମାଡ଼ିନି, ତୁ ତ ଚାହାଳି ମାଡ଼ିଥେଲୁ; କୁଆଡ଼େ ପ–ଫ ଯାଏ ପଡ଼ିଥେଲୁ, ତୁ କହିବୁଟି କଅଣ ବୁଝିଲୁ ?

 

‘‘ଚୋପାଟା ବୁଝିବି । ମଣିଷ କଥା କହିଲେ ସିନା ବୁଝିବି । ସେ ଯୋଉ ଥାନ ନାଆଁ ସବୁ କହିଗଲା ସେଠିକି ଦିନ ଦି ପହରେ ବି କେହି ଯାଆନ୍ତିନି । ଭୂତପ୍ରେତ ସବୁ ତାକୁ ଗିରାସି ଯାଇଛନ୍ତି-। ସେଇମାନେ ତା ଭିତରେ ଥାଇ ଖୋଲ୍‌ଟି କଥା କହୁଛନ୍ତି । ସେ କଥା ସବୁ ଡମେଇ ଘୁଷୁରିଆ ବୁଝିବ ଆଉ; ତାର କାଟପାଣି କରିବ ।’’

 

ବଡ଼ି ଭୋରରୁ ଯାଇ ତୁ ଡମେଇ ଘୁଷୁରିଆକୁ ଡାକିଆଣ । ମୋ ଛୁଆଟାକୁ ସାରି ଦେଲାଲୋ ।

 

ସକାଳେ ଡମେଇ ନଆସି ପାଣ୍ଡିଆ ହାତରେ ଗୋଟାଏ ଡେଉଁରିଆ ଦେଲା । ନାଣ୍ଡିଆ ଡେଉଁରିଆ ଦେଖି କହିଲା, ‘‘ବାପା, ମୁଁ ଏସବୁ କୁସଂସ୍କାରକୁ ପ୍ରଶୟ ଦିଏ ନାହିଁ । ତାହା ଗ୍ରହଣ କରିବାକୁ ମୁଁ ଅକ୍ଷମ ।’’

 

ପୁଣି ସେଇ ଖୋଲ୍‍ଟି କଥା । ପାଣ୍ଡିଆ ପୁଣି ଧାଇଁଲା ଡମେଇ ପାଖକୁ । ଡମେଇ ସବୁ ଶୁଣି କହିଲା–‘‘ସଇକାର ଜାନୁଆର ତା’ଠେଇଁ ସବାର ହୋଇଛି । ଡେଉଁରିଆ ମୁଁ ଦେଇଛି ବୋଲି ଜାଣିଗଲା । ଆଉ ରଖେଇ ଦିଅନ୍ତା ! ହଉ ମୁଁ ନିଜେ ଯିବି ଚାଲ ।’’

 

ନାଣ୍ଡିଆକୁ ତା ବୋଉ ବାଧ୍ୟ କରି ବସାଇଥାଏ । ଡମେଇ ଆସି ପହଞ୍ଚିଗଲା । ନାଣ୍ଡିଆକୁ ଖୁବ୍ ଗାରଡ଼େଇ ଚାହିଁ କହିଲା–‘‘ଆଲୋ ଆଲୋ, ଇଏତ ସଇତାନ ତୋଟାରେ ଥିବା ମାଦଳ ମୁଣ୍ଡା ଗରାସିଛି । ଗୋବରା ବି ବାଁ ପାଦତଳୁ ମନ୍ତୁରା ବାଲି ନେଇ ତା ମୁଣ୍ଡ ଉପରେ ପକେଇ ଦେଇଛି ।’’

 

ନାଣ୍ଡିଆ ରାଗିଯାଇ କହିଲା–‘‘ନନ୍‌ସେନ୍‌ସ, ରାସ୍କେଲ୍‍, ଡେଭିଲ୍ କୋଉଠିକାର, ନାଷ୍ଟି, ରଷ୍ଟିକ ।’’

 

ଡମେଇ ଖୁସି ହୋଇଯାଇ କହିଲା–‘‘ହଁ, ମୁଁ ଠିକ୍ ଚିହ୍ନିଚି ସଇତାନ ତୋଟାର ମାଦଳ ମୁଣ୍ଡା ନ ହେଲେ ଏମିତିଆ ଖୋଲ୍‌ଟି କଥା ମୁହଁରୁ ବାହାରି ନ ଥାନ୍ତା । ଯିବଟି ମୋ ଘର ପାଖରୁ ଘୁଷୁରି ଲଣ୍ଡି ନେଇ ଆସିବ । ଘୁଷୁରି ଲଣ୍ଡିର ଧୂପ ଦେଲେ ଆଉ ନିତେଇ ଧୋବଣୀର ମନ୍ତ୍ରରେ ଦିହ କିଳିଦେଲେ ପିଲାଟା ଝାଡ଼ିଝୁଡ଼ି ହୋଇ ସଫା ହୋଇଯିବ । ଯା ଶୀଘ୍ର ଆଣ ।’’

 

ମୁଖ ବିକୃତ କରି ନାଣ୍ଡିଆ ଉଠିଯାଉଥିଲା । ତା ବୋଉ ନେହୁରା ହୋଇ ରାଣ ନିୟମ ପକେଇ ବସେଇଲା । ହେଲେ ନାଣ୍ଡିଆ ବିରକ୍ତ ହୋଇ କହିଲା–‘‘ଇଡ଼ିଅଟ, ଫୁଲ୍‍, ବ୍ଲକ୍‍ହେଡ୍, ହେଲ୍‍କୁ ଯା । ଗୋଟାଏ ନବରଙ୍ଗ କାଢ଼ୁଛି ।’’

 

ଡମେଇ ଖତେଇ ହୋଇ କହିଲା–‘‘ରହ ରହ, କେତେ ଖୋଲ୍‌ଟି କହୁଛୁ କହ । ଦଶରଙ୍ଗ ତୋତେ ଦେଖେଇ ଦେବି ରହ ।’’

 

ଘୁଷୁରି ଲଣ୍ଡି ଧୂପଦାନି ନିଆଁ ଉପରେ ଥୁଆ ହେଲା । ଫୁର୍କୁଟିଆ ଗନ୍ଧ ଥାନଟାକୁ ଫଟେଇ ଦେଲା । ଡମେଇ ନିତେଇ ଧୋବଣୀର ଆଜ୍ଞା ପାଠ କରି ନାଣ୍ଡିଆ ମୁହଁ ପାଖରେ ଧୂପ ଦେଖେଇ ଦେଲା । ଅ-ଅ ହୋଇ ନାଣ୍ଡିଆ ମେଞ୍ଚାଏ ଛେପ କାଢ଼ି ପକେଇଲା । ଡମେଇ ଉତ୍‌ଫୁଲ୍ଲ ହୋଇ କହିଲା ‘‘ଜଡ଼ିବୁଟିର କାମ ସଫା ହୋଇଗଲା । ଏଥରକ ତୁ ପିଲାକୁ ଛାଡ଼ି ତୋ ଥାନକୁ ଯିବୁ କି ନାହିଁ କହ ।’’ ନାଣ୍ଡିଆ ଦେଖିଲା ଏପରି ଗୋଟାଏ ଅଭଦ୍ର ଅଶିକ୍ଷିତ ଜାନୁଆର ପାଖରେ ତେରିମେରି ହୋଇ ଲାଭ ନାହିଁ । ତାକୁ କିପରି ଶୀଘ୍ର ବିଦାୟ କରିବ ସେଥିଲାଗି କହିଲା–‘‘ହଁ, ମୁଁ ଚାଲିଯିବି, ତୁ ଯା ।’’ ଏହା କହି ଛେବ ଖାଇଲା ପରି ବାହାନା କରି ବୋଉ ଉପରକୁ ଆଉଜି ପଡ଼ି ଆଖିବୁଜିଦେଲା । ଡମେଇ, ପାଣ୍ଡିଆ ଆଉ ତା ଭାରିଯା ତିନିହେଁ ଖୁସ୍ । ଚାରିଅଣା ପଇସା ନେଇ ଡମେଇ ଚାଲିଯିବା ପରେ ନାଣ୍ଡିଆ ଆଖି ଖୋଲିଲା । ବାପା ବୋଉଙ୍କୁ ଆଉ କିଛି କହିବା ଅନାବଶ୍ୟକ ଭାବି ଚୁପ୍ ରହିଲା । ବାପା ବୋଉ ମନେ ମନେ ଭାରି ଖୁସି ହୋଇଗଲେ । କିନ୍ତୁ ଖୁସିଟା ମାତ୍ର କେତେ ଘଣ୍ଟାରେ ମଉଳି ଗଲା । ଖାଇପିଇ ସାରି ନାଣ୍ଡିଆ ଟୁଙ୍ଗ୍‌ ଟୁଙ୍ଗ୍‍ ହୋଇ ଗୋବରା ପାଖକୁ ଚାଲିଗଲା । ପାଣ୍ଡିଆ ଓ ତା ଭାରିଯା ମୁଣ୍ଡରେ ହାତ ଦେଇ ଗୁମ୍ ହୋଇ ବସିଗଲେ ।

 

ଗୋବରାର ସାଙ୍ଗ ଯେ କୌଣସି ପ୍ରକାରରେ ନ ଛଡ଼େଇଲେ ପୁଅ ଆଶା ଛାଡ଼ିବାକୁ ହେବ ଜାଣି ଦୁହେଁ ହାଉଳି ଖାଇଗଲେ । ଶେଷରେ ପାଣ୍ଡିଆ ଗାଆଁର ଅଉଲ ନମ୍ବର ବଜାରୀ ଟୋକା ରତନାର ଶରଣ ପଶିଲା । ରତନା ତାକୁ ଅଭୟ ଦେଇ ଖରାଦିନ ଛୁଟି ପର୍ଯ୍ୟନ୍ତ ଥୟ ଧରିବାକୁ କହିଲା ।

 

ଖରାଦିନ ଛୁଟିରେ ନାଣ୍ଡିଆ ଓ ଗୋବରା ପୁଣି ଏକାଠି ହେଲେ । ରତନା ମଉକା ବେଳକୁ ଟାକି ରହିଲା । ଦିନେ ନାଣ୍ଡିଆ ଯିବା ପୂର୍ବରୁ ରତନା ଗୋବରା ପାଖକୁ ଯାଇ ଆଡ଼ୁ ସାଡ଼ୁ ଗୁଡ଼ାଏ ଗପିଲା । ଏତିକି ବେଳେ ନାଣ୍ଡିଆ ସେଠାରେ ପହଞ୍ଚିଲା ନାଣ୍ଡିଆକୁ ଆସିବାର ଦେଖି ରତନା ଗୋବରା କାନରେ କଅଣ ଫୁସ୍‌ ଫୁସ୍ କରି କହି ଦେଇ ଛାନିଆରେ ପଳେଇଗଲା ପରି ଦଉଡ଼ି ପଳେଇଲା । ନାଣ୍ଡିଆ ଆସି ପଚାରିଲା ‘‘ସେ ବଜାରୀ ଟୋକାଟା ତତେ କଅଣ କହୁଥିଲା କିରେ ?’’

 

‘‘ସେ କଥାର ଅଗମୂଳ କିଛି ଅଛି ?’’

‘‘ହଁ, କଅଣ କାନରେ ଫୁସ୍‌ ଫୁସ୍ କରି କହି ଦେଇ ଗଲା ।’’

‘‘କଅଣ ମିଳିବ ସେଥିରୁ, କହିଲା ନାଣ୍ଡିଆକୁ କିଛି କହିବୁନି ?’’

‘‘କୋଉ ବିଷୟ ନ କହିବାକୁ କହିଲା ?’’

‘‘କିଛି କଥା ନାହିଁମ । ତୁଚ୍ଛାଟାରେ କହିଲା ନାଣ୍ଡିଆକୁ କିଛି କହିବୁନି ।’’

 

‘‘ହେଃ, କଅଣ ଗୋଟାଏ କହି, ତାପରେ ସିନା କହିଥିବ ଯେ ନାଣ୍ଡିଆକୁ କିଛି କହିବୁନି । କଅଣ ନ କହିବାକୁ କହିଲା ?’’

 

‘‘ତୋ ବିଷୟରେ କିଛି ହେଲେ ନ କହି ଖାଲି କହିଲା ନାଣ୍ଡିଆକୁ କିଛି କହିବୁନି ।’’

‘‘ଆଉ କାହା କଥା କହୁଥିଲା ?’’

‘‘ସେ କଥାରେ କଅଣ କିଛି ମୂଲ୍ୟ ଅଛି ଯେ କହିବି ?’’

 

‘‘ସେଇ ଅମୂଲ୍ୟ କଥାଟା କଅଣ କହୁନୁ । ମୁଁ କଅଣ ତୋତେ କାମୁଡ଼ି ପକେଇବି । କଥାଟା ଲୁଚଉଛୁ କାହିଁକି ?’’

 

‘‘ହେତ୍, ଲୁଚେଇବି କାହିଁକି ମ । ଦିନେ ନାହିଁ କାଳେ ନାହିଁ ହଠାତ୍ ଆସି କହିଲା–ହଇରେ ଗୋବରା, ଜାଣିଛୁ ନା ଅମୁକ ସମୁକ ଘରକୁ ହରଦମ୍ ଧାଉଁଛି ବୋଲି ଢମୁକ ତାକୁ ଛେଚିବ ବୋଲି ଛକିଛି । ମୁଁ ଜାଣେ ସେ ବଜାରୀଟାଏ । ତାକୁ କହିଲି–‘‘ସେଗୁଡ଼ାକ ମତେ କାହିଁକି କହୁଛୁ ? ତୋ ରାସ୍ତାରେ ତୁ ଯା । ମୋତେ ସେ ଗୁଡ଼ାକ ଶୁଣିବାକୁ ଭଲ ଲାଗେନି । ସେଇଠୁ ତ ତୋତେ ଦେଖି–ନାଣ୍ଡିଆକୁ କିଛି କହିବୁନି କହି ଦଉଡ଼ି ପଳେଇଲା ।’’

 

‘‘ଅମୁକ, ସମୁକର ନାଁ ତ ପୁଣି କହିଥିବ ।’’

‘‘ହେତ୍ ସେ ବଜାରୀ ଲଫଙ୍ଗା କଥାରେ ଏତେ ଗୁରୁତ୍ୱ ଦେଉଛୁ କାହିଁକି ?’’

 

‘‘ତା କଥାରେ ମୁଁ ମୋଟେ ଗୁରୁତ୍ୱ ଦେଉନି; ଗୁରୁତ୍ୱ ତୋ କଥାରେ, ତୁ ଯେପରି ଅଧେକଥା ପେଟରେ ରଖି ଅଧେକଥା ଓକାଳୁଛୁ ସେଇଥରେ ।’’

 

‘‘ହେ ଭଗବାନ, ଲୁଚେଇଲି କଅଣ ? ସେ ଯାହା କହିଥିଲା ଅକ୍ଷରେ ଅକ୍ଷରେ ତ ସବୁ କହିଲି । ଲୁଚେଇଲି କେଉଁଠି ?’’

 

ନାଣ୍ଡିଆ ମନେ ମନେ କଥାଟାର ସାରଭାଙ୍ଗ କରିନେଲା । ରତନା ନିଶ୍ଚିତ ଭାବରେ ତା ବିରୁଦ୍ଧରେ ଗୁଡ଼ାଏ କିଛି କଥା ଗୋବରା ଆଗରେ କହିଛି । ଗୋବରା ତାକୁ ସେସବୁ ଲୁଚଉଛି । ଯେତିକି କହିଲେ ଅସଲ କଥାଟା ପଦାରେ ପଡ଼ିବନି କେବଳ ସେତିକି କହୁଛି । ଗୋବରା ମନରେ କପଟତା ଦେଖା ଦେଲାଣି ।

 

ସେ ଦିନ ଗୋବରା ନାଣ୍ଡିଆଙ୍କ କଥାବାର୍ତ୍ତାରେ ଉଷ୍ମତା ପରିବର୍ତ୍ତେ ଶୀତଳତା ଦେଖାଦେଲା ।

 

ପରଦିନ ରତନା ଡବଲ ବାଣ ଛାଡ଼ିଲା । ତାର ଜଣେ ଚର ଏଣେ ନାଣ୍ଡିଆକୁ କହିଲା ଯେ ରତନା ଆଉ ଗୋବରା ଦୁହେଁ ଚିରିଗୁଣୀ ବସା ବରଗଛ ମୂଳେ ବସି କଅଣ ଗୋଟାଏ ଗହନ କଥା ପକେଇଥିଲେ । ତେଣେ ଆଉ ଜଣେ ଚର ଗୋବରା କାନରେ କହିଲା ସେ ରତନା ଗୋବରା ବିରୁଦ୍ଧରେ ନାଣ୍ଡିଆ ଆଗରେ କଅଣ କହୁଥିଲା ।

 

ଏହାପରେ ଗୋବରା ନାଣ୍ଡିଆ ଭେଟ ବେଳେ ଗୋବରା ଆଗତୁରା ପଚାରି ପକେଇଲା–‘‘ହଇରେ, ରତନା ମୋ ବିରୁଦ୍ଧରେ କଅଣ ତୋ ଆଗରେ କହୁଥିଲା ?’’

 

ନାଣ୍ଡିଆ ଗୋବରାର ଏପରି ଏକ ମନଗଢ଼ା କଥାକୁ ପୂର୍ବର କପଟତାକୁ ଲୁଚେଇବାର ଏକ କୌଶଳ ବୋଲି ଭାବି କହିଲା–‘‘କାହିଁକି ସେ ପରା ଆସି ତୋତେ ସେ କଥା କହିଛି, ମୋତେ ପଚାରୁଛୁ କାହିଁକି ?’’

 

ମାତ୍ର ଦି ଚାରି ଦିନ ପରେ ନାଣ୍ଡିଆକୁ ତା ବୋଉ ପଚାରିଲା-‘‘କିରେ, ଗୋବରା ଘରଆଡ଼େ ଯାଇଥିଲୁ କିରେ ?’’ ତମ୍ପସାପ ପରି ଫଁ କରି ଉଠି ନାଣ୍ଡିଆ କହିଲା–‘‘ତା ନାଁ ଧରନା, ସେଇଟା ଅମଣିଷ, ଅବିଶ୍ୱାସୀ, କପଟିଆଟାଏ ବୋଲି ଆାଜିଯାଏ ଜାଣି ନଥିଲି ।’’

 

ଗୋବରାକୁ ତାର ଘରେ ପଚାରିଲେ–‘‘କିରେ ନାଣ୍ଡିଆ କାହିଁକି ଆଉ ଆସୁନି ?’’ ଗୋବରା ବିରକ୍ତ ହୋଇ କହିଲା–‘‘ନ ଆସୁ, ମୋର କଅଣ ଅଣେଇ ହୋଇ ପଡ଼ିବ ଯେ, ଏମିତିଆ ଅବିଶ୍ୱାସୀ କପଟିଆର ପାଖ ମାଡ଼ିବାର ନୁହେଁ ।’’

Image

 

କପିବାଜ୍‌ଙ୍କ ଜୁଆରଭଟ୍ଟା

 

କଟକ କଲେଜର ଅଧ୍ୟକ୍ଷ ଅଧ୍ୟାପକମାନଙ୍କର ଏକ ବୈଠକ କରାଇ କହିଲେ–‘‘ଏ ବର୍ଷ ଯେକୌଣସି ଉପାୟରେ ପରୀକ୍ଷାରୁ କପି ଉତ୍ପାତକୁ ସମ୍ପୂର୍ଣ୍ଣ ରୂପେ ଉତ୍ପାଟିତ କରିବାକୁ ହେବ ।’’ ଏ କପିଟା ଗୋଟାଏ ରାକ୍ଷସ, ଗୋଟାଏ ଡେଭିଲ୍‌ର ମୂର୍ତ୍ତି ଧରିଲାଣି । ପିଲାଗୁଡ଼ାଙ୍କୁ ଖାଇଗଲା । ସେମାନଙ୍କ ମୁଣ୍ଡ ଚୋବେଇ ଦେଲା ।’’

 

ଜଣେ ଅଧ୍ୟାପକ ଉପରେ ପଡ଼ି କହିଲେ–‘‘ପିଲାମାନେ କଅଣ ସେ କଥା ବୁଝୁଛନ୍ତି ? ସେମାନେ ତ ତାକୁ ମା ସରସ୍ୱତୀଙ୍କର ସଙ୍ଗାତୁଣୀ କହି ପୂଜା କରୁଛନ୍ତି । ଥରେ ଗୋଟାଏ ପିଲାର ରଫ୍‍ ଖାତାଟାଏ ପଡ଼ିଥିବାର ଦେଖିଲି । କୌତୁହଳର ସହ ତା’ର ପତ୍ରଗୁଡ଼ାକ ଲେଉଟେଉ ଲେଉଟେଉ ଗୋଟାଏ ଅଜବ୍ ବନ୍ଦନା ଦେଖିଲି । ସେଥିରେ ଲେଖା ଥିଲା–

 

ଅପଠିତ ବିଦ୍ୟା ପୂରିତ ଗାତ୍ରେ

ଟିକି ଟିକି ଅକ୍ଷର ଶୋଭିତ ପତ୍ରେ

ଗୁପ୍ତ ପକେଟେ ଲୁଚି ଥାଅ ସୁସ୍ଥେ

ଭଗବତୀ ମା କପି ଦେବୀ ନମସ୍ତେ ।।

 

ସେମାନେ ତ କପିକୁ ଭଗବତୀ ମା କପି ରୂପରେ ପୂଜିଲେଣି, ଆମେ ତାକୁ ରାକ୍ଷସ ଡେଭିଲ୍‍ କହିଲେ ଶୁଣୁଛି କିଏ ? ଓଲଟି ସେମାନେ ଆମକୁ ରାକ୍ଷସ, ଡେଭିଲ୍ କହିଲେଣି ।’’

 

‘‘ସେମାନଙ୍କର ସେଇଟା ଭାବିବା ସ୍ୱାଭାବିକ । ବାପା ଅକଟ କଲେ ସେମାନେ ବାପାଙ୍କୁ ବି ମନେ ମନେ ଡେଭିଲ୍ କହନ୍ତି, ଆମ କଥା ପଚାରୁଛି କିଏ ? ତଳକୁ ଖସିବା ଭାରି ସହଜ । ସହଜ ବାଟକୁ ସେମାନେ ଆଦରି ଯାଆନ୍ତି । ୟା’ ବୋଲି ସେମାନେ ତଳକୁ ଖସି ଖସି ନର୍କରେ ପଡ଼ିବା ଯାଏ ଆମେ କଅଣ ଦର୍ଶକ ହୋଇ ରହିବା ? ସେମାନଙ୍କୁ ଅଧା ବାଟରେ ଅଟକାଇବା ନାହିଁ ?’’

 

‘‘ହଁ, ଅଟକାଇବାକୁ ଯାଇ ଆମର ଆଖି ଫୁଟିବ, ମୁଣ୍ଡ ଫାଟିବ, ହାତଗୋଡ଼ ଭାଙ୍ଗିବ, ସେତେବେଳେ ଆମ ପିଠିରେ କିଏ ପଡ଼ିବ ? ଯାଆନ୍ତୁ, ସେ କୁଳାଙ୍ଗାରଗୁଡ଼ାକ ନର୍କକୁ ଯାଆନ୍ତୁ କି ତା’ ଠାରୁ ଆହୁରି ତଳକୁ ଯାଆନ୍ତୁ । ଯିଏ ଭଲ କଥା କହିଲେ ଶୁଣିବେ ନାହିଁ, ସେମାନଙ୍କୁ ବାଟ ଛାଡ଼ିଦେବା ଦରକାର । ସେମାନେ ନର୍କକୁ ଯାଆନ୍ତୁ, ଦୁଃଖ କଷ୍ଟ ଭୋଗନ୍ତୁ, ଠକି ଶିଖନ୍ତୁ । ମନେ ମନେ ଭାବନ୍ତୁ–ଆରେ ଆମେ ଗୁରୁଜନଙ୍କ କଥା ମାନିଲୁ ନାହିଁ, ମାନିଥିଲେ ଆଜି ଏ ଦୁର୍ଦ୍ଦଶା ଭୋଗି ନଥାନ୍ତୁ । ସେତେବେଳେ ଯାଇ ସେମାନେ ବାଟକୁ ଆସିବେ ।’’

 

‘‘ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହି ଯାଇଥିବ, ଫେରିବାକୁ ବି ବାଟ ନଥିବ ।’’

 

ଆଉ ଜଣେ ଅଧ୍ୟାପକ କହିଲେ, ‘‘ଏପରି ଉତ୍ସୃଙ୍ଖଳ ପିଲାଗୁଡ଼ାକ ଶେଷ ପାଇଯାଆନ୍ତୁ । କଲେଜ ଭାରା ଟିକିଏ ଉଶ୍ୱାସ ହୋଇଯିବ । ସେଗୁଡ଼ାଙ୍କ ପ୍ରତି ଦୟାମାୟା ରଖିବା ଉଚିତ୍ ନୁହେଁ । ଧ୍ୱଂସ ବାଟରେ ଯାଉଛନ୍ତି, ଯାଆନ୍ତୁ । ସେଗୁଡ଼ାକ ପାଠ ପଢ଼ିବାକୁ କଅଣ କଲେଜକୁ ଆସିଛନ୍ତି ? ଆସିଛନ୍ତି ବାପାର ଝାଳବୁହା ଧନକୁ ବଜାରିଗିରି କରି ଉଡ଼େଇବାକୁ, ଆସିଛନ୍ତି ଗୋଟିଏ ଗୋଟିଏ ପ୍ରେମିକ ବନିବାକୁ, ଆସିଛନ୍ତି ଭିଡ଼ ଜମେଇ ଭଲ ଭଲ ପିଲାଙ୍କ ପଢ଼ାପଢ଼ିରେ ଅସୁବିଧା ସୃଷ୍ଟି କରିବାକୁ । କରନ୍ତୁ, ସେମାନେ କେତେ କପି କରୁଛନ୍ତି କରନ୍ତୁ ଆଉ ଜୀବନ ସଂଗ୍ରାମରେ ମରନ୍ତୁ ।’’

 

‘‘ଦେଖନ୍ତୁ, ଆପଣମାନେ କଥାଟିକୁ ସୂକ୍ଷ୍ମ ଭାବରେ ବିଚାର କରନ୍ତୁ । ଏମାନେ ଯେ କେବଳ ନିଜର କ୍ଷତି କରୁଛନ୍ତି ତାହାନୁହେଁ, ଏମାନେ ଅନ୍ୟର କ୍ଷତି କରିବା ସଙ୍ଗେ ସଙ୍ଗେ ଦେଶର କ୍ଷତି କରୁଛନ୍ତି । କେତୋଟି ଭଲ ପିଲା ବର୍ଷସାରା ମନ ଦେଇ ପାଠ ପଢ଼ିଲେ ଓ ପାଠ ଆୟତ୍ତ କଲେ । ଦଳେ କପିବାଜ୍ ପାଠ ନ ପଢ଼ି ବଜାରିଗିରି କଲେ ଆଉ ପରୀକ୍ଷାରେ କପି କରି ଭଲ ପିଲାଙ୍କଠାରୁ ବେଶି ନମ୍ବର ରଖିଲେ । ଏଥିରେ ଭଲ ପିଲାଗୁଡ଼ିକ ହତୋତ୍ସାହ ହେଲେ । ପାଠ ପଢ଼ିବା ପ୍ରତି ସେମାନଙ୍କର ବିତୃଷ୍ଣା ଆସିଗଲା । ସେମାନଙ୍କର ମନୋବଳ ବି ଭାଙ୍ଗିଗଲା । କପିବାଜ୍‌ମାନେ ବି ପରୀକ୍ଷାରେ ତଥାକଥିତ କୃତିତ୍ୱ ଦେଖାଇଥିବାରୁ ଚାକିରି ବାକିରିରେ ଅଗ୍ରାଧିକାର ପାଇଲେ । ଏମାନଙ୍କ ହାତରେ କ୍ଷମତା ପଡ଼ିବା ଅର୍ଥ ମାଙ୍କଡ଼ ହାତରେ ଶାଳଗ୍ରାମ ପଡ଼ିବା । ଏଇ ଅପଦାର୍ଥଗୁଡ଼ାକ କ୍ଷମତା ହାସଲ କରି ଦେଶକୁ ଉଚ୍ଛନ୍ନ କରି ଦେଇଛନ୍ତି । ଅବାରିତ ଭାବରେ ଏହି କପିବାଜ୍‌ମାନେ ଯଦି ଚାକିରି ବାକିରିରେ ପଶି କ୍ଷମତା ହାସଲ କରିବେ ତେବେ ଦେଶଟା ରସାତଳକୁ ଯିବ । ଏଣୁ କଳେବଳେ କୌଶଳେ ଏ କପି-ରାକ୍ଷସକୁ ଜବତ କରିବାକୁ ହେବ । ତା’ର କବଳରୁ ପିଲାମାନଙ୍କୁ ଉଦ୍ଧାର କରିବାକୁ ହେବ ।’’

 

‘‘ହଁ, ଆପଣ ଯାହା କହୁଛନ୍ତି ଠିକ୍ କହୁଛନ୍ତି, ଆମେ ଉଦ୍ଧାର କରିବାକୁ ଯିବୁ, ହେଲେ ଆମ ମୁଣ୍ଡ ଜଗିବ କିଏ ?’’

 

‘‘ସେ ବିଷୟରେ ଚିନ୍ତା କରିବାକୁ ପଡ଼ିବନି । ଯାହା ହେବାର ହୋଇଯାଇଛି, ଏସବୁ ଉତ୍ସୃଙ୍ଖଳତାକୁ ଦୃଢ଼ ହସ୍ତରେ ଦମନ କରିବାକୁ ସରକାର ଦୃଢ଼ପ୍ରତିଜ୍ଞା । ଏପରି ଆଶଙ୍କା ଦେଖାଗଲେ ଆମେ ପୋଲିସ୍‌କୁ ଖବର ଦେବା । ପୁଲିସ୍ ମଧ୍ୟ ଆମକୁ ତତ୍‌କ୍ଷଣାତ୍ ସାହାଯ୍ୟ କରିବ-। ଏଣୁ କପି ନିରୋଧ ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ହେବ । କେଉଁ ପିଲାମାନେ ମାର୍କାମରା କପିବାଜ୍ ତାହା ଭଲ ପିଲାମାନଙ୍କ ମାଧ୍ୟମରେ ସଂଗ୍ରହ କରି ପରୀକ୍ଷାହଲ୍‍ରେ ସେହିମାନଙ୍କ ପାଖରେ ଅଧିକ ଜଗୁଆଳ ନିଯୁକ୍ତି କରିବାକୁ ହେବ । ଦୋମହଲାରେ ପରୀକ୍ଷା ହେଲା ବେଳେ ତଳୁ ସେଠାକୁ ଯିବାର ସମସ୍ତ ବାଟ ରୁନ୍ଧି ଦିଆଯିବ ।’’

 

ଏଣେ କପି ନିରୋଧପାଇଁ ଟିକିନିଖି ଯୋଜନା ହେଉଥିଲାବେଳେ ତେଣେ କପିବାଜ୍‌ମାନଙ୍କର ସୁରୁଖୁରୁରେ କପି କରିବାର ଆୟୋଜନ ଚାଲିଲା । କପିବାଜ୍‌ମାନଙ୍କର ଜଣେ ମହାନ୍ ନେତା କଲେଜ ପିଅନ ଠାରୁ ଅଧ୍ୟକ୍ଷଙ୍କର କପି ନିରୋଧ ଅଭିଯାନ ବିଷୟରେ ସମ୍ୟକ୍‍ ସୂଚନା ପାଇ ଏକ ଜରୁରୀ ମନ୍ତ୍ରଣା ସଭା ଡାକିଲେ । କପିବାଜ୍‌ମାନଙ୍କର ଏକ ରାତିଅଧିଆ ସଭା ବସିଲା । ପ୍ରଧାନ କରିବାଜ୍ ବକ୍ତୃତା ଆରମ୍ଭ କରି କହିଲେ–‘‘ଦାୟିତ୍ୱହୀନ ଅଧ୍ୟକ୍ଷଙ୍କ ଏପରି ଡାକରାରେ ମୁକାବିଲା କରିବାକୁ ହେବ । କପି କରିବା ଆମର ଏକ ମୌଳିକ ଅଧିକାର । ଆମକୁ ସେ ମୌଳିକ ଅଧିକାରରୁ ବଞ୍ଚିତ କରିବାକୁ ଅଧ୍ୟକ୍ଷ କିଏ ?’’ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଆମର ହେଲେ ବିରୁଦ୍ଧ ଦଳ । ପଢ଼ାଇବା ହେଲା ସେମାନଙ୍କ ମୌଳିକ ଅଧିକାର । ଆମେ ତ ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରିବାକୁ ଚାହୁଁନାହୁଁ । ପାଠପଢ଼େଇବା ବନ୍ଦ କରିବା ଲାଗି ଆମେ ଦିନେ ହେଲେ ସେମାନଙ୍କୁ କହିନୁ । ଆମେ ବିରୁଦ୍ଧଦଳକୁ ସହ୍ୟ କରିଛୁ । ଆମେ ହିଁ ହେଉଛୁ ଗଣତନ୍ତ୍ରର ପୂଜାରୀ । ସେମାନେ କିନ୍ତୁ ଏକଛତ୍ରବାଦର ପୃଷ୍ଠପୋଷକ । ଆମର ମୌଳିକ ଅଧିକାର କପିକୁ ସେମାନେ ଲୋପ କରି ଦେବାକୁ ବସିଛନ୍ତି । ସେମାନେ ଗୋଟିଏ ଗୋଟିଏ ଘୃଣ୍ୟ ଫାସଷ୍ଟ । ଆଜି ଗଣତନ୍ତ୍ର ବିପନ୍ନ । ଆମର ମୌଳିକ ଅଧିକାର ବିପନ୍ନ । ଆମେ ସମସ୍ତ ଶକ୍ତି ଲଗାଇ ଏହି ଘୃଣ୍ୟ ଫାସିଷ୍ଟମାନଙ୍କର ପ୍ରତିରୋଧ କରିବୁ । ଅତ୍ୟାଚାରୀ, ଏକଛତ୍ରବାଦୀ ଅଧ୍ୟକ୍ଷ ଅଧ୍ୟାପକ ଦଳ ଆମଠାରୁ ଏ ମୌଳିକ ଅଧିକାରକୁ ଛଡ଼ାଇ ନେବାକୁ ବସିଛନ୍ତି । ଆସ ଆମେ ସମସ୍ତେ ଏକଜୁଟ ହୋଇ କାହାର ପ୍ରାଣମୂର୍ଚ୍ଛା ପ୍ରତିରୋଧ କରିବା । ସମସ୍ତେ ଏକ ସ୍ୱରରେ ସ୍ଳୋଗାନ୍‍ ଦିଅ–

 

‘‘ଆମର ଦାବି

କପି କରିବୁ ।’’

‘‘ଆମର କପି କରିବା

ମୌଳିକ ଅଧିକାର ।’’

‘‘କପି ଦେବୀ

ଜିନ୍ଦାବାଦ୍ ।’’

‘‘ଅଧ୍ୟକ୍ଷ-ଅଧ୍ୟାପକ

ଧ୍ୱଂସ ହୁଅନ୍ତୁ ।’’

 

ପ୍ରଧାନ କପିବାଜ୍ ପୁଣି ସମସ୍ତଙ୍କୁ ସତର୍କ କରାଇ କହିଲେ ଯେ, ଅଧ୍ୟକ୍ଷ ନିଶ୍ଚିତ ଭାବରେ ପୁଲିସ୍ ସାହାଯ୍ୟ ନେବେ । ଏଣୁ ପରୀକ୍ଷାହଲ୍‍କୁ ଗଲାବେଳେ କପି ନେବାକୁ ହେବ ନାହିଁ । ହଲ୍‍ରେ ପ୍ରଶ୍ନପତ୍ର ପାଇବା ମାତ୍ରେ ତାର ନକଲ କରି ୪।୫ ଜଣ ଦୋମହଲା ଉପରୁ ତଳକୁ ଫୋପାଡ଼ି ଦେବେ । ହଷ୍ଟେଲ ପିଲାଏ ଚାରିଆଡ଼େ ଛକି ରହିଥିବେ । ତାକୁ ଗୋଟାଇ ନେଇ ତୁରନ୍ତ କପି ତିଆରି କରି ତାଙ୍କର ଗୋପନୀୟ ପନ୍ଥାରେ ଉପରକୁ ପଠାଇଦେବେ । କପି କରୁଥିବାବେଳେ ଛେରୁଆ ଅଧ୍ୟାପକମାନଙ୍କୁ ଛୁରି ଭୁଷାର ଧମକ ଦେଇ ଓ ଟାଣୁଆ ତାଗଡ଼ା ଅଧ୍ୟାପକ ମାନଙ୍କୁ ଗୋଡ଼ଧରି ଓ ପାଦଧୂଳି ମୁଣ୍ଡରେ ଲଗାଇ ଦୂରରେ ରଖିବାକୁ ହେବ ।

 

କୁରୁ-ପାଣ୍ଡବ ଯୁଦ୍ଧର ଶିଙ୍ଗାଧ୍ୱନି ପରି, ପରୀକ୍ଷାରମ୍ଭର ପ୍ରଥମ ଘଣ୍ଟା ବାଜିଲା । ପରୀକ୍ଷାର୍ଥୀମାନେ ଦୋତାଲା ପାହାଚର ଦ୍ୱାର ଦେଶରେ ପହଞ୍ଚିବା ମାତ୍ରେ ପୋଲିସ୍ ଫଉଜର ସମ୍ମୁଖୀନ ହେଲେ । ପୁଲିସ୍ ଅଫିସର୍‍ମାନେ ଅଣ୍ଟା ପକେଟ୍‍ ଦରାଣ୍ଡି ଛାଡ଼ିଦେଲେ । ଜଣେ ଅଧେ ଲୋଭୀ କପିବାଜ୍ ଅଣ୍ଟାରେ କିଛି କିଛି ଗୁଞ୍ଜିଥିଲେ । ପୁଲିସ୍‍ବାଲାଏ ସେଗୁଡ଼ିକ ଛଡ଼େଇ ନେଇ ସେମାନଙ୍କୁ ଛାଡ଼ିଦେଲେ । ପାଠୁଆ ଭଲ ପିଲାଏ ଆନନ୍ଦରେ ସ୍ୱସ୍ତିର ନିଶ୍ୱାସ ପକାଇ ଭାବିଲେ–ଭଗବାନ୍‍ ଏତେ ଦିନେ ଆମର ଡାକ ଶୁଣିଲେ ।

 

ହଲ୍‌ରେ ଖାତା ଓ ପ୍ରଶ୍ନପତ୍ର ବଣ୍ଟା ସରିବା ପରେ ତଳରୁ ଉପରକୁ ଯାଇଥିବା ବାଟଗୁଡ଼ିକ ରୁଦ୍ଧି ଦିଆଗଲା । ଖୋଦ୍ ଅଧ୍ୟକ୍ଷ ତଳେ ହଲ୍‍ର ଚାରିପାଖରେ ଘେର ଦେବାକୁ ଲାଗିଲେ-। ଚାରିଆଡ଼କୁ ଚାହିଁ ସେ ଆଗଉଛନ୍ତି, ହଠାତ୍ ତାଙ୍କ ମୁଣ୍ଡ ଉପରେ ଗୋଟିଏ ଭଙ୍ଗାଭଙ୍ଗି ହୋଇଥିବା କାଗଜ ଠକ୍ କରି ପଡ଼ିଲା । ସେ ଉପରକୁ ଚାହିଁ ଦେଖିଲେ ଖାଲି ଝରକାଟା । ତଳୁ କାଗଜଟି ଗୋଟାଇ ଖୋଲି ଦେଖିଲେ, ପ୍ରଶ୍ନ ପତ୍ରର ଗୋଟିଏ ନକଲ । ମନେ ମନେ ହସିଲେ–ଆହା ! ପିଲାଟି କେଡେ ତରତରରେ ଓ କେତେ ଆଶାରେ ନକଲଟି ପଠେଇ ଥିଲା ।

 

ଅଧ ଘଣ୍ଟାଏ ଯାଇଛି କି ନାହିଁ, ପରୀକ୍ଷାର୍ଥୀଙ୍କ ପାଇଁ ତଳୁ ଜଳଖିଆ, ଚାହା, ପାନର ସୁଅ ଛୁଟି ପୋଲିସ୍‍ ଅଫିସର୍‍ରୂପୀ ଡାମ୍ ପାଖରେ ଅଟକିଲା । ମାତ୍ର ଅଧ ଘଣ୍ଟା ଭିତରେ ଭୋକ ! ସନ୍ଦେହ ନ ହେବା ଲୋକର ସନ୍ଦେହ ହେବ । ସେମାନେ ପରଟାର ପରସ୍ତ ଭିତରୁ କପି ଦେବୀଙ୍କୁ ଉଦ୍ଧାର କରି ପରଟାକୁ ଉପରକୁ ପଠାଇଦେଲେ । ସେହିପରି ସିଙ୍ଗଡ଼ା ଭିତରୁ, ସେଉ ଗାଣ୍ଠିଆ ଭିତରୁ, ପାନ ଭିତରୁ କପି ଦେବୀଙ୍କୁ ମୁକ୍ତ କରି ବିଶୋଧିତ ଜଳଖିଆ, ପାନସବୁ ଯଥା ସ୍ଥାନକୁ ପଠାଇ ଦିଆଗଲା ।

 

ପରୀକ୍ଷା ହଲ୍‌ରେ କପିବାଜ୍‍ମାନଙ୍କର ସାମୟିକ ବହୁମୂତ୍ର ରୋଗ ଗ୍ରାସ କରିବା ବିଷୟରେ ଜଗୁଆଳମାନେ ଆଗରୁ ସତର୍କ ହୋଇ ରହିଥିଲେ । ସେଥିଲାଗି ସେମାନେ ପରିସ୍ରାଗାରକୁ ବିଶୋଧିତ ରଖିବାକୁ ବଦ୍ଧ ପରିକର ହୋଇ ରହିଥିଲେ ।

 

ଜଣେ ପରୀକ୍ଷାର୍ଥୀ ଅତ୍ୟଧିକ ସମୟ ମୂତ୍ରତ୍ୟାଗ କରିବାରୁ ଜଣେ ଜଗୁଆଳ ପରିସ୍ରାଗାରର ଦ୍ୱାରଦେଶକୁ ଜୋତା ଖଟ୍‌ ଖଟ୍ କରି ଆଗେଇଗଲେ । ପରୀକ୍ଷାର୍ଥୀଜଣକ ମୁହଁ ଶୁଖାଇ ବାହାରି ଆସୁ ଆସୁ କହିଲା ‘‘କଅଣ ଆମକୁ ନିଶ୍ଚଳରେ ଟିକିଏ ମୂତିବାକୁ ଦେବେନି । ମୁତଖାନାରେ ଆମେ କ’ଣ କପି କରିପକାଉଛୁ ?’’

 

‘‘ଜଗୁଆଳ ଜଣଙ୍କ ମୃଦୁ ମୃଦୁ ହସି କହିଲେ ‘‘ନା ନା-ତୁମପରି ଛାତ୍ରମାନଙ୍କୁ ଆମେ କେବେହେଲେ ସନ୍ଦେହ କରିବୁ ନାହିଁ । ବରଂ କାଳେ ପରିସ୍ରା ପରେ ପାଣି ଦରକାର କରିବ ତାହା ବୁଝିବାକୁ ମୁଁ ଆସିଥିଲି ।’’

 

ପିଲାଟି କ୍ରୋଧ ଓ ବିରକ୍ତିରେ ଆଉଟୁ ପାଉଟୁ ହୋଇ ଚାଲିଗଲା । ତାର ଯିବାପରେ ଜଗୁଆଳଜଣକ ପରିସ୍ରାଗାର ତନଖି କରିବାକୁ ଗଲେ । କେଉଁଠି କିଛି ନାହିଁ; କିନ୍ତୁ ଝରକା ପାଖରେ ଗୋଟିଏ ସୂତା ଝୁଲୁଛି । ତାଙ୍କର ସନ୍ଦେହ ହେଲା । ସେ ସୂତାଟାକୁ ଟାଣିବାରୁ ତାହା ଲମ୍ବି ଆସିଲା । କୂଅରୁ ପାଣି ଦଉଡ଼ି ଟାଣି ଆଣିଲେ ଶେଷ ମୁଣ୍ଡରେ ଯେପରି ଢାଳ ବା ବାଲ୍‍ଟି ଆତ୍ମପ୍ରକାଶ କରେ, ସୂତାଟିକୁ ସେହିପରି ଟାଣି ଆଣିବାରୁ ତାର ଶେଷ ମୁଣ୍ଡରେ କପି ଦେବୀ ବନ୍ଧାହୋଇ ଆତ୍ମପ୍ରକାଶ କଲେ । ଜଗୁଆଳ ଜଣକ ମନେ ମନେ କପିପ୍ରେରଣପନ୍ଥାର ଭୂୟସୀ ପ୍ରଶଂସା କରି କହିଲେ, ‘‘ତଳ ବାଟ ରୁନ୍ଧି ଦେଇଥିବା ଜଗୁଆଳମାନଙ୍କ ଆଖିରେ ଧୂଳିଦେଇ କପି ଶୂନ୍ୟେ ଶୂନ୍ୟେ ପଠାଇବାର କି ଅଭିନବ ପନ୍ଥା ! ସଂଗ୍ରାହକ ଏହିପରି ଅଭିନବ ବୁଦ୍ଧି ପାଠପଢ଼ାରେ ଖଟେଇଥିଲେ କେତେ ଉନ୍ନତି କରି ନଥାନ୍ତେ ! ସୂତା ସହ କପିଟି ନେଇ ସେ ହଲ୍‌କୁ ଗଲେ ଓ ତାହା ଦେଖାଇ କହିଲେ–‘‘ଯେଉଁ ପରୀକ୍ଷାର୍ଥୀ ଏହି ସୂତା ମାଧ୍ୟମରେ କପି ଅଣେଇବାର ବ୍ୟବସ୍ଥା କରିଥିଲେ, ତାଙ୍କର ସେଥିପାଇଁ ଆଉ ପରିଶ୍ରମ କରିବା ଅନାବଶ୍ୟକ । ମୁଁ ତାହା ସଂଗ୍ରହ କରିସାରିଲିଣି ।’’ ପାଠୁଆ ପିଲାଙ୍କ ଭିତରେ ହସର ମୃଦୁ ଗୁଞ୍ଜନ ଖେଳିଗଲା ।

 

କପିବାଜ୍‌ମାନେ ଏପରି ଅବସ୍ଥାର ସମ୍ମୁଖୀନ ହେବେ ବୋଲି କଳ୍ପନା କରି ନ ଥିଲେ । ରକ୍ତଚାଉଳ ଚୋବେଇ ସେମାନେ ପରୀକ୍ଷା ହଲ୍‌ରେ ବିଭ୍ରାଟ ସୃଷ୍ଟି କରିବାର ଉଦ୍ୟମ କଲେ । ପ୍ରଧାନ କପିବାଜ୍ ହଠାତ୍ ଉତ୍ତେଜିତ ହୋଇ ଚିଲେଇ ଉଠିଲା–‘‘ଏ ହଲ୍‌ରେ ଆମେ ଆଉ ସମ୍ମାନର ସହିତ ପରୀକ୍ଷା ଦେଇପାରିବୁ ନାହିଁ । ଆମ ସହିତ ଚୋର ଖଣ୍ଟପରି ବ୍ୟବହାର କରାଯାଉଛି । ପୁଲିସ୍ ଆସି ଏ ପବିତ୍ର ସ୍ଥାନରେ ପଇଁତରା ମାରୁଛନ୍ତି । ଆମର ଜଳଖିଆକୁ ଅଇଁଠା କରି ପଠାଉଛନ୍ତି । ଭାଇମାନେ ଉଠିପଡ଼ । ଆମେ ଏହାର ତୀବ୍ର ପ୍ରତିରୋଧ କରିବୁ ।’’

 

ସଙ୍ଗେ ସଙ୍ଗେ କପିବାଜ୍‌ମାନେ ଉଠିପଡ଼ି ଖାତାପତ୍ର ଚିରି ଫୋପାଡ଼ିବା ଆରମ୍ଭ କଲେ । ପାଠୁଆ ପିଲାଙ୍କ ଆଡ଼କୁ ଧମକ ଚମକ ଦେଇ ମାଡ଼ିଆସିଲେ । ଅଧ୍ୟକ୍ଷ ସଙ୍ଗେ ସଙ୍ଗେ ନିରାପତ୍ତା ଅଫିସର୍‍ମାନଙ୍କୁ ଅବସ୍ଥାକୁ ଆୟତ୍ତ କରିବାକୁ ନିର୍ଦ୍ଦେଶ ଦେଲେ ।

 

ହୁଇସିଲ୍ ବାଜି ଉଠିଲା । ପୁଲିସ୍ ଫଉଜ ହଲ୍ ଭିତରକୁ ଖେଦିଯାଇ କପିବାଜ୍‌ମାନଙ୍କୁ ଛେଳି ଘୋଷାଡ଼ିଲା ପରି ଘିଡ୍‌ଘାଡ଼ିଆ କରି ଘୋଷାଡ଼ି ପଦାକୁ ନେଇଗଲେ । ଅଧିକା ପୁଲିସ୍ ଫଉଜ ଓ ଭ୍ୟାନ୍‍ ଆସିଗଲା । ଟ୍ରକରେ ବସ୍ତା ଲଦିଲା ପରି କପିବାଜ୍‌ମାନଙ୍କୁ ଭ୍ୟାନ୍‌ରେ ଲଦି ପୁଲିସ୍‌ବାଲାଏ ଚାଲିଗଲେ । ପରୀକ୍ଷା ସୁରୁଖୁରୁରେ ଚାଲିଲା ।

 

ହାଜତ ଭିତରେ ପ୍ରଧାନ କପିବାଜ୍ ଓଜସ୍ୱିନୀ ଭାଷାରେ ପଶି ବକ୍ତୃତା ଆରମ୍ଭ କଲେ–‘‘ଭାଇମାନେ ଏ ପୁଲିସ୍ ହାଜତ ଆମକୁ ଡରାଇ ପାରିବ ନାହିଁ । ଆମର ମୌଳିକ ଅଧିକାରକୁ ରକ୍ଷା କରିବା ପାଇଁ ଆମେ ଦରକାର ପଡ଼ିଲେ ଫାଶୀଖୁଣ୍ଟକୁ ବି ଡରିବୁ ନାହିଁ । ଏ ସାମାନ୍ୟ ହାଜତ ଆମକୁ କଅଣ ଡରାଇବ । ଆମେ ଯେ ଆଜି ପରୀକ୍ଷା ଦେଇନୁ ତା’ ପାଇଁ କିଏ ଦାୟୀ ?’’

 

ସମବେତ କଣ୍ଠରେ ଧ୍ୱନି ଉଠିଲା–‘‘ଏଇ ପୁଲିସ୍ ।’’

 

କିଛି ସମୟ ପରେ ଖୋଦ୍ ଏସ୍:ପି: ଆସି ପହଞ୍ଚିଲେ । ଏମାନଙ୍କୁ ଦେଖି ଇନ୍‍ସ୍‌ପେକ୍ଟରଙ୍କୁ କହିଲେ, ‘ଏଗୁଡ଼ାଙ୍କୁ କାହିଁକି ଆଣିଲ ? ସହର ବାହାରେ ନେଇ ଛାଡ଼ି ଦେଇଥିଲେ ଭଲ ହୋଇଥାଆନ୍ତା । ଏମାନଙ୍କ ପିଛାରେ ଆମକୁ ବହୁତ ସମୟ ନଷ୍ଟ କରିବାକୁ ପଡ଼ିବ ।’’ ଏହା କହି ଛାତ୍ରମାନଙ୍କ ପାଖକୁ ଯାଇ କହିଲେ–‘‘ଆପଣମାନେ ଭଦ୍ରଘରର ସନ୍ତାନ । ମୁଁ ଆପଣମାନଙ୍କୁ ଛାଡ଼ିଦେଉଛି । ଆପଣମାନେ ଯାଆନ୍ତୁ, ସୁ-ନାଗରିକ ହୋଇ ପାଠପଢ଼ାରେ ମନ ଦିଅନ୍ତୁ । ଗୋଟିଏ କଲେଜରେ ଏପରି ବିଶୃଙ୍ଖଳ ଆଚରଣ ଦେଖାଇବା ଅତି ଖରାପ କଥା । ଆପଣମାନେ ଆତ୍ମସମୀକ୍ଷା କଲେ ନିଶ୍ଚୟ ନିଜର ଦୋଷତ୍ରୁଟି ଜାଣିପାରିବେ ଓ ସଂଶୋଧନ ମଧ୍ୟ କରିପାରିବେ । ଏଥରକ ଆପଣମାନେ ଚାଲିଯାଆନ୍ତୁ ।’’

 

ପ୍ରଧାନ କପିବାଜ୍ ଗର୍ଜି ଉଠିଲେ–‘‘ନା, ଆମେ ଏଠାରୁ ଯିବୁନାହିଁ । ଆମର ଦାବୀ ସାବ୍ୟସ୍ତ ନ ହେବାଯାଏ ଆମେ ଏଠାରେ ଜଳ ସୁଦ୍ଧା ସ୍ପର୍ଶ କରିବୁ ନାହିଁ ।’’

 

ଏସ୍.ପି ଅନ୍ୟ ଏକ କୋଠରିକୁ ଯାଇ ଇନ୍‍ସ୍‌ପେକ୍ଟର ସଙ୍ଗେ କିଛି ସମୟ ଗୁପ୍ତ ମନ୍ତ୍ରଣା କରି ଚାଲିଗଲେ ।

 

ଘଣ୍ଟାକ ପରେ ଆଉଜଣେ ଭାରି ତେଜୀ ଛାତ୍ର ଧରାହୋଇ ପୂର୍ବ ଛାତ୍ରମାନଙ୍କ ଭିତରକୁ ପେଲି ଦିଆଗଲା । ଜଣେ ଅଧ୍ୟାପକଙ୍କୁ ବାଡ଼େଇ ସେ ହାଜତ ବରଣ କରିଛି ବୋଲି କହିଲା । ଏସ୍.ପି କିପରି ସେମାନଙ୍କୁ ଚାଲିଯିବାକୁ କହୁଥିଲେ ତାହା ଶୁଣିବା ମାତ୍ରେ ସେ କହିଉଠିଲା–‘‘ଏସ୍.ପି.ର ତାହା ଏକ ଧପ୍‌ପାବାଜି । ଆଜି ରାତିରେ ଆମ ଉପରେ ଯେଉଁ ଅକଥନୀୟ ଅତ୍ୟାଚାର ହେବ, ତାକୁ ଘୋଡ଼େଇଦେବାକୁ ଏହା ଏକ ଧୂଆଁ ବାଣ ମାତ୍ର । ଅଧରାତି ପରେ ଏ ଅତ୍ୟାଚାର ଆରମ୍ଭ ହେବ । ଲୋକେ କେହି ଜାଣି ପାରିବେ ନାହିଁ । ଗୋଟିଏ ଅତି ଗୋପନୀୟ ସୂତ୍ରରୁ ମୁଁ ଏହା ଜାଣି ପାରୁଛି । ଆମକୁ ସତର୍କ ରହିବାକୁ ହେବ ।’’

 

ସମସ୍ତଙ୍କର ମୁହଁ ଝାଉଁଳି ପଡ଼ିଲା । ପ୍ରଧାନ କପିବାଜ୍‌ଙ୍କର ବକ୍ତୃତା କଣ୍ଠ ଆଉ ଫିଟିଲା ନାହିଁ । ପଛେ ଆସିଥିବା ଛାତ୍ରଟି କହିଲା–‘‘କିଛି ଚିନ୍ତା ନାହିଁ । ମୁଁ ତାର ଉପାୟ କରିବି । କେହି ଘାବରାଅ ନାହିଁ ।’’

 

ରାତି ଦଶଟା ହେଲା । ଗୋଟାଏ ବଡ଼ ହାଣ୍ଡି କେଉଁଆଡ଼ୁ ଜବତ ହୋଇଆସିଲା । ସେଇଟାକୁ ରଖିବାକୁ କେଉଁଠି ଥାନ ନ ମିଳିଲାରୁ ଗୋଟାଏ ସିପାହୀ ସେଇ ଘରର ଗୋଟିଏ କଣରେ ଥୋଇ ଦେଇଗଲା । ଅଧିକାଂଶ ଛାତ୍ର ଭୋକ ଓପାସରେ ଛଟପଟ ହୋଇ ହାଲିଆ ହୋଇଥିଲେ । କେତେ ଜଣ ଶୋଇପଡ଼ିଲେ ।

 

ରାତି ବାରଟାବେଳେ ପଛରେ ଆସିଥିବା ଛାତ୍ରଟି ସମସ୍ତଙ୍କୁ ଉଠେଇ ଚୁପ୍‌ଚାପ୍ କହିଲା-‘‘ଦେଖ ମୁଁ, ଜଳଖିଆ ଭିତରେ ନିଦ ଓଷଦ ଦେଇ ସିପାହୀକୁ ଶୁଆଇ ପକେଇଛି । ସେ କବାଟରେ ତାଲା ପକେଇବାକୁ ବି ଭୁଲି ଯାଇଛି । ହେଇଟି ସେ ହାଣ୍ଡିରେ କେଉଁଠୁ ପଟିମାରି ହାଣ୍ଡିଏ ସିଙ୍ଗଡ଼ା ଆଉ ରସଗୋଲା ଆଣି ରଖିଛନ୍ତି । ମୁଁ ଦି’ଚାରିଟା ସେଥିରୁ ପକେଇ ସାରିଲିଣି । ତାକୁ ସାଫ୍‍ କରିଦେଇ ଚାଲ ଏତିକିବେଳେ ପକେଇବା । ଶଳେ ପଛରେ ଉଠି ହାଲୁ ହାଲୁ ହେଉଥିବ ।’’

 

କଥା ନସରୁଣୁ ସମସ୍ତେ ହାଣ୍ଡି ପାଖରେ ଘେରିଗଲେ । ଭୋକରେ ପେଟ ଜଳୁଛି । ଟପାଟପ୍‌ ଗପାଗପ୍‌ ପକେଇଗଲେ । ହାଣ୍ଡିରେ ସିରା ଟୋପେ ବି ରହିଲା ନାହିଁ । ତାପରେ ପଛ ଛାତ୍ରଟି କବାଟଟି ଆସ୍ତେ ମେଲାଇଦେଲା ଓ ଜଣେ ଜଣେ କରି ସମସ୍ତଙ୍କୁ ଖସେଇ ଦେଲା । ସମସ୍ତେ ସିପାହୀଟିକୁ ନିଦରେ ଘୁଙ୍ଗୁଡ଼ି ମାରୁଥିବାର ଦେଖି ଜାଣିଗଲେ ଯେ ସେ ପ୍ରକୃତରେ ନିଦ ଔଷଧରେ ଆକ୍ରାନ୍ତ ହୋଇଯାଇଛି । ଅକଥନୀୟ ଅତ୍ୟାଚାରର ଆଶଙ୍କାରେ ସେମାନେ ଏତେ ଭୟଭୀତ ହୋଇଯାଇଥିଲେ ଯେ ଛାନିଆରେ ପଳାଇ ଗଲାବେଳେ ଉଦ୍ଧାରକର୍ତ୍ତାଙ୍କ କଥା ଏକାବେଳକେ ଭୁଲିଗଲେ । ସମସ୍ତେ ଚାଲଯିବା ପରେ ସିପାହୀର ନିଦ ଔଷଧ ଆଉ କାମ କଲାନାହିଁ । ସେ ହସି ହସି ଉଠି ପଚାରିଲା, କଅଣ ହାଣ୍ଡି ପୋଛାପୋଛି ତ ।’’

 

ପଛରେ ଆସିଥିବା ଛାତ୍ରଟି କହିଲା–‘ସିରା ବି ଟୋପେ ନାହିଁ । ସେଇ ଅଇଣ୍ଠା ହାତରେ ଏକମୁହାଁ ହୋଇଛନ୍ତି ।’’

 

ଆଉ ଆପଣ ଏତେବେଳେ ଆଉ କୁଆଡ଼େ ଯିବେ ? ଯାଆନ୍ତୁ ଅଫିସ୍‍ ଘର ଟେବୁଲ ଉପରେ ଫ୍ୟାନ୍‌ତଳେ ଶୋଇପଡ଼ିବେ । ସକାଳେ ଇନ୍‌ସ୍‍ପେକ୍ଟର ବାବୁଙ୍କଠାରୁ ବକ୍‌ସିସ୍ ନେଇ ଚାଲିଯିବେ !

Image